Unknown

 

 

 

 

 

 

 

 

 

 

 

ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ

ଡଃ କୁଞ୍ଜବିହାରୀ ତ୍ରିପାଠୀ

 

 

ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ସଙ୍କଳନ

୧-ମୁଖବନ୍ଧ

୨-ପ୍ରା.ଓ.ଗଦ୍ୟ ସାହିତ୍ୟ [ଖୋଦିତ ଲେଖ (ଖ୍ରୀ.ଅ. ୮ମ ଶତାବ୍ଦୀଠାରୁ ଖ୍ରୀ.ଅ. ୧୮୦୧ ପର୍ଯ୍ୟନ୍ତ)]

୧-ନିବିନା/ନିମିନା ତାମ୍ରଶାସନର ତତ୍କାଳୀନ ଚଳିତ ଭାଷା

୨-ଉରଜାମ ଶିଳାଲେଖ

୩-ରାଜରାଜଦେବଙ୍କ ଶିଳାଲେଖ

୪-ଶ୍ରୀକୁର୍ମମ୍ ଶିଳାଲେଖ (ଭାନୁଦେବଙ୍କ ସମଚାର)

୫-ଭୁବନେଶ୍ୱରରୁ ଆବିଷ୍କୃତ ଦ୍ୱୈଭାଷିକ ଶିଳାଲେଖର ଓଡ଼ିଆ ଅଂଶ

୬-ପୁରୀ ତ୍ରିମାଳୀ ତାମ୍ର ଶାସନର ଓଡ଼ିଆ ଅଂଶ

୭-ସିଦ୍ଧେଶ୍ୱର ଶିଳାଲେଖ (ଯାଜପୁର)

୮-ନରସିଂହ ନାଥ ଶିଳାଲେଖ, (ସମ୍ବଲପୁର)

୯-ଲିଙ୍ଗରାଜ ମନ୍ଦିର ଶିଳାଲେଖ (କପିଳେଶ୍ୱର ଦେବ)-(୪ର୍ଥ ଅଙ୍କ)

୧୦-ପୁରୀ ଜଗନ୍ନାଥ ମନ୍ଦିର-ଜୟବିଜୟ ଦ୍ୱାରସ୍ଥ (କପିଳେଶ୍ୱର ଦେବ ଶିଳାଲେଖ) (୧୯ ଅଙ୍କ)

୧୧-ପୁରୀ ଜଗନ୍ନାଥ ମନ୍ଦିର ଜୟବିଜୟ ଦ୍ୱାରସ୍ଥ ପୁରୁଷୋତ୍ତମ ଦେବଙ୍କ ଶିଳାଲେଖ (୧୯ ଅଙ୍କ)

୧୨-ପୁରୀ ଜଗନ୍ନାଥ ମନ୍ଦିରସ୍ଥ ଜୟବିଜୟ ଦ୍ୱାରସ୍ଥ (ଗୀତଗୋବିନ୍ଦ ସମ୍ପର୍କୀୟ ଶିଳାଲେଖ) (ପ୍ରତାପରୁଦ୍ର ଦେବଙ୍କ)

୧୩-ସୀମାଚଳସ୍ଥ ଲକ୍ଷ୍ମୀ ନରସିଂହ ମନ୍ଦିରର ମୁକୁନ୍ଦଦେବଙ୍କ ଶିଳାଲେଖ, (୧୧ ଅଙ୍କ)

୧୪-କଟକ ନିକଟସ୍ଥ ବିଦ୍ୟାଧରପୁରର ଦ୍ୱୈଭାଷିକ ଶିଳାଲେଖର ଓଡ଼ିଆ ଅଂଶ (ପ୍ରାୟ ଖ୍ରୀ.୧୭୩୦)

୧୫-ନନ୍ଦପୁର-ଜୟପୁର ମହାରାଜ ରାମଚନ୍ଦ୍ର ଦେବଙ୍କ ତାମ୍ରଶାସନ (ଖ୍ରୀ.୧୮୦୧)

 

ଗଦ୍ୟଗ୍ରନ୍ଥ ସମୂହରୁ ଉଦ୍ଧୃତ

 

୧-ଚର୍ଯ୍ୟାପଦର ଗଦ୍ୟଧର୍ମୀ ପଦାବଳୀ

୨-ଅମର କୋଷ

୩-ରୁଦ୍ର ସୁଧାନିଧି-ନାରାୟଣାନନ୍ଦ ଅବଧୂତ

୪-ଚକଡ଼ାପୋଥି

୫-ଚକଡ଼ା ବସାଣ (=ଚଇନୀ ଚକଡ଼ା)

୬-ବଳରାମ ଦାସଙ୍କ- ବ୍ରହ୍ମଗୀତା

ବଳରାମ ଦାସଙ୍କ- ଜ୍ଞାନ ଚୂଡ଼ାମଣି

୭-ଜଗନ୍ନାଥ ଦାସଙ୍କ- ତୁଳାଭିଣା

୮-ଚାରିଖାନି- ଅଚ୍ୟୁତାନନ୍ଦ ଦାସ

୯-କୁମାରବୋଧ ଲେଖନ (ଶିଶୁ ଅନନ୍ତ)

୧୦-ମାଦଳା ପାଞ୍ଜୀ

୧୧-ଚାଚେରୀ ଲୀଳା- (ଶରଣ ଦାସ)

୧୨-ପ୍ରସ୍ତାବ ଚିନ୍ତାମଣି-ନୀଳାମ୍ବର ବିଦ୍ୟାଧର

୧୩-ଚତୁର ବିନୋଦ- ବ୍ରଜନାଥ ବଡ଼ଜେନା

ପୁରୁଷୋତ୍ତମ କ୍ଷେତ୍ରର ଅମୃତମଣୋହି ଚୋପ

 

ବ୍ରତକଥା

 

୧-ନିତ୍ୟାନି ଗୁରୁବାର କଥା

୨-ସୋମନାଥ ବ୍ରତକଥା

୩-ସୁଦଶା ବ୍ରତକଥା

୪-କୁକ୍‌କଟୀ ବ୍ରତକଥା

୫-ସାବିତ୍ରୀ ବ୍ରତକଥା

୬-ରବିନାରାୟଣ ବ୍ରତନିଧି

୭-ଶ୍ରୀ ଧାନମାଣିକିଆ ଓଷାକଥା

୮-ପୋଲୁରୀ କଥା

 

ଅନୁବାଦ ଓ ଗଣିତ

 

୧-ଗୀତଗୋବିନ୍ଦ (ଦଶାବତାର)

୨-ବତ୍ରିଶ ସିଂହାସନ-

୩-ପାଠସମୁଦ୍ର- (ଗଣିତ)

 

ଗୁଣି ଗାରେଡ଼ି

 

୧-ଗୋଶାସ୍ତ୍ର ପୋଥିରୁ

୨-ରଣକୁହୁକକୁ ଔଷଧ

୩-ଆୟୁର୍ବେଦ ମିଶ୍ରିତ ଗୁଣିଗାରୁଡ଼ି

 

କେତେକ ପ୍ରବଚନ

 

ପରିଶିଷ୍ଟ :

୧-ନାଗୁଣୀ ଚଉଠୀବ୍ରତ

ପୁଅଜିଉଁତିଆ ବ୍ରତ

୨-ବେତାଳ ପଞ୍ଚିସା କଥା

 

ଭୂମିକା

 

ମହାଭାରତ-ପ୍ରଣେତା ଶାରଳା ଦାସ, ଓଡ଼ିଆ ସାହିତ୍ୟର ଇତିହାସରେ ଆଦିକବିରୂପେ ଯଥାର୍ଥରେ ମାନ୍ୟତାପ୍ରାପ୍ତ । କିନ୍ତୁ ତାଙ୍କ ପୂର୍ବରୁ ଓଡ଼ିଆ ଭାଷା, ଲିପି ଓ ରଚନାର ଅଭିବ୍ୟକ୍ତି ହୋଇନଥିଲେ, ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣ ପରି ବିପୁଳାୟତନ ଓଡ଼ିଆ ସାହିତ୍ୟ ଶାରଳା ଦାସ ସୃଷ୍ଟି କରିପାରିନଥାନ୍ତେ । ଶାରଳା ମହାଭାରତରେ ଆଭ୍ୟନ୍ତରୀଣ ଉଲ୍ଲେଖରୁ ବତ୍ସାଦାସଙ୍କ ‘କଳସା-ଚଉତିଶା’ ପ୍ରାକ୍‌-ଶାରଳା ଯୁଗର ରଚନାରୂପେ ବିବେଚିତ ହେବା ସ୍ୱାଭାବିକ । ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲୀ’ ମଧ୍ୟ ଏହିପରି ଏକ ପ୍ରାଚୀନ ରଚନା । କିନ୍ତୁ ଏହା ପୂର୍ବରୁ ସୁଦ୍ଧା ଓଡ଼ିଆ ଭାଷା ଓ ରଚନାର ବିକାଶ ଘଟିଥିବା ଅସ୍ୱୀକାର କରିହେବ ନାହିଁ । କାଳଗ୍ରାସରେ, ଲିଖନ ଉପାଦାନର ଜୀର୍ଣ୍ଣତା ଦୃଷ୍ଟିରୁ ସେସବୁ ବିଲୀନ ହୋଇଅଛି ।

 

ଏ ସାହିତ୍ୟର ଅବଶେଷ ନ ଥିଲେ ହେଁ, ଓଡ଼ିଶା ଭାଷା ଓ ରଚନାର ଅବଶେଷ ପ୍ରାଚୀନ ତାମ୍ରଲେଖ ଓ ଶିଳାଲେଖମାନଙ୍କରେ ରହିଯାଇଅଛି । ଏହି ସମ୍ପଦର ମୂଲ୍ୟାଙ୍କନ ନ କଲେ ଓଡ଼ିଆ ସାହିତ୍ୟର ଉତ୍ପତ୍ତି ଓ ଅଭିବ୍ୟକ୍ତିର ଇତିହାସ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ ।

 

ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ଆଜକୁ ପ୍ରାୟ କୋଡ଼ିଏ ବର୍ଷ ତଳେ ‘The Evolution of Oriya Language and Script’ ଗ୍ରନ୍ଥ ରଚନା କରି ଏ ଦିଗରେ ପଥିକୃତ ଉଦ୍ୟମ କରିଥିଲେ । ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‌ଡି ପାଇଁ ଏହାଥିଲା ତାଙ୍କର ଗବେଷଣାପ୍ରସୂତ ସନ୍ଦର୍ଭ । ଓଡ଼ିଆ ଭାଷା ଓ ରଚନାର ଅଭିବ୍ୟକ୍ତି ଡ. ତ୍ରିପାଠୀ ପରବର୍ତ୍ତୀ ପୂର୍ବୀୟ ଗଙ୍ଗ (Later Eastern Gangas) ରାଜାମାନଙ୍କ ଅଭିଲେଖମାନଙ୍କଠାରୁ ସୂର୍ଯ୍ୟବଂଶୀ ସମ୍ରାଟମାନଙ୍କର ଅଭିଲେଖମାନଙ୍କ ପର୍ଯ୍ୟନ୍ତ ସୀମିତ ଉପାଦାନ ଉପରେ ନିର୍ଭର କରି ରୁପାୟିତ କରିଥିଲେ ହେଁ ବ୍ରତକଥା, ଆଧ୍ୟାତ୍ମିକ ରଚନା ଓ ଲୋକକଥା ପ୍ରଭୃତିରେ ସେପରି ଏହାର କ୍ରମବିକାଶ ଘଟିଥିଲା, ତାହା ସେଥିରେ ସୂଚିତ ହୋଇନଥିଲା । ‘ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ସଙ୍କଳନ’ରେ ସେହି ଅପୂର୍ଣ୍ଣ କାର୍ଯ୍ୟଟି ବର୍ତ୍ତମାନ ପୂର୍ଣ୍ଣାଙ୍ଗ ହୋଇଅଛି ।

 

ଓଡ଼ିଆ ସାହିତ୍ୟର ଅଭିବ୍ୟକ୍ତି ପଥରେ ଇତିହାସ ହିଁ ଥିଲା ପ୍ରତିବନ୍ଧକ । ଓଡ଼ିଶାରେ ରାଜତ୍ୱ କରୁଥିବା କେଶରୀ ଓ ଗଙ୍ଗମାନେ ସଂସ୍କୃତ ଭାଷାର ପୃଷ୍ଠପୋଷକ ଥିଲେ । ସେମାନଙ୍କ ସାନ୍ଧି-ବିଗ୍ରହିକ ଓ ପ୍ରଶସ୍ତିକାରମାନେ ସଂସ୍କୃତ ଭାଷାରେ ହିଁ ସେମାନଙ୍କ ଅଭିଲେଖ ସବୁ ରଚନା କରିଥିଲେ । ଖ୍ରୀ: ୬ଷ୍ଠ ଶତାବ୍ଦୀଠାରୁ ପୂର୍ବୀୟ-ଗଙ୍ଗମାନେ ଦକ୍ଷିଣର ଗଙ୍ଗବାଡ଼ୀରୁ କ୍ରମେ ଉତ୍ତରାଭିମୁଖୀ ହୋଇ ‘କଳିଙ୍ଗ ନଗର’ ବା ମୁଖଲିଙ୍ଗମ୍‍ଠାରେ ସେମାନଙ୍କ ରାଜଧାନୀ ପ୍ରତିଷ୍ଠା କରିଥିଲେ । ସେମାନଙ୍କ ଅଧିକୃତ ଅଞ୍ଚଳ ତେଲୁଗୁ ଭାଷା ପରିସୀମା ମଧ୍ୟରେ ଥିବାରୁ ସ୍ୱାଭାବିକ ଭାବରେ ତେଲୁଗୁ ଭାଷାହିଁ ସେମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହେଉଥିଲା । କିନ୍ତୁ ଗଙ୍ଗବଂଶାତଂସ ଅନନ୍ତବର୍ମା ଚୋଡ଼ଗଙ୍ଗଦେବ ମୁଖଲିଙ୍ଗମ୍‌ରୁ ରାଜଧାନୀ ଉଠାଇ ଉତ୍କଳ-କଳିଙ୍ଗ ସାମ୍ରାଜ୍ୟର କେନ୍ଦ୍ର-ଭୂମି ବାରାଣାସୀ (ବରାନାସୀ ?) କଟକରେ ସ୍ଥାପିତ କରିବା ପରେ ପରବର୍ତ୍ତୀ ପୂର୍ବୀୟ ଗଙ୍ଗମାନଙ୍କର ଅଭିଲେଖମାନଙ୍କରେ ଓଡ଼ିଆ ଭାଷା ଓ ରଚନାର ବିକଶିତ ରୂପ ଦେଖିବାକୁ ମିଳିଥାଏ । ତେଣୁ ଶାରଳା ଦାସଙ୍କ ଅନ୍ୟୁନ ପାଞ୍ଚ ଶତାବ୍ଦୀ ପୂର୍ବରୁ ଓଡ଼ିଆ ଭାଷା ବିକାଶଲାଭ କରିସାରିଛି ।

 

କିନ୍ତୁ ରାଷ୍ଟ୍ରୀୟ ପୃଷ୍ଠପୋଷକତା ଅଭାବରୁ ଓଡ଼ିଆ ଭାଷାରେ ତଥାପି ବିପୁଳ ସାହିତ୍ୟ ରଚିତ ହୋଇପାରିନଥିଲା । ସୂର୍ଯ୍ୟବଂଶୀ ସମ୍ରାଟ୍ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଉତ୍କଳର କୀର୍ତ୍ତି-କେତନ ଦକ୍ଷିଣ ମହାସାଗର ସମୀରଣରେ ହିଲ୍ଲୋଳିତ ନ ହେବା ପର୍ଯ୍ୟନ୍ତ ଓଡ଼ିଆ କବି ଓ ସାହିତ୍ୟ ବିପୁଳ ଆତ୍ମପ୍ରକାଶ ପାଇଁ ଯେପରିକି ଆତ୍ମପ୍ରତ୍ୟୟ ଖୋଜି ପାଉନଥିଲା । ଉତ୍ତରରେ ଭାଗିରଥୀ ଗଙ୍ଗାଠାରୁ ଦକ୍ଷିଣରେ ଗୌତମୀ ଗଙ୍ଗା (ଗୋଦାବରୀ) ଅତିକ୍ରମ କରି କୃଷ୍ଣାବେଣୀ ଓ ତା’ପରେ କାବେରୀ ପର୍ଯ୍ୟନ୍ତ ଉତ୍କଳ-ସାମ୍ରାଜ୍ୟ ବିସ୍ତୃତ ହେବା ପରେ ଓଡ଼ିଆ ଭାଷା ଓ ସାହିତ୍ୟ ଯେପରି ନିଜର ବିରାଟ ସଭା ଘୋଷଣା କରିଥିଲା ଶାରଳା ଦାସ ହିଁ ଥିଲେ ତା’ର ଫଳଶ୍ରୁତି ।

 

‘ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ସଙ୍କଳନ’ରେ ଡକ୍ଟର ତ୍ରିପାଠୀ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ନିଦର୍ଶନ ସମ୍ପୁଟିତ କରି ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରେମୀମାନଙ୍କର ଦୃଷ୍ଟି ଆକର୍ଷଣ କରିଅଛନ୍ତି । ଏହା ଓଡ଼ିଆ ସାହିତ୍ୟର ଛାତ୍ର ଗବେଷକମାନଙ୍କଠାରୁ ଆରମ୍ଭ କରି ଆଗ୍ରହୀ ପାଠକମାନଙ୍କ ପର୍ଯ୍ୟନ୍ତ ଆଦୃତ ହେବ; ସନ୍ଦେହ ନାହିଁ ।

 

ତା ୪.୨.୮୨ ରିଖ

ସୁରେନ୍ଦ୍ର ମହାନ୍ତି

କଟକ-୮

ସଭାପତି

 

ଓଡ଼ିଆ ସାହିତ୍ୟ ଅକାଦମୀ

 

ମୁଖବନ୍ଧ

 

ଭାରତୀୟ ଆର୍ଯ୍ୟଭାଷା ଇଣ୍ଡୋ-ଇରାନୀୟ ଭାଷା ଗୋଷ୍ଠୀର ଗୋଟିଏ ଶାଖା । ଏହି ଇଣ୍ଡୋ-ଇରାନୀୟ ଗୋଷ୍ଠୀ ଇଣ୍ଡୋ-ୟୁରୋପୀୟ ପରିବାରର ଗୋଟିଏ ବିଭାଗ । ଭାରତୀୟ ଆର୍ଯ୍ୟଭାଷାର ଇତିହାସ ତିନି ଭାଗରେ ବିଭକ୍ତ । ଯଥା: ପ୍ରତ୍ନ (ପ୍ରାଚୀନ) ଭାରତୀୟ ଆର୍ଯ୍ୟ (ପ୍ରା.ଭା.ଆ.) ମଧ୍ୟଭାରତୀୟ ଆର୍ଯ୍ୟ (ମ.ଭା.ଆ.) ଏବଂ ନବ୍ୟ ଭାରତୀୟ ଆର୍ଯ୍ୟ (ନ.ଭା.ଆ.) । ପ୍ରା.ଭା.ଆ.ରେ ବୈଦିକ ଭାଷା, ସଂସ୍କୃତ ଭାଷା ଅନ୍ତର୍ଭୁକ୍ତ । ମଧ୍ୟଭାରତୀୟ ଆର୍ଯ୍ୟକୁ ବ୍ୟାପକ ଅର୍ଥରେ ପ୍ରାକୃତ କୁହାଗଲେ ମଧ୍ୟ ଏଥିରେ ପାଲି ଓ ସଂସ୍କୃତ ନାଟକରେ ବ୍ୟବହୃତ ପ୍ରାକୃତ ଯଥା: ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ଅର୍ଦ୍ଧମାଗଧୀ, ପୈଶାଚୀ ଓ ବିଭିନ୍ନ ଅପଭ୍ରଂଶ ଭାଷା ମଧ୍ୟ ଅନ୍ତର୍ଭୁକ୍ତ । ନ.ଭା.ଆ.ର ଅନ୍ତର୍ଗତ ଭାଷାଗୁଡ଼ିକ ସାଧାରଣତଃ ତିନିଟି ସ୍ୱର ବିଶିଷ୍ଟ ବୋଲି କୁହାଯାଇପାରେ । ଯଥା:- ପ୍ରାଚୀନ ଓଡ଼ିଆ ମଧ୍ୟ ଓଡ଼ିଆ ଓ ଆଧୁନିକ ଓଡ଼ିଆ । ସାଧାରଣତଃ ଗୃହୀତ ହୋଇଅଛି ଯେ-

 

ପ୍ରା.ଭା.ଆ.ର ସମୟ- ଖ୍ରୀ.ପୂ. ୨୦୦୦ରୁ ଖ୍ରୀ.ପୂ.୫୦୦

ମ.ଭା.ଆ.ର ସମୟ- ଖ୍ରୀ.ପୂ. ୫୦୦ରୁ ଖ୍ରୀ.ପୂ. ୧୦୦୦

ନ.ଭା.ଆ.ର ସମୟ- ଖ୍ରୀ.ଅ. ୧୦୦୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ

 

ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ଦୁଇଟି ସ୍ତରରେ ବିଭକ୍ତ । (୧) ବୈଦିକ ଭାଷା ଏବଂ ସଂସ୍କୃତ ଭାଷା । ବୈଦିକ ଭାଷା କାଳକ୍ରମେ ଷଷ୍ଠ-୫ମ ଖ୍ରୀ.ପୂ.ଆଡ଼କୁ ଯେଉଁ ଭାଷାରେ ବା ସ୍ତରରେ ବିବର୍ତ୍ତିତ ହେଲା ସେହି ଭାଷା ସମ୍ବନ୍ଧରେ ପାଣିନି ‘ଅଷ୍ଟାଧ୍ୟାୟୀ’ ନାମକ ବ୍ୟାକରଣ ଲେଖିଛନ୍ତି । ସେହି ବ୍ୟାକରଣରେ ପାଣିନି ବାରମ୍ବାର ସୂଚନା ଦେଇଅଛନ୍ତି ଯେ ସେ ସମସାମୟିକ କଥିତ ଆର୍ଯ୍ୟଭାଷାର ବ୍ୟାକରଣ ରଚନା କରୁଅଛନ୍ତି । ସେ ଏହି ବ୍ୟାକରଣରେ ତାଙ୍କ ପୂର୍ବବର୍ତ୍ତୀ ବୈଦିକ ଭାଷାର ପ୍ରୟୋଗଗୁଡ଼ିକୁ ମଧ୍ୟ ଉଲ୍ଲେଖ କରିଅଛନ୍ତି । ତାଙ୍କ ବ୍ୟାକରଣକୁ ପରେ ସଂସ୍କୃତ ବ୍ୟାକରଣ ବୋଲି କୁହାଗଲା । ପାଣିନିଙ୍କ ସମସାମୟିକ ଭାଷା ଓ ପରେ ସଂସ୍କୃତ ବ୍ୟାକରଣ ବୋଲି କୁହାଗଲା । ପାଣିନିଙ୍କ ସମସାମୟିକ ଭାଷା ଓ ବୈଦିକ ଭାଷାର ପ୍ରଭେଦ ଏହି ଯେ ବୈଦିକ ଭାଷାରେ ବହୁ ବୈକଳ୍ପିକ ପ୍ରୟୋଗ ଦେଖାଯାଏ । କିନ୍ତୁ ପାଣିନି ସାଧାରଣତଃ ଏହି ବହୁ ବୈକଳ୍ପିକ ପ୍ରୟୋଗଗୁଡ଼ିକୁ ସ୍ୱୀକାର ନ କରି ଗୋଟିଏକୁ ସ୍ୱୀକାର କରିଛନ୍ତି । ଯଥା- ବେଦରେ ତୁମର୍ଥକ ପ୍ରତ୍ୟୟ (Infinitive)ର ସଂଖ୍ୟା ୧୨ । କିନ୍ତୁ ପାଣିନି କେବଳ ତୁମୁନ୍‌କୁ ସ୍ୱୀକାର କରିଛନ୍ତି । ଯଥା- ବେଦରେ ଗନ୍ତୁମ୍‌, ଗନ୍ତବେ, ଗନ୍ତସେ, ଗମଧ୍ୟୈ ପ୍ରଭୃତିର ‘ଯିବାକୁ’ ଅର୍ଥରେ ପ୍ରୟୋଗ ଦେଖାଯାଏ । କିନ୍ତୁ ପାଣିନି କେବଳ ‘ଗନ୍ତୁମ୍‌’ର ପ୍ରୟୋଗକୁ ସ୍ୱୀକାର କରିଅଛନ୍ତି । ପାଣିନିଙ୍କ ବ୍ୟାକରଣରୁ ଜଣାପଡ଼େ ଯେ ଯେତେବେଳେ ବୈଦିକ ଆର୍ଯ୍ୟମାନେ ଉତ୍ତର ଭାରତ, ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ ବସତି ସ୍ଥାପନ କଲେ ସେତେବେଳେ ଆଞ୍ଚଳିକ ପ୍ରୟୋଗମାନ ବ୍ୟବହୃତ ହେବାକୁ ଲାଗିଲା । କେତେକ ପରିମାଣରେ ଭାଷା ବିବର୍ତ୍ତିତ ହେବାକୁ ଲାଗିଲା । ବୋଧହୁଏ ପାଣିନି ଭାରତୀୟ ଆର୍ଯ୍ୟମାନଙ୍କର ଗୋଟିଏ ମାନକ ଭାଷାର ଆବଶ୍ୟକତା ଅନୁଭବ କରି ତାଙ୍କ ଅଷ୍ଟାଧ୍ୟାୟୀ ବ୍ୟାକରଣ ଲେଖିଲେ । ସେ ଏଥିରେ ତାଙ୍କ ପୂର୍ବବର୍ତ୍ତୀ ବା ସମସାମୟିକ ବହୁ ବୈୟାକରଣମାନଙ୍କ ନାମ ଲେଖିଛନ୍ତି ।

 

ବୈଦିକ ଭାଷାରେ ପ୍ରଚଳିତ ବହୁ ବୈକଳ୍ପିକ ପ୍ରୟୋଗ ପାଣିନିଙ୍କ ବ୍ୟାକରଣରେ ସ୍ୱୀକୃତ ନ ହେଲେ ମଧ୍ୟ ତାହା ଭାଷାରେ ପ୍ରଚଳିତ ହେବାକୁ ଲାଗିଲା । ପ୍ରାୟ ଖ୍ରୀ.ଅ. ୧ମ ଶତାବ୍ଦୀ ଆଡ଼କୁ ପ୍ରା.ଭା.ଆ ପାଲି ଭାଷାରେ ବିବର୍ତ୍ତିତ ହେଲା । ଉଲ୍ଳିଖିତ କେତେକ ବୈକଳ୍ପିକ ପ୍ରୟୋଗ ପାଲିଭାଷା ମଧ୍ୟଦେଇ ପ୍ରଚଳିତ ହେଲା । ଏହିସବୁ ପ୍ରୟୋଗ ଶୌରସେନୀ, ମହାରାଷ୍ଟ୍ରୀ, ମାଗଧୀ, ଅର୍ଦ୍ଧମାଗଧୀ, ପୈଶାଚୀ ପ୍ରଭୃତି ପ୍ରାକୃତ ଓ ତତ୍‌ତତ୍ ନାମକ ଅପଭ୍ରଂଶ ମଧ୍ୟଦେଇ ଆଧୁନିକ ଆର୍ଯ୍ୟଭାଷାରେ ଅପଭ୍ରଷ୍ଟ ହୋଇ ବ୍ୟବହୃତ ହୋଇଅଛି । ତେଣୁ ହିନ୍ଦୀ, ଓଡ଼ିଆ, ବଙ୍ଗଳା, ଗୁଜୁରାଟୀ, ମହାରାଷ୍ଟ୍ରୀ ପ୍ରଭୃତି ଭାଷାଗୁଡ଼ିକର କ୍ରମିକ ବିବର୍ତ୍ତନ ଭଲ ଭାବରେ ଜାଣିବାକୁ ହେଲେ ଆମ୍ଭମାନଙ୍କ ଅପଭ୍ରଂଶ ଭାଷା, ପାଲି ସମେତ ବିଭିନ୍ନ ପ୍ରାକୃତ ଭାଷା, ସଂସ୍କୃତ ଭାଷା ଓ ବୈଦିକ ଭାଷାରେ ପ୍ରବେଶ ଆବଶ୍ୟକ ।

 

ପାଲି ଭାଷା ପ୍ରାକୃତମାନଙ୍କ ମଧ୍ୟରେ ଆଦି ପ୍ରାକୃତ ବୋଲି କୁହାଯାଇପାରେ । ଏହା ସଂସ୍କୃତର ଅତି ନିକଟବର୍ତ୍ତୀ । ବୌଦ୍ଧଧର୍ମ ଗ୍ରନ୍ଥଗୁଡ଼ିକ ଏହି ଭାଷାରେ ରଚିତ ହୋଇ ବିଭିନ୍ନ ପଂକ୍ତିରେ ସଜ୍ଜିତ ହୋଇ ରଖାଯାଉଥିବାରୁ ପ୍ରଥମେ ପାଲି ଶବ୍ଦ ବୌଦ୍ଧ ଧର୍ମଗ୍ରନ୍ଥ ଓ ପରେ ସେହି ଭାଷା ପାଇଁ ବ୍ୟବହୃତ ହେଲା । କେତେକଙ୍କ ମତରେ ଏହା ପାଟଳୀପୁତ୍ର ନଗରୀର ପାଟଳୀ ଶବ୍ଦ ସହିତ ସମ୍ପୃକ୍ତ । ଆଉ କେତେକଙ୍କ ମତରେ ଏହା ପଲ୍ଲୀ ଶବ୍ଦ ସହିତ ସମ୍ପୃକ୍ତ । ଯାହାହେଉ ପାଲି ଭାଷାକୁ ସଂସ୍କୃତ ଭାଷାର ସାନ ଭଉଣୀରୂପେ ଗ୍ରହଣ କରାଯାଇପାରେ ।

 

ବର୍ତ୍ତମାନ ଓଡ଼ିଆ ଭାଷାର ବୈଦିକ ଭାଷା ସହିତ କିପରି ଦୂର ସମ୍ପର୍କ ସେ ସମ୍ବନ୍ଧରେ କେତୋଟି ଉଦାହରଣ ଲକ୍ଷଣୀୟ ।

 

ବିଷ୍ଣୋଃ ନୁ କଂ ବୀର୍ଯ୍ୟାଣି ପବୋଚମ୍‌

ଯଃ ପାର୍ଥିବାନି ବିମମେ ରଜାଂସି ॥ ଋଗ୍‌ବେଦ ।୧୫୪

 

ଏହାର ଅର୍ଥ- “ମୁଁ ବର୍ତ୍ତମାନ ହିଁ ବିଷ୍ଣୁଙ୍କର ବୀରୋଚିତ କର୍ମଗୁଡ଼ିକ ଘୋଷଣା କରିବି ଯେ ପାର୍ଥିବ ଅଞ୍ଚଳଗୁଡ଼ିକୁ ପରିମାପ କରିଅଛନ୍ତି ।”

 

ଏହି ବୈଦିକ ବାକ୍ୟରେ ଦୁଇଟି ନିପାତ ବା ଅବ୍ୟୟର ବ୍ୟବହାର ଆମେ ଦେଖୁଛେ । ଯଥା : ନୁ ଓ କଂ । ନୁ ଶବ୍ଦଟି ମଧ୍ୟ କ୍ରିୟାବିଶେଷଣ ହୋଇପାରେ । ଏହା ଗୋଟିଏ ପ୍ରାଚୀନ ଇଣ୍ଡୋ-ୟୁରୋପୀୟ ଶବ୍ଦ । Old German ନୁ ଏବଂ ଆଧୁନିକ ଇଂରାଜୀ now ଏହା ସହିତ ସମ୍ପୃକ୍ତ । ଏହି ଶବ୍ଦଟି ସଂସ୍କୃତ ଏବଂ ପ୍ରାକୃତ ମଧ୍ୟଦେଇ ପଶ୍ଚିମ ଓଡ଼ିଆ ଭାଷାରେ ‘ନ’ ଏବଂ ମାନକ ଓଡ଼ିଆ ଭାଷାରେ ‘ଣି’ରେ ପରିଣତ ହୋଇଥିବାର ଜଣାପଡ଼େ । ଏହା କେତେକ ସମାପିକା କ୍ରିୟା ଶେଷରେ ଲାଗେ । ଯଥା- ପଶ୍ଚିମ ଓଡ଼ିଆ- ‘ଗଲାନ’ । ମାନକ ଓଡ଼ିଆ- ‘ଗଲାଣି’ । ଏହି ଅବ୍ୟୟ ଶବ୍ଦଟି ମଧ୍ୟ ଅନ୍ୟ ମାଗଧୀ ଭାଷାରେ ପ୍ରଚଳିତ ଅଛି । ପୂର୍ବୋକ୍ତ ବୈଦିକ ବାକ୍ୟରେ ‘କଂ’ ମଧ୍ୟ ଗୋଟିଏ ନିପାତ । ବୈଦିକ ଭାଷାରେ ଏହା ଗୋଟିଏ ନିଶ୍ଚୟବାଚକ ନିପାତ । ମନେହୁଏ ଏହି ‘କଂ’ ନିପାତଟି ପ୍ରାକୃତ ମଧ୍ୟଦେଇ ପ୍ରାଚୀନ ଓଡ଼ିଆରେ କ୍ରିୟାର ଶେଷରେ ବ୍ୟବହୃତ ହୋଇଅଛି । ଯଥା ବର୍ତ୍ତିବାକ, କରିବାକ ଇତ୍ୟାଦି । ଏହା ବଙ୍ଗଳା, ମୈଥିଳୀ ପ୍ରଭୃତି ଭାଷାରେ ମଧ୍ୟ ବ୍ୟବହୃତ । ସେହିପରି ବୈଦିକ ତୁମୁନ ଅର୍ଥକ-ତବେ ପ୍ରତ୍ୟୟ କ୍ରମଶଃ ବିବର୍ତ୍ତିତ ହୋଇ ପ୍ରାଚୀନ ଓଡ଼ିଆରେ ଉତ୍ତରୀ ଓଡ଼ିଆର ଓ ବଙ୍ଗଳାର ‘ତେ’ ପ୍ରତ୍ୟୟରେ ବିବର୍ତ୍ତିତ ହୋଇଅଛି ।

 

ଯଥା- “ଗର୍ଭେ ଧରିଲି ଦଶ ମାସ

କୋଳେ ଧରିତେ ନାହିଁ ଆଶ ।” (ଭାଗବତ)

 

ବୈଦିକ ଖଲୁ ବସ୍ତୁତଃ ବା ନିଶ୍ଚିତ ଅର୍ଥରେ ବେଦରେ ଓ ସଂସ୍କୃତରେ ପ୍ରୟୋଗ ହୁଏ । ଏହା ସଂସ୍କୃତ ମଧ୍ୟଦେଇ ପାଲିରେ ଖୁ ହୋଇଅଛି ଏବଂ ପଶ୍ଚିମ ଓଡ଼ିଆରେ ଖୁ- ଅନାଦର ଅର୍ଥରେ ଏବେ ମଧ୍ୟ ବ୍ୟବହୃତ ହୁଏ । ବେଦରେ ବାଳକ ଅର୍ଥରେ ‘ତୋକା’ ଶବ୍ଦ ବ୍ୟବହୃତ । ଏହା ବୋଧହୁଏ ଲୋକମୁଖରେ ପ୍ରଚଳିତ ହୋଇ ଓଡ଼ିଆରେ ‘ଟୋକା’ରେ ବି ପରିଣତ ହୋଇଅଛି । (ଏହି ଶବ୍ଦଟି ମଧ୍ୟ ତେଲୁଗୁ ଅଭିଧାନରେ ମଧ୍ୟ ମିଳେ) ସଂସ୍କୃତରେ ‘ଜୀ’ ଧାତୁର ରୂପ ହୁଏ ଜୟତି ଓଡ଼ିଆରେ ଏହାର ସମାର୍ଥକ ପ୍ରୟୋଗ ‘ଜିଣଇ’ ଏହା ପାଲି ‘ଜିନାତି’ରୁ ଅପଭ୍ରଷ୍ଟ ବୈଦିକ ଭାଷାରେ ‘ଜିନାତି’ ମଧ୍ୟ ପ୍ରୟୋଗ ହେଉଥିବା ସମ୍ଭବ । କାରଣ ବୈଦିକ ଭାଷାରେ ବିକରଣର ବ୍ୟତ୍ୟୟ ବହୁଶଃ ଦୃଷ୍ଟିଗୋଚର ହୁଏ ଯଥା- କରୋତି, କୃଣୋତି ଇତ୍ୟାଦି ।

 

ବୈଦିକ ଭାଷାରେ ଶବ୍ଦ ରୂପରେ କେତେକ ଅଧିକ ରୂପ ଦୃଷ୍ଟିଗୋଚର ହୁଏ । ଯଥା: ନରଶବ୍ଦ (ଅକାରାନ୍ତ ପୁଂଲିଙ୍ଗ ଶବ୍ଦର ବହୁବଚନରେ) ଆସ ପ୍ରତ୍ୟୟ ଯୋଗହୁଏ । ଯଥା: ନର ଶବ୍ଦର ବହୁବଚନରେ ନରାଃ ଓ ନରାସଃ ହୁଏ । ତୃତୀୟା ବହୁବଚନରେ ଐଃ, ଏଭିଃ, ଯଥା ନରୈଃ ଏବଂ ନରେଭିଃ ହୁଏ । ଓଡ଼ିଆରେ କର୍ତ୍ତୃକାରକ ବହୁବଚନରେ ‘ଏ’ ପ୍ରତ୍ୟୟ ଯୋଗହୁଏ । ଯଥା: ଲୋକେ = ଲୋକମାନେ, ବାଳକେ = ବାଳକମାନେ, ନଦୀଏ = ନଦୀମାନେ, ବହୂଏ = ବୋହୂମାନେ । ଉଲ୍ଲିଖିତ ବୈଦିକ ଏଭିଃ ପ୍ରତ୍ୟୟ ପ୍ରାକୃତ ମ.ଭା.ଆ.- ‘ଏହି’ ପ୍ରତ୍ୟୟ ମାଧ୍ୟମରେ ଓଡ଼ିଆରେ କର୍ତ୍ତୃକାରକ ବହୁବଚନରେ ‘ଏ’ରେ ପରିଣତ ହୋଇଛି । ବୈଦିକ କ୍ରିୟା ପ୍ରକରଣରେ ଲୋଟ୍ ଲକାର ବିଧିଲିଙ୍ ଅର୍ଥରେ ବିଶିଷ୍ଟ ଭାବରେ ପ୍ରୟୋଗ ହୁଏ । ଏହି ଲୋଟ୍ ଲକାର ବିଧିଲିଙ୍ଗ୍ ଅର୍ଥରେ ବିଶିଷ୍ଟ ଭାବରେ ପ୍ରୟୋଗ ହୁଏ । ଏହି ଲୋଟ୍ ଲକାରର ପ୍ରୟୋଗ ଗାୟତ୍ରୀ ଋକ୍‌ରେ ବ୍ୟବହୃତ ହୋଇଅଛି ।

 

ଯଥା– ତତ୍ ସବିତୁର୍ବରେଣ୍ୟଂ

ଭର୍ଗୋ ଦେବସ୍ୟ ଧୀମହି

ଧିୟୋ ଯୋ ନଃ ପ୍ରଚୋଦୟାତ୍ ।

 

ଏହାର ଅର୍ଥ- ‘ସବିତୃଦେବଙ୍କର ସେହି ବରଣୀୟ ତେଜକୁ ଆମ୍ଭେମାନେ ଧ୍ୟାନ କରୁଁ । ସେ ଆମ୍ଭମାନଙ୍କର ବୁଦ୍ଧିବୃତ୍ତି ଓ କର୍ମସମୂହକୁ ଅନୁପ୍ରାଣିତ କରନ୍ତୁ ।’ ଏଠାରେ ‘ପ୍ରଚୋଦୟାତ୍‌’ରେ ଲୋଟ୍ ଲକାର ବା ଆଭିପ୍ରାୟିକ ଭାବ (mood)ର ପ୍ରୟୋଗ ହୋଇଅଛି । ଏହି ଭାବ ସଂସ୍କୃତ ଭାଷାରୁ ତିରୋହିତ ହୋଇଅଛି । ସଂସ୍କୃତ ଲକାର ବା tence ଓ mood ମାନଙ୍କ ମଧ୍ୟରୁ ପାଲିରେ ଆଶୀର୍ଲିଙ୍ (ଯଥା- ଭୂୟାତ୍‌, ଭୂୟାସ୍ତାମ୍‌, ଭୂୟାସୁ ଇତ୍ୟାଦି) ଏବଂ ଲୁଟ୍ ଲକାର ଯଥା- (ଗନ୍ତା, ଗନ୍ତରୌ, ଗନ୍ତରଃ ଇତ୍ୟାଦି)ର ଅଭାବ ଦେଖାଯାଏ । ଅନ୍ୟ ୯ଟି ଯାକ ଲକାର ପାଲିରେ ଦୃଷ୍ଟିଗୋଚର ହୁଏ । ଯଥା- ଲଟ୍‌, ଲୋଟ୍‌, ଲଙ୍‌‌, ବିଧିଲିଙ୍‌, ଲୁଙ୍ (Aoxit), ଲିଟ୍ ଲୃଟ୍ (futuer) ଏବଂ ଲୃଙ୍ (conditional) ।

 

ପାଲିରେ ଋ,ଔ,ଶ,ଷ, ବିସର୍ଗ ନାହିଁ । ର ଓ ନ ଯଥାକ୍ରମେ କ୍ୱଚିତ୍ ଳ ଓ ଣ ହୁଏ । ସଂସ୍କୃତର ‘ନ’ ଓ ‘ର’ ପାଲିରେ ପ୍ରାୟ ସଂରକ୍ଷିତ । ଅନ୍ୟାନ୍ୟ ପ୍ରାକୃତରେ ଏହା ‘ଣ’ରେ ପରିଣତ ହୁଏ । ବେଦରେ ଥିବା- ତ୍ୱାନ୍ ପ୍ରତ୍ୟୟ ସଂସ୍କୃତରେ ନାହିଁ ମାତ୍ର ପାଲିରେ ସଂରକ୍ଷିତ ।

 

ପାଲିରେ, ସଂସ୍କୃତର ସଂଯୁକ୍ତାକ୍ଷର ସମୀଭୂତ ହୁଏ । ଯଥା- ଅଗ୍ନି > ଅଗଗି, ଧର୍ମ, >ଧମ୍ମ, ହସ୍ତ>ହତ୍‌ଥ । କେତେକ ଶବ୍ଦରେ ଦ୍ର, ବ୍ର ପ୍ରଭୃତି ସଂଯୁକ୍ତ କର୍ଣ୍ଣର ର ଓ ଅନ୍ତିମ ବ୍ୟଞ୍ଜନର ତିରୋଧାନ ହୁଏ । ଯଥା- ପରିଷତ୍‌>ପରିସା, ଶବ୍ଦରୂପରେ ଏବଂ ଧାତୁରେ ଦ୍ୱିବଚନ ନାହିଁ । ଆତ୍ମନେପଦୀର ପରିବର୍ତ୍ତରେ ପ୍ରାୟଶଃ ପରସ୍ମୈପଦୀର ବ୍ୟବହାର ଦେଖାଯାଏ । ପାଲି ଗାଥାର ଉଦାହରଣ: -

 

 

ଗହକାରକ ! ଦିଟଠୋ’ସି ପୁନ ଗେହଂନ କାହସି

 

ସବବା ତେ ପାଂସୁକା ଭଗ୍‌ଗା ଗହକୁଟଂ ବିସଙ୍ ଖତଂ

 

ବିସଙ୍ ଖାରଗତଂ ଚିତ୍ତଂ ତଣ୍‌ହାନାଂ ଖୟମଜ୍‌ଝଗା (୯) (ଧମ୍ମପଦ)

 

ସଂସ୍କୃତ:

ଗୃହକାରକ, ଦୃଷ୍ଟଃ ଆସି ପୁନଃ ଗୃହଂ ନ କରିଷ୍ୟସି

 

ସର୍ବେ ତେ ପାଶ୍ୱର୍କାଃ ଭଗ୍ନା, ଗୃହକ୍ୱଟଂ ବିସଂସ୍କୃତମ୍‌,

 

ବିସଂସ୍କାର ଗତଂ ଚିତ୍ତଂ ତୃଷ୍ଣାନାଂ କ୍ଷୟମ୍ ଅଧ୍ୟଗାତ୍ ।

 

ନହି ବେରେନ୍ ବେରାନି ସମ୍ମନ୍ତୀଧ କୁଦାଚନଂ

 

ଅବରେନେ ଚ ସମ୍‌ମନ୍ତି ଏସ ଧମ୍ମୋସନନ୍ତନୋ । (ଧମ୍ମପଦ)

 

ସଂସ୍କୃତ :

ନହିବୈରେଣ ବୈରାଣି ଶାମ୍ୟନ୍ତି ଇହକଦାଚନ

 

ଅବୈରେଣ ଚ ଶାମ୍ୟନ୍ତି ଏଷଃ ଧମଃ ସନାତନଃ

 

ଏଠାରେ ଦ୍ରଷ୍ଟବ୍ୟ ଯେ କଥିତ ଓଡ଼ିଆରେ ‘କୁଦାଚନ’ ଓ ‘ସନାନ୍ତନ’ ଶବ୍ଦ ପରିଦୃଷ୍ଟ ହୁଏ ।

 

ପାଲି ଗଦ୍ୟର ଉଦାହରଣ (ସେରିବଣିଜ ଜାତକରୁ)-

 

ସା କୁମାଚିକା ତଂଦିତ୍ସା ଅଯ୍ୟକଂ ଆହଁ, ଅମ୍ମ !

ମଯଂ ଏକଂ ପିଲନ୍ଧନଂ ଗଣା’ତି ।

‘ଅମ୍ମ ! ମୟଂ ଦୁଗତା, କିଂ ଦତ୍ୱା ଗଣିସାମା’ତି ।

ହସ

 

ସଂସ୍କୃତ: ସା କୁମାରିକା ତଂ ତୃଷ୍ଟା ଅର୍ଯ୍ୟକାମ୍ ଆହ ଅତ୍ମ !

ମହ୍ୟମ୍ ଏକଂ ପିନନ୍ଧନଂ ଗୃହାଣ’ ଇତି

 

ଓଡ଼ିଆ: -ସେ କୁମାରୀ ତାହାକୁ ଦେଖି ଆଈକୁ କହିଲା, ‘ମା ! ମୋ ପାଇଁ ଏକ ଅଳଙ୍କାର (ନୁପୁର) କିଣ’ ।

 

ଏଠାରେ ଦ୍ରଷ୍ଟବ୍ୟ ଯେ ପଶ୍ଚିମ ଓଡ଼ିଆରେ ‘କିଣିବା’ ଅର୍ଥରେ ‘ଘିନିବା’ ଶବ୍ଦର ପ୍ରୟୋଗ ହୁଏ ।

 

ତିନୋଟି ସ୍ତମ୍ଭରେ ସଜ୍ଜିତ, ବକ୍ଷ୍ୟମାଣ ଶବ୍ଦ ନିର୍ଘଣ୍ଟରୁ ଓଡ଼ିଆର ପାଲି ସହିତ ଏବଂ ପାଲିର ସଂସ୍କୃତ ସହିତ ସମ୍ପର୍କ ସ୍ପଷ୍ଟ ହେବ :-

 

ସଂସ୍କୃତ

ପାଲି

ଓଡ଼ିଆ

ଗୃହ

ଗେହ,ଘର,ଗହ

ଘର

ପୃଷ୍ଠ

ପିଟି

ପିଠି

 

 

 

ଚି

(tamarind) ଚିନ୍ତା (ତେଲୁଗୁ)

ପୁନଃପୁନ,

ପନପୁଣ,

ପୁଣି

ଭବତି

ହୋତି

ହୋଇ, ହୁଅଇ

ଭବନ୍ତି

ହୋନ୍ତି

ହୁଅନ୍ତି,

କୃତ୍ୱା

କରିତ୍ୱା

କରିଅ (ପ୍ରା-ଓ)

 

 

କରି

ପ୍ରଥମ

ପଠମଂ

ପଢ଼ୁଆଁ

ଦ୍ୱିତୀୟ

ଦୁତିୟ

ଦୁତିଅ

ମୁଦ୍‌ଗର

ମୁଗ୍‌ଗର

ମୁଗୁର

ତ୍ରିଣି

ତୀଣି

ତିନି

କାଷ୍ଠ

କଟ

କାଠ

 

 

କିଲ

କିର

 

ପୁତ୍ର

ପୁ

ଯୋଉ (ପ୍ରା.ଓ.)

 

 

ପୁଅ (ଅ. ଓ.)

ପୁଷ୍କରୀ

ପୋକରୀ

ପୋଖରୀ

 

 

ଶକ୍ର

ସକ

 

 

 

ସ୍ଥାନ

ଠାନ

ଠା

 

ସନ୍ତକ

ସନ୍ତକ

ଆକ୍ଷିୟତି

ଅଚ୍ଛତି

ଅଛି

(ମ୍ରିୟତାମ୍‌)

ମରତୁ

ମରୁ

ମଧ୍ୟ

ମଜ

ମାଝ (ପ୍ରା. ଓ.)

 

 

ଅଧସ୍ତାତ୍‌

ହେଟା

ହେଠ

 

 

ସ୍ଥିତ

ଠିତ

ଠିଆ

ବୈଦ୍ୟ

ବେଜ

ବେଜ

 

 

 

ମହାଲ୍ଲକ

ମହାଳିକ

ସଂଦଂଶ

ସଣ୍ଡାସ

ସଣ୍ଡୁଆସି

ଚତୁରାଶୀତି

ଚତୁରାସୀତି

ଚଉରାସି

 

 

(ଲିଖିତ-ଚଉରାଶୀ)

ଖଳୁ

ଖୋ,ଖୁ

ଖୁ-(ପଶ୍ଚିମ ଓଡ଼ିଆ)

ଶୃଙ୍ଗ

ସିଙ୍ଗ

ସିଂଗ

 

 

(ଶିଙ୍ଗ-ଲିଖିତ ରୂପ)

ସାୟଂ

ସାମଂ

ସାମ୍ (ହିନ୍ଦୀ)

ଦୃଷ୍ୱ୍‌

ଦିସ୍ୱା

 

ଦୃଶ୍ୟତେ

ଦିସତି

ଦିଶଭ

 

(ଦିସଇ ଲିଖିତ)

ଲଭନ୍ତାମ୍‌

ଲଭନ୍ତୁ

ଲଭନ୍ତୁ

 

 

(Letthem get)

କରିସ୍ୟନ୍ତି

କରିସନ୍ତୀ

(କରିବେ)

 

 

ବୃକ୍ଷ

ରୁକ୍‌ଖ

ରୁଖା

କନକ

କଣୟ

କଣୟ (ପ୍ରା.ଓ.)

ନୁ

ନୁ

ନ,ଣି

ଦୁହିତା

ଧିତା

ଝିଅ

ଅବଲମ୍ବକ

ଓଲମ୍ବକ

ଓଳମ

କୈବର୍ତ୍ତ

କେବଟ

କେଉଟ

 

 

 

 

ଅର୍ଦ୍ଧତୃତୀୟ

ଅଢ଼ତେସ୍ୟ

ଅଢ଼େଇ

ସ୍ନାତ୍ୱା

ନହାତ୍ୱା

 

ସଂକ୍ରମ

ସଙ୍କମ

ସଙ୍ଗ

 

 

(fridge)ଶଙ୍ଖ- (ଲିଖିତ)

 

ମନପା, ମନାପିକା

ମଣୋହି

ଜ୍ୱଳନ୍ତି

ଜଳନ୍ତି

ଜଳନ୍ତି

 

ନାଟକୀୟ ପାକୃତଗୁଡ଼ିକ ମଧ୍ୟରେ ଶୌରସେନୀ ଗଦ୍ୟରେ ଏବଂ ମହାରାଷ୍ଟ୍ରୀ ପଦ୍ୟରେ ସ୍ତ୍ରୀଲୋକମାନଙ୍କ ଦ୍ୱାରା ନାଟକରେ ବ୍ୟବହୃତ ହୁଏ । ନୀଚପାତ୍ର ମାଗଧୀ ପ୍ରାକୃତ ପ୍ରୟୋଗ କରିଥାନ୍ତି । ଜୈନ ସନ୍ନ୍ୟାସୀମାନେ ନାଟକର ଅର୍ଦ୍ଧମାଗଧୀ ପ୍ରୟୋଗ କରନ୍ତି । କାଳିଦାସ ପ୍ରଭୃତି ନାଟ୍ୟକାରମାନଙ୍କ ସଂସ୍କୃତ ନାଟକରେ ଯେଉଁ ପ୍ରାକୃତ ଭାଷା ବ୍ୟବହୃତ ହୋଇଛି ତାହା ଆଧୁନିକ ଭାରତୀୟ ଆର୍ଯ୍ୟଭାଷାର ନିକଟବର୍ତ୍ତୀ । କାଳିଦାସଙ୍କର ବହୁ ପରବର୍ତ୍ତୀ ନାଟକରେ ମଧ୍ୟ ଏହି ପ୍ରାକୃତ ଭାଷା ସମୂହ ବ୍ୟବହୃତ ହୋଇଅଛି । ନାଟକୀୟ ପ୍ରାକୃତଗୁଡ଼ିକରେ କ୍ରିୟା-ପ୍ରକରଣରେ ପ୍ରାୟଶଃ ଲଟ୍‌, ଲୋଟ୍ ବିଧିଲିଙ୍ ଓ ଲୁଟ୍ (ଭବିଷ୍ୟତ) ଲକାରର ବି ପରିଣାମ ଦେଖାଯାଏ ।

 

‘ସ୍ୱପ୍ନ ବାସବଦତ୍ତା’ ନାଟକରେ ଭାସ, ପ୍ରାକୃତ ଭାଷାରେ-

 

କେର ପ୍ରତ୍ୟୟ ବ୍ୟବହାର କରିଛନ୍ତି ତହିଁରୁ ଓଡ଼ିଆ, ବଙ୍ଗଳା ଓ ଆସାମୀର ୬ଷ୍ଠୀ ଏକବଚନ ‘ର’ ଏବଂ ‘କ’ ବିବର୍ତ୍ତିତ ହୋଇଅଛି ।

 

କାଳିଦାସଙ୍କ ‘ବିକ୍ରମୋବଂଶୀୟମ୍‌’ ନାଟକ (କ୍ରୋଟକ)ର ୨ୟ ଅଙ୍କରୁ ବିଦୂଷକର ପ୍ରାକୃତ ଭାଷାରେ ଉକ୍ତି ଏଠାରେ ଉଦ୍ଧୃତ ହୋଇଅଛି-

 

ସତି ଭେଦୀଏ ! ଇନଂ ଦୁଟଚେଡ଼ିଅଂ ପେକିଅ ତଂ ରାଜରହସଂ ହିଅଅଂ

ଭିନ୍ଦିଅ ଣିକମଦି ବିଅ । ନିଉଣିଏ ! ସଂଗୀଦବାବାରଂ ଉଜ୍‌ଝିଅ କହିଁ

ପତିଦାସି ।

 

ସଂସ୍କୃତ: ସ୍ୱସ୍ତି ଭବିତ୍ୟେ । (ଆତ୍ମଗତମ୍‌) ଇମାଂ ଦୁଷ୍ଟଚେଟିକାଂ ପ୍ରେକ୍ଷ୍ୟ ତଦ୍‌ରାଜ ରହସ୍ୟଂ ହୃଦୟଂ ଭିତ୍ତ୍ୱା ନିଷ୍କ୍ରାମତୀବ । (ପ୍ରକାଶମ୍‌) ନିପୁଣିକେ ! ସଙ୍ଗୀତ ବ୍ୟାପର- ମୁଜ୍‌ଝିତ୍ୱା କସ୍ମିନ୍ (ସ୍ଥାନେ) ପ୍ରସ୍ଥିତାଽସୀ ?

 

ଏଠାରେ ପ୍ରାକୃତ ଭାଷାରେ ‘ଣ’ର ପଦର ଆଦିରେ ଓ ମଧ୍ୟରେ ବହୁଳ ପ୍ରୟୋଗ ଲକ୍ଷଣୀୟ । ପଦ ମଧ୍ୟରେ ଥିବା ଏକକବ୍ୟଞ୍ଜନଗୁଡ଼ିକର ପ୍ରାୟଶଃ ଲୋପ ମଧ୍ୟ ଉଲ୍ଲେଖଯୋଗ୍ୟ । ଅଥବା ଅନୁରୂପ ସଘୋଷ ବ୍ୟଞ୍ଜନରେ ପରିଣତ ବି ଲକ୍ଷ୍ୟ କରିବାର କଥା ।

 

ଉକ୍ତ ନାଟକର ୪ର୍ଥ ଅଙ୍କରେ କାଳିଦାସ, ବିରହବିଧୁର ପୁରୁରବାଙ୍କ ମୁଖରେ କେତେକ କବିତା ଅପଭ୍ରଂଶ ଭାଷାରେ ପ୍ରଦାନ କରିଛନ୍ତି ଏଠାରେ ତହିଁରୁ ଗୋଟିଏ ଉଦାହରଣ ଦିଆହେଉଛି:-

 

କଂଇ ପଂଇ ସିକିଉ ଏ ଗଇଲାଳସ

ସା ପଇଂ ଦିଟୀ ଜଅଣଭରାଳସ ।

 

ସଂସ୍କୃତ:- କସ୍ମାତ୍ ତ୍ୱୟା ଶିକ୍ଷିତମ୍ ଏତଦ୍‌ଗତିଲାଳସଂ

ସା ଆତ୍ମନା ଦୃଷ୍ଟା ଜଘନଭରାଲସା । ।୪-୩୪

 

“ତୁମେ ଏହି ଲୀଳାମୟୀ ଗତି କେଉଁଠାରୁ ଶିକ୍ଷା କଲ, ଅବଶ୍ୟ ହିଁ ତୁମେ ସେହି ନିତମ୍ବଭାରବଶତଃ ଅଳସଗମନା ସୁନ୍ଦରୀ ଉର୍ବଶୀକୁ ଦେଖିଅଛ ।” ଶୌରସେନୀ, ମହାରାଷ୍ଟ୍ରୀ, ମାଗଧୀ, ଅର୍ଦ୍ଧମାଗଧୀ, ପୈଶାଚୀ ପ୍ରାକୃତଗୁଡ଼ିକ ଅନୁରୂପ ଅପଭ୍ରଂଶ ଭାଷା ମାଧ୍ୟମରେ ଯଥାକ୍ରମେ ଆଧୁନିକ ପଶ୍ଚିମାହିନ୍ଦୀ, ମରାଠୀ ଓ ବଙ୍ଗଳା ଓଡ଼ିଆ ପ୍ରଭୃତି ପୂର୍ବ ଉତ୍ତରୀୟ ଆର୍ଯ୍ୟଭାଷାରେ ପରିଣତ ହୋଇଛି । ଅର୍ଦ୍ଧମାଗଧୀରୁ ପ୍ରାଚ୍ୟ ହିନ୍ଦୀ ବିବର୍ତ୍ତିତ ହୋଇଥିବାର କଥିତ ହୋଇଅଛି । ପୈଶାଚରୁ କାଶ୍ମିରୀ ଭାଷା ବିବର୍ତ୍ତିତ ହୋଇଅଛି ।

 

ଓଡ଼ିଆ ଭାଷା, ଭାଗଧୀରୁ ବିବର୍ତ୍ତିତ ହେଲେ ହେଁ ନାଟକୀୟ ମାଗଧୀର ଷ, ସ, ସ୍ଥାନରେ ‘ଶ’ ହେବା, ‘ର’ ପରିବର୍ତ୍ତେ ‘ଲ’ର ବ୍ୟବହାର କରିବା ଏହି ୨ଟି ଲକ୍ଷଣ ସଂରକ୍ଷଣ କରିନାହିଁ ।

 

ଅର୍ଦ୍ଧମାଗଧୀ ଭାଷାର ପ୍ରଭାବ ବଶତଃ ଓଡ଼ିଆରେ କେବଳ ‘ସ’ର ବ୍ୟବହାର ‘ର’ ‘ଲ’ ଉଭୟର ବ୍ୟବହାର ସଂରକ୍ଷିତ ହୋଇଅଛି ।

 

ଅଶୋକଙ୍କ ଅନୁଶାସନ ଖ୍ରୀ.ପୂ. ୩ୟ ଶତକରେ ଭାରତର ବିଭିନ୍ନ ପ୍ରଦେଶରେ, ବର୍ତ୍ତମାନ ପାକିସ୍ତାନରେ ଶାହାବାଜ୍ ଗଡ଼ୀ ଓ ମାନସେରାରେ ଏବଂ ଆଫ୍‌ଗାନିସ୍ତାନର କାନ୍ଦାହାରରେ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଅଛି । ଓଡ଼ିଶାର ଧଉଳିଗିରି ଏବଂ ଜଉଗଡ଼ରେ ତାଙ୍କର ୧୧ଟି ଶୈଳ ଅନୁଶାସନ ଓ କଳିଙ୍ଗବାସୀଙ୍କ ପାଇଁ ଉଦ୍ଦିଷ୍ଟ ୨ଟି ବିଶିଷ୍ଟ ଅନୁଶାସନ ଦେଖିବାକୁ ମିଳେ ।

 

[ଉଲ୍ଲିଖିତ ଅପଭ୍ରଂଶ ଶ୍ଳୋକରେ ପଇଂର ସଂସ୍କୃତ ଛାୟା ‘ତ୍ୱୟା’ ବୋଲି ସମ୍ପାଦକ ଲେଖିଛନ୍ତି । କିନ୍ତୁ ଏହାର ଛାୟା ଆତ୍ମନା ହେବା ଉଚିତ । ଆତ୍ମନ ଶବ୍ଦର ୪ର୍ଥୀ ଏକବଚନ ‘ଆତ୍ମନେ’ ଶବ୍ଦରୁ ଓଡ଼ିଆର (ପାଇଁ) ଶବ୍ଦ ବିପରିଣତ ହୋଇଅଛି । ଉଲ୍ଲିଖିତ କଇଂ ଶବ୍ଦ ସଂସ୍କୃତ କସ୍ମିନ୍‌>କମ୍‌ହି ମାଧ୍ୟମରେ ହୋଇଅଛି । ଓଡ଼ିଆ ‘ପାଇଁ’ ଶବ୍ଦ ନେପାଳୀ ଭାଷାରେ ମଧ୍ୟ ବ୍ୟବହୃତ ।]

 

ଶୈଳ ଅନୁଶାସନ- ୮ (ଧର୍ମଯାତ୍ରା)

 

ଅତିକଂତଂ ଅଂତଲଂ ଲଜାନେ ବିହାଲୟାତଂ ନାମ

ନିଖିମିସୁ/ହିନ୍ଦା ମିଗୟା ଅଂନାନି ଚ ଏଦିସାନି

ଅଭିଲାମାନି ହୁବଂତି ନଂ/ସେ ଦେବାନଂ ପିୟେ

ପ୍ରିୟଦସୀ ଲାଜା ଦସବସାଭିସିତେ ସଂତେ ନିଖମି

ସଂବୋଧିଂ / ତେନ ତା ଧଂମୟାତା/ହେତା

ଇୟଂ ହୋତି ସମନ ବାଭନାନଂ ଦସନେ ଚ ଦାନେ ଚ

ବୁଢ଼ାନଂ ଦସନେ ଚ ହିଲନପଟିବିଧାନେ ଚ

ଜାନପଦସ ଚ ଜନମୁ ଦସନେ ଧଂମାନୁସସ୍‌ଟୀ (?)

ଧଂମପରିପୁଚ୍ଛା ଚ / ... ........... ଏସା ଭୂୟରତି

ହୋତି ପିୟସ ପିୟଦସିନୋ ରାଞ୍ଜୋ ଭଗେ ଅଞ୍ଜେ ।

ସଂସ୍କୃତ-ଅତିକ୍ରାନ୍ତ ମନ୍ତରଂ ରାଜାନୋ ବିହାର ଯାତ୍ରାଂ ନାମ

ନିରତ୍ର ମିଷୁଃ (= ଅଯାସିଷୁ) । ଅତ୍ର ମୃଗୟା ଅନ୍ୟାନିଚ ଏତାଦୃଶାନି

ଅଭିରାମ କାଣି ଅଭୁବନ । ସ ଦେବାନାଂ ପ୍ରିୟଃ ପ୍ରିୟଦର୍ଶୀ ରାଜା

ଦଶ ବର୍ଷାଭିଷିକ୍ତ ସନ୍ ନିରତ୍ରମିତ୍ (=ଅଯାସୀତ) ସଂବୋଧିମ୍‌/

ତେନଏଷା ଧର୍ମଯାତ୍ରା । ଅତ୍ର ଇଦଂ ଭବତି ଶ୍ରମଣ ବ୍ରାହ୍ମଣାନାଂ

ଦର୍ଶନଂ ଦାନଂ ଚ ବୃଦ୍ଧାନାଂ ଦର୍ଶନ ଚ ହିରଣ୍ୟପ୍ରତିବଧାନଂ

ଚ ଜାନପଦସ୍ୟ ଚ ଜନସ୍ୟ ଦର୍ଶନ ଧର୍ମାନୁଶାସ୍ତିଚ

ଧର୍ମ ପରିପୃଚ୍ଛା ଚ । ...............ଏଷା ଭୂୟୋରତି ଭବତି

ଦେବାନାଂ ପ୍ରିୟସ୍ୟ ପ୍ରିୟଦର୍ଶିନୋ ରାଜ୍ଞଃ ଭାଗେ ଅନ୍ୟସ୍ମିନ୍‌

 

*ସନ୍ଦେହାନ୍ୱିତ (doubtful)

 

ଉଲ୍ଲିଖିତ ଅଶୋକଙ୍କ ଶିଳାଲେଖରୁ ଭାଷା ସମ୍ବନ୍ଧରେ ନିମ୍ନଲିଖିତ ଲକ୍ଷଣ ଉଲ୍ଳେଖଯୋଗ୍ୟ । ଏଥିରେ ‘ର’ ସ୍ଥାନରେ ‘ଲ’ ବ୍ୟବହୃତ । ଅକାରାନ୍ତ ପୁଂଲିଙ୍ଗ ଓ କ୍ଳିବଲିଙ୍ଗ ଶବ୍ଦର କର୍ତ୍ତୃକାରକ ଏକବଚନରେ ‘ଏ’ ହୁଏ । ଏ ଦୁଇଟି ଲକ୍ଷଣ ନାଟକୀୟ ମାଗଧୀ ପ୍ରାକୃତରେ ଦୃଷ୍ଟ ହୁଏ । କିନ୍ତୁ ନାଟକୀୟ ମାଗଧୀ ପ୍ରାକୃତରେ ତିନିଗୋଟି ଉଷ୍ଣବର୍ଣ୍ଣ ଅର୍ଥାତ୍‌, ଶ,ଷ,ସ ସ୍ଥାନରେ କେବଳ ‘ଶ’ ବ୍ୟବହୃତ ହେଉଥିବା ସ୍ଥଳେ (ଶାକୁନ୍ତଳ ନାଟକର କୈବର୍ତ୍ତ ଉକ୍ତି ଦ୍ରଷ୍ଟବ୍ୟ) ଉଲ୍ଲିଖିତ ଶିଳାଲେଖରେ କେବଳ ‘ସ’ର ବ୍ୟବହାର ଦେଖାଯାଏ । ପାଲିଭାଷାରେ ଜ୍ଞ, ଣ୍ୟ ଓ ନ୍ୟ ପରିଣତ ହୁଏ ‘ଞଞ’ରେ, ଉଲ୍ଳିଖିତ ଅଶୋକଙ୍କ ଶିଳାଲେଖରେ ମଧ୍ୟ ତାହା ହିଁ ହୋଇଛି । ଅଶୋକଙ୍କ ଗିରନାର୍ (ଗୁଜୁରାଟ୍‌) ଶୈଳ ଶାସନରେ ‘ଅ’ କାରାନ୍ତ ପୁଂଲିଙ୍ଗ ଶବ୍ଦର କର୍ତ୍ତୃକାରକ ଏକବଚନରେ ଓ ହୁଏ ଏବଂ କ୍ଳୀବଲିଙ୍ଗରେ ଅଂ ହୁଏ । ସେଥିରେ ‘ର’ ଓ ‘ସ’ର ବ୍ୟବହାର ଦେଖାଯାଏ । ମାନ୍‌ସେରା ଏବଂ ଶାହାବାଜ ଗଡ଼ିରେ ଆବିଷ୍କୃତ ଅଶୋକଙ୍କ ଶୈଳ ଅନୁଶାସନରେ ‘ର’, ‘ସ’ ଏବଂ ‘ଶ’ର ବ୍ୟବହାର ଦେଖାଯାଏ । ‘ର’ ଯୁକ୍ତ ବ୍ୟଞ୍ଜନ ଉଭୟରେ ଦୃଷ୍ଟ ହୁଏ । ‘ପ୍ର’ ସଂଯୁକ୍ତ ବର୍ଣ୍ଣ ଅଶୋକଙ୍କ ପଶ୍ଚିମ ଉପଭାଷା (ଗିର୍‌ନାର) ଉତ୍ତର ପଶ୍ଚିମ ଉପଭାଷା ଯଥା- (ମାନ୍‌ସେରା)ରେ ଦେଖାଯାଏ । ଅଦ୍ୟାପି ମଧ୍ୟ ଉତ୍ତର ପଶ୍ଚିମର ଉପଭାଷାରେ ସେହି ‘ତ୍ର’ ଏବଂ ଟ୍ର ବ୍ୟବହାର ହୁଏ । ଯଥା- ତ୍ରେ = ୩ ଇତ୍ୟାଦି । ଅଶୋକଙ୍କର ଅନୁଶାସନ ଖରୋଷ୍ଠୀ ଏବଂ ବ୍ରାହ୍ମୀ ଲିପିରେ ଲିଖିତ । ସଂଯୁକ୍ତ ବ୍ୟଞ୍ଜନ ବର୍ଣ୍ଣର ବ୍ୟବହାର ଦେଖାଯାଏ ନାହିଁ । ଧଉଳି ଶିଳାଲେଖରେ ଲିଖିତ ପ୍ରାକୃତ ଅଶୋକଙ୍କର ରାଜଧାନୀର ଭାଷା ଥିଲାଭଳି ଜଣାପଡ଼େ ।

 

ବିହାରରେ ରାମଗଡ଼ ପର୍ବତର ଯୋଗୀମାରା ଗୁମ୍ଫାରେ ମିଳିଥିବା ପ୍ରାକୃତ ଖୋଦିତ ଲେଖା ପ୍ରାଚୀନ ମାଗଧୀରେ ଲିଖିତ ହୋଇଅଛି ।

 

ଶୁତନୁକ ନମ ଦେବଦଶିକା

ତଂ କମୟିଥ ବଲନଶେୟେ ଲୂପଦଖେ ॥

ଏହାର ସଂସ୍କୃତ–ସୁତନୁକା ନାମ ଦେବଦାସୀ

ତାମ୍ ଅକାମୟତ୍ ବାରାଣାସୀୟଃ ରୂପଦକ୍ଷଃ

 

ଓଡ଼ିଆ: ସୁତନୁକା ନାମରେ ଦେବଦାସୀ ଥିଲେ । ବାରାଣାସୀବାସ ଅଭିନେତା (?) ତାହାଙ୍କୁ ଭଲ ପାଉଥିଲେ ।

 

ଅଶୋକଙ୍କ ଧଉଳିଗିରି ଏବଂ ଜଉଗଡ଼ରେ ବ୍ୟବହୃତ ଭାଷାର କେତେକ ଲକ୍ଷଣ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରିରେ ଥିବା ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଦେଖାଯାଏ ନାହିଁ । ଏଥିରେ ‘ର’ ଏବଂ ‘ଲ’ ଉଭୟ ବ୍ୟବହୃତ ହୋଇଛି ଅର୍ଥାତ୍ ସଂସ୍କୃତ ଭାଷାର ର>ଲ ହୋଇନାହିଁ । ଆକାରାନ୍ତ ପୁଂଲିଙ୍ଗ ଓ କ୍ଳୀବଲିଙ୍ଗ ପ୍ରଥମା ଏକବଚନରେ ‘ଏ’ ହୋଇନାହିଁ । ଅର୍ଦ୍ଧମାଗଧୀ ଭାଷାରେ ଦୃଷ୍ଟ ପଦମଧ୍ୟସ୍ଥିତ ‘ପ’ ‘ବ’ କାରରେ ପରିଣତ ହେବା ଏବଂ ପଦ ମଧ୍ୟବର୍ତ୍ତୀ ‘ଥ’ ର ‘ଧ’ ରେ ପରିଣତ ହେବା ପଦ ମଧ୍ୟବର୍ତ୍ତୀ ‘ଖ’ ର ‘ହ’ରେ ପରିଣତ ହେବା ଖାରବେଳ ଶିଳାଲେଖରେ ଦେଖିବାକୁ ମିଳେ । (ପଣ>ବଣ, ରଥ>ରଧ, ଶିଖର>ସିହର ଇତ୍ୟାଦି) । ହାତୀଗୁମ୍ଫା ଶିଳାଲେଖର ଭାଷାର ଉଦାହରଣ ତଳେ ପ୍ରଦାନ କରାଗଲା ।

 

[ଅଶୋକଙ୍କ ଧଉଳି ଶିଳାଲେଖରେ ବ୍ୟବହୃତ କିଛି, ଚିକିତ୍ସା, ତିଂନି (ତିନି) ପଚ୍ଛା<ପଶ୍ଚାତ୍‌, ପଣତି (ପଣନାତି), ଦଖମି (ଦେଖଇଁ) ପ୍ରଭୃତି ଓଡ଼ିଆ ଭାଷାରେ ସାମାନ୍ୟ ପରିବର୍ତ୍ତନ ସହ ବ୍ୟବହୃତ ହୋଇଅଛି ।]

 

“ଦୁତୀୟେ ଚ ବସେ ଅଚିତୟିତା ସାତକଂ ନିଂ ପଚ୍ଛିମ ଦିସଂ ହୟଗଜ-ନର-ରଧ ବହୁଳଂ ଦଂଡ଼ଂ ପଠାପୟିତ । କନ୍‌ହବେଣାଂ ଗତୟା ଚ ସେନାୟ ବିତାସେତି ଅସକ-ନଗରଂ ତତୀୟେ ପୁନ ବସେ ଗନ୍ଧବ-ବେଦ-ଦୁଧୋ ଦପ-ନତ-ଗୀତ-ବାଦିତ ସଂଦସନାହି ଉସବ-ସମାଜ-କାରାପନାହି ଚ କ୍ରୀଡ଼ାପୟତି ନଗରୀଂ । ତଥା ଚବୁଥେ ବସେ ବିଜାଧରାଧି ବାସଂ ଅରହତପୁରଂ କଳିଙ୍ଗ ପୂର୍ବ-ରାଜାନଂ ଧମେନ ଓ ନୀତିନା ବ ପସାସୟତି ସବତ ଧମକୁଟେନ ଭୀତ-ତସିତେ ଚ ନିଖିତ-ଛତ-ଭିଙ୍ଗାରେ ହିତ ରତନ-ସାପତେୟେ ସବରଠିକ ଭୋଜନେ ପାଦେ ବନ୍ଦାପୟତି ।

 

ସଂସ୍କୃତ: ଦ୍ୱିତୀୟେ ଚବର୍ଷେ ଅଚିନ୍ତୟିତ୍ୱା ସାତକର୍ଣ୍ଣି ପଶ୍ଚିମ ଦିଶଂ ହୟ-ଗଜ-ନର-ରଥ-ବହୁଳଂ ଦଣ୍ଡଂ ପ୍ରସ୍ଥାପୟତି । କୃଷ୍ଣବେଣାଂ ଗତୟା ଚ ସେନୟା ବିତ୍ରାସୟତି (ଅଶ୍ମକ) ନଗରଂ ତୃତୀୟେ ପୁନର୍ବର୍ଷେ ଗନ୍ଧର୍ବ ବେଦବୁଧଃ (ଖାରବେଳଃ)ଦର୍ପ ନୃତ୍ୟ ଗୀତ ବାଦିତ୍ର ସନ୍ଦର୍ଶ ନୈରୁତ୍ସବ ସମାଜ କରଣୈଶ୍ଚ କ୍ରୀଡ଼ୟତି ନଗରୀମ୍ ତଥା ଚତୁର୍ଥେ ଚ ବର୍ଷେ ବିଦ୍ୟାଧରାଧିବାସଂ ଅର୍ହତପୁରଂ କଳିଙ୍ଗ ପୂର୍ବ ରାଜାନାଂ ଧର୍ମେଣ ଚ ନୀତ୍ୟା ଏବ ପ୍ରଶାସୟତି ସର୍ବତ୍ର ଧର୍ମ କୂଟେନ । ଭୀତତ୍ରସ୍ତାନ୍ ନିକ୍ଷିପ୍ତଛତ୍ରଭୃଙ୍ଗାରାନ୍ ହୃତରତ୍ନସ୍ୱାପତେୟାନ୍ ସର୍ବରାଷ୍ଟ୍ରିକ ଭୋଜକାଂନ୍ ପାଦାବଭିବାଦୟତେ ।

 

[ହାତୀଗୁମ୍ଫା ଶିଳାଲେଖରେ ବ୍ୟବହୃତ ଦୁତୀୟ, ପଛିମ ଶବ୍ଦ ଅଦ୍ୟାପି ଓଡ଼ିଆ ଭାଷାରେ ବ୍ୟବହୃତ । ପଠାପୟତି>ପଠାଅଇ>ପଠାଏ ଓଡ଼ିଆ ।]

 

ଖାରବେଳଙ୍କ ଶିଳାଲେଖ ପରେ ଭଦଖରୁ ମିଳିଥିବା ମହାରାଜା ‘ଗଣ’ଙ୍କର ଅଷ୍ଟମ ସମ୍ବତ୍ସରର କ୍ଷୁଦ୍ର ପ୍ରାକୃତ ଶିଳାଲେଖ ବ୍ୟତୀତ ଅନ୍ୟ ପ୍ରାକୃତ ଶିଳାଲେଖ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୁଏ ନାହିଁ । ସପ୍ତମ ଶତାବ୍ଦୀର ନିବିନା ସଂସ୍କୃତ ତାମ୍ରଲେଖରେ ଆମ୍ଭେମାନେ ତଦାନୀନ୍ତନ କଥିତ ଭାଷାର ନିଦର୍ଶନ ପାଉ । ପରବର୍ତ୍ତୀ ବ୍ରାହ୍ମଲିପିରେ ଲିଖିତ ଗଣଙ୍କ ଉକ୍ତ ଶିଳାଲେଖ ଉଦ୍ଧୃତ ପାଠ ନିମ୍ନରେ ପ୍ରଦତ୍ତ ହେଲା-

 

୧- ମହାରାଜ ସିରିଗ (ଣ ସ ସଂ ୮୬)/

ମୂଲ (=ଳ) ଜ ପେ (ଣ) ଦେବା ୩ ଦତ/

 

୨- ... ବପ ୮୦/ମହାକୁଲ (=ଳ) ପତି-ଅର୍ଯ୍ୟ

ଅଗିସମେଣଂ ପାନିଦେ ବଡ଼ିଦଂ ପଡ଼ିଛିଦଂ/

... (ଭଦ) ଅପବସ ମହାସର ଖଲି ଅଢ଼ସମ/

 

[ଡଃ ଦୀନେଶ ଚନ୍ଦ୍ର ସରକାରଙ୍କ ମୌଳିକ ପାଠକୁ ଆଲୋଚନା କରି S.N. Ghosalଙ୍କ ଦ୍ୱାରା ଗୃହୀତ ପାଠ ଉପରେ ଉଦ୍ଧୃତ ହେଲା ।

 

ASIATIC SOCIETY- Monthly bulletin Vol-Ix No. 7 July 1980-ଦ୍ରଷ୍ଟବ୍ୟ]

 

ଏହାର ଓଡ଼ିଆ ଅନୁବାଦ: ମହାରାଜ ଶ୍ରୀ ଗଣଙ୍କର ଅଷ୍ଟମ ସମ୍ବତ୍ସରରେ,ମୂଳଜପଙ୍କ ଦ୍ୱାରା ତିନିଗୋଟି ଦେବମୂର୍ତ୍ତି ଦତ୍ତ (ହୋଇଅଛି) ସେ ମଧ୍ୟ ୮୦ ଆଢ଼କ (କିମ୍ବା ଦ୍ରୋଣ ଶସ୍ୟ ଦେଇଅଛନ୍ତି) ତାହା ମହାକୁଳପତି ଅଗ୍ନିଶର୍ମାଙ୍କ ଦ୍ୱାରା ପାଣିଦ (ସ୍ଥାନ)ରେ ଉତ୍ପାଦିତ (ହେଲା) । ଏବଂ ତାଙ୍କ ଦ୍ୱାରା ଗୃହୀତ ହେଲା । ଭଦ୍ର, ଅପବର୍ଷ, ମହସର ଏବଂ ଖଲି ସେହି ଶସ୍ୟର ର ଅର୍ଦ୍ଧ ନେଲେ ।

 

ଗଣଙ୍କ ଏହି ଶିଳାଲେଖ ପରେ ନିବିନା/ନିମିନା ତାମ୍ରଲେଖ ପର୍ଯ୍ୟନ୍ତ କୌଣସି ପ୍ରାକୃତ ବା ଅପଭ୍ରଂଶ ଭାଷାର ଖୋଦିତ ଲେଖ ଓଡ଼ିଶାରେ ପାଉନାହୁଁ । ଏହି ବ୍ୟବଧାନ କାଳ ମଧ୍ୟରେ ବହୁ ସଂସ୍କୃତ ଲେଖା ଓଡ଼ିଶାରେ ମିଳୁଅଛି । ସେଥିରେ କେତେକ ପ୍ରାକୃତ ଶବ୍ଦ ମାତ୍ର ଦୃଷ୍ଟିଗୋଚର ହୁଏ । ନିବିନା/ନିମିନା ତାମ୍ରଲେଖରେ ପ୍ରଦତ୍ତ ଭୂମିର ଚୌହଦୀତ ଦାନୀନ୍ତନ ପ୍ରଚଳିତ ଭାଷାରେ ଲିଖିତ । ଏହା ଅର୍ଦ୍ଧମାଗଧୀ ପ୍ରାକୃତ ଭାଷାର ପରବର୍ତ୍ତୀ ରୂପ ।

 

୭ମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସଂସ୍କୃତ ହର୍ଷଚରିତର ଲେଖକ* ବାଣଭଟ୍ଟ ତାଙ୍କର ବହୁ ମିତ୍ରଙ୍କ ମଧ୍ୟରେ ଜଣେ ପ୍ରାକୃତ କବି ଏବଂ ଆଉ ଜଣେ ଭାଷା କବିଙ୍କ ନାମ ଉଲ୍ଲେଖ କରିଅଛନ୍ତି । ଏଥିରୁ ଜଣାପଡ଼େ ଯେ ସପ୍ତମ ଶତାବ୍ଦୀରେ ପ୍ରାକୃତ ଭାଷା ପ୍ରଚଳିତ ଭାଷା ନ ଥିଲା । ସେ ସମୟରେ ପୂର୍ବ ଭାରତରେ ଚଳିତ ଭାଷାକୁ ମାଗଧୀ ଅଥବା ଅର୍ଦ୍ଧମାଗଧୀ ଅପଭ୍ରଂଶ ବୋଲା ଯାଇପାରେ । ଭରଜାମ୍ ଶିଳାଲେଖ ୧୧ଶ ଶତାବ୍ଦୀର ମଧ୍ୟଭାଗର, ଉତ୍ତର ଭାରତରେ କଥିତ ଭାଷାରେ ଆବିଷ୍କୃତ ହୋଇଥିବା ଖୋଦିତ ଲେଖାମାନଙ୍କ ମଧ୍ୟରେ ପ୍ରାଚୀନତମ । ଏହା ଶକାବ୍ଦ ୯୭୩ରେ ଲିଖିତ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଖ୍ରୀଷ୍ଟାବ୍ଦ ଗଣନାରେ ଏହା ୧୦୫୧ରେ ଲିଖିତ । ୧୧ଶ ଶତାବ୍ଦୀଠାରୁ ବିଂଶ ଶତାବ୍ଦୀ ମଧ୍ୟବର୍ତ୍ତୀ ପ୍ରତ୍ୟେକ ଶତକରେ ଓଡ଼ିଶାରେ ଓଡ଼ିଆ ଶିଳାଲେଖ ଦେଖିବାକୁ ମିଳେ । ଏହି ଶିଳାଲେଖଗୁଡ଼ିକର ପାଠୋଦ୍ଧାର ପ୍ରାୟ ନିଃସନ୍ଦେହ । ତେଣୁ ଓଡ଼ିଆ ଭାଷା ବିବର୍ତ୍ତନରେ ଏଗୁଡ଼ିକର ସାକ୍ଷ୍ୟ ସର୍ବାପେକ୍ଷା ମୂଲ୍ୟବାନ୍ ।

 

[* ବାଣଭଟ୍ଟ ମଗଧରେ ପ୍ରବାହିତ ସୋଣନଦୀ ତୀରସ୍ଥ ପ୍ରୀତିକୂଟ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିବାର ନେଖିଛନ୍ତି ।]

 

୧୯୦୯ ଖ୍ରୀ.ଅ.ରେ ହରପ୍ରସାଦ ଶାସ୍ତ୍ରୀଙ୍କଦ୍ୱାରା ନେପାଳରୁ ଆବିଷ୍କୃତ ତାକାର୍ଣ୍ଣବ, ଦୋହାକୋଷ ଏବଂ ଚର୍ଯ୍ୟାପଦଗୁଡ଼ିକ ଉତ୍ତର ପୂର୍ବ ଭାରତୀୟ ଭାଷା ଗୋଷ୍ଠୀର ବିବର୍ତ୍ତନରେ ସ୍ପଷ୍ଟ ଆଲୋକ ପ୍ରଦାନ କରେ । ଏଗୁଡ଼ିକର ଭାଷାରେ କେତେକ ଅପଭ୍ରଂଶର ଲକ୍ଷଣ ଓ କେତେକ ନବ୍ୟ ଭାରତୀୟ ଆର୍ଯ୍ୟଭାଷାର ଲକ୍ଷଣ ଦୃଷ୍ଟିଗୋଚର ହୁଏ । ଏଥିରେ ଆସାମୀ, ଓଡ଼ିଆ, ମୈଥିଳୀ, ବିହାରୀ ଓ ବଙ୍ଗ ଭାଷାର ପ୍ରାଚୀନତମ ଲକ୍ଷଣ ପରିଲକ୍ଷିତ ହୁଏ । ତେଣୁ ଓଡ଼ିଆ ଭାଷାର ବିବର୍ତ୍ତନରେ ଏଗୁଡ଼ିକର ଗୁରୁତ୍ୱ ଅତ୍ୟଧିକ ।

 

ଏଗୁଡ଼ିକ ପୂର୍ବ ଭାରତର ବୌଦ୍ଧସିକମାନଙ୍କ ଦ୍ୱାରା ରଚିତ । ସେମାନଙ୍କ ମଧ୍ୟରୁ କେତେକ ସିଦ୍ଧଙ୍କ ନାମ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମିଳେ । ପୂର୍ବ ଭାରତରୁ କେତେକ ବୌଦ୍ଧଧର୍ମୀ ଏଗୁଡ଼ିକ ସଙ୍ଗରେ ନେଇ ନେପାଳକୁ ଚାଲିଯାଇଥିବାର ବୋଧହୁଏ । ଅଦ୍ୟାପି ନେପାଳରେ ହିନ୍ଦୁଧର୍ମ ଓ ବୌଦ୍ଧଧର୍ମ ପାଖାପାଖି ଥିବାର ଦେଖାଯାଏ ।
 

ଏହି ଚର୍ଯ୍ୟାପଦ ଏବଂ ଦୋହାଗୁଡ଼ିକ ୧୯୧୬ରେ ହରପ୍ରସାଦଙ୍କ ଦ୍ୱାରା ପ୍ରକାଶିତ ହେଲା । ଚର୍ଯ୍ୟାର ଲେଖକ ସିଦ୍ଧମାନଙ୍କ ମଧ୍ୟରେ ସେ ଜଣେ ଦୁଇଜଣଙ୍କୁ ଓଡ଼ିଶା ସହିତ ସମ୍ପୃକ୍ତ ଥିବାର ଏବଂ ଅଳପ କେତେକ ପଦ ଓଡ଼ିଆ ଭାଷାରେ ଲିଖିତ ବୋଲି ସ୍ୱୀକାର କରିଥିଲେ ମଧ୍ୟ, ଏହି ଚର୍ଯ୍ୟାପଦ ଓ ଦୋହାଗୁଡ଼ିକ ପ୍ରାଚୀନ ବଙ୍ଗଳାରେ ଲିଖିତ ବୋଲି ଘୋଷଣା କରିଛନ୍ତି । ଏହି ଚର୍ଯ୍ୟାପଦ ଗୋଟିଏ ପାଣ୍ଡୁଲିପି ଉପରେ ଆଧାରିତ ଓ ଏହାର ତିବ୍ଦତୀୟ ଅନୁବାଦ ବଙ୍ଗୀୟ ପଣ୍ଡିତମାନଙ୍କ ଉଦ୍ୟମ ଫଳରେ ଆବିଷ୍କୃତ ହୁଅନ୍ତେ ସେମାନେ ଏହାର ଶୁଦ୍ଧପାଠ ଦେବାକୁ ଚେଷ୍ଟା କରିଛନ୍ତି । ଢାକା ବିଶ୍ୱବିଦ୍ୟାଳୟର ବଙ୍ଗଭାଷାର ଅଧ୍ୟାପକ ଡଃ ଶହିଦୁଲ୍ଲାଙ୍କ ଠାରୁ ଆରମ୍ଭ କରି ଡଃ ସୁନୀତି କୁମାର ଚାଟାର୍ଜୀଙ୍କ ପର୍ଯ୍ୟନ୍ତ ଅନେକ ବଙ୍ଗୀୟ ବିଦ୍ୱାନ ଏହାର ଭାଷାକୁ ପ୍ରାଚୀନ ବଙ୍ଗଳା ବୋଲି କହି ଆସୁଛନ୍ତି । ଈରଦ୍ଭୟବକ୍ଷ (ବେଣ୍ଡଲ)ସାହେବ ହରପ୍ରସାଦଙ୍କ ପୂର୍ବରୁ ଦୋହାର ଭାଷାକୁ ଅପଭ୍ରଂଶ ବୋଲି ଉଲ୍ଳେଖ କରିଛନ୍ତି । ଡଃ ବାଗଚି ପ୍ରମୁଖ ପରବର୍ତ୍ତୀ କେତେକ ବଙ୍ଗୀୟ ବିଦ୍ୱାନ ଏହାର ଭାଷା ପ୍ରାଚୀନ ବଙ୍ଗଳା ଭିନ୍ନ ଅନ୍ୟ ହୋଇପାରେ ଏହା ବିଶ୍ୱାସ କରିଛନ୍ତି । ମୈଥିଳୀ, ଆସାମୀ ଓ ବିହାରୀ ଓ ପ୍ରାଚ୍ୟ ହିନ୍ଦୀର କେତେକ ପଣ୍ଡିତ ଏହାକୁ ସମ୍ପୃକ୍ତ ଭାଷାଗୁଡ଼ିକର ପ୍ରାଚୀନତମ ନିଦର୍ଶନ ବୋଲି ଦାବି କରିଛନ୍ତି । ଉତ୍ତର ପୂର୍ବୀୟ-ପ୍ରାଚୀନ ଦେଶ ଭାଷାରେ ଲିଖିତ କେତେକ ପଦାବଳୀର ପାଣ୍ଡୁଲିପି ନେପାଳରୁ ନିଆଯାଇ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରକ୍ଷିତ ହୋଇଅଛି । ଚର୍ଯ୍ୟାପଦର ଶୁଦ୍ଧପାଠ ଉଦ୍ଧାର କରିବାରେ ମୁନିଦତ୍ତଙ୍କ ସଂସ୍କୃତ ଟୀକା ଆମ୍ଭମାନଙ୍କୁ ବିଶେଷ ଭାବରେ ସାହାଯ୍ୟ କରେ । ଚର୍ଯ୍ୟାପଦରେ ଓଡ଼ିଆ ୪ର୍ଥୀର ଚିହ୍ନ-କୁ, ୬ଷ୍ଠୀ ବିଭକ୍ତିର ଚିହ୍ନ-ର, ଏବଂ ଓଡ଼ିଆ ଅଶ୍ଳୀଳ ଶବ୍ଦ ବ୍ୟବହୃତ । ବଙ୍ଗୀୟମାନେ ଏହା ବୁଝି ନପାରି ଭୁଲ ଅର୍ଥ କରିଛନ୍ତି ।

 

ସିଦ୍ଧମାନଙ୍କର ଏହି ଚର୍ଯ୍ୟାପଦଗୁଡ଼ିକ ବିଭିନ୍ନ ରାଗରେ ରଚିତ ହେବାର ଉଲ୍ଲିଖିତ ଅଛି । ‘ଚର୍ଯ୍ୟାପଦ’ ନାମରେ ପ୍ରକାଶିତ ୫୦ଟି କବିତା ବିଭିନ୍ନ ରାଗରେ ଲିଖିତ ହେଲେ ମଧ୍ୟ କେତେକ କବିତାରେ ଅକ୍ଷର ସଂଖ୍ୟାରେ ବିଭିନ୍ନତା ଦେଖାଯାଏ । ଭିନ୍ନତା ସତ୍ତ୍ୱେ ଶେଷାକ୍ଷରରେ ପ୍ରାୟ ସମାନତା ପରିଦୃଷ୍ଟ ହୁଏ । ପରବର୍ତ୍ତୀ ରୁଦ୍ରସୁଧାନିଧିର ଅନେକ ସ୍ଥଳରେ ଠିକ୍ ସେହିପରି ପଦର ଅକ୍ଷର ସଂଖ୍ୟାରେ ଭିନ୍ନତା ଦେଖାଗଲେ ମଧ୍ୟ ଅନ୍ତିମ ଅକ୍ଷରରେ ସାମ୍ୟ ଥାଏ । ଏହିପରି ଗଦ୍ୟଧର୍ମୀ କେତୋଟି ପଦ ମୁଁ ଏ ସଙ୍କଳନରେ ନମୁନାସ୍ୱରୂପ ଦେଇଛି । ଚର୍ଯ୍ୟାପଦଗୁଡ଼ିକର ସମୟ ପ୍ରାୟ ୭ମ ଶତାବ୍ଦୀଠାରୁ ୧୦ ଶତାବ୍ଦୀ ପର୍ଯ୍ୟନ୍ତ, ନିବିନା/ନିମିନା ତାମ୍ରଲେଖର ପ୍ରଚଳିତ ଭାଷାର ନିଦର୍ଶନ ସହିତ ଚର୍ଯ୍ୟାପଦର ଭାଷାର ସାମ୍ୟ ଦୃଷ୍ଟିଗୋଚର ହୁଏ । ଆମର କୋଷ ଅତି କ୍ଷୁଦ୍ର ହେଲେ ହେଁ ଏହା ଓଡ଼ିଆ ଭାଷାର ସର୍ବପ୍ରାଚୀନ କାବ୍ୟିକ ଗଦ୍ୟ ବୋଲି ମନେହୁଏ । ଏହା ନାଥଧର୍ମୀୟ ରଚନା । ଚର୍ଯ୍ୟାପଦର କେତେକ ସିଦ୍ଧଙ୍କ ନାମ ଏଥିରେ ମିଳେ । ଯୋଗର ତତ୍ତ୍ୱର ଅବଲମ୍ବନରେ ଏହା ଲିଖିତ । ଏଥିରେ (କ୍ଷ>ଛ) ଭାବରେ ଉଚ୍ଚାରିତ ହୁଏ ।

 

ଆଜିକାଲି ଓଡ଼ିଆରେ ଯାହା ଉପନ୍ୟାସ ରୂପରେ ଗୃହୀତ ହେଉଅଛି ତତ୍‌ସଦୃଶ ରଚନା ସଂସ୍କୃତ ସାହିତ୍ୟରେ କଥା ଏବଂ ଆଖ୍ୟାୟିକା* ରୂପରେ ଅଭିହିତ ହେଉଥିଲା । ସଂସ୍କୃତ ସାହିତ୍ୟର କଥାଗ୍ରନ୍ଥ ଖ୍ରୀ.ପୂ.୨ୟ ଶତାବ୍ଦୀର ପତଞ୍ଜଳିଙ୍କ ମହାଭାଷ୍ୟରେ ଉଲ୍ଳିଖିତ ହୋଇଥିବାର ଦେଖାଯାଏ । ଅପଭ୍ରଂଶ ସାହିତ୍ୟରେ ମଧ୍ୟ କଥାଗ୍ରନ୍ଥ ଥିବାର ଦେଖାଯାଏ । (ବିଶେଷତଃ ମହାରାଷ୍ଟ୍ରୀ ଅପଭ୍ରଂଶରେ), ଓଡ଼ିଆ ଭାଷାର ସର୍ବପ୍ରାଚୀନ କାବ୍ୟସାହିତ୍ୟ ତଥା କଥାସାହିତ୍ୟ ଲୁପ୍ତ ହୋଇଯାଇଛି ।

 

[* ସଂସ୍କୃତରେ କଥାର ପ୍ରକୃଷ୍ଟ ନିଦର୍ଶନ ହେଉଛି ବାଣଭଟ୍ଟ କୃତ-କାଦମ୍ବରୀ, ଏବଂ ଆଖ୍ୟାୟିକାର ପ୍ରଧାନ ନିଦର୍ଶନ ହେଉଛି ତତ୍‌କୃତ ହର୍ଷଚରିତ ।]

 

କଥାର ଉଲ୍ଲିଖିତ ଦୁଇ ବିଭାଗ ବ୍ୟତୀତ ଅଗ୍ନିପୁରାଣ ଅନୁସାରେ ଖଣ୍ଡକଥା, ପରିକଥା ଏବଂ କଥାଳିକା ନାମକ ଭେଦ୍ରତୟ ଦେଖାଯାଏ । ** ଭାଷାକୁ ଭିତ୍ତିକରି କାବ୍ୟକୁ ୭ମ ଶତାବ୍ଦୀର ଆଚାର୍ଯ୍ୟ ଦଣ୍ଡୀ ଚାରିଭାଗରେ ବିଭକ୍ତ କରିଛନ୍ତି । ୧-ସଂସ୍କୃତ,୨-ପ୍ରାକୃତ, ୩-ଅପଭ୍ରଂଶ, ୪-ମିଶ୍ର ଏବଂ (ମହାରାଷ୍ଟ୍ରାଶ୍ରୟାଭାଷା) ମହାରାଷ୍ଟ୍ରୀ ପ୍ରାକୃତକୁ ସାହିତ୍ୟ ଦୃଷ୍ଟିରୁ ଉଚ୍ଚସ୍ଥାନ ଦେଇଛନ୍ତି । ଏଥିରେ ସେତୁବନ୍ଧ ଏବଂ ସପ୍ତପଇ, ଗାଥାସପ୍ତଶତୀ ଆଦି କାବ୍ୟ ରଚିତ । ଭାରତର ପଶ୍ଚିମାଞ୍ଚଳରେ ଜୈନ ମହାରାଷ୍ଟ୍ରୀ ପ୍ରାକୃତରେ ଏବଂ ତତ୍‌ନିଷ୍‌ପନ୍ନ ଅପଭ୍ରଂଶ ଭାଷାରେ ବହୁ କଥାଗ୍ରନ୍ଥ ଅଦ୍ୟାପି ଦୃଷ୍ଟ ହେଉଥିବାସ୍ଥଳେ ଉତ୍ତର ପୂର୍ବଭାରତରେ ପ୍ରାକୃତରେ ଅପଭ୍ରଂଶ ରଚିତ କଥାଗ୍ରନ୍ଥ ଲୁପ୍ତ ହୋଇଅଛି । ତେଣୁ ରୁଦ୍ରସୁଧାନିଧିକୁ ଓଡ଼ିଆ ଭାଷାର ପ୍ରଥମ ଓ ପ୍ରଧାନ କଥାଗ୍ରନ୍ଥଭାବେ ଗ୍ରହଣୀୟ । ଶାରଳା ଦାସ ପଞ୍ଚଦଶ ଶତାବ୍ଦୀରେ ‘ତୁଳାମୁହାଁ କାଙ୍କ’ ପ୍ରଭୃତି କେତେକ କଥା ଉଲ୍ଲେଖ କରିଛନ୍ତି । ଜଗନ୍ନାଥ ଦାସ ତାଙ୍କ ଭାଗବତରେ ଅହି ମୂଷିକ କଥାରେ ନାମ ମାତ୍ର ପ୍ରଦାନ କରିଅଛନ୍ତି । ଏସବୁ ‘ଖଣ୍ଡ-କଥା’ ମଧ୍ୟରେ ଗଣ୍ୟ ।

 

[** “ଆଖ୍ୟାୟିକା କଥା ଖଣ୍ଡକଥା ପରିକଥା ତଥା

କଥାଳିକେତି ମନ୍ୟନ୍ତେ ଗଦ୍ୟକାବ୍ୟଂ ଚ ପଞ୍ଚଧା ।” –ଅଗ୍ନିପୁରାଣମ୍ ।]

 

ସଂସ୍କୃତ ଅଳଂକାର ଗ୍ରନ୍ଥ ସମୂହରେ ଗଦ୍ୟକୁ ଚାରିଭାଗରେ ବିଭକ୍ତ କରାଯାଇଛି ।

 

୧- ଉତ୍କଳିକା (ଦୀର୍ଘ ସମାସଯୁକ୍ତ)

୨- ଚୂର୍ଣ୍ଣକ- (ଅଳ୍ପ ସମାସଯୁକ୍ତ)

୩ । ମୁକ୍ତକ- (ସମାସରହିତ)

*୪ । ବୃତ୍ତଗନ୍ଧ (ପଦ୍ୟକଳ୍ପ)

 

* ଖାରବେଳ ବିଭିନ୍ନ ପ୍ରକାର ଲେଖ (documents) ଲେଖିବାରେ ବିଶାରଦ ଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରେ ଲିଖିତ ।

 

ଏହି ଚାରିପ୍ରକାର ଶୈଳୀ ସ୍ଥାନ ବିଶେଷରେ ପରିଦୃଷ୍ଟ ହୁଏ । ଏହି ‘ରୁଦ୍ରସୁଧାନିଧି’ କାବ୍ୟରେ ବାଣଭଟ୍ଟଙ୍କ କାଦମ୍ବରୀର ପ୍ରଭାବ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ମୈଥିଳୀ ‘କାବ୍ୟ କୀର୍ତ୍ତିଲତା’ ଓ ମହାରାଷ୍ଟ୍ରୀ ସାହିତ୍ୟର ‘ଗୀତା ଜ୍ଞାନେଶ୍ୱରୀ’ ସହିତ ଏହାର ସାମ୍ୟ ପରିଲକ୍ଷିତ ହୁଏ । ରୁଦ୍ରସୁଧାନିଧିର ଆବିଷ୍କାରକ ଓ ସମ୍ପାଦକ ଡଃ କରୁଣାକର କରଙ୍କ ମତରେ ନାରାୟଣ ନନ୍ଦ ଅବଧୂତ ଶାରଳା ଦାସଙ୍କ ପରେ ଓ ଚୈତନ୍ୟଙ୍କ ଓଡ଼ିଶା ଆଗମନ ପୂର୍ବରୁ ରୁଦ୍ରସୁଧାନିଧି ରଚନା କରିଥିଲେ । ଡଃ କୃଷ୍ଣଚରଣ ସାହୁ, ଶ୍ରୀଯୁକ୍ତ କେଦାରନାଥ ମହାପାତ୍ରଙ୍କ ଉପସ୍ଥାପିତ ପ୍ରମାଣଗୁଡ଼ିକ ଆଲୋଚନା କରି ଲେଖିଛନ୍ତି-ରୁଦ୍ରସୁଧାନିଧିର ରଚନାକାଳ ୧୬ଶ ଶତାବ୍ଦୀ (୧୫୧୬-୧୫୨୫) ମଧ୍ୟରେ ହୋଇଥିବା ସମ୍ଭବ ।

 

ଭାଷାତତ୍ତ୍ୱ ଦୃଷ୍ଟିରୁ ରୁଦ୍ରସୁଧାନିଧି ତ୍ରୟୋଦଶ ଶତାବ୍ଦୀ ପରେ ଏବଂ ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗ ପୂର୍ବରୁ ରଚିତ ହୋଇଥିବା ବୋଧହୁଏ ।

 

ସଂସ୍କୃତ ସାହିତ୍ୟରେ ଯେପରି ବାଣଙ୍କ ଗଦ୍ୟଲେଖା ସର୍ବୋତ୍କୃଷ୍ଟ ସେହିପରି ଶୈଳୀ ଓ ପାଣ୍ଡିତ୍ୟ ଦୃଷ୍ଟିରୁ ରୁଦ୍ରସୁଧାନିଧି ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ଅନତିକ୍ରମଣୀୟ ଗଦ୍ୟକାବ୍ୟ ହୋଇ ରହିଅଛି ।

 

ମାଦଳାପାଞ୍ଜି ମୂଳତଃ ଦୁଇ ଭାଗରେ ବିଭକ୍ତ: ପୂଜାବିଧି ସମ୍ବନ୍ଧୀୟ ଓ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ବିବରଣୀ ଏବଂ ରାଜବଂଶାବଳୀ । ଏହାର ପ୍ରଥମ ଅଂଶ ଦ୍ୱିତୀୟ ଅଂଶ ଅପେକ୍ଷା ପ୍ରାଚୀନ ଏଥିରେ ସନ୍ଦେହ ନାହିଁ । ଦ୍ୱିତୀୟ ଅଂଶରେ ଗଙ୍ଗ ରାଜାମାନଙ୍କର ରାଜତ୍ୱର ଅନୁକ୍ରମରେ ପ୍ରମାଦ ଲକ୍ଷିତ ହେଉଥିବାରୁ ଏବଂ କପିଳେଶ୍ୱର ଦେବଙ୍କ ସମ୍ବନ୍ଧରେ ଅନୁଦାନର ଚିତ୍ର ପ୍ରଦାନ କରାଯାଇଥିବାରୁ ଏହା ସୂର୍ଯ୍ୟବଂଶୀ ସମ୍ରାଟଙ୍କ ରାଜତ୍ୱର ପରେ ଲିଖିତ ହେବାର ସମ୍ଭବ । ଏହି ରାଜଭୋଗ ବହୁବାର ଅନୁଲେଖନ ବଶତଃ ମଧ୍ୟ ନବୀକୃତ ଓ ଭ୍ରାନ୍ତିଯୁକ୍ତ ହୋଇଥିବା ଅସମ୍ଭବ ନୁହେଁ । କିନ୍ତୁ ଏହି ଗ୍ରନ୍ଥରେ ଉଦ୍ଧୃତ ହୋଇଥିବା କପିଳେଶ୍ୱରଙ୍କ ରାଜତ୍ୱର ବିବରଣୀ କେତେକ ଅଂଶରେ ପ୍ରାୟ ଖୋଦିତ ଲେଖାଦ୍ୱାରା ସମର୍ଥିତ ହେଉଅଛି । ଏହାର ବିବରଣୀରୁ ଐତିହାସିକ ସତ୍ୟରୂପେ ଗ୍ରହଣ ନ କରି ଏହା କିମ୍ବଦନ୍ତୀ ଉପରେ ଆଧାରିତ ବୋଲି ଗ୍ରହଣ କରିବା ସର୍ବାପେକ୍ଷା ନିରାପଦ ।

 

ଏହି ଅଂଶରେ ସଂଗୃହୀତ ସାହିତ୍ୟିକ ଗଦ୍ୟ ମଧ୍ୟରେ ଖଲ୍ଲିକୋଟରୁ ଆବିଷ୍କୃତ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରକାଶିତ ପ୍ରସ୍ତାବ ଚିନ୍ତାମଣି, ବ୍ରଜନାଥଙ୍କ ଚତୁର ବିନୋଦରୁ ଉଦ୍ଧୃତ ଅଂଶ ଗଦ୍ୟ ସାହିତ୍ୟ ଦୃଷ୍ଟିରୁ ଉଚ୍ଚକୋଟୀର । ଶେଷୋକ୍ତ ଗ୍ରନ୍ଥରେ ଦଣ୍ଡୀଙ୍କ ଦଶକୁମାର ଚରିତର ପ୍ରଭାବ ଅନୁମେୟ । ପ୍ରସ୍ତାବ ଚିନ୍ତାମଣିକୁ ଆଧୁନିକ ଉପନ୍ୟାସର ପ୍ରଭାତୀ ନକ୍ଷତ୍ର ଭାବେ ଗ୍ରହଣ କରଯାଇପାରେ ।

 

ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବହୁ ବ୍ରତକଥା ପ୍ରଚଳିତ ଅଛି । ଶ୍ରୀମତୀ ପ୍ରେମଲତା ଦାଶଙ୍କ ଲିଖିତ ‘ଓଡ଼ିଶାର ଓଷାବ୍ରତ କଥା’ ପୁସ୍ତକରେ ସେ ୨୭ଟି ବ୍ରତକଥା ବିବରଣୀ ଗଦ୍ୟାକାରରେ ପ୍ରଦାନ କରିଅଛନ୍ତି । ଅନ୍ୟାନ୍ୟ ବହୁ ବ୍ରତକଥାର ବିବରଣୀ ସେ ପରବର୍ତ୍ତୀ ଖଣ୍ଡମାନଙ୍କରେ ପ୍ରକାଶିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଗଞ୍ଜାମର ଶ୍ରୀଧର ହୋତା ତାଙ୍କର ‘ବ୍ରତକଥା ପଦ୍ୟାବଳୀ’ (୯୬୪ରେ ପ୍ରକାଶିତ)ରେ ୨୦ଟି ବ୍ରତକଥାକୁ ପଦ୍ୟ ବ୍ରତକଥାକୁ ପଦ୍ୟ ଆକାରରେ ପ୍ରଦାନ କରିଅଛନ୍ତି ।

 

ଓଡ଼ିଶା ମ୍ୟୁଜିଅମରେ ବହୁ ବ୍ରତକଥାର ପୋଥି ସଂଗୃହୀତ ହୋଇ ରହିଅଛି । ଆମ୍ଭର ଏହି ସଂଗ୍ରହରେ ୮ଟି ମାତ୍ର ବ୍ରତକଥାରୁ ଉଦ୍ଧୃତି ପ୍ରଦାନ କରାଯାଇଅଛି । ଏଥି ମଧ୍ୟରୁ ଗୋଟିଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ-ପୋଥି ସଂଗ୍ରହାଳୟରୁ ଗ୍ରହଣ କରାଯାଇଅଛି । ଅବଶିଷ୍ଟ ମଧ୍ୟରୁ ଗୋଟିଏ ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ‘ପ୍ରାଚୀନ ଓଡ଼ିଆ ଗଦ୍ୟ ପଦ୍ୟାଦର୍ଶ’ରୁ ଗୃହୀତ ହୋଇଅଛି ଏହାର ପାଠ-ଡ. ଜାନକୀବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ‘ସୋମନାଥ ବ୍ରତକଥା’ ଓ ମ୍ୟୁଜିଅମରେ ଥିବା ପୋଥିପାଠ ସହିତ ମିଳାଇ ଅଛି । ଏହି କଥାରେ ଦେଲେ, ଦେଲା ପ୍ରଭୃତି ସ୍ଥାନରେ ପୋଥିପାଠରେ ଦିଲା-ଦିଲେ ପାଠ ଦେଖାଯାଏ । ଅବଶିଷ୍ଟ ୬ଟି ବ୍ରତକଥା ରାଜ୍ୟ ମ୍ୟୁଜିଅମରେ ସଂରକ୍ଷିତ ପୋଥିପାଠ ଉପରେ ଆଧାରିତ । ଏହି ବ୍ରତକଥାଗୁଡ଼ିକର କଥାବସ୍ତୁରେ ବାସ୍ତବିକତା ସହିତ କଳ୍ପନା ବିଳାସର ଓ ଅତି ଲୌକିକତାର ଶୋଭନ ସମ୍ମିଶ୍ରଣ ଦେଖାଯାଏ । ପ୍ରତାପ ରାୟଙ୍କ ଶଶିସେଣାର କଥାବସ୍ତୁ ଗୋଟିଏ ବ୍ରତକଥାର ବିଷୟବସ୍ତୁ ଉପରେ ଆଧାରିତ ଓ କେତେକ ବ୍ରତକଥାର କଥାବସ୍ତୁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହ ସମ୍ପୃକ୍ତ ।

 

ଏହି ବ୍ରତକଥାଗୁଡ଼ିକର ଭାଷା ଅତି ପ୍ରାଚୀନ ନ ହେଲେ ହେଁ, ଏହି କଥାଗୁଡ଼ିକର ଉତ୍ପତ୍ତି ବହୁ ପ୍ରାଚୀନ । ଅଶୋକ ତାଙ୍କ ୧୪ଟି ଶୈଳ ଅନୁଶାସନ ମଧ୍ୟରୁ ଗୋଟିକରେ ସ୍ତ୍ରୀଲୋକମାନଙ୍କର ବହୁତ ମାଙ୍ଗଳିକ ବିଧାନ ସମ୍ପାଦନ କରିବାର ଲେଖିଛନ୍ତି । ଏଥିରୁ ବୋଧହୁଏ ଖ୍ରୀ.ପୂ. ତୃତୀୟ ଶତକରେ ମଧ୍ୟ ସ୍ତ୍ରୀଲୋକମାନେ ବହୁତ ମଙ୍ଗଳ ବ୍ରତ ଉପାସନା କରୁଥିଲେ । ପ୍ରତ୍ୟେକ ବ୍ରତ ସହିତ କେତେକ କଥା ସମ୍ପୃକ୍ତ ହୋଇଥିବା ନିଶ୍ଚିତ ଭାବରେ ଜଣାଯାଏ ।

 

ସାବିତ୍ରୀ ବ୍ରତ ପ୍ରଭୃତି କେତେକ ବ୍ରତ ବହୁ ପ୍ରାଚୀନ କାଳରୁ ପ୍ରଚଳିତ କିନ୍ତୁ ଦେଶ ଭାଷାରେ ଏଗୁଡ଼ିକ ଆଖ୍ୟାନର ଭାଷା ସମୟ ଅନୁସାରେ କ୍ରମଶଃ ଅର୍ବାଚୀନକୃତ କରାଯାଇଅଛି ।

 

ଆମ ଦେଶରେ ବହୁଲୋକ କାହାଣୀ ପ୍ରଚଳିତ ଅଛି । ଏଗୁଡ଼ିକ ବୁଢ଼ାବୁଢ଼ୀଙ୍କ ମୁଖରୁ-ମୁଖକୁ ପରମ୍ପରା କ୍ରମେ ଗଡ଼ି ଆସୁଅଛି । ଲୋକକଥାଗୁଡ଼ିକର ଉତ୍ପତ୍ତି ବୈଦିକ ସାହିତ୍ୟରେ ମଧ୍ୟ ଦେଖାଯାଏ । ପାଲି ସାହିତ୍ୟରେ ଜାତକ ଗଳ୍ପ ପ୍ରାୟ ୩୦୦ରୁ ଅଧିକ ପ୍ରଚଳିତ ଅଛି । * ସଂସ୍କୃତରେ ପଞ୍ଚତନ୍ତ୍ର ହିତୋପଦେଶ ଦ୍ୱାତ୍ରିଂଶତ୍ ପୁରଳିକା ପ୍ରଭୃତି କଥାଗ୍ରନ୍ଥ ମଧ୍ୟ ଦେଖାଯାଏ (୧) ଏହି ସଂଗ୍ରହରେ ଦ୍ୱାତ୍ରିଂଶତ୍ ପୁରଳିକା ଗଦ୍ୟ ଅନୁବାଦ ‘ବତ୍ରିଶ ସିଂହାସନ’ର କିଛି ଅଂଶ ପ୍ରଦତ୍ତ ହୋଇଅଛି । ଏହା ଡଃ ଆର୍ତ୍ତବଲ୍ଲଭଙ୍କର ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ଉପରେ ଆଧାରିତ । ବତ୍ରିଶ ସିଂହାସନର କିଛି ଅନୁବାଦ ସହିତ ଜୟଦେବ ଗୀତଗୋବିନ୍ଦର ଦଶାବତାର ସ୍ତୋସ୍ତ୍ରର ଗଦ୍ୟ ଅନୁବାଦ ଏବଂ ପାଠସମୁଦ୍ର ଶୀର୍ଷକ ଗଣିତ ଗ୍ରନ୍ଥରୁ ସ୍ୱଳ୍ପ ଗଦ୍ୟ ଅନୁବାଦ ପ୍ରଦତ୍ତ ହୋଇଅଛି ।

 

ଏହି ସଂଗ୍ରହ ଗ୍ରନ୍ଥର ଶେଷାଂଶରେ ଗୋପନୀୟରୂପେ ଚଳି ଆସୁଥିବା କେତେକ ଗୁଣିଗାରେଡ଼ିର ନମୁନା ପ୍ରଦତ୍ତ ହୋଇଅଛି । (୨)

 

ଓଡ଼ିଶାର ଗାଉଁଲି ଗୀତ ଓ ଢଗ ଢମାଳିରୁ କେତେକ ବହୁ ପ୍ରାଚୀନ କାଳରୁ ଚଳି ଆସୁଅଛି । କୃଷି ସମ୍ବନ୍ଧୀୟ ଓ ପାଣିପାଗ ସମ୍ବନ୍ଧୀୟ ଡାକବଚନ କେବଳ ଓଡ଼ିଶାରେ ନୁହେଁ ବଙ୍ଗ, ଆସାମ ପ୍ରଭୃତିରେ ମଧ୍ୟ ପ୍ରୟୋଗ ହେବାର ଦେଖାଯାଏ । କିନ୍ତୁ ଏଗୁଡ଼ିକର ଭାଷା କାଳକ୍ରମେ ଆର୍ବଚୀନୀକୃତ ହୋଇଥିବାର ବୋଧହୁଏ (୩)

 

[*ବଙ୍ଗଳାରେ ଇଶାନଚନ୍ଦ୍ର ଘୋଷଙ୍କ ଦ୍ୱାରା ଅନୂଦିତ ଜାତକ କଥା ଦ୍ରଷ୍ଟବ୍ୟ ।]

 

୧ । କାଳିଦାସ ‘ମେଘଦୂତମ୍‌’ ଖଣ୍ଡକାବ୍ୟରେ ଅବନ୍ତୀ ଦେଶର ଗ୍ରାମ୍ୟ ବୃଦ୍ଧମାନଙ୍କୁ ‘ଉଦୟନ କଥା କୋବିଦ’ ବୋଲି ଲେଖିଛନ୍ତି ।

 

୨ । ଗାରୁଡ଼ି ଶବ୍ଦ- ଗରୁଡ଼ ଶବ୍ଦରୁ ତଦ୍ଧିତ ପ୍ରତ୍ୟୟ ଯୋଗରେ ବ୍ୟୁତ୍‌ପନ୍ନ ଗାରୁଡ଼ ଶବ୍ଦ ସହ ସମ୍ପୃକ୍ତ-ସର୍ପଦଂଶନର ପ୍ରତିକାରରୂପେ ଗାରୁଡ଼ମନ୍ତ୍ର ପ୍ରୟୋଗ କରାଯିବା ପ୍ରଥା ଭାରବି ମଧ୍ୟ ଉଲ୍ଲେଖ କରିଛନ୍ତି ।

 

୩ । ଚକ୍ରଧର ମହାପାତ୍ରଙ୍କ ଉତ୍କଳ ଗାଉଁଲି ଗୀତ, ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ଉତ୍କଳ କାହାଣୀ’ ଓ ଡଃ କୁଞ୍ଜବିହାରୀ ଦାଶଙ୍କ ‘ଲୋକଗୀତ ସଞ୍ଚୟନ’ ଦ୍ରଷ୍ଟବ୍ୟ ।]

 

କେତେକ ପ୍ରବଚନର ପ୍ରାଚୀନତା ସ୍ପଷ୍ଟଭାବେ ଜଣାଯାଏ । ତହିଁରୁ ଅଳ୍ପ କେତୋଗୋଟି ଉଦାହରଣ ମାତ୍ର ଦିଆଯାଇଅଛି ।

 

ଏହି ପ୍ରାଚୀନ ଗଦ୍ୟ ସଂଗ୍ରହ କରିବାର ଦାୟିତ୍ୱ ଓଡ଼ିଶା ସାହିତ୍ୟ ଏକାଡ଼େମୀ ମୋତେ ଦେଇଥିବାରୁ ଏକାଡ଼େମୀ ମୋର ଅଭିନନ୍ଦନୀୟ । ଏହି ସଂଗ୍ରହରେ ଯେଉଁ ଖୋଦିତ ଲେଖାଗୁଡ଼ିକ ଦିଆ ହୋଇଅଛି ତାହାର ପାଠ ମୁଁ ନିଜେ ମୌଳିକ ଉପାଦାନରୁ କରିଅଛି । ମୋର ବିଶ୍ୱାସ ସେଗୁଡ଼ିକ ପ୍ରାୟ ନିର୍ଭୁଲ ବୋଲି ଗ୍ରହଣୀୟ । ଏହି ପ୍ରସଙ୍ଗରେ ରାଜଗୁରୁଙ୍କ ଦ୍ୱାରା ସୋରୋ’ର ଗଣ୍ଡିବେଡ଼ ଗ୍ରାମରୁ ଆବିଷ୍କୃତ ଶିଳାଲେଖର ପାଠଧ୍ୟେୟ ଯଥା ‘ଦେବକହି ଭଗତି କରୁଣ ଅଛନ୍ତି ଭୋ (= ଶ୍ରୀ) କୁମାର ସେଣ’ ।

 

ଅମର କୋଷ- ରୁଦ୍ରସୁଧାନିଧି ପ୍ରଭୃତି ସାହିତ୍ୟିକ ଗଦ୍ୟର ପାଠ ମୌଳିକ ଉପାଦାନ ଉପରେ ଆଧାରିତ ନୁହେଁ । ଅନ୍ୟ ସମ୍ପାଦକମାନଙ୍କ ପାଠ ଉପରେ ତାହା ଆଧାରିତ । ଏହି ପ୍ରସଙ୍ଗର ପାଠ ସଂଗ୍ରହ କାର୍ଯ୍ୟପାଇଁ ମୁଁ ଡଃ କରୁଣାକର କର, ଡଃ ବଂଶୀଧର ମହାନ୍ତି, ଡଃ କୃଷ୍ଣଚନ୍ଦ୍ର ସାହୁ, ଡଃ ଆଶୁତୋଷ ପଟ୍ଟନାୟକ, ଡଃ ରାଜଗୁରୁ, ଡଃ ନଗେନ୍ଦ୍ର ନାଥ ପ୍ରଧାନ, ସ୍ୱର୍ଗତ ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ଶ୍ରୀଯୁକ୍ତ ସୁଧାକର ପଟ୍ଟନାୟକ, ଡଃ କୃଷ୍ଣଚରଣ ବେହେରା ପ୍ରଭୃତିଙ୍କଠାରେ କୃତଜ୍ଞ, ଡଃ ଗୋପାଳ ଚନ୍ଦ୍ର ମିଶ୍ର ଏବଂ ଡଃ ଜାନକୀବଲ୍ଲଭ ମହାନ୍ତିଙ୍କ ଗବେଷଣା ରଚନାରୁ ମଧ୍ୟ ମୁଁ ସାହାଯ୍ୟ ପାଇଅଛି । ମୋର ଗୁରୁ ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂକଳିତ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ‘ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ’ର ଗଦ୍ୟାଂଶରୁ ମଧ୍ୟ ମୁଁ ସାହାଯ୍ୟ ଲାଭ କରିଅଛି ।

 

ବ୍ରତକଥାଗୁଡ଼ିକର ସଂଗ୍ରହରେ ବିଶେଷ ସାହାଯ୍ୟ ପ୍ରଦାନ କରିଛନ୍ତି ଓଡ଼ିଶା ମ୍ୟୁଜିଅମର କର୍ମଚାରୀମାନେ ବିଶେଷତଃ ପଣ୍ଡିତ ନୀଳମଣି ମିଶ୍ର ।

 

ଏହି ପ୍ରସଙ୍ଗରେ ଓଡ଼ିଶାର କେତେକ ସଂସ୍ଥା ଯଥା- ଓଡ଼ିଶା ମ୍ୟୁଜିଅମ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଗବେଷଣା ପରିଷଦ ପ୍ରଭୃତିଙ୍କ ନିକଟରେ ମୁଁ କୃତଜ୍ଞ । ଫ୍ରେଣ୍ଡସ୍ ପବ୍ଲିସର୍ସର ସ୍ୱତ୍ୱାଧିକାରୀ ଶ୍ରୀଯୁକ୍ତ ସହଦେବ ପ୍ରଧାନ, ଦାଶରଥି ପୁସ୍ତକାଳୟର ଶ୍ରୀ ଅରକ୍ଷିତ ଦାସ, ଜଗନ୍ନାଥ କମ୍ପାନୀର ଶ୍ରୀ ରଣଜିତ୍ ସିଂହ ପୁସ୍ତକ ଯୋଗାଇବାରେ ସହାନୁଭୂତି ପ୍ରକାଶ କରିଅଛନ୍ତି ।

 

ଓଡ଼ିଶା ଏବଂ ଓଡ଼ିଶା ବାହାରେ ଯେଉଁ କୋବିଦମାନେ ବହୁ ପରିଶ୍ରମ କରି ଓଡ଼ିଶାରେ ଖୋଦିତ ଲେଖ ଓ ଅନ୍ୟାନ୍ୟ ଗଦ୍ୟ ଲେଖା ପ୍ରକାଶ କରିଛନ୍ତି ତାଙ୍କର ଅବଦାନ ମୁଁ ଏଠାରେ ସ୍ମରଣ କରୁଅଛି ।

 

ମୋର ଛାତ୍ରୋପମ ଶ୍ରୀ ସୁଶାନ୍ତ କୁମାର ପଣ୍ଡା,ଏମ.ଏ. ଏହି ଗଦ୍ୟ ସଂକଳନରେ ମୋତେ ବହୁତ ସାହାଯ୍ୟ ପ୍ରଦାନ କରିଅଛନ୍ତି । ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଅଛି ।

 

ସର୍ବଶେଷରେ ବରେଣ୍ୟ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଉକ୍ତି ଉଦ୍ଧାର କରି ମୋର ବକ୍ତବ୍ୟ ଶେଷ କରୁଛି । ଓଡ଼ିଆ ଭାଷାର ବିବର୍ତ୍ତନ ପ୍ରସଙ୍ଗରେ ଏହି ମୁଖବନ୍ଧରେ ଯାହା ପ୍ରକାଶିତ ହୋଇଅଛି ତା’ ସହିତ ଷୋଡ଼ଶ ଶତାବ୍ଦୀର ଭାଷାଶାସ୍ତ୍ରବିତ୍ ମାର୍କଣ୍ଡେୟ କବୀନ୍ଦ୍ରଙ୍କର (ଔଡ଼୍ରୀବିଭାଷା ସମ୍ପର୍କୀୟ) ସୋଦାହରଣ ଉକ୍ତ ଧ୍ୟେୟ: -

 

ଶାବର୍ଯ୍ୟାତମବୌଡ଼୍ରୀ ଯୋଗାତ୍ ତଦ୍ଦେଶ୍ୟଶୌରସେନ୍ୟାଦେଃ ।

ତଦ୍ଦେଶ୍ୟାନାମ୍ ଔଡ୍ରଦେଶପଦାନାଂ ଶୌରସେନ୍ୟାଦିପଦାନାଂ ଚ

ଯୋଗାତ୍ ସାଂକର୍ଯ୍ୟାତ୍ ଶାବର୍ଯ୍ୟାମ୍ ଏବ ଔଡ଼୍ରୀ ସିଧ୍ୟତି । ଯଥା-

ଦେବ ଜସୋଆଣଂଦଣ କର ମଇ କରୁଣାଲେଶ ।

ଏତ୍ତିକେ ଜମଭ ଅଛଉ ଇ ପିଟ୍ଟଇ ସବ୍ଦକିଳେଶ ॥

 

ପ୍ରାକୃତ ସର୍ବସୂଯ୍- ଡ. ଆଚାର୍ଯ୍ୟ, ପୃ.୧୪୪ ।

 

ସରଘା ପରାୟ ଅଳ୍ପବୁଦ୍ଧି ଶକ୍ତିହୀନ

ସଂସାରେ କେବଳ ମଧୁକୋଷ କୀର୍ତ୍ତି ଘେନ ହେ ।

 

 

ବିନୀତ

ତା ୨୯-୧୧-୮୧

କୁଞ୍ଜ ବିହାରୀ ତ୍ରିପାଠୀ

ରବିବାର

ଭାଷା ସମିତି,

 

ପ୍ରଫେସରପଡ଼ା, କଟକ-୩

 

 

ଶୈଳୋଦ୍ଭବ ବଂଶୀୟ ଧର୍ମରାଜଙ୍କ ନିବିନା ତାମ୍ରଶାସନ

 

ଗଞ୍ଜାମ ଜିଲାର କୋଦଳା ତାଲୁକସ୍ଥ ନିବିନା (ନିମ୍ମିନା)

ଗ୍ରାମର କ୍ଷେତ୍ରରୁ ୧୯୩୮ ଖ୍ରୀ.ଅ.ରେ ଆବିଷ୍କୃତ ।

ସମ୍ବତ ୯, ବୈଶାଖ, ସୁଦି, ପ୍ରଥମ ପକ୍ଷ, ୨ୟା

ପ୍ରାୟ- ୭୧୫-ଖ୍ରୀ.ଅ.

 

ଭାଷା- ସଂସ୍କୃତ କିନ୍ତୁ ପ୍ରଦତ୍ତ ଗ୍ରାମର ଚତୁଃସୀମା ସମସାମୟିକ ଔଡ଼୍ରୀ ଅପଭ୍ରଂଶରେ ଲିଖିତ ।

ଏପିଗ୍ରାଫିକା ଇଣ୍ଡିକା ଢଢଓ ପୃ-୩୪-୪୧

 

ଇନ୍‌ସ୍କ୍ରିପ୍‌ସନ୍‌ସ୍ ଅଫ୍ ଓରିଶା (୩୦୦-୭୦୦ ଖ୍ରୀ:ଅ:) ଭଲ୍ୟୁମ୍ ୧, ଭାଗ, ସସ ରାଜଗୁରୁଙ୍କ ଦ୍ୱାରା ସମ୍ପାଦିତ ପୃ-୨୦୭ଠାରୁ)

 

ଡଃ ଏନ୍‌.ପି. ଚକ୍ରବର୍ତ୍ତୀଙ୍କ ଉଦ୍ଧୃତ ପାଠ ।

 

[ଡଃ ଚକ୍ରବର୍ତ୍ତୀଙ୍କ ମତରେ ପ୍ରଦତ୍ତ ଗ୍ରାମ ଚତୁଃସୀମାର ଭାଷା ହେଉଛି ସେ ସମୟର କଥିତ ଭାଷା (Vernacular) ସେ କହନ୍ତି ‘ବୋଧହୁଏ ଏହା ଓଡ଼ିଆ ଓ ତେଲଗୁର ମିଶ୍ରିତ ଭାଷା’ । ମୁଁ ଏଥିରେ କୌଣସି ତେଲଗୁ ଶବ୍ଦର ସନ୍ଧାନ କରିପାରି ନାହିଁ ।

 

ପଂକ୍ତି ୪୭ର ପାଠାନ୍ତର-ଣ୍ଡପୁର ବଂଶଦ୍‌ଟିଂପିର- । ରାଜଗୁରୁ) ଟିଂପିର- ଭୂମିମାପ ବିଶେଷ । ବନରାଜି > ବଣରାଇ (ପ୍ରାକୃତ) ତୈମଣି-ତି ମୁହାଣି ? < ତ୍ରି ମୁଖାୟନ ଶଂସିତ ସମୟରେ ‘ଋ’ର ଉଚ୍ଚାରଣ ଥିଲା ‘ରି’ । ଖୋଲଡ଼-ଗ୍ରାମ ବିଶେଷ ।]

 

୩ୟ ଫଳକ ୧ମ ପାର୍ଶ୍ୱ

 

୪୨ । ଗ୍ରାମସ୍ୟ ଶି (ସୀ) ମାବ (କୃ) ତ

 

୪୩ । ପଶ୍ଚିମ ଦିଶହି ତୁ (=ତ୍ରି) କୁଟ ଜୋଡ଼ ପାପାଦି ବଣରାଈ ବାଲ୍ମିକ ବଙ୍କ ସି. (=ଶି) ଳ, ବଣରାଈ/ଉତ (=ତ୍ତ)ର ଦିଶହି ।

 

୪୪ । ତୁ (=ତ୍ରି) କୁଟ ପାଣି ସାଖ (?) ତୈମଣି ବାଢ଼ୈବଣି, ଉତ୍ତର ଦିଶହି ଦିଘସିଳ/ପୂବେହି ଅତ ବଣରାଇ ।

 

୪୫ । ବାଡ଼/ପୂର୍ବ ଉତ୍ତର କୋଣେହି ସୋମଣିତ (=ତ୍ରି)କୁଟ/ପୂର୍ବ ଦକ୍ଷିଣହି ସେ.ମ ତୁ (= ତ୍ରି) କୁଟ / ପୂର୍ବଦିସହି ଖୋ –

 

୪୬ । ଲାଡ଼ / ପୂର୍ବ ଦକ୍ଷିଣ କୋଣହି ବାଘଗୁହୁ ତୁ (=ତ୍ରି) କୁଟ / ଦଖିଣହି ସପବଦିସିଳ ଗାଡ଼ି ସ୍ରାବତିଃ

 

୩ୟ ଫଳକ ୨ୟ ପାର୍ଶ୍ୱ

 

୪୭ । ଣ୍ଡପୁର ଦ୍ୱିଟିମ୍ପିର / ସମ୍ବତ (?) ବୈଶାଖ ସୁଦି ପ୍ରଥମ ପକ୍ଷ ଦ୍ୱିତୀୟା । ।

 

(ଇ. ଓ. ଏଲ.ଏସ୍ କ୍ରମିକ ନଂ ‘ଏ’)

 

ଉରଜାମ ଗ୍ରାମ (ତାଲୁକ ଓ ଜିଲା ଚିକାକୋଲ)

(ଧବଳେଶ୍ୱର ମନ୍ଦିର ସମ୍ମୁଖସ୍ଥ ଶିଳାଲେଖ ମାନ୍ଦ୍ରାଜ ମ୍ୟୁଜିଅମ୍‌କୁ ସ୍ଥାନାନ୍ତରିତ)

ଲିପି ଦକ୍ଷିଣ-ନାଗରୀ

 

୧-ସ୍ୱସ୍ତି ସମରମୁ

 

୨-ଖାନେକରିପୁ ଦପ୍‌ର୍ପ

 

୩-ମର୍ଦନ ଭୁଜବଳ ପରାକ୍ରମ

 

୪-ଗଙ୍ଗାନ୍ୱୟାବଲମ୍ବନ ସ୍ତମ୍ବ

୫-ଶ୍ରୀମଦ୍ ଅନନ୍ତବର୍ମ ଦେବବିଜ-

 

୬-ୟରାଜ୍ୟ ସମ୍ବତ୍ସର ୧୬ ତୁ-

 

୭-ଳା ମାସ ଶୁକ୍ଳପକ୍ଷ ଦିନ

 

୮-ପଞ୍ଚମୀ ସଣିବରୈଂ (=ଶଣିବାରଇଁ) ୟୁରଜା ମୈଳା

 

୯-ଣ ଦୟ (-) କରିଲା ପଟ ସ୍ଥିତି (-)

 

୧୦-ପୋଲାଖିସି ୟୁରୁଜମସ ଜ (-)

 

୧୧-ଣି ଗଉ (ଁ) ପୋଲାଖିସ ତନ୍ନିଭା-

 

୧୨-ଣ ୟୁରୁଜମସ ଓକକ୍ ଭାଗ ହୋ-

 

୧୩-ନ୍ତ ମାଣିଚଙ୍କୁ ବୋଝ୍ୟଥିଲୌ-

 

୧୪-ୟୁରୁଜ ମୈଳେଂ ଗଉଁ ପୋଲାଖି

 

୧୫-ଲାଣ ଜଉବନ୍ତୈ ନ ଲଭୈ (ଲଭଇ)

 

୧୬-ଉଦୁନ୍ଥି ଲୈଂ କାଳୈ ରାଇ କେଜ୍ୟ

 

୧୭-ଣ ସହସ୍ର ସୁବର୍ଣ୍ଣ ଦଣ୍ଡ ପଦୋ

 

୧୮-ଜ୍ୟ ଧିଲା ଆନତି ସାବୁରାୟି

 

୧୯-ଚଉଁ ସମ୍ମୁଖେଂ ସରସ୍ୱତୀ

 

୨୦-ବଲ୍ଲଭ ସିଳା (=Text ସଳା) ଲେଖିତଂ

 

୨୧-ଶକାବ୍ଦ ୯୭୩ ।

 

ଶ୍ରୀ ଲିଙ୍ଗରାଜ ମନ୍ଦିର ୩ୟ ଦ୍ୱାରର ପୂର୍ବପାଖ କାନ୍ଥ <(ଦକ୍ଷିଣ) ଭୁବନେଶ୍ୱର

 

ଲିପି- ପ୍ରତ୍ନ ଓଡ଼ିଆ (-ବ୍ୟୁହଲରଙ୍କ ପ୍ରଟୋବେଙ୍ଗଲି)

ଭାଷା – ଓଡ଼ିଆ

 

ସମୟ- ରାଜରାଜ ଦେବଙ୍କ (୧୧୭୦-୧୧୯୪ ଖ୍ରୀ.ଅ.) ରାଜତ୍ୱ

(ଇନ୍‌ସ୍କ୍ରିପସନ୍‌ସ ଅଫ୍ ଓରିସ୍‌ସା (୧୦୪୫-୧୧୯୦ ଖ୍ରୀ.ଅ.)

ଭଲ୍ୟୁମ୍ ୩, ଭାଗ ୨ ପୃ ୩୦୯)

 

୧-ସ୍ୱସ୍ତି ଶକ ୧୦୯୪ ଶ୍ରୀମଦ୍ ରାଜରାଜ ଦେବର ପ୍ରବର୍ଧମାନ ବିଜୟରାଜ୍ୟେ

 

୨-ସମ୍ବତ୍ ୪ ଧନୁକୃଷ୍ଣ ୯ ସୋମବାରେ ଶ୍ରୀ ଉତ୍ତରରେ (୧)ଶ୍ୱରଦେବର

 

୩-କ୍ଷେତ୍ରେ ତପୋବନ ସ୍ଥାନେ ଦୀପଦାନ

 

୪-ତପୋଧନ ଶୈବାରାଧ (କ) ରାଜଗୁରୁ

 

୫-ଆରୋପଡ଼ା (୨) ଗ୍ରାମୀୟ ସାଧୁ ପ୍ରଜାନାୟକଂ * ।

 

୬-................. ଦିଲା ସମସ୍ତ

 

୭-ଗ୍ରହଣେ ସୁବର୍ଣ୍ଣ ପଞ୍ଚମାଢ଼ ଶ୍ରୀ କୀର୍ତ୍ତି ଦାସ

 

୮-ଆଚନ୍ଦ୍ର ର୍କ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ମେଳଂ (୩) ଦୀ (ଲା)

 

[* ସଂସ୍କୃତ- ଓଡ଼ିଆ ଭାଷାରେ ଖୋଦିତ ସମସାମୟିକ କେତୋଟି ଲେଖା ମଧ୍ୟ ଉକ୍ତ ସ୍ଥାନରେ ଖୋଦିତ ।

୧। ପାଠାନ୍ତର ଭୂତକେଶ୍ୱର (ଉତ୍ତରେଶ୍ୱର ସ୍ଥାନରେ)

୨। ଆରୋପଡ଼ା = ଆଡ଼ପଡ଼ା ? (ଭୁବନେଶ୍ୱର ରେଲଷ୍ଟେସନରୁ ୧ ମାଇଲ ଦକ୍ଷିଣରେ ଥିବା ଗ୍ରାମ)]

 

(ଇ.ଓ.ଏଲ.ଏସ୍ କ୍ରମିକ ନଂ ୬)

 

ଆଧୁନିକ ଚିକାକୋଲ ଜିଲାର ଶ୍ରୀ ‘କୁର୍ମନ’ଠାରେ ଥିବା କୂର୍ମେଶ୍ୱର

ଦେବମନ୍ଦିର ‘ତିରୁଚୁଟୁ’ ମଣ୍ଡପର, ୩ୟ ସ୍ତମ୍ଭ, ଲିପି-ତେଲଗୁ

 

ସମୟ-ବୀର ଭାନୁଦେବଙ୍କର ବିଜୟ ରାଜ୍ୟ ସମ୍ବତ୍ସର ୧୨,

ପ୍ରାୟ ୧୨୭୩-ଖ୍ରୀ.ଅ. ।

 

୧-ଶ୍ରୀ ବୀରବାଣୁ ଦେବଙ୍କର ବିଜୟ ରାଜ୍ୟ ସଂବତ୍‌ସର ୧୨ ସ୍ର ମେସ

 

୨-ଶୁକ୍ଳ (ପାଠଶୁକ୍ଳ) ୧୧ ‘ଗୁରୁବାରେ ଶ୍ରୀକୁର୍ମ ଭୋଗପରୀକ୍ଷା କଳିଙ୍ଗ ପରୀକ୍ଷା ପାତ୍ର ।

 

୩-(ଶ୍ରୀ ପୁରୁଷୋତ୍ତମଦେବ ଜେନାଙ୍କର ଅଧିକାର (Text -ଅଧିକାରେ)/ ସମସ୍ତ ପଞ୍ଚାଦି ବେହରଣ

 

୪-ବିଦ୍ୟମାନେ /ଶ୍ରୀ କୂର୍ମନାଥ ଦେବଙ୍କଈ ତୁଳସୀ ଗ୍ରାମର ମାଜି (ନା)ରା

 

୫-ୟଣ ଜିନାଙ୍କର ଦତ ଅଖଣ୍ଡ ଦୀପ ଦୁଈକୀ /ଗୋରୁ ସୟେକ୍ ଈ ରଖୁବା

 

୬-କ ଭାତବରତନ କଈ ନିତ୍ୟ) ଦେଉଳ ଦେବା ଭାତ ଛମାଣମାଳି କ (ହ୍‌) ନା

 

୭-ଇର ଫ (-) ଳ କଈ ଭାତ ବରତନ ସହିତେ / ଦୁଇମାଣ କୁଂଚା ଭାତ ନାରାୟଣ ।

 

୮-ପଂ (-) ଳ କଇ ଭାତ ଦୁଇ-ମାଣ ଦୁଇ ଅଡ଼ା/ଈ ଦୀପ ତୋଳନ୍ତା (< ତାଂ) ମେଇକାପ କଈ ଭା

 

୯-ତ ମାଣେକ /ଗାଭାତ ୬ କଈ ଶ୍ରୀ କୁର୍ମ୍ମନାଥ ଦେବଙ୍କର ଭଣ୍ଡାରିକଈ

 

୧୦-ପଦ୍ମନିଧି ରୂପେଣ ପ୍ରବେଶ ସୁନା ଗଂଡ଼ ପଞ୍ଚାସମାଡ଼ ୫୦ ଏ ନ୍ୟାଏ ଜାପତ ।

 

୧୧-(ଠ) ଦ୍ରାର୍କ ସ୍ତାଇଦ୍‌,

 

[୩ । ଦୀପମ୍ + ଏକମ୍ = ଦୀପମେଙ୍କ (ସଂସ୍କୃତ) (ସଂ-ରାଜଗୁରୁ)]

 

(ଇ.ଓ.ଏଲ.ଏସ୍ କ୍ରମିକ ନ-୧)

 

ଭୁବନେଶ୍ୱର ତାମିଲ ଓଡ଼ିଆ ଶିଳାଲେଖ

(ଆଶୁତୋଷ ମ୍ୟୁଜିଅମ୍ କଲିକତାକୁ ସ୍ଥାନାନ୍ତରିତ)

ଲିପି-ପ୍ରତ୍ନ ଓଡ଼ିଆ (= ବ୍ୟୁହଲରଙ୍କ ପ୍ରତ୍ନ ବେଙ୍ଗଲି)

 

ସମୟ- ବଡ଼ ନରସିଂହଙ୍କ ପୌକ୍ର ନରନାର ସିଂହଙ୍କ ରାଜତ୍ୱର

୨୨ ସ୍ୱତ୍‌ସର ଖ୍ରୀ.ଅ. ୧୩୪୬

 

୧-ସ୍ୱ ‘ସ୍ତି’ ଶ୍ରୀ ବୀର ନରନାରସୀଙ୍ଗ (େ) ଦେବ –

 

୨-ସପ୍ରବ୍ରଧମାନେ ବୀଯେ ରାଜେ ସ

 

୩-ମ୍ବତ୍ ୨୨ ଶ୍ରାହି କାତ୍ରୀକ କ୍ରୀଷ୍ଣ ୭ ରବୀ

 

୪-ରେ ଶ୍ରୀ କୀତ୍ତୀବାସ କ୍ଷେତ୍ରଂ ସିଧେ

 

୫-ସ୍ୱର ମଢ଼ର ବଡ଼ ନରସାଘଂ ଦେବ

 

୬-ଙ୍କର ଆ (ଉ) ଶ କାମାର୍ଥ ପୂର୍ଦ୍ଦକେ

 

୭-ବାଘମରା ବାରବାଟୀ ଭୂମିଏକାଦ

 

୮-ଶ ରୁଦ୍ର ଭିକ୍ଷାଦେବା ଭୂମି ସମଂ

 

୯-ଧେ ତପରାଜ ମହାମୁନୀ ଦୁଗ୍‌ଗା

 

୧୦-ଭଟ୍ଟ ଅଚାଯଙ୍କୈ ବଂଧାକଲା ଏ

 

୧୧-ମାଢ଼ଶତ ଦେଢ଼ ୧୫୦ ଉତ୍ରେସ୍ୱ

 

୧୨-ରନାଏ କଙ୍କର ତହୁ (ଂ) ଘେତଲା

 

୧୩-ଏମାଢ଼ ଦଶଧାନ୍ୟ ପେଟୀ ତୀଂ

 

୧୪-ସେକ୍ ତପରାଜ ମହାମୁନୀ-ଏଦୁ

 

୧୫-ଈ ଧାନ୍ୟସୁନା ଦୁଗ୍‌ଗାଭଟେ ଉତ୍ରେସ୍ୱ

 

୧୬-ର ନାଏକଙ୍କେ ଦେଈ ଅଙ୍କକଲା ଏ କଉତୀଏ

 

୧୭-ଧାନସୁନା ମୂଳ କଳନ୍ତର କରନ୍ତେ ମାଢ଼

 

୧୮-ଶତେକ ଅସୀ ୧୮୦ ତପରାଜ (ମାହା) ମୁନୀସୀ

 

୧୯-ବ ପ୍ରାପ୍ତେଂ ତପଚକ୍ରବତୀ ସ୍ଥାନା ପତୀ ହୋ

 

୨୦-ଈଲା ଏ ତପଚକ୍ର ବତୀଙ୍କର ଦୁଗ୍‌ଗାଭଟଆ–

 

୨୧-ଚାଯଙ୍କର ରାଶି ଦୁ ଗ ଗା ଭଟ୍ଟ ଆଚାଯେ

 

୨୨-ସୁ ଣୀ ଏକରାଶି ବୋଲି ମୈତ୍ର ପକ୍ଷ ହୋ–

 

୨୩-ଈଲା ଏ ବାଘମରା ଭୂମିବାରବାଟୀପଂ–

 

୨୪-ଳ ଭୋଗ୍ୟ ଆସୀଆ ସଚକେ କୀଲାକେ

 

୨୫-ତପଚକ୍ରବତୀକୀ ହାଥରଈ ଦୁଗ୍‌ଗାଭ–

 

୨୬-ଟ ଆଚା ଯେ ପାଣୀ ଧୀଲ (-) ଏ ସ୍ରୀବୀର

 

୨୭-ନରନାରସିଘଂ ଦେବଙ୍କର ଆଉଶକା–

 

୨୮-ମାଥେ ଏକାଦଶ ରୁଦ୍ର-ଭୀକ୍ଷା କରାଈ–

 

୨୯-ବା/ଏ ଭିକ୍ଷା ଚୋଡ଼ଦେସ ପାଣ୍ଡୀ ଦେସକା–

 

୩୦-ଞ୍ଚୀ ଦେସ ଏ ତିନିଦେସେ ଜମୀଲା ହୋ–

 

୩୧-ଈ ମଡ଼ାମଡ଼େ (= ମଠା ମଠେ) ଦୀକ୍ଷାକରି ଆଚା (ର) ବନ୍ତ

 

୩୨-ହୋଇଲା ତ ପସାଙ୍କ ଭିକ୍ଷା ଯେତେ

 

୩୩-କାଳ ଚନ୍ଦ୍ର ସୁଜ୍ର ବ୍ରତ ଏତେକ କାଳିଙ୍କ ଯସ

 

୩୪-ବ୍ରତୀବାକ (-)

 

[କାପୁ- = Guard ରକ୍ଷକ (ପୃ- ୨୭୧-ତେ ଡିକିସ୍ ନାରୀ) ।

‘ମେ’ ! ବାE ‘ମେଇ’ = body = ଶରୀର (ପୃ୧୦୩୨ । ।)

ମେଇକାପ୍ = ମେକାପ (ଶରୀର-ରକ୍ଷକ)

ତୁଳସୀ ଗ୍ରାମର ନାରାୟଣଙ୍କର ତେଲଗୁ ଖୋଦିତ ଲେଖା ପାଇଁ ଦେଖ S.S.I. Vol V. 1157.]

 

(ଇ.ଓ.ଏଲ୍‌.ଏସ୍ କ୍ରମିକ୍ ନଂ ୭)

 

ପୁରୀ ଜିଲାର କେନ୍ଦୁଳି ଗ୍ରାମରୁ ଆବିଷ୍କୃତ ପୁରୀର ତ୍ରିମାଳି ମଠରୁ ପ୍ରାପ୍ତ ତାମ୍ରଫଳକ

J.A.S. B Vol LXIV, Part I (1895) page 149

ମ.ମ. ଚକ୍ରବର୍ତ୍ତୀ

 

ସମୟ- ୪ର୍ଥ ନରସିଂହ ଦେବଙ୍କ ୮ମ ଅଙ୍କ- ଖ୍ରୀ:ଅ: ୧୩୮୪ ଲିପି-ପ୍ରତ୍ନ ଓଡ଼ିଆ ମିଶ୍ରିତ ଦେବନାଗରୀ ୬ଷ୍ଠ ଫଳକ ସମ୍ମୁଖ ଭାଗ : ୧୩ଶ ପଂକ୍ତିରୁ ଆରମ୍ଭ

 

୧-(=ପଂକ୍ତି ୧୩, ୬ଷ୍ଠ ଫଳକ) ଶକନୃପତେରତୀତେଷୁ ପଞ୍ଚା ।

ଧିକେଷୁ ତ୍ରୟୋଦ–

 

୨-ଶ ଶତ ସମ୍ବଚ୍ଛରେଷୁ ଚତୁର୍ଦ୍ଦଶଧନା (<ଭୁବନା) ଧିପତୀତ୍ୟାଦି ବିରୁଦାବଳୀ-

 

୩-ବିରାଜମାନଃ ଶ୍ରୀମାନ ନରସିଂହ ଦେବ ନୃପତେଃ ସ୍ୱରାଜ୍ୟସ୍ୟ ଅଷ୍ଟାଙ୍କେ

 

୪-ଅଭିଲିଖ୍ୟମାନେ ଚୈତ୍ରେ ମାସି ଶୁକ୍ଳପକ୍ଷେ ତ୍ରୟୋଦଶ୍ୟାଂ ତିଥୌ ରବିବାରେ ବା-

 

୫-ରାଣସି କଟକ ବିଶ୍ୱକର ଭାବେଦକ ସମୟେ ଶ୍ରୀଚରଣେ ଭିତର ନବର କନ୍ୟାମଣ୍ଡପ

 

୬-ବାଙ୍କିଆଏ ବିଜୟ ସମୟେ ଦ୍ୱାରପରୀକ୍ଷା ଗଡ଼େଶ୍ୱର ଜେନା ବୁଢ଼ାଲେଙ୍କା ଲାଣ୍ଡୁ ।

 

୭-ସନିମିଶ୍ର (< ମିଶ୍ର) ଭଣ୍ଡାରିଆ ଥାଉ ପୋରୋପରୀକ୍ଷା ମହାପାତ୍ର ନରେନ୍ଦ୍ର ଦେବ ଚକ୍ରବର୍ତ୍ତୀ

 

୮-ମହାପାତ୍ର ନରହରି ଦାସ ପ୍ରହରାଜ ମହାପାତ୍ର ଶ୍ରୀପତି ମଙ୍ଗରାଜ ଅ

 

୯-ବଧାରିଲା ତା/ଏପୋରୋ ଶ୍ରୀ କରଣ ସ୍ୱପ୍ନେଶ୍ୱର ମହାସେନାପତି ବଇଦୀ ମାହାସେନା ପ–

 

୧୦-ତୀ ମୁଦଲେନ ମହାପାତ୍ର ନରହରି ଦାସ ପ୍ରହରାଜ କଇକ (=କୈକ) କିନରି ଗ୍ରାମର ନାମ ବିଜୟ ନ–

 

୧୧-ରସିଂହପୁର ଚତୁଃସୀମା ସମାକ୍ରାନ୍ତ ଶାସନ କରିଦେବା/କଲଭୋର ଉତ୍ତର ଖଣ୍ଡ ମଧ୍ୟେ କି

 

୧୨-ନରି ଗ୍ରାମର ନାମ ବିଜୟ ନରସିଂହପୁର/ରାଉତପଡ଼ା ପାଖର ଚାସମ୍ବନ୍ଧ ଚିଆରିସ

 

୬ଷ୍ଠ ଫଳକର ପୃଷ୍ଠଭାଗ

 

୧୩-ପଞ୍ଚାସ ମାଢ଼ ୪୫୦ ଚାନ୍ଦଲୋ ପାଖର ଚାଷବନ୍ଧା ଚିଆରିସ ପଞ୍ଚାସ ମାଢ଼ ୪୫୦ ଗ୍ରା

 

୧୪-ବ୍ରହି ଅବଦାନ ମଧ୍ୟ କରି ଜିତି ନ ଆସ ୯୦୦ ମାଢ଼କଇ ପୋରୋ ଶ୍ରୀକରଣ ବଡ଼ (ଇ) ଦାସ

 

୧୫-ମହା ସେନାପତିର ସୀମାକଲା ପ୍ରମାଣେ/ଅସ୍ୟ ଗ୍ରାମସ୍ୟ ପୂର୍ବସୀମା/ ମଲଏ ଗ୍ରାମର

 

୧୬-କପିଳେଶ୍ୱର ଦେବଙ୍କର ଦେଉଳର ପଶ୍ରିମ ବିବାଦ ସୋଲଦଣ୍ଡାର ବଡ଼ କଙ୍କଡ଼ା ଦଣ୍ଡାର–

 

୧୭-ଅର୍ଧ ଆଦିକରି ଆଡ଼ଲ ଗ୍ରାମର ସୋଲୁଡ଼ୁଇର ପଶ୍ଚିମ ସାର୍ଧ କଙ୍କଡ଼ା ଲୁଣ୍ଡାଦଣ୍ଡାରଅ–

 

୧୮-ର୍ଦ୍ଧ ଚୁଆପାଡ଼ି ଗ୍ରାମର ଅନାଇ ବୃକ୍ଷ ଭୁଇଂର ଉତ୍ତର ଦଣ୍ଡୀ-ଅର୍ଦ୍ଧ ପର୍ଯ୍ୟନ୍ତ ସୀମାନମାଦି

 

୧୯-କୃତ୍ୱା / ଦକ୍ଷିଣ ସୀମା ଭାଖର ସାହିତ୍ୟ ଗ୍ରାମର ଚକଳିଆ ଅଲଣ୍ଡା ବିଆଳି ଓ ତ୍ୱ ଭୂଇଁର ଉ-

 

୨୦-ତ୍ତର ଦଣ୍ଡା ଅର୍ଦ୍ଧବଥପଡ଼ା ଗ୍ରାମର ରାଚ୍ଛର ଅର୍ଦ୍ଧ ବସାଖଣ୍ଡ ଗ୍ରାମର ଦୋସୀମାନ୍ତ ବଂ-

 

୨୧- ଧ ଉପର ନାଆ ପଥର କଲୁ ମାଦିକରି ଲଙ୍କାବଡ଼ ଗ୍ରାମର ଉତ୍ତର ଗା-

 

୨୨-ଲୀ ନଇର ଅର୍ଧ ମୁକୁଲୁଣ୍ଡା ଗ୍ରାମର ନଇତଡ଼ ପାଣିଶିଳା ଖମ୍ଭାର ପୂର୍ବ

 

୨୩-ହିଡ଼ ପର୍ଯ୍ୟନ୍ତ ସୀମା ନମାଦିକୃତ୍ୱା/ପଶ୍ଚିମ ସୀମା/ମକୁଲୁଣ୍ଡା ଗ୍ରାମ

 

୨୪-ର ପୂର୍ଦ୍ଦ ପାତୁଆ ଯାଇର କୋଣାବନ୍ଧର ବଡ଼ ବରଗଛ ବୋକଣା ଗ୍ରାମର ପୂ

 

୨୫-ର୍ବ ଦୋସୀମା ପଡ଼ିଆ-ବସତ ଅର୍ଦ୍ଧଆଦିକରି ସଂଘଂଡ଼ା ଗ୍ରାମର ଖଜୁ-

 

୨୬-ରିଆ ଜୋଡ଼ ପଶ୍ଚିମ ତଡ଼ ଏ ଗ୍ରାମର ବସତର ପୂର୍ବ ଦୋସୀମା ରାଚ୍ଛ ଅ-

 

୨୭-ର୍ଦ୍ଦ ପର୍ଯ୍ୟନ୍ତ ସୀମାମାନ ମାଦିକୃତ୍ୱା/ଉତ୍ତର ସୀମା/ଉଲଟପୁର ଶାସନର ଦକ୍ଷିଣ ରୋଣ୍ଡୋଇ

 

୨୮-ଦକ୍ଷିଣ କଂକଡ଼ା ଜୋଡ଼-ଅର୍ଦ୍ଧ ଆଦିକରି ଇାଳପୁର ଗ୍ରାମର ଦକ୍ଷିଣ

 

୨୯-ଅଲକ୍ଷେ ପଡ଼ାର ମଧ୍ୟକ ଦଣ୍ଡାର ଅର୍ଦ୍ଧ ଅଟ୍ଟହାସ ପୁର ଶାସନର ଦକ୍ଷିର ରୋଣ୍ଡୋଇ

 

୩୦-ଦଣ୍ଡାର ବନ୍ଧପର୍ଯ୍ୟନ୍ତ ସୀମାନ ମାଦିକୃତ୍ୱା/ଏବଂ ଚତୁଃସୀମା ସମାକ୍ରାନ୍ତ କଲମ୍ବୋର ଉତ୍ତ-

 

୩୧-ର ଖଣ୍ଡ ମଧ୍ୟମଧ୍ୟାସୀନଃ ନଅସ ୯୦୦ ମାଢ଼ ପରିମିତ ଶାସନାଖ୍ୟ ବିଜୟ ନରସଂହପୁ-

 

୩୨-ର ନାମାନଂ କିଂନରି ଗ୍ରାମଂ ସ୍ନାୟୁରାରୋ ଗ୍ୟୈଶ୍ୱର୍ଯ୍ୟ ସାମ୍ରାଜ୍ୟ ସମୃଦ୍ଧୟେ ମହାପାତ୍ର ନରହରି ଦା-

 

୩୩-ସ ପ୍ରହରାଜାୟ ସଜଳସ୍ଥଳମଚ୍ଛକ ଛପ ପାଦପାରଣ୍ୟ-ବାଳୁକାଦ୍ଭିଟ ସହିତ ମା-

 

୩୪-ଚନ୍ଦ୍ରାର୍କ-ମକରୀକୃତ୍ୟ ପ୍ରାଦାତ୍‌/ଅସ୍ୟ ଶାସନ ସ୍ୟାଂଗତୟା କୌଣ୍ଡନ୍ୟ ଗୋତ୍ରାୟ ଯ-

 

୩୫-ଜୁର୍ବେ ବେଦାନ୍ତର୍ଗତ-କାଣ ଶାଖୈକ ଦେଶାଧ୍ୟାୟିକେ ଶାସନ ତାମ୍ରାଧିକାରିଣେ ଶ୍ରୀମାନ୍‌-ମହାପାତ୍ର

 

୩୬-ସାନ୍ଧ ବିଗ୍ରହିକ-ସ୍ୱପ୍ନେଶ୍ୱର-ନାମଧେୟ-ବ୍ରାହ୍ମଣାୟ ଗୃହବାଟି ସହିତଂ ବାଟିଚତୁଷ୍ଟୟଃ/

 

୭ମ ଫଳକ

 

୩୭-ଏତତ୍ ତାମ୍ର ଲେଖକ-ଦୁର୍ଗାଦାସ-ସେନାପତେ ର୍ବାସ୍ତୁ ସହିତ ମେତଦର୍ଦ୍ଧଂ ମଦ୍‌ଦାନ ଫଳ ସି

 

୩୮-ଦ୍ଧ୍ୟର୍ଥଂ ତଦ୍‌ରକ୍ଷା ଫଳ ସିଦ୍ଧେୟ/ମଦ୍ଧର୍ମଃ ପରିପାଲ୍ୟୋଽୟଂ ଭୁମେରଚନ୍ଦ୍ର ତାରକଂ

 

[*** ଶୁଭଂ ଭବତୁ ଶୁଭଂ ଭବତୁ । ଶୁଭଂ ଭବତୁ । ଶ୍ରୀ ଶ୍ରୀ ଶ୍ରୀ]

 

 

କଟକ ଜିଲାର ଯାଜପୁର ନିକଟବର୍ତ୍ତୀ ସିଦ୍ଧେଶ୍ୱର ମନ୍ଦିରର

ବୃଷସ୍ତମ୍ଭୋପରି ଖୋଦିତ (ଶିଳା) ଲେଖ, ପ୍ରାଚୀନ-ଲିପି ଓଡ଼ିଆ

 

ସମୟ ୪ର୍ଥ ନରସିଂହ ଦେବଙ୍କ ୧୯ ସମ୍ବତ୍ସର (=୧୩୯୪ ଖ୍ରୀ:ଅ:)ଏ ପିଗ୍ରାଫିକା ଇଣ୍ଡିକା ୨୯ଶ ଖଣ୍ଡ (Volume 29)ରେ ଦୀନେଶ ଚନ୍ଦ୍ର ସରକାର-କୁଞ୍ଜବିହାରୀ ତ୍ରିପାଠୀଙ୍କ ଲେଖକତ୍ୱରେ ପ୍ରକାଶିତ (୧୯୫୦ ଜାନୂଆରୀରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିଲିପିରୁ ଉଦ୍ଧୃତ ପାଠ)

 

୧ । [ବୀର] ଶ୍ରୀ ନରସିଘଂ [ଚ] ଦବ (ଙ୍‌) କ ବୀ [ଜେରା] ଜେ ସମଂଥୁ ୧୯ ସ୍ରାହିକକଡ଼ା କ୍ରୀଷ୍ଣ ୧୪ ଚନ୍ଦ୍ରବାରେ

 

୨ । ଚତୁରୁଦୀଗେ ଦଣ୍ଡ ପରୀକ୍ଷା ଶ୍ରିତ୍ର (ଣ) ପଟାନାୟକ ବିଶ୍ୱନାଥ ମାହାସେନାପ୍ତୀଙ୍କର ଦଣ୍ଡ ପରୀକ୍ଷା [ପୁ] ରୁବ ଦୀଗଦଣ୍ଡ

 

୩ । ନାଏକ ନନ୍ଦୀକେସ୍ୱର ସନି ମୀଗ୍ରଙ୍କ୍ର ବେହୋରଣେଏ ଦଣ୍ଡପାଟର ପସା (ଇ) ତ ମୁଦୁଲି କୋଠତ୍ରଣ ଭାଗଲୋକ ।

 

୪ । ସମସ୍ତ ବେହୋରଣ ଅନୁମତେରାଆଙ୍ଗ ବୀଶେଭୂଂଇଂ ଗ୍ରାମ ଗ୍ରାମ ଜୀତ ମାଢ଼ ପ ୫୦ ସତ୍ରୁବି.....

 

୫ । ଓ ହୋରୁ ପାଇକା ଭେଟା ବୋଦାପରିଦର ସନର ଜାବତ ଅବଦାନ ନାସ୍ତିକରି ବୀରସଂଘଦେବଂ

 

୬ । ତ୍ର ଆ [ସ କା] ମାର୍ଗେ

 

୭ । ଟିପ୍ ୧

 

୮ । ସିେ[ସର େ]ଦ

 

୯ । ହାଜେ ହରଇ

 

୧୦ । ଦ୍ରୋହା କରଇ

 

[ପ୍ରସାଦ (ଧର୍ମାର୍ଥେଦତ୍ତ ଭୂମିଆଦି) > ପସାଅ/ପସାୟ; ଇତ ପ୍ରତାୟ ଯୋଗେ ପସାଇତ (=Endowment officer)

ମୁଦ୍ରା (Seal) ସହିତ ସଂପୃକ୍ତ ଶବ୍ଦ ‘ମୁଦୁଲି’, ଯେ କର୍ମଚାରୀ ତାଲାବଳ କରି ମୁଦ୍ରା ଦ୍ୱାରା ଦୃଢ଼କରେ,

ମୁଦଲ = ରାଜାଦେଶ (edict) ରାଜାନୁଶାସନ, ତଃ ଏ ମୁଦଲ କେଳାଇ ଖୁଣ୍ଟିଆ ଲିହାଇଲା, ଜୀତ ବାଜିତ-ମୂଲ୍ୟ (Valuation)

ଓ ହୋରୁ- ଚୌକିଦାରୀ ଟ୍ୟାକ୍‌ସଂ, ପାଉକା = ୧/୪ ଦେୟ ଟ୍ୟାକ୍‌ସ ଭେଟି (ଉପହାର) ଜୋଦା<ବୋଧାଇ<ବଧାଇ

ପରିଦରଶକ<ପରିଦର୍ଶନା (a Supervision tax) ଅବଦାନ = ଟ୍ୟାକ୍‌ସଂ

ରାଆଙ୍ଗ ଶବ୍ଦରୁ ଆଧୁନିକ ରାହାଙ୍ଗ ଶବ୍ଦ ଅପଭ୍ରଷ୍ଟ ହୋଇପାରେ ।]

 

ସମ୍ବଲପୁର ଜିଲାର ଭୂତପୂର୍ବ ବୋଡ଼ାସମ୍ବର ଜମିଦାରୀସ୍ଥ ବିଡ଼ାଳ

ନରସିଂହନାଥ ଦେବାଳୟରେ ସଂଲଗ୍ନ ଖୋଦିତ ଶିଳାଫଳକ

 

ଲିପି ପ୍ରାଚୀନ ଓଡ଼ିଆ, ଭାଷା ପ୍ରାଚୀନ ଓଡ଼ିଆ ସମୟ ତା ୧୭ । ୩ । ୧୪୧୩ ଖ୍ରୀ.ଅ.

 

୧ । (ଓଁ ନମଃ) ଶ୍ରୀ ନୃସିଂହାୟ (ସ୍ୱସ୍ତିସ୍ୱସ୍ତି)ବିକାର ନାମ ସମ୍ବତ୍ସରେ ଚୈତ୍ର ପୌର୍ଣ୍ଣମୀ ଶୁକ୍ରବାର ହସ୍ତାନକ୍ଷତ୍ରେ ପାଟଣା ନଗରସ୍ଥିତି ବଚ୍ଛରାଜଦେବ ରାଜାଙ୍କର ପୁତ୍ର ଶ୍ରୀ ବୈଜଲ

 

୨ । ଦେବରାଜ (ନରସିଂହ) ତୀର୍ଥେ ଗନ୍ଧମାର୍ଦ୍ଦନ ପର୍ବତେ ବିରାଳ ନରସିଂହ ନାଥ-ସ୍ୱାମୀଙ୍କର ଦେଉଳ ତୋଳାଇଲା...ଭୂଷଣ ରତ୍ନମାଳା ଗାଇ-ଶତେକ ଲୋଆସିଙ୍ଗା

 

୩ । ଗ୍ରାମ ଦିଲା/ଆଦିତ୍ୟ ଚନ୍ଦ୍ରାବନିଳୋ ନଳଶ୍ଚ ଦ୍ୟୌର୍ଭୂମି ରାପୋ ହୃଦୟଂ ଯମଶ୍ଚ ଅହଶ୍ଚ ରାତ୍ରିଶ୍ଚ ଉଦ୍ଭେଚ ସନ୍ଧ୍ୟେ ଧର୍ମୋଽପି ଜାନ । ତି ନରସ୍ୟ କୃତ୍ୟମ୍‌

 

୪ ।......... ଦେଲା/ପ୍ରସସ୍ତିକାର ଆଘା) ଶ୍ରୀ ନରସିଂହସ୍ୟ ପୀତୟେ ।

 

[ଦେଖ (୧) J.A.H.R.XII part । (ଏପ୍ରିଲ୍ ୧୯୪୦) ଶ୍ରୀ ଲୋଚନ ପ୍ରସାଦ ପାଣ୍ଡେଙ୍କ ପ୍ରବନ୍ଧ,

(୨) ଇଣ୍ଡିଆନ୍ ହିଷ୍ଟିରିକାଲ କ୍ୱାଟର୍ଲୀ Vol Xii (୧୯୩୬ରେ ପଣ୍ଡିତ ବିନାୟକଙ୍କ ପ୍ରଦତ୍ତ ପାଦଟୀକା)

(୩) ଇଣ୍ଡିଆନ୍ ହିଷ୍ଟିରିକାଲ କ୍ୱାଟର୍ଲୀ Vol Vii (୧୯୩୨ -୧୯୩୨) ଲୋଚନପ୍ରସାଦଙ୍କ ପାଦଟୀକା

(୪) ଇଣ୍ଡିଆନ୍ ହିଷ୍ଟିରିକାଲ କ୍ୱାଟର୍ଲୀ Vol V (ପୃ ୩୪୫ ଷ୍ଠା)

(୫) ରିପୋର୍ଟ ଅଫ୍ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ Vol Xiiii (୧୮୮୨ ପୃଷ୍ଠା) ୧୪୦-୧୪୩

(୬) (Annual- ବାର୍ଷିକ) ରିପୋର୍ଟ ଅଫ୍ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ Vol Xiiii (୧୮୮୨ ପୃଷ୍ଠା ୧୯୦୪-୫ ପୃ ୧୨୧-୧୨୫]

 

(ଇ.ଓ.ଏଲ୍‌.ଏସ୍‌.କ୍ରମିକ ନଂ ୧୧)

ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିରର ପ୍ରବେଶ ଦ୍ୱାରର ଦକ୍ଷିଣ ପାର୍ଶ୍ୱରେ ଖୋଦିତ ଶିଳାଲେଖ

 

ଲିପି-ପ୍ରାଚୀନ ଓଡ଼ିଆ

ସମୟ- କପିଳେଶ୍ୱର ଦେବଙ୍କ ୪ର୍ଥ ଅଙ୍କ

(୧୪୩୬ ଖ୍ରୀ.ଅ.ମ.ମ. ଚକ୍ରବର୍ତ୍ତୀ)

 

(ରାଜଗୁରୁ-ଚକ୍ରବର୍ତ୍ତୀଙ୍କ ପାଠ ଉପରେ ଆଧାରିତ)

 

୧। ଶ୍ରୀବିର କପିଳେସରଦେବ ମହାରାଜାଙ୍କର ବିଜେରାଜ୍ୟେ ସମସ୍ତ ୪ (ଅବଙ୍କଶ୍ରାହୀ)

 

୨ । ମୀଥୁନ୍ ସଂକ୍ରାନ୍ତି କ୍ରୀଷ୍ଟ ୯ ମଙ୍ଗଳବାରେ ତ୍ରିତିବାସ କଟେକେ (ଭିତର) (ପୂଜା ଅବକାସେ)

 

୩ । ରାଏଗୁରୁ ବାସୁ ମହାପାତ୍ର ଭୁବନେଶ୍ୱର ମହାପାତ୍ର ଏ ଦୁଇ ହେ ଆସି (ଲିହାଇଲେ ଏ)

 

୪ । ଦୁଇଙ୍କରି ଗୋଚରେ ଅଗ୍ୟା ବୋଲିଣ ହୋଇଲେ ଆମ୍ବର ଓଡ଼ିଶା ରା (ଜ୍ୟେ ଜେତେରାଜା)

 

୫ । ସୁଣ ସବୁହେଂ ରାଜାଙ୍କ୍ର ହୀତେ ବ୍ରତି

ଏ ଆପଣାର ସଦାଚାରେ ଥିବେ (ଅସଦମାର୍ଗେ)

 

୬ । (ନରହିବେଂ ରାଜାଙ୍କ ଅଣହିତେ ବ୍ରତି) ଲେ ରାଜା ବାହାରକରି ତାହାର ସ (ର୍ବସ) ହରି ।

 

[କ୍ରମିକ ନଂ- ୧୧ ଓ ନ ୩୭ ଶିଳା ଲେଖଦ୍ୱୟ ମନ୍ଦିର କାନ୍ଥରୁ ସ୍ଥାନାନ୍ତରିତ ହୋଇଅଛି; ଗୋଟିଏ ଖଣ୍ଡିତ ଶିଳାଲେଖ ଆର୍କିଓଲଜିକାଲ ଅଫିସରରେ ସଂରକ୍ଷିତ, ଏହି ମର୍ମରେ ରାଜଗୁରୁ ଜଣାଇଛନ୍ତି ।

ବୋଲିଣ ହୋଇଲେ (= ଶିଷ୍ଟଉକ୍ତି = honoritic (use) ବ୍ୟାକରଣ ପ୍ରବେଶ- ରାଧାନାଥ ପୃ –ଦ୍ରଷ୍ଟବ୍ୟ]

 

୧୦

(ଇ.ଓ.ଏଲ୍‌.ଏସ୍‌.କ୍ରମିକ ନଂ ୧୪)

ପୁରୀ ଜଗନ୍ନାଥ ମନ୍ଦିରର ଜୟବିଜୟ ଦ୍ୱାରର ଦକ୍ଷିଣ ପାର୍ଶ୍ୱର

ଥିବା ନଂ ୨ (ଦ୍ୱିତୀୟ ଶିଳାଲେଖ)

 

ଲିପି-ପ୍ରାଚୀନ ଓଡ଼ିଆ

ସମୟ- କପିଳେଶ୍ୱର ଦେବଙ୍କ ୧୯ଶ ଅଙ୍କ (ଖ୍ରୀ.ଅ. ୧୪୫୧)

 

୧ । ବୀରଶ୍ରୀ ଗଜପତି ଗଉଡ଼େଶ୍ୱର ପ୍ରତାପ କପିଳେଶ୍ୱର ଦେବ

 

୨ । ମାହାରାଜାଙ୍କର ବିଜେ ରାଯେ ସମସ୍ତ ୧୯ଙ୍କ ଶ୍ରାହି ସେସ ଅମ ।

 

୩ । ବଇ ରବିବାରେ ମଲିକା ପରୀସ । ଦିଗ-ବିଜେକରି ବାହୁଡ଼ା କଟକାଇ

 

୪ । ସ୍ତ୍ରୀ ପୃସୋତମ କଟକେ ବିର-ମଣୋଇ-ବୀଜେ ସମଏ ସ୍ତ୍ରୀ ଚରଣ

 

୫ । ଅଗ୍ରତେ କୋଠଅର-ଆନ୍ତର-ପରୀକ୍ଷ ମାହାପାତ୍ର ରଘୁଦେଓ ନରୀନ୍ଦ୍ର

 

୬ । ଜଣାଇ ଛାଡ଼ କରାଇଲାକୁ ଆଇଗାଁ ହୋଇଲା ସ୍ତ୍ରୀ ପୃସୋତ୍ତମର

 

୭ । ପୁଣ୍ଡରୀକ୍ଷ ଗୋପଛାଡ଼ି ଦେଲୁ ଏଥକୁ ଯେ ଅବା ଲଙ୍ଘଇ ସେ ଜଗ–

 

୮ । (ନାଥ ଦେବଙ୍କୁ ଦ୍ରୋହ) କରଇ ଏ (ମୁଦ) ଲେ କେ (ଲାଇ) ଖୁଣ୍ଟିୟା ଲିହାଇ (ଲା)

 

[ମଲିକା = ବିଜୟ ନଗର ସମ୍ରାଜ୍ୟର ସମ୍ରାଟ ମଲ୍ଲିକାର୍ଜୁନ,

ପରୀସା (= ପରିସା <ପରିଷଦ) = ସେନା (Army)

ରଘୁଦେଓ ନରୀନ୍ଦ୍ର : ସମ୍ରାଟ କପିଳେଶ୍ୱର ଦେବଙ୍କ ରାଜମହେନ୍ଦ୍ରୀର ରାଜ୍ୟପାଳ (Governor)

ଦେଖ ଗୋଦାବରୀ ଜିଲ୍ଳାର ତିରୁପତି ମନ୍ଦିର ଶିଳାଲେଖ

(ଦକ୍ଷିଣ ଭାରତୀୟ ଖୋଦିତ ଲେଖ ୫ମ ଖଣ୍ଡ ନଂ-୧୦୦ = 5.99.v, 100 ଦେଖ ରଘୁଦେଓ ନରୀନ୍ଦ୍ରଙ୍କ ୱାରଂଗଲ ଦୁର୍ଗ ଶିଳାଲେଖ)

(E.I. XXXII Kaliyr 4581 Ed-sirear)]

 

୧୧

(ଇ.ଓ.ଏଲ.ଏସ୍‌.କ୍ରମିକ ନଂ ୩୬)

ପୁରୀ ଜଗନ୍ନାଥ ମନ୍ଦିରର ଜୟବିଜୟ ଦ୍ୱାର ଦକ୍ଷିଣ ପାର୍ଶ୍ୱରେ

ଖୋଦିତ ନଂ ୪ ବା ଚତୁର୍ଥ ଶିଳାଲେଖ

 

ସମୟ- ପୁରୁଷୋତ୍ତମଦେବଙ୍କ ସମସ୍ତ ୧୯ଅଙ୍କ ଶ୍ରାହୀ

 

୧ । ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି-କର୍ଣ୍ଣାଟାଧୀଶକଲ ବରଗେଶ୍ୱର ପ୍ରତାପ ଶ୍ରୀ ଗଜପତି ପୁରୁଷୋତ୍ତମଦେବ ମାହାରାଜାଙ୍କର

 

୨ । ବିଜୟ ରାଜ୍ୟେ ସମସ୍ତ ୧୯ ଅଙ୍କଶ୍ରାହୀ ସିଂହ ଶୁକ୍ଳ ୮ ଗୁରୁବାରେଂ ବାରଣାସି କଟକେ ଶ୍ରୀନଅର ଗୋପାଳପ୍ରିୟ ଜଗତିର ଦକ୍ଷିଣ ମେଢ଼ରେ ବଡ଼ ଅବକାସେ

 

୩ । ସମସ୍ତ ବେହୋରା ମାହାପାତ୍ର ପାତ୍ର ସନିମିଗ୍ର ଖଟନ୍ତି ବୁଢ଼ାଲେଙ୍କା ସମସ୍ତଙ୍କ (ମୁକାବି) ଲାରେ ଅଇଗାଂ ହୋଇଲା (ଆମ୍ଭେ ଅନୁଭବ କରି)/ ଶୁଣୀଂ । ଦେଖି ଏ ପୃଥିବୀ ଯେତେକାଳ

 

୪ । ଥାଇ ତେତେକାଳ ଏ ଓଡ଼ିଶା ରାଜ୍ୟର (ରାଜାମାନଙ୍କୁ ତିଆରୁ ଅଛୁ) ସବୁରାଜାମାନେ ବ୍ରାହ୍ମଣମାନଙ୍କୁ ଦାନେଦେବା ଶାନ୍ତିପୂର୍ବକ ମନଜୋଗକରି ଧନ-ସ୍ତ୍ରୀ-ପ୍ରାଣ ରାଜ୍ୟ ଏହି ଚାରିକଥାର କେବେହେଂ

 

୫ । ବ୍ରାହ୍ମଣମାନଙ୍କୁ ନିୟୋଗ ନ କରିବା/ ଏହି ଚାରିକର୍ମରେ ନିଜୋକିଲେ ବ୍ରାହ୍ମଣ ଜାଗକର୍ମଂହିଁ ସେ କରଇ ଛଳନ (Text -ଛଲନ) କରଇ ମୁଇ) ଶତଧା ନେକ ତିଆରାଜ୍ୟ ଜାତ୍ରଧିମାନଙ୍କୁ ଆଦେଶ

 

୬ । ବଚନଲଙ୍ଗନ କରି ଯେ ଅବା ଆନ କରଇ ଯେ ଜଗନ୍ନାଥଙ୍କୁ ଦ୍ରୋହ କରଇ/ସେ ମହାପାତକ/ଅତିପାତକ ବି,କୋ ସମସ୍ତ ପାତକ କଲାର ଫଳପାଇ

 

୭ । ସବୁହେ ଏକଥା ଦୃଢ଼କରି ମନରେଧରି ଆମ୍ଭର ଉପଦେଶ କର କର ।

 

[– ଅପକର୍ମ (ରାଜେନ୍ଦ୍ର ଲାଲ ମିତ୍ରଙ୍କ ପାଠ)

ପଂକ୍ତି ୪-୭ ମନମୋହନ ଚକ୍ରବର୍ତ୍ତୀଙ୍କ ପାଠ

୩ୟ ପଂକ୍ତି- ଅନୁଭବ କରି/ଶୁଣିଂ/ଦେଖି = ଅନୁଭବ କରି, ଶୁଣି, ଦେଖି, ଏହାକୁ ଅତୁଳନୀୟ ସଧମରାଜା ପସଂତୋ ସୁନଂତୋ ଅନୁଭବଂଚୋ କଲାଣାନି । ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ

୪ର୍ଥ ପଂକ୍ତି ତୁଃ ଧନଦାରାତ୍ମଜା ପୃକ୍ତା ଯତ୍ରଶୋଚନ୍ତି ବ୍ରାହ୍ମଣା ତେବୈରାଜନ୍ୟ ବେଷେଣ ନଟା ଜୀ ବନ୍ତ୍ର‌୍ୟସୁମ୍ଭରାଃ,

ମୋହର ବଂଶେଯେତେଜନ ବିପ୍ରେ ନ କର ଅପମାନ ,, ,, (ଭାଗବତ୍‌ସ ୧୦।୮୯।୨୯)

ଅପିହରଣେ ବିପ୍ରଧନ । ନିଶ୍ଚୟ ନରକେପତନ ,, ୧୦ । ୬୯ । ୪୨-୪୩ ଦାସଙ୍କ ଭାଗବତ,

ଧନତନୟ ଦାରାଗାରେ । ଯେବେ ବ୍ରାହ୍ମଣ ଶୋକକରେ ,,

ସେ ରାଜକୁଳ ବଡ଼ହୀନ । ଧିକତାହାଙ୍କ ଜୀବନ ,, ୧୦,୯.୨୮ (ତତ୍ରୈବ)]

 

୧୨

(ଇ.ଓ.ଏଲ.ଏସ୍ କ୍ରମିକ ନଂ ୪୨)

ପୁରୀ ଜଗନ୍ନାଥ ମନ୍ଦିରସ୍ଥ ଜୟବିଜୟ ଦ୍ୱାରର ବାମ ପାର୍ଶ୍ୱରେ ଥିବା ନ୬ମ୍ବର ଶିଳାଲେଖ

 

ସମ୍ରାଟ୍ ପ୍ରତାପରୁଦ୍ରଦେବ (୧୪୯୭-୧୫୪୦ ଖ୍ରୀ.ଅ.)ଙ୍କ ୪ର୍ଥ ଅଙ୍କ ।

 

ଲିପି-ଓଡ଼ିଆ ଭାଷା- ଓଡ଼ିଆ

 

୧ । ବୀରଶ୍ରୀ ଗଜପ୍ତି ଗଉଡ଼େଶ୍ୱର ନବକୋଟୀ କର୍ଣ୍ଣାଟ କଲବରଗେସର (ବିରବର ଶ୍ରୀ ପ୍ରତାପରୁଦ୍ର ଦେବ)

 

୨ । ମାହାରାଜାଙ୍କର ସମସ୍ତ ୪ ଅଙ୍କ ଶ୍ରାହୀ କକଡ଼ା ସୁ ୧୦ ବୁଧବାରେ ଅବଧାରୀତ (ଆଇଗାଂ ପ୍ରମାଣେ ବଡ଼-)

 

୩ । ଠାକୁରଙ୍କ ଗୀତାଗୋବିନ୍ଦ ଠାକୁର ଭୋଗବେଳେ ଏ ନାଟ ହୋଇବ ସଂଝ ଧୂପ ସରିଲାଠାରୁ

 

୪ । ବଡ଼ସିଂଗାର ପରିଯନ୍ତେ ଏ ନାଟ ହୋଇବ (ବଡ଼) ଠାକୁରଙ୍କ ସମ୍ପରଦା (=ସଂପଂରଦା) କପିଳେଶ୍ୱର ଠାକୁରଙ୍କ ଧୀଲା

 

୫ । ନାଚଣୀମାନ ପୁରୁଣା ସମ୍ପରଦା ତେଲଂଗୀ ସପଂରଦା ଏମାନେ ସବିହେଂ ବଡ଼ ଠାକୁରଙ୍କ ଗିତୀ ଗୋ

 

୬ । ବିନ୍ଦହୁଂ (ଆନ ଗୀତ ନ ଶିଖିବେ ଆନଗୀତ ନ) ଗାଈବେ ଆନନାଟ ହୋଇ ପରମେସୁରଙ୍କ କ୍ଷାମୁର ନୋ

 

୭ । ହୀବ ଏ ନାଟ ବିତରକେ ବୈଷ୍ଣବ ଗାଅଣ ଚାରିଜଣ ଅଛନ୍ତି ଏମାନେ ଗୀତଗୋବିନ୍ଦ ଗୀତ ହି ସେ ଗାଇବେ

 

୮ । (ଏହାଙ୍କ ଠାରୁ ଅଶିକ୍ଷିତମାନେ ଏକଶ୍ୱରରେ ଶୁଣି ଗୀତଗୋବିନ୍ଦ ଗୀତହୀ ସେ ଶିଖିବେ ଆ) ନ ଗୀତ ନ ଶିଖିବେ (ଏହା) ହୁଂ

 

୯ । ଜେ ପରୀକ୍ଷା ଆନ ଗୀତେ ନାଟ କରାଇଲେ ଜାଣି ସେ ଜଗନ୍ନାଥ ଦ୍ରୋହ କରଇ ।

 

୧୩

(ଇ.ଓ.ଏଲ.ଏସ୍‌ର କ୍ରମିକ ନ -୫୫)

 

ସୀମାଚଳସ୍ଥ ଲକ୍ଷ୍ମୀ ନରସିଂହ ସ୍ୱାମୀ ଦେଉଳର କୈନ୍ଦ୍ରିକ ମନ୍ଦିରକୁ

ବେଷ୍ଟନ କରିଥିବା ବରଣ୍ଡାର ଗୋଲାକାର ସ୍ତମ୍ଭରେ ଖୋଦିତ *

 

ସମୟ- ମୁକୁନ୍ଦ ଦେବଙ୍କର- ୧୧ଶ ଅଙ୍କ (ଖ୍ରୀ.ଅ.୧୫୬୮)

 

୧- ସ ଦତାଦ୍ ଦ୍ୱି (text -ଦୁ) ଗୁଣଂ ପୁଣ୍ୟଂ (text -ପୁନଂ)(ୟ) (ତ)

 

୨- ପରଦତ୍‌ତାନୁ ପାଳନେ

 

୩- ପରଦତ ଅପହାରେଣଃ

(ତ)

 

୪- ସ ଦ ତ ନିଷ୍ଫଳଂ ଭ (େ)ବତ୍‌

(୍ୟ) (ତ)

 

୫- ବୀର ଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟି କର୍ଣଟ-କଲପରକେଶ୍ୱର ବୀର ପ୍ରତାପ

 

୬- ମୁକୁନ୍ଦ ଦେଓ ମାହାରାଜାଙ୍କର ବିଜେସୁଭ ରାଇଜେ ସମସ୍ତ ଅଙ୍କେ

 

୭- ଶ୍ରୀ ନରସିଂହନାଥ ଦେବଙ୍କୁ ଭାତଭୋଗକୁ ଭିଆଇ ଜୀଅର ଦେଉଳର

 

୮- ପ୍ରକ୍ରଣ କି କଲା (?) ଟ ୧୨୫୫ ଙ୍କା ଅମୃତ କୁଣ୍ଡକୁ ଟ ୩୬୫ ଙ୍କା ଗୋଟିକୁ ଟ ୧୬୦ଙ୍କା

 

୯- ଗାଏ ଟ ୫୨୫ଙ୍କା ଧୀଲା କଳିଙ୍ଗଦଣ୍ଡ ପାଟର ତଳଜିଅର ଅନକପଲି ପେଟର କପା

 

୧୦- ପଖିମୁଠା ଅବଦାନ କରି ଦିଲା (?) ଟ ୫୨୫ଙ୍କା ଏ ରାଜାଙ୍କ ୧୧ ଅଙ୍କେ (ସମ୍ପ୍ରଦା)

 

୧୧- ସେବାକୁ ଭି (text ଭୀ) ଆରୁ ମାଇ ଗୋମୁଣାପୋକ (?) ୨୦. ବରତନ ଟ ୧୫ଙ୍କାକୁ ଧୀଲା ।

 

୧୨- ଜିଅର (େ) ଦସରୁ ଟ ୧୫୦ଙ୍କା ହରିରାଜ ନରିନ୍ଦ୍ର, ମହାପାତ୍ରଙ୍କ ଗୋଟିକୁ ତଳଜୀଅର ମୁ

 

୧୩- ଠାରହ (?) ଧିଲା (?) ସୁଦୁପାକ ଗ୍ରାମ ଏ ଧର୍ମ କିରତି ମାନକେ ହରି ସେ ଦୋସପାଇ

 

୧୪- ଅମୃତ ମଣୋହିରେ ବିସଦେଲା ପାତକେ ପାଇ (-)

 

[ପଂକ୍ତି ୩ ପଂକ୍ତି ୪- ମୂଳ ଲେଖାରେ ‘ନିଷ୍ଫଳ’ ଅଛି ପରଦତ୍ତା ପହାରେଣ ପଂକ୍ତି ୯ ମୂଳଲେଖା (=ଛାପା) ରେ ପେଟର ସ୍ଥାନରେ ‘ପେଟରର’ ଲିପିକର ପ୍ରମୋଦ ହୋଇପାରେ । ପେଟ ଓଡ଼ିଆ, ପୋଟ (ତେଲଗୁ)

ପଂକ୍ତି ୧୧-ମାଇ ଗୋମୁଣା ପୋକର ବିକଳ୍ପିକ ପାଠ=ମାଇପୋ ମୁଣିପୋକ

 

*- ଉକ୍ତ ସ୍ତମ୍ଭରେ କୃଷ୍ଣଦେବରାଜାଙ୍କର ଲେଖ ମଧ୍ୟ ଖୋରିତ ।]

 

୧୪

କଟକ ନିକଟସ୍ଥ ବିଦ୍ୟାଧରପୁରରେ ଥିବା ଦ୍ୱୈଭାଷିକ : (ଫାରସୀ-ଓଡ଼ିଆ) ଶିଳାଲେଖ

 

ଓଡ଼ିଆ ଅଂଶ *

(ସମୟ-ଖ୍ରୀ:ଅ: ୧୭୨୪ଠାରୁ ଖ୍ରୀ:ଅ:)

 

ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କର ବିଜ (ଜେ) ଶୁଭରାଜେ (ଜ୍ୟେ) ସମସ୍ତ) ୧୨ ଅଙ୍କ ସ୍ରା...ହୀ ସୁଲଳ ଦୁ୨ଆ ରଥଯାତ୍ରା ଶୁକ୍ରବାରେ ବହୁତ ଲୋକ ଧର୍ମ ନିମିତ୍ତେ କୋଦୀଣ୍ଡା ବୀ-୩୬ ସ (ୟ)ରେ ବୀଦା (ଦ୍ୟା) ଧରପୁର ଏ ବାପୀ ଗଢ଼ାଇଲେ ବକସୀ ମହମଦ ତକୀ ।”

 

[* ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ- ଡ. ବଂଶୀଧର ମହାନ୍ତି,୧୯୭୦,କଟକ, ପୃ-୮୭

ଦେଖ- ମହମ୍ମଦ ତକିକ୍ ଖାଁ ପୃ ୨୩୨,୨୩୩,୨୫୭ ଓଡ଼ିଶା ଇତିହାସ- ଡ. ମହତାବ ।

(ଓଡ଼ିଶାରେ) ମହମ୍ମଦ ତକ୍‌କି ଖ୍ରୀ.ଅ. ୧୭୨୪ରୁ ଖ୍ରୀ:ଅ: ୧୭୩୪ ପର୍ଯ୍ୟନ୍ତ ଶାସନ କରିଥିଲେ (ପୃ.୨୩୩.ତତ୍ରେବ) ।

ମାଦଳା ପାଞ୍ଜୀ (ପ୍ରାଚୀ ସମିତି ପ୍ରକାଶିତ) ପୃ-୭୪ରେ ଲେଖାଅଛି ଏ (ରାମଚନ୍ଦ୍ରଦେବ) ମହାରାଜାଙ୍କ ଅ ୮ଙ୍କ ଧନୁ ଦି ୨୨ ନେ କଟକ ସୁବା ସୁଦାଖାଁ ପୁଅ ମହମ୍ମଦ ତକିଖାଂ ନସ୍‌କର ଘେନି ଶିଶୁପାଳଗଡ଼ ଖେଳାଇ ଦେଲା । ଧଉଳିଗଡ଼ ଘେନି ରଥିପୁର ଘେନିଲା ।]

 

Unknown

୧୫

ନନ୍ଦପୁର (ଜୟପୁର)ର ମହାରାଜ ରାମଚନ୍ଦ୍ର ଦେବଙ୍କ ତାମ୍ରଶାସନ

 

ଭାଷା ଓ ଲିପି- ଓଡ଼ିଆ, ସମୟ-ଶକାବ୍ଦ ୧୭୨୩=ଖ୍ରୀ:ଅ:୧୮୦୧

 

ଶ୍ରୀ ଶୁଭମସ୍ତୁ । ଶାଳିବାହନ ଶକାବ୍ଦ ୧୭୨୩ ଦୁର୍ମଦ ନାମ ସମ୍ବତ୍ସର ବିଛା ଦି ୮

କାର୍ତ୍ତିକ ଶୁଦ୍ଧ ୧୫ ଶୁକ୍ରବାରେଂ ବଦ୍ଦ ଦୀନବନ୍ଧୁ ଦାସକୁ ଅବଧାନ କଲାର ପଟା

ପଟାନିର୍ଣ୍ଣୟ ଜୟପୁର ଦୁର୍ଗମର ଦଣ୍ଡପାଟ ଦେଶସ୍ମନ୍ଧର ଅରଡ଼ପୁଟ ଗ୍ରାମ ଏ

ଦିନ ଦାନକରି ଅବଧାନ କଲୁଂ ଜେ ଏ ଗ୍ରାମ ସନ୍ଧି ସିମାନ୍ତ ନିଧିଳିଖାତ ଗଛ ମା-

ଛ ପଦର ପଙ୍କାଳ କାଷ୍ଠ ପାଷାଣ ଛାୟା ଉପଛାୟା ସମେତ ତୋ ପୁତ୍ରପୌତ୍ରାଦି-

ପାରଂ ପର୍ଯ୍ୟନ୍ତେ ଯାବଶ୍ଚନ୍ଦାର୍କେ ଭଷ୍ମାନ୍ତକେ ଦାନଭୋଗେ ଭୋଗକରି ନିଶ୍ଚିନ୍ତରେ ଥିବୁ ।

 

ଏଥିରେ ଆନ ଅବଧାନ ନାହିଁ, ଶ୍ରୀ ରାଜାଧିରାଜମହା ରାଜବୀରାଧିବୀର ପ୍ରତାପ ଶ୍ରୀ ନନ୍ଦପୁର ଭୂପତି ଶ୍ରୀରାମଚନ୍ଦ୍ର ଦେବ ମହାରାଜାଙ୍କର ସନମତ ॥ ସ୍ୱଦତ୍ତାଦ୍ୱିଗୁଣଂ ପୁଣଂ ପରଦଭାନୁ ପାଳନଂ ॥ ପରଦତ୍ତାପହାରେଣ ସ୍ୱଦତ୍ତଂ ନିଷ୍ଫଳଂ ଭବେତ୍‌ 3

 

 

ଚର୍ଯ୍ୟାପଦ

 

(ଚର୍ଯ୍ୟାର ସଂଖ୍ୟା)

 

ଏଡ଼ିଅଭ ଛାନ୍ଦକ ବନ୍ଧକରଣ କପେଟର ଆସ (ଅକ୍ଷର ସଂଖ୍ୟା) = ୧୮

ସୁନୁପାଶ ଭିଡ଼ି ଲେହୁରେ ପାସ = ୧୧

 

ତରସନ୍ତେ ହରିଣାର ଖୁର ନ ଦିଶଇ = ୧୪

ଭୁସକୁ ଭଣାଇ ମୂଢ଼ ହିଅହି ନ ପଇସଇ= ୧୬

ଆପଣା ମାଂସେ ହରିଣା ବୈରୀ= ୧୦

ଖଣହ ନଛାଡ଼ଆ (=ଛାଡ଼ଇ) ଭ୍ମସୁକୁ ଅହେରୀ = ୧୩

 

ଜେଜେ ଆଇଲା ତେତେ ଗେଲା = ୯

ଅବଣା ଗବଣେ କାହ୍ନୁବିମନ ଭଇଲା = ୧୪

 

[୧ । ସେହି ଛନ୍ଦର ବନ୍ଧ ଏବଂ ଇନ୍ଦ୍ରିୟ କପଟତାର ଆଶାକୁ ଛାଡ଼ି ଶୂନ୍ୟ ପକ୍ଷକୁ ଭିଡ଼ି ନିଜ ପାଖକୁ ନିଅ । (୧)

 

ତ୍ରସ୍ତ ହୁଅନ୍ତେ ହରିଣର ଖୁରା ଦିଶେନାହିଁ । ଭୁସୁକୁ (ଆଚାର୍ଯ୍ୟ) ଭଣଇ ଏହା ମୂଢ଼ଲୋକର ହୃଦୟରେ ପଶେନାହିଁ । ନିଜ ମାଂସ ହରିଣର ବୈରୀ । ଭୁସୁକୁ (ଅହେରି >ଆଖେଟକୀ) ଶିକାରୀ । ଭୁସୁକୁ କ୍ଷଣହେଲେ ଛାଡ଼ଇ ନାହିଁ ।

 

୭। ଯେଯେ ଆସିଲା ସେସେ ଗଲା ।

ଗମନାଗମନରେ କାହ୍ନୁ ବିମନ ହେଲା ।]

୧୦

 

ତୁଲେଡେମ୍ବୀ ହାଉଁ କପାଳୀ= ୯

ତୋହର ଅନ୍ତରେ ମୋଏ ଘେଣିଲି ହାଡ଼େରି ମାଳି= ୧୬

୧୭

 

ନାଚନ୍ତି ବାଜିଲା (ବଜ୍ରିଳ) ଗାଆନ୍ତିଦେବୀ=୧୧

ବୁଦ୍ଧ ନାଟକ ବିସମା ହୋଇ=୧୦

 

ଉମତ ସବରୋ ଗରୁଆରୋଷେ=୧୧

ଗିରିବର ସିହର ସନ୍ଧି ପଇସନ୍ତେ ସବର ଲୋଡ଼ିବ କଇସେ =୨୨

୩୪

 

ଅଲକ୍‌ଣ ଲକ୍‌ର ଚିଆ ମହାସୁହେ=୧୧

ବିଳସଇ ଦାରିକ ଗଅଣ ତ ପାରିମକୁକେଁ=୧୬

୩୫

 

ଏବେ ଚିଅରାଅ ମୋକୁ ଣଠା=୧୦

ଗଅଣ ସମୁଦେ ଟଳିଆ ପଇଠା=୧୨

 

[୧୦ । ତୁଲୋ ଡୋମ୍ବି ମୁଁ କାପାଳୀ

ତୋହର ଲାଗି ମୁଁ ହାଡ଼ର ମାଳୀ ଘେନିଲି ।

 

୧୭ । ବଜ୍ରିପାଦ ନାଚନ୍ତି ଦେବୀ ଗାଆନ୍ତି

ବୁଦ୍ଧ ନାଟକ ବିଷମ ହୁଏ ।

 

୨୮ । ଗୁରୁ (ତର) କ୍ରୋଧରେ ଶବର ଉନ୍ମତ୍ତ

ଗିରିବର ଶିଖର ସନ୍ଧିରେ ପ୍ରବେଶ କରନ୍ତେ ଶବରକୁ କିପରି ଲୋଡ଼ିବ ।

 

୩୪ । ବାଙ୍କ ବାଟ ନିଅନାହିଁ

ନିକଟରେ ବୋଧି (ଅଛି) ଲଙ୍କା (ଦୂରବର୍ତ୍ତୀ ସ୍ଥାନ) ଯାଅନାହିଁ ।

 

୩୫ । ଏବେ ଚିତ୍ତରାଜ ମୋ ପ୍ରତି ନଷ୍ଟ

ଗଗନ ସମୁଦ୍ରରେ ଟଳି ପ୍ରବେଷ୍ଟ ହେଲେ ।]

୩୬

 

ସୁନ ବାହ ତଥତା ପହାରୀ=୧୦

 

ମୋହ ଭଣ୍ଡାର ଲଇ ସଅଳ ଆହାରୀ=୧୩

୩୯

 

ଅକଟ ହୁଁ ଭବ ଗଅଣା=୯

 

ବଙ୍ଗେ ଜାୟା ନିଲେସି ପାରେ ଭାଗେଲ ଚୋହାର ବିଣାଣା = ୧୮

୪୧

 

ଆକଟ ଜୋଇଆରେ ମାକର ହାଥଲେହ୍ନା=୧୪

 

ଆଇସ ସଭାବେଁ ଜଇ ଜଗ ବୁଝସି ତୁଟଇ ବାସନା ତୋରା = ୨୦

 

ରାଉତୁ ଭଣଇ କଟ ଭୁସୁକୁ ଭଣଇ କଟ ସଅଳା ଅଇସ ସହାବ = ୨୫

 

ଜଇ ତୋ ମୂଢ଼ା ଅଛସି ଭାନ୍ତୀ ପୁଚ୍ଛତୁ ସଦ୍‌ଗୁରୁ ପାଦ = (୧୯)

(=ଯଦିତବ ମୂଢ଼ ଅଛତି ଭ୍ରାନ୍ତି ପୁଚ୍ଛତୁ ସଦ୍‌ଗୁରୁ ପାଦମ୍‌)

୪୩

 

[୩୬ ।       ଶୂନ୍ୟ ପ୍ରବାହ (ନଈ) ତଥତା ହେଉଛି ପାହାରୀ (ନାବିକ)

୩୯ ।

୪୧ । ହେ ଅକଟ ଯୋଗୀ ତୁମ ହାତକୁ ଜଡ଼ିତ କରନାହିଁ । ଏହି ସ୍ୱଭାବକୁ ଯଦି ଜଗତକୁ ବୁଝ (ତେବେ) ତୋର ବାସନା ତୁଟେ । ରାଉତୁ ନିଶ୍ଚିତ ଭାବରେ ଭଣଇ ଭୁସୁକୁ ନିଶ୍ଚିତ ଭାବରେ କହୁଛନ୍ତି ସମସ୍ତ ଏହି ସ୍ୱଭାବଯୁକ୍ତ । ହେ ମୂଢ଼ ଯଦି ତୁମର ଭ୍ରାନ୍ତିଅଛି ତେବେ ସଦ୍‌ଗୁରୁଙ୍କୁ ପଚାର । (ଏହି ପଦରେ ଅଛସି ପାଠଭୁଲ ଅଛତି ହେବା କଥା)

୪୩ । ଭୁସୁକୁ ରାଜପୁତ୍ର ସିଦ୍ଧାଚାର୍ଯ୍ୟ ନିଶ୍ଚିତ କହନ୍ତି ସକଳ ଏହି ସ୍ୱଭାବଯୁକ୍ତ । ଯାଏ ନାହିଁ ଆସେ ନାହିଁ ତହିଁରେ ଭାବଅଭାବ ନାହିଁ ।]

 

ଭୁସୁକୁ ଭଣଇ ରାଉତୁ ଭଣଇ କଟସଅଳା ଏହ ସହାବ= ୨୪

ଜାଇ ନ ଆବଇ ଣତହି ଭାବାଭାବ= ୧୩

୪୯

 

ଚଉକୋଡ଼ିଭଣ୍ଡାର ମୋର ଲଇଆସେସ = ୧୪

ଜୀବନ୍ତେ ମଇଲେ ନାହିଁ ବିଶେଷ= ୧୧

୫୦

 

ଚାରିବାସେଁ ଭାଇଲାରେ ଦିଆ ଚଞ୍ଚାଳୀ= ୧୩

ତହିଁ ତୋଳି ଶବରୋ ଡାହି କାଏଲା ସଗୁଣ ସିଆଳି= ୧୧

 

[୪୯ । ଚତୁଷ୍କୋଟି ଭଣ୍ଡାର ମୋର ନେଇ ଶେଷ ଜୀବନ୍ତରେ ମରନ୍ତେ ବିଶେଷ ପ୍ରଭେଦ ନାହିଁ ।

୫୦ । ଚାଞ୍ଚରା ଦେଇ ୪ଟି ବାଉଁଶରେ ତିଆରି କଲା

ତହିଁରେ ତୋଳି ଶବର ଦାହକଲା । ସଗୁଣ ଶିଆଳୀ (ଶୃଗାଳୀ) କାନ୍ଦଇ]

 

 

ଆମର କୋଷ ଗୀତା

 

ବନ୍ଦଂଇ ଆଦୀନାଥ ଗୋରେଖ ଧାରିଆଂ

ବନ୍ଦଂଇ ମକ୍ଷନ୍ଦେଂଲିନାଥ ଅନନ୍ତ ଦରିଆ

 

ବନ୍ଦଂଇ ଚଉରଗୀଂକିନାଥ ନୀତିର୍କ୍ରମ ଧାରୀ

ବନ୍ଦଂଇ ଗୋରେଖ ନାଥ ବାଳ ବ୍ରହ୍ମଚାରୀ ।

 

ବନ୍ଦଂଇ ସବରିନାଥ ମୁଳ କମଳଧାରି

ବନ୍ଦଂଇ କକ୍ଷଡ଼ିନାଥ ଗହିର ଗମ୍ଭୀରି

 

ବନ୍ଦଂଇ ଜାଳାନ୍ଦେଂରି ଖ୍ୟାତ ତତ୍ତ୍ୱ ପରମାଣି

ବନ୍ଦଂଇ ଗୋବିନ୍ଦଚନ୍ଦ୍ର ଲକ୍ଷ ନୃପମଣି

 

ବନ୍ଦଂଇ ଭଦ୍ରରିପାଏ ଦେହନିରିବାଣି

ଧର୍ମ ନରିନ୍ଦ୍ରଂ ମନ୍ଦଂଇ ହରିଚନ୍ଦନ ନୃପମଣି । ୩ ।

 

[ଓଡ଼ିଆ ସାହିତ୍ୟର ଇତିହାସ-ପ୍ରଥମ ଭାଗ-ଡଃ ବଂଶୀଧର ମହାନ୍ତି-୧୯୭୦, ଫ୍ରେଣ୍ଡସ୍ ପବ୍ଲିସର୍ସ ବିନୋଦବିହାରୀ କଟକ-୨ ।

“ଏ ଗ୍ରନ୍ଥର ସମୁଦାୟ ଅଂଶ ମିଳେନାହିଁ ଯେଉଁ କେତୋଟି ପ୍ରାଚୀନ ପତ୍ର ମାତ୍ର ମିଳିଛି ତହିଁରେ ବିଭିନ୍ନ ସିଦ୍ଧାଚାର୍ଯ୍ୟମାନଙ୍କର ବନ୍ଦନା ରହିଛି । ତହିଁରୁ କେତୋଟି ପଦ ନିମ୍ନରେ ଉଲ୍ଳେଖ କରାଗଲା”-ଓ.ସା.ଇ. ୧ମ ଭାଗ-ପୃ-୧୦୦

(୩) ଅମର କୋଷ ଗୀତା ପ୍ରଥମ ପଟଳ,]

 

ଅନ୍ୟ ଏକ ଅମର କୋଷର କେତେକ ପଂନ୍ତି *

 

ଅଦେଖ ଦେଖ ଅତୁଳ ତୁଳ । ଚାରିକ୍ଷରଚ୍ଛ ଅମାପ ମାପ । ବିସୋରା ମାଛ ପାନ, ନୟନ ମୁଦ୍ରା ଦୂର କର । ନାସିକା ଉପରେ ପବନ ଉଚ୍ଚାରି । ଚନ୍ଦ୍ରଦ୍ୱାରେ ସୂର୍ଯ୍ୟକୁ ଲୁଚାଇ । ସାଧ ସାଧ ପୁତାରେ ଅହୁଟ ଉଜାଣି । ପାଦକଇ ପୁତାରେ ବାଇବ ସୂର୍ଯ୍ୟବୋଲି । ତଥିର ଉପରକୁ ଶୁକଳ ରାମରାଜ-ବୋଲି ॥ ନଖକଇ ପୁତାରେ ଚାଳି ପଦ୍ମବୋଲି । ଖତୁଗଣ୍ଠି ପୁତାରେ କୁଣ୍ଠଳୀ ଚକ୍ରବୋଲି ॥ ତଥିର ଉପରକୁ ନୀଳାହାଡ଼ ବୋଲି । ଆଣ୍ଠୁଗଣ୍ଠି ପୁତାରେ ଖଞ୍ଜଣୀ ଚକ୍ରବୋଲି । ତଥିର ଉପରକୁ ପୁତାରେ କୁଳନଚକ୍ର ବୋଲି । ଇନ୍ଦ୍ରିକି ପୁତାରେ ଇନ୍ଦ୍ରଜିତ ଚକ୍ରବୋଲି ॥ ତଥିର ଉପରେ ପୁତାରେ ବଡ଼ବାନଳ ଥାନ ବୋଲି । ବୁଝ ବୁଝ ପୁତାର ଗ୍ୟାନର ଅବସ୍ଥା । ତଥିରେ ବସଇ କମଳ ଚକ୍ରବେତା ॥ ଅଗ୍ନିବାଇ ପୁତାରେ ଯେବଣଘରେ ବସଇ । ଶୁଣ ଶୁଣ ପୁତାରେ ସେ ଅଗ୍ନି ତ୍ରିବେଣୀ ଘାଟେ ପାଣିଖାଇ । ।

ଜଳରେ ଭେଦି ବ୍ରହ୍ମ ଘରେ ଫୁଟଇ

ତେବେ ସେ ଯୋଗୀର ଆହୁଟ ହାଥ କାୟା ସୁଖଇ ॥

 

ତହିଁ ପୁତାରେ ସୁଖରେ ଦେଇମନ ।

ଦେଖ ଦେଖ ପୁତାରେ ଅଗ୍ନି ଉଠିଲା ସପ୍ତ ପାତାଳ ॥

 

ଦେଖ ଦେଖ ପୁତାରେ ଅମର କୋଷରସ୍ଥଳୀ ।

ହୃଦୟ ଚକ୍ର ଉପରେ ପ୍ରାଣନାଥଙ୍କୁ ଘେନି ଜୀବଆତ୍ମା କରିଅଛି କେଳି ॥

 

[ଅଧ୍ୟାପକ ଡଃ ନଗେନ୍ଦ୍ର ନାଥ ପ୍ରଧାନ । ‘ଓଡ଼ିଆ ସାହିତ୍ୟରେ ଜୟଦେବ’ (ପ୍ରକାଶକ:ଫ୍ରେଣ୍ଡସ୍ ପବ୍ଲିଶର୍ସ-ବିନୋଦ ବିହାରୀ-କଟକ-୨-ପ୍ରଥମ ପ୍ରକାଶ : ୧୯୭୧) ଶୀର୍ଷକ ଗ୍ରନ୍ଥର ୮୬ ପୃଷ୍ଠାରେ ଲେଖିଛନ୍ତି ।

 

“ଓଡ଼ିଆ ‘ଅମରକୋଷ’ ପୋଥିର କେତୋଗୋଟି ମାତ୍ର ବନ୍ଦନାମୂଳକ ପଦ ଗୋଟିଏ ତାଳପତ୍ର ପୋଥିର ଏକଛିନ୍ନ ପୃଷ୍ଠାର ଉଦ୍ଧାର କରି ଅଧ୍ୟାପକ ଡଃ ବଂଶୀଧର ମହାନ୍ତି ପ୍ରକାଶ କରିଅଛନ୍ତି । କିନ୍ତୁ ଆମେ ସନ୍ଧାନ କରି ପାଇଥିବା କେତେକ ପୋଥିରେ ଏପରି ପଦ ପାଇପାରୁ ନାହିଁ । ଅମର କୋଷ ଗ୍ରନ୍ଥର ଦୁଇଖଣ୍ଡି ପୋଥି ଆମେ ଜଗତସିଂହପୁର ଓ ତିର୍ତ୍ତୋଲ ଥାନାରୁ ପାଇଥିଲୁଁ । ଦୁଇଖଣ୍ଡଯାକ ପୋଥି ଅବସ୍ଥା ଅତ୍ୟନ୍ତଜୀର୍ଣ୍ଣ ଓ କୀଟଦ୍ରଂଷ୍ଟ ।”

 

*- ଉକ୍ତ ଗ୍ରନ୍ଥର ପୃ-୯୨ରୁ ଗୃହୀତ ।]

 

ରୁଦ୍ର ସୁଧାନିଧି

 

* କୁମାର ଜନ୍ମ- ଉତ୍ସବ

 

ଏମନ୍ତ ଦେଖି ସେ ରାଜା ଆନନ୍ଦ ସମୁଦ୍ରେ ମନବୋହିତ ବୁଡ଼ିଲା । ଚିନ୍ତମେଘ ଉଡ଼ିଲା ଦରିଦ୍ରଲୋକକି ପାଇଲାନିଧି । ଜନ୍ମ ଅନ୍ଧ ପାଇଲାକି ଦିବ୍ୟାଞ୍ଜନ ମହୌଷଧି । କାମୁକ ଲୋକ ପାଇଲାକି ବଶ୍ୟକରଣବିଧି (୫) ମହାବୃଦ୍ଧ ପାଇଲାକି କଳପ ଔଷଧୀ ସ୍ଥାବର ପାଇଲାକି ଚରଣଶକ୍ତ (୬) ମୋକ୍ଷାର୍ଥୀ ପାଇଲାକି ଜୀବନ ମୁକ୍ତି ।

 

ଏମନ୍ତ ପ୍ରକାରେ ରାଜା ଆନନ୍ଦ ସମୁଦ୍ରେଥାଇ ଭଣ୍ଡାର ମାନନ୍ତ ଦାନଦେଇ, ଯାଗମାନନ୍ତ କରାଇ, ହାଟପେଣ୍ଠ ମାନନ୍ତ ଜୁର ହେଉବୋଲି ଆଜ୍ଞାଦେଲେ । ଏମନ୍ତ ବୋଲି ହୁରିଆଏ ମାତିଲେ । ବଣିଜାରେ ତାତିଲେ । ତ ସେ ବସୁଧାମଣ୍ଡଳ କଟକରେ । ହୁରିଆ, ତୂରିଆ (୭), ଥେଣ୍ଟ (୮), କାଣ୍ଠିଆ, ଚୋର,ଜୁଆର, ପୋଖଡଟା, ପେଣ୍ଠିଆ ଲିହା,ଲୁଲୁମ୍ପା, ଚାଟୁଆ, ଘଟୁଅ, ଲେଖୁଆ, ଲେଙ୍କା ଲମ୍ବହତା, ନାଟୁଆ ମଙ୍ଗଳ ବତିଆ, ହାଟୁଆ, ବାଟୁଆ, ଥାଟୁଆ, କାଟୁଆ, ମାଠିଆ, ଷଠିଦଉଡ଼ିଆ, ରଗଡ଼ା, ଧାଣୁଆ, ବୋଲା, ପେଲା, ପାହାନ୍ତିଆ,ଧଙ୍ଗା ୫୦, ମାତୁଆ, ବାଦୁଆ, ଖେଚଡ଼ା, ଖରଡ଼ା, ପୁରୁଣା, ମାଡ଼ୁଆ, ଟାମାଳିଆ, ଟାହିମେଲା, ଟାକେରିଆ, ରାଣ୍ଡୁଆ, ହୁଳୁହୁଳିଆ, ହାଥୀଓରା, ମେଳିଆ, ମଣ୍ଡୋବସା (୧୧) ବିଭାଶୋଲିଆ, ଫାସିଓରା, ଫୁଟିଆବିନ୍ଧା, ଖରଡ଼ଙ୍ଗା, ବୀରଡ଼ିଆ, ଖାଙ୍ଗେରିଆ, ଭାରିଆ, ଧଡ଼ା, ଧରିକଡ଼ା,ଧୋବତୁଠିଆ,ଉଟଉଠା ୧୨, ପେଗଡ଼ିଆ,ମୁହଁପୋଡ଼ା,ଧୁଡ଼ା,ଧୂଳିଧମ୍ପା, ଧୋଅରା, ପଖିଆ, ପଖାଳଖିଆ, ଭେଟା, ପେଲାପେଲି ପଶା, ଆଗତବୋଲା, ଗିଳୁଆ, ଡାହାଣ, ଡାମରା କୋଆ, ଡଙ୍ଗରା, ଗୋଲିଆ, ରୋଗା ରୋଗକୁହା, ବର୍ଣ୍ଣାଙ୍ଗହୀନା, ଟାକରଖିଆ, ଛଇଳା, ଛାଞ୍ଚୁଣିଆ, ନାସିକା ବିହୀନା ପେମ୍ପଳା, କାଉଁରିଆ, ଛରିଆ, ଥୋନ୍ଥୁଡ଼ା, ପିଣ୍ଡବସା ଟକା, ମେଳିଆ, ଇତ୍ୟାଦି କରି ସକଳ ନରାଧମମାନେ ଜୁରଶବ୍ଦ ଶୁଣି ଧାଇଁଲେ ଗହଳେ ।

 

ସେ କଟକ ରୋଳେ ପଶି ଗୋଳେ ମିଶି ଧାଉଁ ଅଛନ୍ତିକେ କ୍ଷୁଧା ଆକୁଳେ । ଅତିବିକଳେ ସେ ସୁସ୍ୱାଦୁ ପଦାର୍ଥମାନ ଖାଉ ଅଛନ୍ତି । କେଚିଲପରାଏ ଧାନ ପସରାଏ, ଧାଇଁପଡ଼ି ମୁଣ୍ଡିଆଇ ନେଉ ଅଛନ୍ତି । କେହୁ ଆଗତ ହେଉଛନ୍ତି, କେବାଳ ତରୁଣୀଙ୍କର କଙ୍କଣମଣି କଟିମେଖଳା ଫେଇ ନେଉଛନ୍ତି । (୧) ହସ୍ତୀ ଅପଗତ ହସ୍ତୀ ଆଗପଛ ନେଉଛନ୍ତି (୨) କେ ସୁନ୍ଦରୀ ମୁରୁଛି ନ ପାରି ଗହଳେ ପଶି ଗୋଳ କରୁ ଅଛନ୍ତି । କେ ବିଜୟାବଳେ ଅତିଗହଳେ ଗୁଡ଼ଖାଇ ଥୋଡ଼ ଧୋଉ ଅଛନ୍ତି । କେ ଜନଗହଳେ ଧନବହଳେ ହାତ ଆଞ୍ଜୁଳାଏ ବାଣ୍ଟୁ ଅଛନ୍ତି, କେ କତୁରୀ ଘେନି ଗଣ୍ଠିବଳିତା ଏକେ ଆରେକ କାଟୁ ଅଛନ୍ତି । କେ ଛେନା ତାଡ଼ପା ସରପଣା ଉସତ ପାଇ ଝିଣ୍ଟୁ ଅଛନ୍ତି । କେ ବାଜିଶାଳେ ପଶି ବଡ଼ ବଡ଼ ଘୋଡ଼ା ବାଛି ଚଢ଼ୁ ଅଛନ୍ତି । କେନେଇ ନ ପାରି ଉଗଳିହୋଇ ଅବଶରେ ପଡ଼ି ଗଡ଼ୁଛନ୍ତି । କେ ବାଡ଼ିବାଟେ ପଶି ପଛବାଟେ ବାହାର ହୋଇ ଯାଉ ଅଛନ୍ତି । କେବଳବନ୍ତ ଲୋକଙ୍କର ହାତେପଡ଼ି ଟାକର କହୁଣୀ ଖୁନ୍ଦାଖାଉ ଅଛନ୍ତି । ଏମନ୍ତେ ସେ ବସୁଧାମଣ୍ଡଳ କଟକରେ, ବାବୁ, ଗୋଳରେ କେବଣ, କେବଣ ପଦାର୍ଥମାନ ଦୂର ଯାଉ ଅଛନ୍ତି । ଅପୂର୍ବ ସେ କ୍ଷୀରୋଦ ପାଟ, ଦାସୀନେତ, ଗଉରୀବେତ, ଶ୍ୱେତଚାମର-ମଣିରତ୍ନ । ସ୍ନିଗ୍‌ଧ ବୈଦୁର୍ଯ୍ୟ । ପଦ୍ମରାଗ ମାଣିକ୍ୟା ବ୍ରହ୍ମଜାତି ହୀରାଜାଣ । ହାରିପୋରୋଆ ଶ୍ୱେତଧ୍ୱଜା ୩- ଖଡ୍‌ଗବନ୍ଦୀ ପାରାରସ । ସ୍ତମ୍ଭନକଙ୍କଣ । ଦୀପ ପ୍ରବାଳ । ଗଜମୋତିହୀରା । ମେଷ ଲୋଚନଲୀଳା, କୁହୁକୁଣ୍ଡଳ ପକ୍ଷୀ । କୁଶମୁଦାଙ୍ଗା କାଶ୍ମୀରସ୍ଫଟିକ । ରାଜହଂସ । ମାଣିକ୍ୟଦୀପ । ବ୍ରହ୍ମଜାତିହୀରା । ରୁଦ୍ରଜାତି ପୋହଳା । ଭଗିଲା ମର୍କତ । ଇନ୍ଦ୍ରନୀଳମଣି । ସ୍ପଟିକ ସୈନ୍ଧବ । ଜାରମହୁରା, ସୁବର୍ଣ୍ଣ କଳସ । ଅଭେଦ କବଚ । ରତ୍ନକାଞ୍ଚନ । ହିରଣ୍ୟଗର୍ଭ ଶାମୁକ । ଡାହାଣ ବର୍ତ୍ତଶଙ୍ଖ । ଲକ୍ଷ୍ମୀନାରାୟଣ ଶିଳା । ୪ । ନାଗେଶ୍ୱର ବାଣ, ତାରାମଣ୍ଡଳ ପତନୀ । ଅମୃତକୁଣ୍ଡଳ । ମୃଗନାଭି କସ୍ତୁରୀ, ଚନ୍ଦ୍ରକାନ୍ତମଣି, ଶଶିଖଣ୍ଡ କର୍ପୂର । ଶ୍ରୀଖଣ୍ଡ ଚନ୍ଦନ । ତରଳତଇଳ । ପନୀରନୀର । ପାଟବାଲିଶୁଆ । ବଜ୍ରତାଳମେଣ୍ଡା । କପିଳା ଗାଈ । ନାଟୁଆ ମର୍କଟ । ରାତିମୁତାଭଟ । ଶ୍ୱେତକୋକିଳ । ବେଣ୍ଟକାର ଶାମଳ । ଏକମୁଖୀରୁଦ୍ରାକ୍ଷ । ପାସିଓରାମୃଗ । ସିନ୍ଧୁଜାତ ଅଶ୍ୱ । ଚନ୍ଦ୍ରଜ୍ୟୋତି ଶ୍ୱେତହସ୍ତୀ । ତବରୀ ତରଙ୍ଗ । ସୂର୍ଯ୍ୟପ୍ରଭାମଣି । ରୁଦ୍ରଜାତି ପୋହଳା । ଚନ୍ଦ୍ରମଣ୍ଡଳ ମର୍କତ । ପାରାଭେଦ ମୁକୁତା । ରସଥୋପା ମୋତି । ନିର୍ମଳ ବିଜାତି । ଚଉଷଠି ବାନିସୁନା । ବୈକ୍ରାନ୍ତଲୁହା ୫- ଅବିଧୋଚିନା, ନେପାଳି ତମ୍ବା । ବେଙ୍ଗିପିତ୍ତଳ । ଚୁମ୍ବକ ଶିଳା । ପରଶୁ ପଥର । ସୁଖିସୁନିଆ ବାଖର । ଅଗ୍ରରସ ଗନ୍ଧା । ସଂଟିକାଦାରୁ ମୁକୀ ଇତ୍ୟାଦି ଦ୍ରବ୍ୟମାନ କେ କେଣେ ନେଉଅଛନ୍ତି । ସଂଖ୍ୟା (୬) ନଜାଣି । ଏଭତ୍ତାରେ ସେ ରାଜାଆସ୍ଥାନେ-ବିଜେକଲା । ଯେ ଯାହାର ଯେତେ ପଦାର୍ଥଗଲା ସେମାନେ ଯଥୋଚିତ କରି । ୭ । ରାଜାଭଣ୍ଡାରରୁ ଦେଲା ।

 

X X X ବାର୍ଦ୍ଧକ୍ୟ-ବର୍ଣ୍ଣନା

 

ଭୋନାଥ! ଏ ବର ଅନ୍ତରେ ଯେ ହୋଇବ ଜର । (୮) ଏ ଶରୀର ଦିଶିବ ନଟ ବିଦ୍ୟାର ତରଙ୍ଗ ପରା । ଭ୍ରମରକୁ ନିନ୍ଦଇ (୯) ଯେବଣ କେଶ (୧୦) ସେ ଯମରାଜାର (୧୧) ଶ୍ୱେତଚାମର ପ୍ରାୟେକ (୧୨) ହୋଇବ ପ୍ରକାଶ (୧୩) ନୀଳୋତ୍ପଳ ପ୍ରାୟେକ ସେ (୧୪) ଯେବଣ ସେ ଚକ୍ଷୁ । ସେ ମର୍କଟ (୧୫) ବିକୃତ (୧୬) ନୟନା ପ୍ରାଏ ହୋଇବ ଦେଖୁଂ ଦେଖୁଂ । ଶୁଦ୍ଧ ସୁବର୍ଣ୍ଣ ପ୍ରାୟେକ ଯେବଣ ଶରୀର କାନ୍ତି । ସେ ସୂକ୍ଷ୍ମଶବର ପ୍ରାୟେ ଦିଶିବ ଦେହର ଭ୍ରାନ୍ତି (୧୭) ସିଂହବିକ୍ରମ ପ୍ରାୟେକ ଯେବଣ ମଝା ସେ ଲଙ୍ଗଳକାଂର ପ୍ରାୟେ ଦିଶିବ (୧୮) କୁବୁଜା । ତୁଣ୍ଡରୁ ନିରନ୍ତରେ ବହୁଥିବ ଲାଳ । ବକ୍ଷସ୍ଥଳ ମାଡ଼ି ବସିଥିବ କାଳ (୧୯)ହାଡ଼ମାଳ କଙ୍କାଳ ସେ ଦେହଦିଶଇ । ସଂଫୋଡ଼ ଆସି ବଳିପଳିତ ମିଶଇ (୨୦) ନୟନଗଳଇ ତଳକୁ କରଇ ତୁଣ୍ଡାବାତେ ପାଦପ ପ୍ରାୟେ ହୋଇ ହଲୁଥାଇ ତୁଣ୍ଡ (୨୧) ନାଭିଲେଉଟାଇ, ବଳତୁଟଇ, ଉଠିଲେ ଫୁଟଇ, ଚରଣ ଲୋଟଇ (୨୨) ହସିଲେ କାଶଇ, ଭେଡ଼ାକେ ବସଇ ଲଉଡ଼ିଧରି ଥରଥର ହୋଇ ଉଠଇ । ଉନ୍ଦ୍ରିୟମାନେ ଭିତରକୁ ପଶନ୍ତି । ତରୁଣ ଲୋକମାନେ ଦେଖିଲେ ହେଁ ହସନ୍ତି !

 

ଭୋନାଥ । ଭୋଗଇଚ୍ଛା ସରଇ । ସପ୍ତଧାତୁ ମରଇ । ସଦବୁଦ୍ଧି ହରଇ । ବିହ୍ୱଳ (୨୩) କରଇ । ପ୍ରପଞ୍ଚ ଦିଶଇ । କେଶ ଖସଇ । ସ୍ଥାନ (୨୪) ପଶଇ । ଧାର୍ଯ୍ୟ ନାଶଇ (୨୫) ଶିର ସାଂକୋଡ଼ଇ (୨୬) ରୋମ ଟାଙ୍କେରଇ । ହୃଦୟ ଚହଂକଇ (୨୭) ଜାନୁ କମ୍ପଇ (୨୮) ନିଶ୍ୱାସ ଧକଇ । ନିଦ୍ରାଯାଇଥିଲେ, ସ୍ୱପ୍ନ ଅବସ୍ଥାରେ ପ୍ରଳାପ କହଇ (୨୯) କୋମଳ ଆହାରହିଁ ନ କରଇ (୩୦)ଅଗ୍ନିକ୍ଷୀନ୍ନ (୩୧) ଦୂରଶବ୍ଦ ନ ଶୁଭଇ । ଶ୍ରୁତିଲୀନ । ଯୁବାସ୍ତ୍ରିରିମାନେ-ଦେଖିଲେ ହେଂ ହସନ୍ତି (୩୨)କର୍ଣ୍ଣମୂଳ ପଶିଯାମି (୩୩) ଦାନ୍ତ ପଡ଼ିଯାଇ (୩୪) ।

 

ଅମୃତ ସମାନ ଗ୍ରାସ ପାକୁଳିଖାଇ, ଅଶୁଚିମନ୍ତ (୧) ହୋଇ ମଲେ (୨) ମଳିନ । ଆଚାର ଧର୍ମଯାଇ ଶରୀର ଖିନ୍ନ । ଦୂର ଶବଦ ନ ଶୁଭଇ, ଶ୍ରୁତିଗଳଇ । ହାଧିକଧିକ, କେଉଣସି ବିଡ଼ମ୍ବନ (୩) ଅବସ୍ଥାରେ । ଯେ ମଣିରତ୍ନ ମୁକୁତାଗୁନ୍ଥା (୪) ପାରଇ ନିଶାକାନ୍ଦେ । ତାକୁ ଶ୍ୱେତବୃକ୍ଷର ନ ଦିଶଇ ଦିବସ (୫) ଦୁଇପ୍ରହର ବେଳେ । ଲୋକ ନପୁଚ୍ଛଇ ଯେବଣ ପଲୀକି ନିରନ୍ତରେ (୬) ଭାବ (୭) ଗ୍ରାସଇ (୮) ତାହାର ନାମଧଇଲେ ତାହାକୁ (୯) ଅମୃତ ବିଷ ପ୍ରାୟ ଲାଗଇ । ତ ବାବୁ କଷ୍ଟରେ (୧୦)ବୁଦ୍ଧିସୁଦ୍ଧି, ଦାନଧ୍ୟାନ, ଧର୍ଯ୍ୟ (୧୧) ଶଉର୍ଯ୍ୟ (୧୨), ବିଚାର ଆଚାର, ଶାନ୍ତି କାନ୍ତି,ସୁର ସୁନ୍ଦର, ଧୀର ବୀର, ଲାଜ, (୧୩) ଉପାୟେ (୧୪) ଉଦଯୋଗେ (୧୫) ଉତ୍ସାହ, ଧର୍ମକର୍ମ, (୧୬) ମୁଖ୍ୟ (୧୭) କରି ସମସ୍ତ ହିଁ (୧୮) ପାଇ (୧୯)ଏକା କେବଳ ତରୁଣ ହୋଇଥିବାକୁ ତୃଷାହିଁ ସେ (୨୦) ଥାଇ । ଭୋସ୍ୱାମୀ ବାବୁ ଅନ୍ୟାୟରେ (୨୧) ଏଜନ୍ମ ଗୋଟାର ବାଳ (୨୨) ଭାବଯାଇ ଅଜ୍ଞାନ ମତେ । ତରୁଣ ଭାବଯାଇ ବନିତା ଭୋଗ (୨୩) ଅସକତେ । (୨୪) ବୃଦ୍ଧ ହୋଇଗଲେ ବ୍ୟାଧିଘାରଇ, କୋଷକାରୀ (୨୫) କୃମିରି ପ୍ରାୟେକ ଆପଣା ପାଶରେ ପଡ଼ିଆ ପଣେ ହେଁ (୨୬) ମରଇ । ପ୍ରାତଃକାଳ ମଳମୂତ୍ର ମୋଚନାଦିରେ ଯାଇ ମଧ୍ୟାହ୍ନ କାଳେ (୨୭) ମରଇ । ପ୍ରାତଃକାଳ ମଳମୂତ୍ର ମୋଚନାଦିରେ ଯାଇ ମଧ୍ୟାହ୍ନ କାଳେ (୨୭) କ୍ଷୁଧାପିସାସେ ଖାଇ । ସାୟଂକାଳେ ତ ମଦନେ ମତ୍ତରାତ୍ର କାଳେତ (୨୮) ମୃତ୍ୟୁପିଣ୍ଡର ପ୍ରାୟେ (୨୯) ହୋଇ ତତକାଳେ ନିଦ୍ରାରେଗତ । ଆଉ କାହିଁ ପରମାନନ୍ଦର ପଦ୍ମପାଦ (୩୦) ହୋଇବ ପ୍ରାପତ ।

 

[-ରୁଦ୍ରସୁଧାନିଧି- ନାରାୟଣାନନ୍ଦ ଅବଧୃତ ସ୍ୱାମୀ (୧ମ) ସମ୍ପାଦନା- ଡଃ କରୁଣାକର । (୨ୟ) ସମ୍ପାଦନା- ଡଃ କୃଷ୍ଣଚରଣ ସାହୁ । ପ୍ରକାଶକ- ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦବିହାରୀ, କଟକ, ୭୫୩୦୦୨+ପ୍ରଥମ ସଂସ୍କରଣ ୧୯୮୦

 

(୫) ‘ଖ’ରେ କାମୁକ ଲୋକ-ବିଧିପର୍ଯ୍ୟନ୍ତ ନାହିଁ । ୬ ‘କ’ ସ୍ଥାବରକୁ ଜାତ ହୋଇଲା କିଚଳନଶକ୍ତି । ୭ ‘କ’ ଜୁରିଆ ୮ ‘କ’ ପେଣ୍ଠଗୁଣ୍ଠିଆ, ୯- ‘କ’ ଗୋଖଡ଼ (୧୦) ‘ଖ’ ଧଂସା, (ପୃଷ୍ଠା–୭୩-୬୫)

 

-୧୧ ‘କ’ ମଣ୍ଡୋଆବସା ୧୨ ‘କ’ ଉଠାବଇଂ ।

 

(୧) ‘ଖ’ରେ ନେଉଅଛନ୍ତି ନାହିଁ । (୨) ‘ଖ’ ରେ ହସ୍ତୀ ଅପଗତ ହସ୍ତୀ ଆଗପଛ ନେଉଅଛନ୍ତି ନାହିଁ, ଏମନ୍ତ ସେ କୁମରକୁ ଅନେକ ନିତମ୍ବିନୀ ସୁଲକ୍ଷଣା ସ୍ତ୍ରୀମାନେ ମିଳି ସମସ୍ତ ସଂଗଳମାନନ୍ତ କଲେ । କୁମରନିମିରେ ଷଷ୍ଠୀଦେବୀଙ୍କି ଅନେକ ଉତ୍ସବ ରଚିଲେ ‘ରୁଦ୍ରସୁଧାନିଧି’ ବୋଲି ନାମ ଥୋଇଲେ ।

 

-(୩) ‘କ’ରେ ଶୁଦ୍ଧ (୪) ‘କ’ରେ ଶାଳଗ୍ରାମ ଶିଳା (୫) ‘ଖ’ରେ ନାହିଁ (୬) ‘କ’ ଅନ୍ତ (୭) ‘କ’ ଉଚିତ ପ୍ରକାରେ ।

୮- ‘କ’ ଜରା, ୯ ‘କ’ ଦୂଷଣ କରଇ ୧୦ ‘କ’ ସୁକେଶ ୧୧ ‘ଖ’ ନାହିଁ । ୧୨ ‘କ’ ପ୍ରାୟ, ୧୩ ‘କ’ ଦିଶିବ ସଂକାଶ ୧୪ ‘କ’ ନୀଳୋତ୍ପଳକୁ ନିନ୍ଦଇ ।

 

-(* ପୃ-୧୬-ଦ୍ୱିତୀୟ ଅନୁଚ୍ଛେଦଠାରୁ ୧୭ ପୃଷ୍ଠା ପ୍ରଥମ ଅନୁଚ୍ଛେଦ ପର୍ଯ୍ୟନ୍ତ ।)

 

୧୫ ‘କ’ ମର୍କଟର ୧୬ ‘କ’ ବିକୃତ, ୧୭ ‘କ’ ଶୁଷ୍କଶୁଶୁମ୍ଭର ପ୍ରାୟେକ ହୋଇବ କାନ୍ତି, ୧୮ ‘କ’ ହୋଇବ ୧୯ ‘କ’ ମାଡ଼ିଥିବ କାଳ । ୨୦ ‘କ’ କବଳିତ ଗଳିତ ୨୧ ‘କ’ ମୁଣ୍ଡ, ୨୨ ‘କ’ ନାହିଁ, ୨୩ ‘କ’ ବିଉଲ, ୨୪ ‘କ’ ଥାନ, ୨୫ ‘କ’ ଧଇର୍ଯ୍ୟ ସରଇ, ୨୬ ‘କ’ ସଂକୋଚଇ ୨୭ ‘କ’ ଚମକଇ, ୨୮ ‘କ’ କମ୍ପାଇ, ୨୯ ‘କ’ ପ୍ଳବକହିଁ ଚମକଇ, ପ୍ରଳାପ କରଇ । ୩୦ ‘କ’ ଜରନ୍ତି ୩୧ ‘କ’ ଅଗ୍ନିକ୍ଷୀଣ ୩୨ ‘କ’ରେ ନାହିଁ ୩୩ ‘କ’ ପଶିଯାଇଁ ୩୪ ‘କ’ ପଶିଯାଇ

 

(୧) ଖ–ଅଶୁଚିବନ୍ତ, ‘ଖ’ ଅମୃତାଦି ଲେହପାଇ, ଲେହଇ ନାହିଁ । (୨) ‘କ’ ମନ୍ମେ (୩) କ ଏଭଳି ବିଡ଼ମ୍ବିନୀ (୪) ଗୁନ୍ଥଇ, (୫) ବନ, (୬) କ ନିରନ୍ତରେ ଅହର୍ନିଶି, (୭) ‘କ’ ଭାବଇ, (୮) ‘କ’ ନାହିଁ (୯) ‘କ’ ଏହାକୁ (୧୦) ‘କ’ ଏ କଷ୍ଟ ଦଶାରେ, (୧୧) କ ଧଇର୍ଯ୍ୟ, (୧୨) ଖ ଶଇର୍ଯ୍ୟ, (୧୩) ‘ଖ’ ଦ୍ୱାଏ, (୧୪) ‘କ’ ଉପାୟ,(୧୫) ‘କ’ ଉଦ୍‌ବେଗ୍‌, (୧୬) ‘କ’ କର୍ମକର୍ମାଦି, (୧୭) ‘କ’ ନାହିଁ, (୧୮) ‘କ’ ସମସ୍ତ (୧୯) ‘କ’ ଯାଇ । (୨୦) ‘କ’ ଏକା କେବଳ ତୃଷ୍ଣାମାତ୍ରକ ତରୁଣ ହୋଇଥିବାକୁ ଥାଇ (୨୧) ‘କ’ ହରିହରି ଅନିତ୍ୟରେ, (୨୨) ‘କ’ ବାଳୁତ, (୨୩) ‘କ’ ସଂଗତେ, (୨୪) ‘କ’ ଆସକ୍ତ, (୨୫) ‘କ’ କୁସିଆରି, (୨୬) ‘କ’ ଆପଣାହିଁ, (୨୭) ‘କ’ କାଳତ, (୨୮) ‘କ’ କାଳେତ, (୨୯) ‘କ’ ପ୍ରାୟେକ, (୩୦) ପଦାରବିନ୍ଦ ।]

 

କୁମାରଙ୍କ ବିଦ୍ୟାପାଠ

 

ଏବଂ ଭୂତ ପ୍ରକାରେ କୁମାର ଅଜ୍ଞାନ ଭାବ ପାଇଲା । ଚନ୍ଦ୍ରକଳା ପ୍ରାୟେ ଦିନେ ଦିନେ ବର୍ଦ୍ଧମାନ ହୋଇ ଶୋହିଲା । ଦିବସକୁ ଦିବସ ଗୁରୁଜନ । ୨ । ମାନଙ୍କୁ ମୋହିଲା ପଦ୍ମ ବନରେ ଯେମନ୍ତ ରାଜହଂସ ଶୋହିଲା । ପରମ ଅଭ୍ୟାସରେ କରି ପାଂଚ ବର୍ଷ ହୋଇଲା । ୩ । ଦେହ ଜମ୍ବୁନଦ ଯେମନ୍ତ ପଞ୍ଚୁଦାହ କରି ରସାଣିଲା ପ୍ରାୟେକ ଦିଶିଲା, ପୂର୍ଣ୍ଣ ଅକଳଙ୍କ ଚନ୍ଦ୍ରମଣ୍ଡଳ ପ୍ରାୟକ ମୁଖପଦ୍ମ ବିକାଶିଲା । ତିଳକୁସୁମ ପ୍ରାୟେକ ଦୀର୍ଘ ହୋଇ ନାସିକା ପ୍ରକାଶେ ହୋଇଲା, ତରୁଣେନ୍ଦୁର ପ୍ରାୟେ କପୋଳ ଶୋହିଲା । ୪ । କମଳ ଉପରେକି ଭ୍ରମର ପ୍ରାୟେକ ଭ୍ରୂଲତା । ୫ । ଶୋଭା ପାଇଲା, କୁଣ୍ଡଳ ଦୁଇଗୁରୁଶୁକ୍ର ପ୍ରାୟେକ ଗଣ୍ଡସ୍ଥଳ ମିଶିଲା, ବନ୍ଧୁକ କୁସୁମ ପ୍ରାୟେକ ଅଧର କାନ୍ତି, ନୀଳ ଅଞ୍ଜଳନକୁ ଦୂଷଣ କରୁଅଛି କେଶର ଭ୍ରାନ୍ତି, ଦେହଲୀଳା ଚଳିତ ଦୃଷ୍ଟି ଦିଶୁଅଛି ଶୋଭନ । ୬ । ତରୁଣୀମାନଙ୍କୁ କିସେ ପ୍ରତ୍ୟକ୍ଷେ ମଦନ, ଶିଶୁପଦ୍ମ ପ୍ରାୟେକ ଚକ୍ଷୁଦୁଇର ଶୋଭା । ଶିରୀଷ ପୁଷ୍ପ ପ୍ରାୟେକ କୋମଳ କାନ୍ତିଆଭା ! କମ୍ବୁର ପ୍ରାୟେକ କଣ୍ଠର ଶୋଉନ, ଦୁନ୍ଦୁଭିର ପ୍ରାୟେକ ବଚନ ଗମ୍ଭୀର ସୁସମ, । ୭ । ଦଳିତ ବକ୍ଷସ୍ଥଳୁ ସମ୍ଭୁତ । ୮ । ଆଜାନୁ ଭୁଜଦଣ୍ଡ ଲୀଳାଗତି । ୯ । ଜାଣିକି ଉନ୍ନତ ବାଳଷଣ୍ଢ । ଶିଶୁସିଂହର ପ୍ରାୟେକ ବିକ୍ରମଦିଶଇ । ସୂର୍ଯ୍ୟ କିରଣର କାନ୍ତିଶରୀର ମିଶଇ । ଜାତି ପାଖୁଡ଼ା ପ୍ରାୟେକ ନଖର କାନ୍ତି ମତ୍ତଗଜେନ୍ଦ୍ର ପ୍ରାୟେକ ଚାଲିବାର ଭ୍ରାନ୍ତି । ୧୦ । ଆରକ୍ତ ପଦ୍ମ । ୧୧ । ପ୍ରାୟେକ ଚରଣର ତଳୀ । ଲକ୍ଷଣବନ୍ତ ହୋଇଅଛି ମୀନପଦ୍ମ ଅଙ୍କୁଶ ମଣ୍ଡଳୀ । ଯୋଗଭ୍ରଷ୍ଟେ ନଷ୍ଟରୁଦ୍ର ଅଂଶମୂର୍ତ୍ତି । ଭିନ୍ନେଅଛି ଏହାର ବୈଷ୍ଣବୀଶକ୍ତି । ତେଣୁକରି ସମସ୍ତ ଲକ୍ଷଣ ମାନନ୍ତରେ ହୋଇବ ଆସମୁଦ୍ରାନ୍ତ ପୃଥ୍ୱୀରେ ଚକ୍ରବର୍ତ୍ତୀ, ସେ କୁମର ଲକ୍ଷଣ ଆନ୍ତବିଚାର ଅନଙ୍ଗ ପଦ୍ମାକର ରାଜା ଉତ୍ସବକରି କରାଇଲା ବିନାୟକ ସରସ୍ୱତୀଙ୍କ ପୂଜା ଉଦୟନ ଆଚାର୍ଯ୍ୟ ବୋଲି ପଣ୍ଡିତେକ ଅଛି ବ୍ରହ୍ମାଙ୍କୁ ପ୍ରସନ୍ନ କରାଇ ଅନେକ ବିଦ୍ୟାପାଇଅଛି । ତାହା ଗୋଚରେ କୁମରକୁ ସମର୍ପିଲା । ବିଦ୍ୟା ପଢ଼ାଅ ବୋଲି ଆଜ୍ଞାଦେଲା । ସେ କୁମର ଅକ୍ଷର ପାଠନ୍ତ ପଢ଼ି ଅଙ୍କ ଖଡ଼ିସାରି ସମସ୍ତ ବ୍ୟାକରଣ ଅଷ୍ଟାଦଶାଙ୍ଗେ ପଢ଼ିଲା । କେବଣ ବ୍ୟାକରଣ ମହାଭାଷ୍ୟବୋଲି ଯେଉଁ ବ୍ୟାକରଣ ଥିଲା । ପୂର୍ବେ ସେ ଶେଷନାଗର ବକକ୍ରରୁ ୧୨ ବାହାର ହୋଇଲା । ପାଣିନି ବୋଲି ଯେଉଁ ବ୍ୟାକରଣ ନାମ ଈଶ୍ୱର ଡମ୍ବରୁଁ ସେ ହୋଇଅଛି ବାହାର । ଶ୍ରୁତିସାଗର ବୋଲି ସେବଣ ସେ ବ୍ୟାକରଣ ।

 

ଇନ୍ଦ୍ର ଦେବତା ନିମିତ୍ତେ ବୃହସ୍ପତି କଲେ ନିର୍ମାଣ (୧) ସାରସ୍ୱତ ବୋଲି ଯେଉଁ ବ୍ୟାକରଣ ହେଲା ତହିଁର ସୂତ୍ରପୂର୍ବେ ସରସ୍ୱତୀ କହିଲା । ଅଇନ୍ଦ୍ର ବୋଲି ଯେବଣ ବ୍ୟାକରଣ ଇନ୍ଦ୍ରଦେବତା ନିମିତ୍ତ ବୃହସ୍ପତି କଲା ନିର୍ମାଣ । ୨ । ଚନ୍ଦ୍ରମସ ନାମ୍ନେ ଯେବଣ ବ୍ୟାକରଣ ହୋଇଲା, ଚନ୍ଦ୍ରଦେବତା ତାହା ପୂର୍ବେ ପଢ଼ିଥିଲା । ମହେଶ୍ୱର ସମ୍ବନ୍ଧେ ମାହେଶ୍ୱର ହୋଇଲା । ପୂର୍ବେ ବିଧାତା ଅଛି ନିର୍ଭାଇଲା । ଶାକଟାୟନ ଔଣାଦିକ, ସମ୍ପଦାସିକ, କଳାପ, ବର୍ଦ୍ଧମାନ ଆଦିକରି ବ୍ୟାକରଣମାନଙ୍କର ନାମ । ଉପବ୍ୟାକରଣମାନେ ଅଛନ୍ତି ଅନୁପାମ । ରସବତ ଜୁମର । ୩ । କୌମୁଦୀଆଖ୍ୟାତ ଚନ୍ଦ୍ରିକାଦି । ୪ । ସମସ୍ତ ବ୍ୟାକରଣ ପଢ଼ିଲା ।

 

ତ କେବଣ ବ୍ୟାକରଣ କେବଣ ପ୍ରକାରେ ପଢ଼ିଲା । ପ୍ରଥମେ ବର୍ଣ୍ଣସଂସ୍ଥାନ କରି । ୫ । ସଜ୍ଞାବିସରି । ୬ । ହ୍ରସ୍ୱଦୀର୍ଘ ଜାଣି, ପାଦଦ୍ୱୟ ସନ୍ଧି । ୭ । ପରିମାଣି, ଆଗମ ଆଦେଶ ଉପଧା ବିଚାର । ଲିଙ୍ଗ ବିଭକ୍ତି, ନିପାତ ପ୍ରକୃତି, ଶବ୍ଦଲିଙ୍ଗ ତ୍ରୟ, ଷଟ୍‌କାରକ ପଦ, ସମାସ, ଧାତୁରୁପାଦି କରି ଅଷ୍ଟାଦଶାଂଶେ ବ୍ୟାକରଣ ପଢ଼ିଲା । ତଦନନ୍ତରେ ଶାସ୍ତ୍ରମାନନ୍ତ ପଢ଼ିଲା କେବଣ ଶାସ୍ତ୍ର ପଢ଼ିଲା । ଧର୍ମଶାସ୍ତ୍ର । ୮ । ମୀମାଂସା, ପାତଞ୍ଜଳି, ବୈଶେଷିକ, କୌମାର କ (୯) ପଞ୍ଚରାତ୍ର, ତର୍କ ଆଗମାଦି କରି ସମସ୍ତ ଶାସ୍ତ୍ର ପଢ଼ିଲା, ଚାରିବେଦ, ଉପନିଷଦ ଆଦି କରି ସାଙ୍ଗେ । ପାଙ୍ଗ ପଢ଼ିଲା । ମନୁ, ଯାଜ୍ଞବଳକ୍ୟ (୧୦) ଶଙ୍ଖ ବୃହସ୍ପତି ଲିଖିତ ଇତ୍ୟାଦି କରି ସ୍ମୃତିମାନନ୍ତ ପଢ଼ିଲା । ଉପଶାସ୍ତ୍ରମାନଙ୍କେ ପୂର୍ବେ ଦେବତାମାନଙ୍କୁ ଅସୁରମାନେ । ୧୧ । ବେଦବାଦେ କିଣିଲେ । ଏମନ୍ତ ଜାଣି ସେ ବିଶ୍ୱବ୍ୟାପି ନାରାୟଣ, ବୃହସ୍ପତି ହସ୍ତେ ଅସୁରମାନଙ୍କର ନିମିତ୍ତେ ପ୍ରତ୍ୟେକ୍ଷେ ଗ୍ରନ୍ଥମାନ ଫଳାଫଳି କରାଇଲେ, ବୃହସ୍ପତି ସୁବାଦେ ଜିଣିଲେ । ୧୨ । ଶୁକ୍ରରୂପଧରି ଅସୁର ମାନନ୍ତ ପଢ଼ାଇଲେ । ବୌଦ୍ଧଶାସ୍ତ୍ରମାନ ହିଁ ବୌଦ୍ଧାନୁଶାସନେ (୧୩) ବୌଦ୍ଧ କାପାଳିକ, କ୍ଷପଣକ, ଚାର୍ବାକାଦି ମତ ଏମାନହିଁ ଜାଣିଲା । ତଦନନ୍ତରେ ଅଷ୍ଟାଦଶ ପୁରାଣ ପଢ଼ିଲା । କେବଣ କେବଣ ପୁରାଣ । ମତ୍ସ୍ୟପୁରାଣ,କୂର୍ମପୁରାଣ, ବରାହ ପୁରାଣ, ବାମନ ପୁରାଣ,ଭବିଷ୍ୟ ପୁରାଣ,ମାର୍କଣ୍ଡେୟ ପୁରାଣ,ବିଷ୍ଣୁ ପୁରାଣ,ନୃସିଂହ ପୁରାଣ, ଅଗ୍ନିପୁରାଣ, ପଦ୍ମ ପୁରାଣ, ଇତିହାସ ପୁରାଣ,ବ୍ରହ୍ମ ପୁରାଣ, ଦେବୀ ପୁରାଣ, ଶିବ ପୁରାଣ, ଭାଗବତାଦି କରି ସମସ୍ତ ପୁରାଣ ଉପପୁରାଣ ମାନନ୍ତ ପଢ଼ିଲା । ତଦନନ୍ତରେ ଜ୍ୟୋତିଷ । ୧୪ । ଶାସ୍ତ୍ର ପଢ଼ିଲା । କେବଣ କେବଣ ପ୍ରକାର ବାର ତିଥି ନକ୍ଷତ୍ର, ଚନ୍ଦ୍ର, ଯୋଗ, କରଣ, ଗ୍ରହଯୋଗ, ଲଗ୍ନଜାତକ, ଯାତ୍ରାପ୍ରଶ୍ନ, ଖଡ଼ିଚକ୍ର, ଆୟୂଧ ନିର୍ଣ୍ଣୟ ବୈକକ୍ଷା ଧାରଣ ସଂମୁଚ୍ଚୟ ସହିତ କରି ସକଳ ଜ୍ୟୋତିଷ ଶାସ୍ତ୍ର ପଢ଼ିଲା ।

 

ତଦନନ୍ତରେ କାବ୍ୟ, ମହାକାବ୍ୟ, ଉପକାବ୍ୟ (୧) କାଦମ୍ବରୀ, ନୈଷଧ, ରାମଚରିତ, ଭାରତ, ଯୋଗାର୍ଣ୍ଣବ ଗୀତା, ବଶିଷ୍ଟ ରାମାୟଣଦି ସମସ୍ତ ପଢ଼ିଲ ।

 

ତ କେବଣ କେବଣ ଗୀତା ପଢ଼ିଲା । ଭଗବତ୍ ଗୀତା, ଭରତ ଗୀତା, ପାଣ୍ଡବ ଗୀତା, ଉତ୍ତର ଗୀତା, ଯମ ଗୀତା, ଉଦ୍ଧବ ଗୀତା, ଅବଧୂତ ଗୀତା, ଗଙ୍ଗା ଗୀତା, ଯାଜ୍ଞବଳ୍‌କ୍ୟ ଗୀତା, ପାର୍ବତୀ ଗୀତା, ମୈତ୍ରେୟ ଗୀତା, ମଦାଳସୀ ଗୀତା,(୨), କପୋତ ଗୀତା, ଜନକ ଗୀତା, ଭବିଷ୍ୟ ଗୀତା, ଶିବ ଗୀତା, ଜଡ଼ ଗୀତା, ଆନନ୍ଦ ଗୀତା,ଶୁକ ଗୀତା, ପଙ୍କଜ ଗୀତା, ଭିକ୍ଷୁ ଗୀତା,ବ୍ରହ୍ମ ଗୀତା ଇତ୍ୟାଦି କରି ସମସ୍ତ ଗୀତାମାନ ପଢ଼ିଲା, ତଦନନ୍ତରେ ଆଗମ ପଟଳ, ଯାମଳ ଯନ୍ତ୍ର, ରସବିଷ କଳପସାଧନ, ମୂଳି, ମଣିମନ୍ତ୍ର ମହୈଃଷଧୀ, ଆଦିକରି ସମସ୍ତ ଆଗମ ଶାସ୍ତ୍ର ମାନନ୍ତ ପଢ଼ିଲା, ତଦନନ୍ତରେ ସମସ୍ତ ବିଷୟାନ୍ତରେ ଅଳଂକାର ମାନ ପଢ଼ିଲା । ୩ । ତଦନନ୍ତରେ ନାଟକ ଉପନାଟକ ଅଭିନୟନାଦି କରି ଭରତ, ପିଙ୍ଗଳଛନ୍ଦ, ଦେଶାଚାର, ସ୍ୱତାଚାର ଭାଷା, ଅଶ୍ୱଲକ୍ଷଣଦୀକ୍ଷା, ଗଜଲକ୍ଷଣ, ନରଚିକିତ୍ସା । ୪ । ସାମୁଦ୍ରିକ, ରଥକଉଶଳ, ହସ୍ତ । ୫ । ଶିଳ୍ପ ଚିତ୍ରାଦି କରି ଉପବିଦ୍ୟା ମାନନ୍ତ ଶିଖିଲା, ଏମନ୍ତ ସେ କୁମର ଶାସ୍ତ୍ରେ ବକତାବିଦ୍ୟାରେ ଶକ୍ତ । ୬ । ଗୁଣାନୁଗୁଣରକ୍ତ । ବାସୁଦେବେ ଭକ୍ତ । , ସତ୍ୟେଶକ୍ତ ।, ଦରିଦ୍ରେ (୭) ଦାତା, ଆହାରେ ଭୋକ୍ତା, ଏମନ୍ତ ହୁଅନ୍ତେ ଦଶବର୍ଷ ସଂପୂର୍ଣ୍ଣ ହୋଇଲା, ରାଜାଗୁଣାକର ଆଚାର୍ଯ୍ୟଙ୍କୁ ଈଶ୍ୱର ପ୍ରସନ୍ନ ହୋଇ ସମସ୍ତ ବିଦ୍ୟାମାନନ୍ତୁ ଦେଇଅଛନ୍ତି, ସେ ଜଗନ୍ନାଥଙ୍କର ବୈଷ୍ଣବମାନଙ୍କର ପଦାର ବିନ୍ଦ ପ୍ରସାଦୁଁ ତାହା ନାରାୟଣ ଦାସ ପାଇଲା ବିସରି । ୯ । ସେ ଚତୁଷଷ୍ଟି ଢ ଢ ଅଶେଷ ବିଦ୍ୟାପଢ଼ାଇଲା ।

 

[(୧)‘ଖ’ ରେ ଅତଏବଠାରୁ ଅଛି ପର୍ଯ୍ୟନ୍ତ ନାହିଁ (୨) ‘କ’ ଗୁରୁଜନମାନଙ୍କୁ (୩) ‘ଖ’ ପରମ ଅଭ୍ୟାସଠାରୁ ହୋଇଲା ପର୍ଯ୍ୟନ୍ତ ନାହିଁ । ୪ । ‘କ’ ରେ ତିଳଠାରୁ ଶୋଇଲା ପର୍ଯ୍ୟନ୍ତ ନାହିଁ । ୫ । ‘କ’ ବଧୂକ । ୬ । ‘କ’ ଶୋଭାବନ । ୭ । ‘କ’ ସୁମ୍ବର ବଚନ, । ୮ । ‘କ’ ସୁବଳିତ ବକ୍ଷସ୍ଥଳ । ୯ । ‘କ’ କାନ୍ତିଜ୍ୟୋତି । ୧୦ । ‘କ’ ରେ ମନ୍ଦଗତି । ୧୧ । ‘ଖ’ରେ ଅସୁରେ । ୧୨ । ‘କ’ରେ ନାହିଁ । ୧୩ । ‘କ’ରେ ମନ୍ଦଗତି । ୧୧ । ‘ଖ’ରେ ଅସୁରେ । ୧୨ । ‘କ’ରେ ନାହିଁ । ୧୩ । ‘ଖ’ ବୋଧନୁ ଶାସନେ । ୧୪ । ‘ଖ’ରେ ଜଉତିଷ ।

(୧) ‘କ’ ବାସୁଦେର ନିଶ୍ୱାସ ସେ ହୋଇଅଛି ନିର୍ମାଣ । ୨ । ସାରସ୍ୱତଠାରୁ ନିର୍ମାଣ ପର୍ଯ୍ୟନ୍ତ ‘ଖ’ ରେ ନାହିଁ, । ୩ । ‘ଖ’ କୁମର, । ୪ । ଆପ୍ୟାୟୀକ । ୫ । ‘କ’ ସ୍ଥାପନ । ୬ । ‘ଖ’ ବିମରି, । ୭ । ପଦପାଦାନ୍ତ ସନ୍ଧିଯା, । ୮ । ‘ଖ’ ଧର୍ମଶାସ୍ତ୍ର । ୯ । ‘ଖ’ରେ କୌମାରୁଣ । ୧୦ । ଯାଜ୍ଞବକ୍ୟ ଅଙ୍କିତାତ୍‌ପ ।

 

‘ଖ’ ରେ ଅସୁରେ । ୧୨ । ‘କ’ରେ ନାହିଁ । ୧୩ । ‘ଖ’ ବୋଧନୁଶାସନେ । ୧୪ । ‘ଖ’ ରେ ଜଉତିଷ

୧- ଉପକାବ୍ୟ ଷୋଟତ୍ରୟାମନୁ ୨ ‘ଖ’ରେ ମଦଳସ୍ୟ ଗୀତା ‘କ’ରେ ଆନନ୍ଦ ଗୀତା,

 

- । ୩ । ‘କ’ ରେ ନାହିଁ । ୪ । ‘ଖ’ ତିତିକ୍ଷା । ୫ । ‘ଖ’ ରେ ନାହିଁ । ୬ । ‘ଖ’ ରେ ନାହିଁ । ୭ । ‘ଖ’ ରେ ଦରିଦେ, । ୮ । ‘କ’ ରେ ଶ୍ରୀ । ୯ । ‘କ’ ବିମରି । ୧୦ । ‘ଖ’ ରେ ଗ୍ରହତଳିତା,]

 

୧- ପ୍ରତାପରୁଦ୍ର ଦେବଙ୍କ ଅନ୍ଧାରି ବିଜେ

୨-ଓଡ଼ିଶା ରାଜ୍ୟ ତୁଡ଼ୁକାଣ ହେଲା

 

ପ୍ରତାପରୁଦ୍ର ଦେବ ମହାରାଜାଙ୍କର ୧୫ ଅଙ୍କ

କନ୍ୟା ୧୨ଦିନ ଶୁକ୍ଳ ସପ୍ତମୀ ବୁଧବାର ନବଦୁର୍ଗା ମହୋତ୍ସବ ରାତିରେ

 

କଟକ ବାରବାଟୀ ନଗରରେ ରାଜାଥିବା ସମୟରେ ଏକଦିନେ ରାତ୍ରିରେ ଛଦ୍ମବେଶରେ ଅନ୍ଧାରିବିଜେ କରିଥିବା ବେଳେ ଡଗରପଡ଼ା ନିବାସୀ ଏକ ବ୍ରାହ୍ମଣକୁ କାନ୍ଦି କାନ୍ଦି ଯାଉଥିବାର ଦେଖି ତାକୁ ତହିଁର କାରଣ ପଚାରିବାରୁ ସେ କହିଲାକି ମୋ ଦୁଃଖ କେହି ନଶୁଣିବାରୁ କାନ୍ଦୁଅଛି ।

 

ତହୁଁ ରାଜା ପଚାରିଲେ ତୋ କର୍ମଦୁଃଖ କି ରାଜଗଡ଼ ଦୁଃଖ ଅଟେ । ସେଠାରୁ ସେ ଉତ୍ତର ଦେଲା ରାଜ୍ୟରେ ରାଜା ପ୍ରତାପରୁଦ୍ର ଦେବ, ମୋହର ରାଜାମାଝି ରାମପାତ୍ର । ତହୁଁ ରାଜା ପ୍ରଶ୍ନ କରିବାରେ ସେ ତାହା ଘରେ ରାମପାତ୍ର ତା’ ସ୍ତ୍ରୀ ସହିତ ଯେରୂପେ କୁବ୍ୟବହାର କରୁଥିଲା ଓ ତାକୁ ରାତ୍ରିରେ ଦୁଗ୍‌ଧ ଆନୟନ କରିବାକୁ କୋଶେବାଟଛଡ଼ା ଗୌଡ଼ ଗୋଠକୁ ପଠାଇ ଦେଉଥିଲା ତହିଁର ସମୁଦାୟ ବୃତ୍ତାନ୍ତ କହିଲା ।

 

ତହୁଁରାଜା କହିଲେ କି ସେ ଯେରୂପେ ଥାଏ, ତାହା ଆମ୍ଭଙ୍କୁ ଦେଖାଇ ଦେଲେ ଆମ୍ଭେ ମହାରାଜାଙ୍କଠାରେ ଜଣାଇବୁ । ତହୁଁ ବ୍ରାହ୍ମଣ ତାଙ୍କୁ ନେଇଯାଇ ନିଜଘର ଓ ସେ ସମୟରେ ଯେ ଚରିତ୍ର ସବୁ ରାମପାତ୍ର ବ୍ରାହ୍ମଣ ଘରଠାରେ କରୁଥିଲା ତାହା ଦେଖାଇ ଦେଲା । ରାଜା ତାହାଘର ପୀଢ଼ା ଉପରେ ଆପଣା ସେବତୀଗଭା ତ୍ରିମୁଣ୍ଡି ପକାଇଦେଇ ଚାଲିଗଲେ, ତହିଁ ଆରଦିନ ବୁଲାଡ଼ଗରାମାନେ ଦେଖି ସେ ଘର ଜଗିରହିଲେ, ରାଜାଙ୍କଠାରେ ଜଣାଣ କଲେ । ରାଜା ସେ ବ୍ରାହ୍ମଣ ଓ କଟକ ଜଗିଆ ମାଝିକୁ ଛାମୁକୁ ଆଣ ବୋଲି ଆଜ୍ଞାକଲେ । ଆଡ଼ତିଆ ଲେଙ୍କା ସେ ବ୍ରାହ୍ମଣ ଓ ମାଝିକୁ ଆଣିବାରୁ, ମାଝିସାଷ୍ଟାଙ୍ଗ ହୋଇପଡ଼ିଲା ତାକୁ ପ୍ରଶ୍ନବାଦକରି ଶେଷରେ ସେ ରାମପାତ୍ର ମାଝିକୁ କଟକ ବାହାରେ ଚାରିଡାଳିଆ କରି ନେଇ ଶୂଳିଦେବାର ଆଜ୍ଞାହେଲା ଓ ତାକୁ ସେହି ରୂପଦଣ୍ଡ ହେଲା ।

 

୨- ଓଡ଼ିଶା ରାଜ୍ୟ ଢ଼ୁଡ଼ୁକାଣ ହେଲା

 

ତେଲଙ୍ଗା ମୁକୁନ୍ଦ ଦେବଙ୍କ ୧୧ ଅଙ୍କ ବିଛା ମାସରେ ଓଡ଼ିଶା ରାଜ୍ୟ ତୁଡ଼ୁକାଣ ହେଲା । ପରମେଶ୍ୱରଙ୍କୁ ଜଗଦୋଳ ଯାତ୍ରାକରି ରଜା ଗଉଡ଼ ଉପରକୁ ଗଙ୍ଗା କଟକାଇ କରିଗଲେ । ଏଥିରେ ଶିଖି ମହାପାତ୍ର ଓ ମନାଇ ମହାପାତ୍ର ଓଡ଼ିଆ ଉକିଲ ଗୌଡ଼ ବାଦଶାହଙ୍କ ସହ୍ଲାରେ ସୂବା କଳାପାହାଡ଼କୁ ଘେନି ବଣବାଟେ କଟକ ମାଇଲେ । ରାଜାଙ୍କ କୁଟୁମ୍ବକୁ ବନ୍ଦୀକଲେ । ଓଡ଼ିଶା ରାଜ୍ୟ ଭାଙ୍ଗିଲା । ରାଜା ଗଙ୍ଗାକୂଳରେ ରହିଲେ । ଓଡ଼ିଶା ରାଜ୍ୟ ତୁଡ଼ୁକାଣ ହେଲା ଶ୍ରୀ ପୁରୁଷୋତ୍ତମ ସହ ସିଂହାସନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଛାଡ଼ିଯାଇ ବଣଖଣ୍ଡକୁ ଗଲେ । ତାଙ୍କୁ ଖେପଲିଗଡ଼ରେ ନେଇ ବିଜେ କରାଇଲେ । ଏମନ୍ତ କଟକ କଳା ପାହାଡ଼ମାରି ବଡ଼ଦେଉଳ ଭାଙ୍ଗି ଦକ୍ଷିଣ ମହିମ କଲେ । ଲକ୍ଷ୍ମୀଧର ପୁଅ ଦାନପାହାନ୍ତା ସିଂହ ତାଙ୍କଠାରେ ଜମିଦାର ହୋଇ ଭେଟିଲା । ତାକୁ କଳାପାହାଡ଼ ପଚାରିଲା-ଓଡ଼ିଶାରାଜ୍ୟ ଦେବତା ଜଗଦିଶ କାହିଁଗଲେ ?” ସେ କହିଲାକି ଦକ୍ଷିଣ ବଣ ଖଣ୍ଡକୁ ଗଲେ । ତହୁଁ ସେ କହିଲା ମୁହାଣ ଦ୍ୱାର କିପରି ପାର-ଉତାର ହେବା । ଦାନ ପାହାନ୍ତା ସିଂହ କହିଲା ମୁଁ ମୁହାଣରେ ଅଳ୍ପବାଟରେ ନେଇଯିବି । ତାକୁ ଘୋଡ଼ା ଶିରପା ଓ ଚବିଶକୁଦ ଓ ରାହାଙ୍ଗାକୁ ଯାଗିର ଦେଇ ନାଆ ପାହାନ୍ତି ସିଂହ ପଦ୍ଧତି ଦେଲେ ।

ସେ ମୁଗଲ ଥାଟକୁ ଆଣି ଆଣ୍ଟାକ ପାଣିରେ ପାରକରିନେଲା । ଦକ୍ଷିଣ ରାଜ୍ୟ କଳାପାହାଡ଼ମାରି ଖେପଲିଠାରୁ ପରମେଶ୍ୱରଙ୍କୁ ବନ୍ଦୀକରି ଆଶି ଗଙ୍ଗାକୂଳ ପର୍ଯ୍ୟନ୍ତ ହାତୀ ଉପରେ ବିଜେକରାଇ ନେଲା । ସେଠାରେ ଜୋର ଅଗ୍ନିଦଣ୍ଡଦେଇ ଶାଳ ଗଙ୍ଗାରେ ମେଲିଦେଲା । ତାହା ବଡ଼ ପଦ୍ମନାଭ ପଟ୍ଟନାୟକେ ବୈରାଗୀ ହୋଇ ଆଣିଥିଲେ । କୁଜଙ୍ଗ ଗଡ଼ଠାରେ ମାଦଳରେ ପୁରାଇ ଚକାଲାଗି କରିଥିଲେ ।

ଏ ସମୟରେ ରାଜା ମହୀନ୍ଦ୍ରଗଡ଼ରେ ଓଡ଼ିଶା ପାତ୍ର ଦନାଇ ବିଦ୍ୟାଧରଙ୍କ ପୁଅ ରାମଚନ୍ଦ୍ର ରାଉତରାୟ ମହାପାତ୍ରଙ୍କୁ ଧରାଇଥିଲେ । ମୁକୁନ୍ଦଦେବ ଓ ତାଙ୍କ ପୁତୁରା ରାଘି ଭଞ୍ଜ । ଏକାଦିନକେ ଯୁଦ୍ଧକରି ମଲେ । ଓଡ଼ିଶା ଅରାଜ୍ୟ ହୋଇଗଲା ଦେବତା ଓ ବ୍ରାହ୍ମଣଙ୍କ ନା’ ଡୁବିଲା ।

 

[ଚକଡ଼ା ପୋଥିରୁ ସଂକଳିତ, ଦେଖ ପୃ-୪- “ଚକଡ଼ା ପୋଥି ଓ ଚକଡ଼ା ବସାଣ ବା ଚଇନୀ ଚକଡ଼ା”, ପୋଥିର ଲିଖନକାଳ-ଏହା ପ୍ରତାପରୁଦ୍ର ଦେବ (୧୪୯୭-୧୫୪୨)ଙ୍କଠାରୁ ଆରମ୍ଭ କରି ଭୋଇବଂଶୀୟ ପ୍ରଥମ ଦିବ୍ୟସିଂହ ଦେବଙ୍କ ରାଜତ୍ୱ ପର୍ଯ୍ୟନ୍ତ ପଞ୍ଚଦଶ ଶତାବ୍ଦୀର ଶେଷ ଦଶକରୁ ଆରମ୍ଭ କରି ସପ୍ତଦଶ ଶତାବ୍ଦୀର ଶେଷପାଦ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ଦୁଇଶତ ବର୍ଷର କେତେକ ବିବରଣୀ ପ୍ରଦାନ କରିଅଛି । ତେଣୁ ମୌଳିକ ଚକଡ଼ାପୋଥି ଆଜିଠାରୁ ପ୍ରାୟ ଦୁଇଶତ ବର୍ଷ ପୂର୍ବରେ ରଚିତ ହୋଇଥିଲା ।

 

ଚକଡ଼ା ପୋଥି ବା ଚକଡ଼ା ବସାଣ ବା ଚଇନୀ ଚକଡ଼ା ସଂପାଦନା- ଶ୍ରୀ ସୁଧାକର ପଟ୍ଟନାୟକ ପ୍ରଥମ ମୁଦ୍ରଣ ୧୯୫୯ କଟକ ।]

 

ଚକଡ଼ା ବସାଣ

 

ଶ୍ରୀ ଚକଡ଼ା ପୁସ୍ତକ ଲେଖନ

ଶ୍ରୀ ଗଣେଶାୟ ନମଃ । ଅବିଘ୍ନ ମସ୍ତୁ ।

ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ପୁର ଆଠସାହି ମଧ୍ୟେ ପୂର୍ବଖଣ୍ଡି ଉତ୍ତରଭାଗ ତୋତାର ମଲ୍ଲସାହି ମହାଜନ ଗୁରୁଦାସ ଚଇନୀଙ୍କ ଚକଡ଼ା ପୁସ୍ତକ ଆଦର୍ଶରୁ ଲିଖିତଂ ଫକୀର ଚଇନୀ

 

ବୀର ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀରାଧିବୀରବର ପ୍ରତାପ ଶ୍ରୀ କପିଳେନ୍ଦ୍ର ଦେବ ଏକଚାଳିଶ ଅ ୪୧ଅଙ୍କ ଭୋଗକରି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ନଅରଠାରେ ଆବାହାନ ହୋଇଲେ । ଶ୍ରୀବୀର ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବିରାଧିବୀରବର ପ୍ରତାପ ଶ୍ରୀ ପୁରୁଷୋତ୍ତମ ଦେବ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ନଅରଠାରେ ଦଣ୍ଡଛତ୍ର ଧରାଇଲେ । ମେଷ ଶୁକ୍ଳ ଦ୍ୱାଦଶୀ ଉତ୍ତରଭାଦ୍ରବ ନକ୍ଷତ୍ରେ ବେଳ ଚଉଦ ଦଣ୍ଡଠାରେ ଅମୃତ ଯୋଗରେ ପରମେଶ୍ୱରଙ୍କଠାରୁ ଶ୍ରୀ ଦିଅଙ୍କୁ ବିଜେକଲେ । ଦିଅଙ୍କ ଦର୍ଶନ କରି ପୁନରପି ନଅରଠାକୁ ବିଜେକଲେ, ପାତ୍ରମନ୍ତ୍ରୀଙ୍କି ଆଜ୍ଞା ହୋଇଲା ଯେ ଯେଉଁ ଅଧିକାରରେ ଥିଲା ସେହି ଅଧିକାରରେ ରହିବ । ଏମନ୍ତ ବୋଲି ପତନୀ ଆଜ୍ଞା ହୋଇଲା । ଏଥିଉତ୍ତାରୁ ତିନିଅଙ୍କସାହି ତୁଳାମାସ ଶୁକ୍ଳପକ୍ଷ ଏକାଦଶୀ ଗୁରୁବାର ବେଳ ଦ୍ୱାବିଂଶ ୨୨ ଦଣ୍ଡଠାରେ ନଅର ଠାରୁ ପୂର୍ବଜନ୍ମ ବାଞ୍ଚିତ କଥା ଚିତ୍ତରେ ଉଦୟ ହୋଇଲା । ଏଥିଉତ୍ତାରୁ ନଅରଠାକୁ ବିଜେକଲେ । ପାତ୍ରମନ୍ତ୍ରୀଙ୍କି ଆଜ୍ଞାକଲେ ଆମ୍ଭେ ପୂର୍ବ ଜନ୍ମରେ କଳ୍ପିତ କରିଅଛୁଁ । ଏତେକଥା । ରାଜାହେବୁ ବୋଲି କଳ୍ପିତ କରିଥିଲେ, ଶ୍ରୀଦିଅଙ୍କ ଆଜ୍ଞାରେ ରାଜାହେଲୁ । ଆଉ ବାକି ତିନୋଟି କଥା । ପାତ୍ରମନ୍ତ୍ରୀ ଛାମୁରେ ଜଣାଇଲେ ‘ଆଉ ତିନୋଟି କଥା କି ମନରେ ସ୍ମରଣ ହୋଇ ଅଛି ଆଜ୍ଞା ହେଉ’ ଶ୍ରୀମୁଖ ଆଜ୍ଞା ହୋଇଲେ ଛଅଶ ୬୦୦ ଭାଗକରି ଶାସନ ବସାଇବା, ପଦ୍ମେପଥର କଟାଇବା, ଲକ୍ଷେ ସ୍ତିରୀ ହରିବା । ଏରୂପେ ଏ ଚାରିକଥା ଏ ଚାରିକଥା କଳ୍ପିତ ହୋଇଥିଲା । ପାତ୍ରମନ୍ତ୍ରୀ ଜଣାଇଲେ ଯେ ଅବଧାନକୁ ଆସଇ ।

 

ପ୍ରତାପରୁଦ୍ର ଦେବଙ୍କ ଜନ୍ମ ବୃତ୍ତାନ୍ତ

 

ପ୍ରଥମେ ଶ୍ରୀ ମହାଶ୍ରମଙ୍କର କୁଳଉଦିତ ପୁତ୍ର ଜନ୍ମ ହୋଇଲା । ଜନ୍ମ ହୋଇଲା । ଜାତକର୍ମ ବିଧିକଲେ । ନାମକରଣ ଦିନ ଶ୍ରୀମହାଶ୍ରମ ଆଜ୍ଞାକଲେ ଏ ପୁତ୍ର ରୁଦ୍ରଦେବତା ଶ୍ରୀ ପରମେଶ୍ୱର ଦେଇ ଅଛନ୍ତି । ଦୁଇ ଦେବତାଙ୍କ ନାମ ମିତ୍ରଅକ୍ଷର କରି ନାମଦିଅ । ବ୍ରାହ୍ମଣେ ବିଚାରି କହିଲେ ଶ୍ରୀ ପ୍ରତାପରୁଦ୍ର ଦେବ ବୋଲି ନାମ ବିଚାରିଲୁ । ଏମନ୍ତ ଅବଧାନକୁ ଆସଇ । ରାଜା ହସି ଉତ୍ତମ ହେଲା ବୋଲି ଶ୍ରୀ ପ୍ରତାପରୁଦ୍ର ବୋଲି ନାମ ଦେଲେ ।

 

ଶ୍ରୀ ମହାଶ୍ରମଙ୍କ ଆବାହନ ଉତ୍ତାରୁ ଗୋପିନାଥ ପହରାଜେ ଦଣ୍ଡଛତ୍ର ଧରାଇଲେ, ଏ ସକାଶେ ଗୋପୀନାଥପୁର ମହାଜନମାନେ ଏହିଦିନୁ ସାଆନ୍ତ ବୋଲାଇଲେ ।

 

ପ୍ରତାପରୁଦ୍ର ଦେବ ଦଣ୍ଡଛତ୍ର ଧରାଇଲେ । ପ୍ରଥମେ ଶ୍ରୀ ପରମହଂସ ନାଥଙ୍କ ଦେଉଳ ତୋଳାଇଲେ । ମିତ୍ର ଅକ୍ଷରକରି ରାଜହଂସବୋଲି ଶାସନ ବସାଇଲେ । ଦୁତୀୟ ଶ୍ରୀ ପ୍ରତାପରୁଦ୍ରପୁର ଶାସନ ବସାଇଲେ । ଶ୍ରୀ ମହାଶ୍ରମଙ୍କ ଛାମୁରେ କଟୁଆଳ ଜଣାଇଲା ପ୍ରସନ୍ନ ପୁରୁଷୋତ୍ତମପୁର ପୂର୍ବଖଣ୍ଡି ତୋତାର ମଲ୍ଲସାହି ଦକ୍ଷିଣ ପାଖ ବ୍ରାହ୍ମଣ ବାମଦେବ ପାଣିପ୍ରାପ୍ତ ହୋଇଲା, ତାହାର ସନ୍ତାନ ନାହିଁ । ଯେ ଅବଧାନକୁ ଆସିବ । ଶ୍ରୀ ମହାଶ୍ରମ ଆଜ୍ଞାକଲେ ବିଭଭାଗ ତନଖି କରି ଆଣ । ତନିକି କରିବା ଲୋକେ ତନିକି କରିବା ବେଳେ ପଡ଼ୋସ ସ୍ତ୍ରିରୀମାନେ କହିଲେ ତାଙ୍କ ସ୍ତ୍ରିରୀ ଗର୍ଭହୋଇଛି ତାଙ୍କୁ ଦେଖି ଏ ସ୍ତ୍ରିରୀ ବହୁତ ରୋଦନ କରି ବେଦଗାୟନ କଲା । ଏହାଶୁଣି ଆଜ୍ଞାକଲେ ସ୍ତ୍ରିରୀ ବଡ଼ ଯୋଗ୍ୟ ବେଦପଢ଼ୁଅଛି ? ବାଳକ ବାଳିକା ହେବପଛେ ବୁଝି କୋଠକରିବା ଥୋକାଏ ଦିନ ଉତ୍ତାରୁ ବାଳକ ଉତ୍ପତ୍ତି ହେଲା, ତାହା ନାମ ତା’ ମାତାଜାଡ଼ୁ ପାଣି ବୋଲି ଦେଲା ।

 

ଶ୍ରୀ ମହାଶ୍ରମ ପୁରୁଷୋତ୍ତମ କ୍ଷେତ୍ର ନଅରଠାକୁ ବିଜେକଲେ, ଶ୍ରୀ ନଦିଆ ଦ୍ୱୀପରୁ ଶ୍ରୀ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁ କ୍ଷେତ୍ରରେ ବିଜେକଲେ । ତାହାଶୁଣି ମହାଶ୍ରମ ଦରଶନ କରି ସମ୍ଭାଷଣ କଲେ,ଏଥିଉତ୍ତାରୁ ଶ୍ରୀ ମହାଶ୍ରମ ବଳରାମ ଦାସଙ୍କର ସମ୍ବାଦ ହୋଇଲା ।

 

ଶ୍ରୀ ମହାଶ୍ରମ ଜାତିସ୍ମର ଶ୍ରୀ ପୁରୁଷୋତ୍ତମ ଦେବଙ୍କ ମନରେ ସ୍ମରଣ ହେଲା ଆରଜନ୍ମ କଳ୍ପିତ କଥା । ଶ୍ରୀ ଲକ୍ଷ୍ମୀ ନୃସିଂହନାଥଙ୍କୁ କାଞ୍ଚୀନଗ୍ରରୁ ଆଣି ଶାସନରେ ବିଜେ କରାଇବା ଏମନ୍ତ ବୋଲି ବିଚାରିଲେ । ପାତ୍ରମନ୍ତ୍ରୀ ଗୁରୁଦାସ ଚଇନୀଙ୍କି ଆଜ୍ଞାଦେଲେ କାଞ୍ଚୀ ନଗ୍ରୀକି ଶ୍ରୀମୁଖ ଚଳାଅ । ପଦ୍ମିନୀ ସ୍ତ୍ରିରୀନେବୁ ଏମନ୍ତ ବୋଲି ଶ୍ରୀମୁଖ ଚଳାଇଲେ । ଶ୍ରୀମୁଖ ଶୁଣି କାଞ୍ଚୀ ନଗ୍ରୀରାଜା ଅବଜ୍ଞା କଲା । ଦୂତେଆସି ଅବଜ୍ଞା କଲାବୋଲି କହିଲେ । ଶ୍ରୀ ମହଶ୍ରମଙ୍କ ମନରେ ବହୁ କ୍ରୋଧ ହେଲା । ଏଠାରୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ନଅରଠାକୁ ବିଜେକଲେ । ଦିଅଁଙ୍କ ଛାମୁକୁ ଯାଇ ଦରଶନକରି ବହୁତ ପ୍ରାର୍ଥନା କରିବା ସମୟରେ ତଳିଓଛା ଶ୍ରୀ ମହାପ୍ରଭୁଙ୍କ ଶ୍ରୀ ଡାହାଣ ଭୁଜଧରି ଉଭାହୋଇଅଛି । ଶ୍ରୀମହାଶ୍ରମ ଆଜ୍ଞାଦେଲେ ମାଗ । ତଳିଓଛା କହିଲା ମୁଁ କି ଦେଲି ରାଜା ନଅରଠାକୁ ବିଜେକଲେ । ତଳିଓଛା ଶ୍ରୀମୁଖ ଚାହିଁ ପ୍ରାର୍ଥନା କଲା । ରାଜା କି ମାଗିଲେ ମୋତେ ଗୋଚର ନାହିଁ ମୁଁ ତୋ ଭୁଜ ଆଶ୍ରୟରେ କହିଲି ଦେଲି, ଏହା ମୋତେ ଆଜ୍ଞାହେଉ । ଶ୍ରୀମହାପୁଭୁ ଶ୍ରୀମୁଖରେ ଆଜ୍ଞା ହୋଇଲେ, କାଞ୍ଚିନଗ୍ରୀ ତାକୁ ଅଜଏ ହୋଇଛି ଜୟେ, ଜୟେ କରିବାକୁ ମାଗିଲା । ଏବେ ରାଉତକୁ କହି ଆମ୍ଭେ ଆଗେ ଯାଇଅଛୁଁ । ତୁ ପଛେ ଯା । ଆରଦିନ ପ୍ରାତଃକାଳରୁ ତଳିଓଛାଯାଇ ନଅରଠାରେ ମହାଶ୍ରମଙ୍କ ଛାମୁରେ କହିଲା । ତଳିଓଛାଠାରୁ ଶୁଣିଲାରୁ ମହାଶ୍ରମ କାଞ୍ଚୀନଗ୍ରୀକି ବିଜେକଲେ । ବିଜେକରି ଗଡ଼ଜୟ କଲେ । ପଦ୍ମିନୀସ୍ତିରୀ ହାତକଲେ । ଶ୍ରୀ ଲକ୍ଷ୍ମୀନୃସିଂହଙ୍କୁ ଦର୍ଶନ କରି ନୃସିଂହ କବଚ ପଢ଼ି ଆତ୍ମାର ବହୁତ ପୁଲକିତ ହୋଇଲା । ଆରଜନ୍ମ କଥା ସ୍ମରଣ ହେଲା । ଆରେ ଆରଜନ୍ମରେ ତୋ ଛାମୁରେ ସେବାରେ ଥିଲି । ତୋ ଆଜ୍ଞାରେ ଏତେ ସରିକି ପ୍ରବେଶ ହୋଇଲି । ଏବେ ତୁମ୍ଭ ଦର୍ଶନ ମୃଛିପାରୁନାହିଁ । ପୂର୍ବଜନ୍ମରେ ଚିତ୍ତେ କଳ୍ପିତ କରିଥିଲି ଶାସନରେ ବିଜେକରାଇବି । ଏବେ ତୋ ଆଜ୍ଞାରୁ ଶାସନ ବସାଇଲି, ସବୁ ମନୋବାଞ୍ଚା ସଂପୂର୍ଣ୍ଣ ହୋଇଲା, ଏବେ ଶାସନକୁ ବିଜେକରିବାକୁ ଆଜ୍ଞାହେଉ । ଆଜ୍ଞାଦେଲେ ଶାସନରେ ବିଜେକରାଇବି ।

 

ସେହିଠାରେ ଶ୍ରୀ ଲକ୍ଷ୍ମୀନୃସିଂହ ନାଥଙ୍କର ସେବକ ଗୋବିନ୍ଦ ଦିଖିତଙ୍କୁ ଆଜ୍ଞାଦେଲା, ରାଜାଙ୍କୁ କହ ଆମ୍ଭେ ବିଜେକରିବୁ, ଆଜ୍ଞା ହେଲାକୁ ଶଗଡ଼ରେ ବିଜେ କରାଇଲେ । ଅଷ୍ଟାବକ୍ର ପୋଏଲା । ଏକମୁଖୀ ରୁଦ୍ରାକ୍ଷ, ଗଉରୀ ବେତ, ଡାହାଣବ୍ରତେକ ଶଙ୍ଖ ଶ୍ରୀ ଲକ୍ଷ୍ମୀ ନୃସିଂହ ସେବକ ସୁଦ୍ଧା ଘେନାଇ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ନଅରଠାରେ ପ୍ରବେଶ ହେଲେ । ଅଷ୍ଟବକ୍ର ପୋଏଲା । ଏକମୁଖୀ ରୁଦ୍ରାକ୍ଷ, ଗଉରୀ ବେତ ଡାହାଣ ବ୍ରତେକ ଶଙ୍ଖ ଏ ଚାରିବ୍ରତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାରରେ ରଖାଇ ଦର୍ଶନ କଲେ । କରି ଶ୍ରୀନଗରଠାକୁ ଅଇଲେ । ମନ୍ତ୍ରୀକି ଆଜ୍ଞାଦେଲେ । ଆମ୍ଭେ କାଞ୍ଚିନଗ୍ର ରାଜାଙ୍କୁ ମଗାଇ ପଠିଆଇଲା । ସମୟରେ ପଦ୍ମିନୀ ସ୍ତିରୀକି ନ ଦେଲା, ଆମ୍ଭେ କଳ୍ପିତ କରିଅଛୁ, ପଦ୍ମିନୀକି ଆଣି ହାଡ଼ିକୁ ଦେବୁ । ଏ ସ୍ତିରୀକି ହାଡିକି ଦିଅ । ମନ୍ତ୍ରୀ ସ୍ତ୍ରିରୀ ଜମାକରିନେଲା । ଆଜ୍ଞା ପ୍ରମାଣେ, ମନେ ବିଚାରିଲା କି ଏହାପରା ସ୍ତ୍ରିରୀକି ହାଡ଼ିକି ଦେବି । ଏମନ୍ତେ ଚିତ୍ତେ ବିଚାରିଲା ଶ୍ରୀଗୁଣ୍ଡିଚା ଯାତକୁ ଛେରାପଏରା କରିବେ ସେହିଦିନ ଦେବି । ଏମନ୍ତ ବୋଲି ଗୋପ୍ୟକରି ରଖିଲା । ଏଥିଉତ୍ତାରୁ ଦିଅଁଙ୍କଠାରୁ ଶ୍ରୀମହାଶ୍ରମ ଠାକୁରେ ମେଲାଣିମାଗି ଶ୍ରୀ ଲକ୍ଷ୍ମୀନୃସିଂହ ଘେନି ଶ୍ରୀପୁରୁଷୋତ୍ତମପୁର ଶାସନ ନଅରଠାକୁ ବିଜେକଲେ,ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କୁ ଶାସନ ପୂର୍ବଖଣ୍ଡି ଉତ୍ତରେ ବିଜେ କରାଇଲେ, ଭାଟ ହଳିଯ ପହରାଜପୁର ଶାସନ ବସାଇ ଶ୍ରୀମହାଶ୍ରମଙ୍କ ଛାମୁରେ କବାର କଲେ, ଶ୍ରୀମହାଶ୍ରମ ଆଜ୍ଞାକଲେ କି ମାଗୁଅଛି ମାଗ, ଭାଟ କହିଲା ତୁମ ଆଜ୍ଞାରୁ ଶାସକ ବସାଇଲି । ଶାସନ ଅପ୍ରତିଷ୍ଠା ହୋଇଅଛି । କାଞ୍ଚୀନଗ୍ରରୁ ଯେଉଁ ଦେବତା ଆଣିଅଛ ତହୁଁ ମୂର୍ତ୍ତିଏ ଆଜ୍ଞା ହୋଇଲେ ଶାସନରେ ବସାଇବି । ଆପଣଙ୍କ ନାମ କାଳେକାଳେ ଥିବ । ଶ୍ରୀମହାଶ୍ରମ ଆଜ୍ଞାଦେଲେ ଚଳନ୍ତି ନୃସିଂହଙ୍କୁ ଭାଟକୁ ଦିଅ । ଆଜ୍ଞା ହେଲାରୁ ହଳିପହରାଜ ଦେବତାଙ୍କୁ ଘେନିଯାଇ ଶାସନରେ ବସାଇଲେ, ତହିଁଉତ୍ତାରୁ ପାତ୍ରମନ୍ତ୍ରୀ ଗୁରୁଦାସ ଚଇନୀ ସେବକ ଗୋବିନ୍ଦ ଦିକ୍ଷୀତ ଶ୍ରୀ ମହାଶ୍ରମଙ୍କ ଛାମୁରେ ଜଣାଇଲେ, ତୁମ୍ଭେ ଭୋଳରେ ଭାଟକୁ ଆଜ୍ଞାକଲ, ଆଜ୍ଞା ଅବଜ୍ଞା କରି ନପାରୁ । ଭାଟହଳି ପ୍ରହରାଜ ଶ୍ରୀ ଚଳନ୍ତି ଗୋସାଇଁଙ୍କି ନେଲା । ଏବେ କି ଅବଧାନ ହୋଇଅଛି । ସେହିଦିନଠାରୁ ମହାଶ୍ରମଙ୍କର ବିଜେ ନୋହିଲା । ଆଜ୍ଞା ମହାଶ୍ରମ କଲେ । ଶୋକ୍ରିୟ ବ୍ରାହ୍ମଣ ଶଏ ଆଠଜଣ ନୃସିଂହ କବଚ ଶୁଣନ୍ତୁ । ଆମ୍ଭେ ୟେକୋଇଶି ଦିନ ପର୍ଯ୍ୟନ୍ତ ନିରାହାର ରହିଲୁ । ଯେ ଗୋବିନ୍ଦ ଦିକ୍ଷିତଙ୍କୁ ଆଜ୍ଞାହେଲା ରାଜାଙ୍କୁ କହ ଆମ୍ଭ ଚଳନ୍ତି ସାଦୃଶରେ ମୂର୍ତ୍ତି ନିର୍ମାଣ କରିବ । ସହସ୍ର ନ ଲଗାଇବ, ଆମ୍ଭେ ଆପେ ନିର୍ମାଣ ହେବୁ । ଶ୍ରୀମହାଶ୍ରମେ ସିଧରା କ୍ଷେତ୍ରକୁ ଆଜ୍ଞାକଲେ । ତାହାକୁ ସହସ୍ରେ ସୁନିଆ ଦେଲେ, ସେ ପ୍ରତିମା ନିମୁନ କରି ଅଷ୍ଟଧାତୁରେ ନିର୍ମାଣ ହୋଇଲେ, ଠାକୁରଙ୍କର ଆଜ୍ଞାଭ୍ରଷ୍ଟ କରି ସହସ୍ର ଭୁଜରେ ଲଗାଇବାରେ ଶୋଣିତସ୍ରବିଲା । ଘଟି ପ୍ରଥମେ ଚକ୍ଷୁରୁ ଛଡ଼ାଇବା ମାତ୍ରକେ ପୂର୍ବରୁ ଗ୍ରାମ ସାତଗୋଟି ପୋଡ଼ିଗଲା । ଶ୍ରୀ ଲକ୍ଷ୍ମୀନୃସିଂହ ଚଳନ୍ତି ଗୋସାଁଇଙ୍କି ପ୍ରତିଷ୍ଠା କରାଇ ସିଂହାସନେ ବଡ଼ ଠାକୁରଙ୍କ କୋଳେ ବିଜେକରାଇଲେ, ଶ୍ରୀମହାଶ୍ରମ ଶ୍ରୀପୁରୁଷୋତ୍ତମ ନଅରଠାକୁ ଶ୍ରୀଗୁଣ୍ଡିଚା ଯାତକୁ ପ୍ରବେଶ ହୋଇଲେ । ଶ୍ରୀଗୁଣ୍ଡିଚା ଯାତଦିନ ଛରାପଏରା କଲାବେଳେ ମନ୍ତ୍ରୀ ଶ୍ରୀଛାମୁରେ ପଦ୍ମିନୀ ସ୍ତିରୀକି ନେଇ ଦେଲା, ଶ୍ରୀମହାଶ୍ରମ ଆଜ୍ଞାକଲେ ଆମ୍ଭେ ହାଡ଼ିକି ଦିଅବୋଲି କହିଲୁ ତୁ ନଦେଇ ରଖିଅଛୁ । ମନ୍ତ୍ରୀ ଛାମୁରେ ଜଣାଇଲା ଯେଉଁ ହାଡ଼ିକି ଯୋଗ୍ୟ ସେହି ହାଡ଼ିକି ଦେଲି । ଶ୍ରୀମହାଶ୍ରମ ଶୁଣି ମନ୍ତ୍ରୀକି ବହୁତ ପ୍ରଶଂସା କଲେ । –

 

[(ପୃ-୪୦-୪୧) ଗୁରୁଦସା ଚଇନୀଙ୍କ ପୁତ୍ର ଚନ୍ଦ୍ରକୁଳ ଚଇନୀଙ୍କ ଦ୍ୱାରା ଲିଖିତ ।

(ପୃ-୨୭ଠାରୁ ୩୦–)]

 

ବଳରାମ ଦାସଙ୍କ ବ୍ରହ୍ମଗୀତାରୁ

 

ଶ୍ରୀକୃଷ୍ଣ ହରଷହୋଇ ଅର୍ଜୁନକୁ ଗ୍ୟାନ କହନ୍ତି ବିଚାର । ଏ ଗ୍ୟାନ ମୁନିମାନେ ଶୁଣି ଯୋଗସାଧିଲେ । ଅର୍ଜୁନ ଏବେ ତୋତେ ବିସ୍ତାରି କହିବା ଶ୍ରୀ ବ୍ରହ୍ମ ଗୀତା ଅର୍ଥ ହରି ବଳରାମ ଦାସଙ୍କୁ ଅନୁଗ୍ରହ କଲେ । ଶୁଣ ଅର୍ଜୁନ ଥିରମନେ ଏ ଗୁପତ ଗ୍ୟାନଟି । ଏ ଶରୀର ମନ ପାଞ୍ଚ, ପ୍ରକୃତି । ପାଞ୍ଚ ପବନକୁ ମନପାଞ୍ଚ, ଗୁଣତିନି, ବେଦଚାରି, ରସଛଅ । ଚନ୍ଦ୍ରସୂର୍ଯ୍ୟ ଦୁଇ, ଗ୍ରହନବ । ଏ ଦେହରେ ଧରଣୀ ବିଧି । ଭୋସ୍ୱାମୀ ଉଂକାର ଥାପି ମୋତେ ପରମାର୍ଥ ଦେଖାଇବ । ଶ୍ରୀହରି ହରଷ ହୋଇ କହନ୍ତି, ଏ ପରମାର୍ଥଟି ଆକାର, ଉକାର,ମକାର, ସକାର । ତିନିରୂପଟୀ ଏହି । ଉକାର ବ୍ରହ୍ମା, ମକାର ବିଷ୍ଣୁ, ସକାର ଶିବ । ସିଧିରସ୍ତୁ ଏଚାରିରେ ନିରାକାରଟି । ଏହି ହେତୁରୁ ବ୍ରହ୍ମଦର୍ଶନଟି । ଗୁପତ ବ୍ୟକ୍ତନକରିବ ଏହା ନିମଜ୍ଜି ବୁଝ । ଏହି ବ୍ରହ୍ମର ଉଦେଅସ୍ତଟି ଯେମନ୍ତ ରାତ୍ର ଦିବସ ହୋଅଇ । ସେହିରୂପେ ଗ୍ୟାଂନୀ ଶୁଣ ଅର୍ଜ୍ଜୁନେ ଥିରମନହୋଇ ତେଜ ତିନି ? ବାଇ ଚାରି । ଆକାଶ ପାଂଚ ଅହଂକାର ଛଅ, ବୁଦ୍ଧି ସାତ । ମନ ଆଠ । ଅଷ୍ଟ ଫାଶି ଏହାଙ୍କୁ ବୋଲି, ଏ ଅଷ୍ଟ ଫାଶି ଫିଟିବାକୁ ଅବନା ଗାୟତ୍ରୀ ମନ୍ତ୍ର ଅଷ୍ଟ ଅକ୍ଷର, ଏ ରାତ୍ର ଚାରିଦଣ୍ଡ ପାହାନ୍ତିରେ ଜପିବ ପର ରଜ ସସ, ବଦ ଏ ଅବନା ଅଷ୍ଟ ଅକ୍ଷର ମନରେ ଗୁଣିବ । ଗୋଡ଼ଦୁଇ ତୁଲକରି ବସିବ । ଶିରକଣ୍ଠ ସଳଖି ବସିବ । ପରଧନ ପରର ରମଣୀ କିମନ ନ ଦେବ ।

 

ଶୁଣ ଅର୍ଜ୍ଜୁନ ସ୍ଥିର ମନେ । ଯଉଁରୂପେ କହିଲୁଂ ସଂଶୟ ଜ୍ଞାନ ଫେଡ଼ି । ଅଗ୍ୟାନୀ ମାନଙ୍କଠାରେ ନ କହିବ । ପ୍ରତାପରୁଦ୍ର ଦେବ ବଳରାମ ଦାସଙ୍କୁ କଟାଳ କଲେ । ବ୍ରାହ୍ମଣେ ଉପହାସ କଲେ । ଏ ଆମ୍ଭବାନା ପାଷାଣ୍ଡମାନଙ୍କୁ ନକହି କହିଦେଲୁଂ; ବ୍ରାହ୍ମଣମାନଙ୍କଠାରେ ବଳରାମ ଦାସେ ବଖାଣ କଲେ । ବ୍ରାହ୍ମଣେ ଲଜ୍ଜା ପାଇଲେ । ଭକ୍ତଙ୍କୁ ସେବାକଲେ । ଶ୍ରୀ ବ୍ରହ୍ମ ଗୀତାରେ ବ୍ରାହ୍ମଣେ ମାନ୍ୟକଲେ ଭକ୍ତର ଅପମାନ ମୁଁ ନ ସହଇ ଭକ୍ତକୁ କଷଣ ପଡ଼ିଲେ ପ୍ରସନ୍ନ । ଅର୍ଜ୍ଜୁନ ଶୁଣି ସନ୍ତୋଷ ହୋଇଲେ । ଶ୍ରୀପଦ୍ମ ପାଦରେ ପଡ଼ିଲେ । କରପତ୍ର ଯୋଡ଼ି ପଚାରନ୍ତି । ଭୋସ୍ୱାମୀ ଘଟଯୋଗ ବିଚାର ଆଗ୍ୟାଂହେଉ । ଶ୍ରୀକୃଷ୍ଣ ହରଷେ କହନ୍ତି ଶୁଣ ଅରଜୁନ ଘଟଯୋଗ ଗ୍ୟାନ ବିଚାର *

 

* “ପ୍ରଥମେ ପୃଥି ଆପତେଜ ବାଇ ଆକାଶ, ୟେତେ ତତ୍ୱଘେନି କାୟା ପ୍ରକାଶ । ପଞ୍ଚୁତତ୍ୱ ଘେନି ଯମୂଁୟେ ଦେହିଂ । ସଦ୍‌ଗୁରୁ ନାରାୟଣଙ୍କ ଅଗ୍ରତେ ସଦାଶିବ କହିଂ । ୟେ ସ୍ୟରୀରୁ ଉତ୍ପତ୍ତି ଶୂନ୍ୟଂ । ଶୂନ୍ୟଂ ଉତ୍ପତ୍ତି ଆକାଶ । ଆକାଶୁ ଉତ୍ପତ୍ତି ବାୟୁ । ବାୟୁଂରୁ ଉତ୍ପତ୍ତି ତେଜ । ତେଜରୁ ଉତ୍ପତ୍ତି ଅକାଶ । ଆକାଶୁ ଉତ୍ପତ୍ତି ପୃଥ୍ୱୀ । ଶ୍ରୀ ନାରାୟଣ ପଚାରିଲେ । ଆକାଶର କେବଣ ଦ୍ୱାର ପୃଥ୍ୱୀର କେବଣ ଦ୍ୱାର । ଶ୍ରୀ ସଦାଶିବ କହିଲେ ଆପ୍‌ର ଦ୍ୱାର ଶ୍ରବଣ । ବାୟୁ ଦ୍ୱାର ନାସ, ତେଜର ଦ୍ୱାର ଦୃଷ୍ଟି । ଆପର ଦ୍ୱାର ଇନ୍ଦ୍ରି ପୃଥିର ମୁଖ । ଶ୍ରୀ ନାରାୟଣେ ପଚାରିଲେ ଆକାଶ କେବଣ ବର୍ଣ୍ଣ । ବାୟୁ କେବଣ ବର୍ଣ୍ଣ । ତେଜ ଶ୍ରୋଣିତ ବର୍ଣ୍ଣ । ଆପ ଶ୍ୱେତ ବର୍ଣ୍ଣ ପୃଥ୍ୱୀ ପିଙ୍ଗଳ ବର୍ଣ୍ଣଂ । ଶ୍ରୀ ନାରାୟଣେ ପଚାରିଲେ ଆକାଶର କେବଣ ଗୁଣ, ତେଜର କେବଣ ଗୁଣ, ଆପର କେବଣ ଗୁଣ, ପୃଥିର କେବଣ ଗୁଣ, ଶ୍ରୀ ସଦାଶିବ କହିଲେ ଆକାଶର ଗୁଣ ଶବ୍ଦ, ବାୟୁର ଗୁଣ ବଳ । ତେଜର ଗୁଣ ପ୍ରସ୍ୱିଗ୍ୟ, ଆପ୍‌ର ଗୁଣରସ । ପୃଥିର ଗୁଣ ଦେହ । ଶ୍ରୀ ନାରାୟଣେ ପଚାରିଲେ ଆକାଶ କାହିଂ ସମ୍ଭାଇ, ବାୟୁ କାହିଂ ସମ୍ଭାଇ, ତେଜ କାହିଂ ସମ୍ଭାଇ, ପୃଥି କାହିଂ ସମ୍ଭାଇ, ଶ୍ରୀ ସଦାଶିବ କହିଲେ ଆକାଶ ସମ୍ଭଇଂ ଶିଖରେ ବାୟୁ ସମ୍ଭଇଂ ନାସାରେ, ତେଜ ସମ୍ଭଇଂ ଚକ୍ଷୁରେ, ଆପ ସମ୍ଭଇଂ ହୃଦରେ, ପୃଥି ଲଭିରେ । ଶ୍ରୀ ନାରାୟେଣ ପଚାରିଲେ ଶୁଣଇ ସେ କିୟେ, ଦେଖଇ ଯେ କିୟେ, ଦୃଷ୍ଟି ଯେ କିୟେ । ପୃଥି ଯେ କିୟେ, ଶ୍ରୀ ସଦାଶିବ କହିଲେ ଶୁଣଇଂ ବର୍ଣ୍ଣ, ଧାଇଂ ବାୟୁ ଦେଖାଇ ଦୃଷ୍ଟି, ଦ୍ରବଇ ଆପନିଶ୍ଚଳ ପୃଥ୍ୱୀ, ଶରୀରାର୍ଥ ପରମାର୍ଥ ତାଳୁଅନନ୍ତ ଶେଯ୍ୟାବୋଲି, ହାଧେ ଚକକେ ବ୍ରହ୍ମାଣ୍ଡ ହାଣିର ବୋଲି କାଉଁରି ମଣ୍ଡଳ ଲଲାଟ ପାଟିକି ବୋଲି ତ୍ରିକୂଟ ତାଳୁ ବୋଲି”

 

[(* -ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ-ପୃ-୪୬)

ପୃ- ୯୭]

 

ବଳରାମ ଦାସଙ୍କ ଗ୍ୟାନଚୂଡ଼ାମଣି

 

“ଏ ଗଲେ ସବୁଗଲା । ଆଉ ଯିବାକୁ ବାଟନାହିଂ । ୟେହିଟି ତୁ । ଏହି ଗଲେ ପ୍ରାଣୀମାନେ ମରନ୍ତି । ଏହାର ନାମ ସହଜ ପରମ । ଛାଡ଼ିଦେଲାଇଂ ସେ । ତେତେବେଳେ ଜୀଇଂଲୁ । ବେତାମୁଖ ବୁଜି ନାସିକା ବାଟରେ ପଞ୍ଚବାଇ ଟେକିଟି । ଶୁଣ ଶିଷ ଟେକିଲା । ଗୁରୁବୋଇଲେ ପରମ ଆତ୍ମାଟି । ବାହାରକୁ ଗଲେ ଜୀବବୋଲାଇ, ବ୍ରହ୍ମ ଯେ ତାହା କହିବା ।. ଗୁରୁବୋଇଲେ ଏହି ନିଶବଦଟିୟେ, ରୂପବର୍ଣ୍ଣ ଚିହ୍ନ ନାହିଂଟି । କରପାଦ କର୍ଣ୍ଣନାଶା ମୁଖ ଏହାର ନାହିଁଟି । ବ୍ରହ୍ମ ଏହିଟି । ତହିଁରୁ ପରମ କ୍ଷେରୁଛି, ଆସୁଛି ଯେ ବ୍ରହ୍ମରୂପ ପରମ । ଆଉ ଅଛି ଯେ, ଯେ କେସେ । ପରମରୁ କ୍ଷରୁଛି ଜୀବା, ଦୁଇ ନୟନ ନାସାକୁ ତ୍ରିକୂଟ କହି, ପରମ ଯେ ଶ୍ୱେତବର୍ଣ୍ଣ । ଜୀବ ନୀଳବର୍ଣ୍ଣ । ମୁଖ ଛାମୁଦାନ୍ତ ମୂଳରେ ଝର ଝର ବହୁଅଛି । ତାକୁ ତ୍ରିବେଣୀ ବୋଲିଟି । ସେ ହଂସ ପାଦରୁ ବହୁଛି । ପରମର ପାଦେ ଜୀବର ପାଦେ । ବାହାରକୁ ଯେବେଯାଇଂ ଜୀବପାଦ ବୋଲି । ଭିତରକୁ ଆଇଲେ ପରମ ପାଦବୋଲି । କାଳକମଳ ନିରଂଜନ । ନିଜେ ପଚାରୁଛି । ତାହାକୁ ଚକ୍ଷୁବୋଲି । କଳ୍ପନା ଯେ କାଳ ସେ । ଶ୍ୱେତ ଯେ କମଳ ସେ । କଳାଟି ଜୀବ । ଧଳାଟି ପରମ, ଜ୍ୟୋତିଟି ବ୍ରହ୍ମଂ । ଏତିନି ତ୍ରିକୂଟ । ଅର୍ଦ୍ଧ ଯେ ଅଧରକୁ କହିଂ । ଉର୍ଦ୍ଧ ଯେ ପରମକୁ କହିଂ । ମଧ୍ୟ ଯେ ଜୀବକୁ କହି । ଋକବେଦ ମୁଖ । ଯଦୁର୍ବେଦ ନୟନ । ସାମବେଦ ଶ୍ରବଣ । ଅଥର୍ବବେଦ ନାସିକା । ଶିଶୁବେଦ ବୋଲି ଶୂନ୍ୟକୁ । ଦୁଇକରେ ଦୁଇ କର୍ଣ୍ଣ ବୁଜିବ । ତହିଂଯେଉଁ ଧୂନି ଶୁଭିବ ସମୁଦ୍ର ଗର୍ଜନ ପରାୟେ । ତାହାକୁ ଗୋଲାହାଟ କହି । ନୟନ ଦୁଇ ନାସିକା ଦୁଇ । କର୍ଣ୍ଣ, ଦ୍ୱାରଚାରି ଦଶଦ୍ୱାର ୟେହି । ତାଳୁକା ସଳଖେ ଯେଉଁଦ୍ୱାର ତାହାକୁ ବ୍ରହ୍ମରଂଧ୍ରବୋଲି । ଚନ୍ଦ୍ର ଯେ ଜୀବ । ସୂର୍ଯ୍ୟ ଯେ ପରମ, ଉର୍ମ ମୁଖ, ଧୂର୍ମ ନାସିକା, ଜ୍ୟୋତିନୟନ ଜାଳା କର୍ଣ୍ଣ, ଆହାର ମୁଖ, ମୈଥୁନ କର୍ଣ୍ଣ, ନିଦ୍ରା ନୟନ, ବାଇ ନାସିକା, ୟେ ଆଠ କଳା, ପରମ ଆତ୍ମା ବାରଆଙ୍ଗୁଳିରେ ଆସୁଛି । ୟେହାର ବାରକଳାୟେ । ଜୀବଆତ୍ମା ଯାଉଂଅଛି ବାରଆଙ୍ଗୁଳିରେ, ତାହାକୁ ବାରକଳା ବୋଲି । ଏମନ୍ତ ବୋଲି ଉଦେ ଅସ୍ତଂ ହେଉଂଅଛି । –ଅଣଅକ୍ଷର ଯେ ବ୍ରହ୍ମ । ଏକାକ୍ଷର ଯେ ପରମ ।- ନିଶବଦ ପରମକୁ କହିଂ । ଶବଦ ଜୀବକୁ କହିଂ, ଅନହତ ବ୍ରହ୍ମକୁ କହିଂ, ଶବଦ ଶିଶୁବେଦକୁ କହିଂ, ଠୁଳ ଯେ ଜୀବକୁ କହିଂ, ଅଧ ଯେ ମାତାଟି, ଉର୍ଧ ଯେ ବିନ୍ଦୁଟି । -ଅଣଅକ୍ଷର ଚକ୍ଷୁ ବୁଜିବାକୁ କହିଂ ଅକାର ଅନାଇବାକୁ କହିଂ । ପରରଜ ସସବଦ ଅବନା ଆଠଅକ୍ଷର, ହରେରାମ କୃଷ୍ଣ ଛଡ଼ବୀଜ ।

 

ବ୍ରହ୍ମ ଯେ କୃଷ୍ଣ ସେ । ରାଧିକା ପରମ ଦୂତିକା ଜୀବ, ବଇଂଶି ଅନହତ ଧୂନିକି କହିଂ । କଦମ୍ବ ଫେଣାକୁ କହିଂ,-କାଳିନ୍ଦୀ କାଳକୁ କହିଂ, ସତଏକ, ଶାନ୍ତି ଦୁଇ, ସମ ତିନି, ଅହିଂସା ଚାରି, ଗ୍ୟାନ ପାଞ୍ଚ, ଦୟା ଛ, କ୍ଷମା ସାତ, ଆମାୟା ଆଠ, ଅକ୍ରୋଧ ନଅ, ନିର୍ଲୋଭ ଦଶ, ଧୀର ଏଗାର, ଧଉର୍ଯ୍ୟ ବାଆର, ଦ୍ୱାଦଶ ବୃନ୍ଦାବନୟେ, ଈଶ୍ୱର ଘଟିକା ଷୋଳକଳା, ଷୋଳ ସହସ୍ର ଗୋପୀ, ପାଞ୍ଚମନ ପଚିଶ ପ୍ରକୃତି । ଇନ୍ଦ୍ରିଗଣ, ବାଇ, ଗୋରୁବଚ୍ଛାୟେ ।- - ଶୁଣି ଶିଷ ପ୍ରଳମ୍ବିତ କଲା । ନିସ୍ତରିଲି ପ୍ରଭୁବୋଲି ପ୍ରଳମ୍ବିତ ସହସ୍ରେ କଳା, ଏ ଗ୍ୟାନପାଇଂ ମୋହଜୀବ ଉଧାର ହୋଇଲା, ଆସିବା ଯିବା ପରଚେ ପାଇଲା, ଶ୍ରୀଗୁରୁ ଆଗ୍ୟାରେ- ଏ ଗ୍ୟାନଚୂଡ଼ାମଣି ବଳରାମ ଦାସଙ୍କ କୃତ୍ୟ, ସଦାଜୟେ ସମ୍ପୂର୍ଣ୍ଣ ।

 

[ଗ୍ୟାନ ଚୂଡ଼ାମଣି ପୃ-୨୧୩ ଓଡ଼ିଆ ସାହିତ୍ୟର ଇତିହାସ ତୃତୀୟ ଭାଗ ପଞ୍ଚସଖାର ସାହିତ୍ୟ ଡଃ ବଂଶୀଧର ମହାନ୍ତି ପ୍ରକାଶକ-ଫ୍ରେଣ୍ଡସ୍ ପବ୍ଲିଶର୍ସ ବିନୋଦ ବିହାରୀ କଟକ-୧୯୭୭-ପ୍ରଥମ ପ୍ରକାଶ ।]

 

ଜଗନ୍ନାଥ ଦାସଙ୍କ ତୁଳାଭିଣାରୁ (୧)

 

ଗୁଣପୁତାରେ ବ୍ରହ୍ମଗ୍ୟାନ । ସାଧିପାରିଲେ ଅଜାମ୍ବର ହେବୁ । କାଳ ଘଉଡ଼ିବୁ । ପାତକ ଖଣ୍ଡିବୁ । ଶୁଣ ପୁତାରେ ପ୍ରଥମେ ମହାଶୂନ୍ୟ । ଏଠାରେ ଦୃଷ୍ଟିଦେବୁ । ନାସାଦ୍ୱାରେ ଦ୍ୱାଦଶ ଆଙ୍ଗୁଳ ପବନ । ସେ ପବନ ଅଗ୍ରେଟି ରାକାର ଶବଦ । ତାହାକୁ ଚିତ୍ତ ବୃତ୍ତିମନ ଏକକରି ଦେଖିବୁ । ଅର୍ଦ୍ଧମାତ୍ରା ଶୂନ୍ୟକୁ ଚିତ୍ତଦେବୁ । ନାସାଦ୍ୱାରେ ଦ୍ୱାଦଶ ଆଙ୍ଗୁଳ ପବନ । ରବିବାର କଳାକହି । ଶୁଣପୁତାରେ କର୍ଣ୍ଣ,ଚକ୍ଷୁ,ନାସା,ମୁଖ,ଊର୍ମ,ଧୂର୍ମ, ଜ୍ୟୋତି, ଜ୍ୱାଳା ଏ ଚାରିକଳା ପୁତାରେ ରବିବାର କଳାରେ ଖଞ୍ଜିବୁ । ନାସାଗ୍ରେ ଚାହିଂବୁ । ୟେକ ଦୃଷ୍ଟିକରି ଚିତ୍ତ ମହାଶୂନ୍ୟରେ ରଖିବୁ । ଶୁଣ କହିବା ପୁତାରେ ଯୋଗର ବିଚାର । ମୁଖରେ ଊର୍ମକଳା । ୟେ କଳାକୁ ସ୍ଥିର କରିବୁ । ନାସାରେ ଧୂର୍ମକଳା । ଏ କଳାକୁ ପୁତାରେ ଦୃଷ୍ଟିକରି ଜଗିବୁ । ନାସାରେ ପବନ ଦିନକୁ ଦିନ (୨) ଉ ଜାଣି କରିଯିବୁ । ଷୋହଳ କଳା । ପୁତାରେ ବାମ ପୁଡ଼ାନାସାରେ ବହଇ । ଏହିଟି ପ୍ରଳୟ ଜଳ । ୟେଅଙ୍ଗ ମହାକାଳ, ୟେହାକୁ ଜଗିଥିବୁ । ଏହିଟି ଅର୍ଦ୍ଧମାତ୍ରା ପ୍ରାଣୀମାନଙ୍କୁ ନାଶକରଇ, ୟେହାକୁ ଜଗିଲେ ପୁତାରେ ଅଜାମ୍ବର ହୋଇ । ୟେ ଦୁଇଘଡ଼ି ଉଦଏ ଅସ୍ତ ହୋଉଅଛି । ଡାହାଣ ଅଙ୍ଗପୁଡ଼ାରେ ସୂର୍ଯ୍ୟଙ୍କର ଦୁଇଘଡ଼ି, ୟେ ଦୁଇ ଘଡ଼ି ପୁତାରେ ଭୋଗାଙ୍ଗ । ୟେ ଦୁଇଘଡ଼ିରେ ଅନ୍ନଭୁଞ୍ଜିବୁ । ଚନ୍ଦ୍ରଘରେ ପୁତାରେ କିଛି ନ ଛୁଇଂବୁ । ଭକ୍ଷିଲେ ପୁତାରେ ଅବଶ୍ୟ ମରିବୁ, ରୋଗୀହେବୁ । ହାଇହେବ, ଛିଙ୍କହେବ । ନିଦ୍ରାହେବ, ମଇଥୁନ ସପନ ସୁନ୍ଦରୀ ହରିବ, ଶୁଣ ପୁତାରେ ଚନ୍ଦ୍ରଘରେ ଖାଇଲେ ଏତେକ ବ୍ୟାଧି ଜାତହୋଅଇ, (୩) ରବିରେ ଭୁଞ୍ଜିଲେ ପୁତାରେ ଅଗ୍ନିପଡ଼ି ଭସ୍ମ ହୋଅଇ, ସକଳ ବ୍ୟାଧିନାଶ ଯାଇ । ଏହି କଥାଧରି ପୁତରେ ଯୋଗସାଧନ କର, ଯୋଗାଧି ହୋଇବୁ କାଳଘଉଡ଼ିବୁ । ଶୁତା ପୁଣରେ ମୁଖରେ ସ୍ୱାଦୁକଳା ୟେହାକୁ ମାରିବୁ ନାସାର ଚନ୍ଦ୍ର ସୂର୍ଯ୍ୟ ପବନ ଘର ଭିତରେ ରଖିବୁ ସ୍ତମ୍ଭୀଭୂତ କରିବୁ । ଚନ୍ଦ୍ର ଘରକୁ ମନଯାଇଂ ନଦେବୁ । ପବନର ଘର ସେହିଠାରେ ପବନକୁ ଛଳିବୁ, ସ୍ତମ୍ଭୀଭୂତ କରି ନେଇ ନାଭିପଦ୍ମରେ ରଖିବୁ । ମେରୁରେ ଖଞ୍ଜିବୁ । ମେରୁଦଣ୍ଡାରୁ ନାଭି ଏକତ୍ୱ ହୋଇ ଲାଗିବ ।

 

ପବନକୁ ସେହିବାଟେ ଚଳାଅ, ନୟନରେ ପୁତାରେ ମନଘର କରିଛି । ଦୃଷ୍ଟିରେ ଦେଖିଲେ ପୁତାରେ ନୟନ ନିଶ୍ଚଳ କର, ଦୃଷ୍ଟି ଜ୍ୟୋତିରେ ରଖ ।

 

କର୍ଣ୍ଣରେ ଶୁଣିଲା କଥା ପୁତାରେ ମନରେ ନ ଘେନିବୁ । ମହାଜ୍ୱାଳାବଳିଟି ସେ ଏ କଳା । ନାସା ଧୂର୍ମକଳା ପୁତାରେ, ସୁଗନ୍ଧ ଦୁର୍ଗନ୍ଧ ଏମାନଙ୍କୁ ପୁଣରେ ଏକକରି ଘେନିବ । ଡାହାଣ ପୁଡ଼ାରେ ପୁତାରେ, ସୁଗନ୍ଧ ଭୁଞ୍ଜିବୁ । ବାମହୋଇ ଶୋଇବୁ । ଟଳଟଳିଆ ନୋହିବୁ । ନାସାଅଗ୍ରକୁ ଚାହିଁବୁ । ମନ ଚଇତନକୁ ଜ୍ୟୋତିରେ ରଖିବୁ । ଶୁଣ ପୁତାରେ ଅଙ୍ଗ ଲେଉଟାଇବୁ ନାହିଁ । ଭୂତପ୍ରେତ ଦେବ ଦେବୀ ପୁତାରେ ନିଶାରେ ଡରାନ୍ତି, ତପଭଗ୍ନ କରନ୍ତି । ତାକୁ ସୁତାରେ ନୟନେ ନ ଦେଖିବୁ । ନିର୍ଭୟେ ହୋଇବୁ । ପ୍ରଥମ ରାତ୍ରରେ ପୁତାରେ ଅଳପ ଶୋଇବୁ । ରାତ୍ର ଉଜାଗରେ ପୁତାରେ ବଞ୍ଚିବୁ । ଉଦେ ଅସ୍ତ ପୁତାରେ କିଞ୍ଚିତ ଆହାରେ ବଞ୍ଚିବୁ । ପବନ ଆହାର କଲେ ପୁତାରେ ଯୁଗେ ଯୁଗେ ଥିବୁ, ଅତିକଷ୍ଟ ପୁତାରେ ଯୋଗସାଧିବାର । ସାଧିପାରିଲେ ପୁତାରେ ହେବୁ ଅଜାମ୍ବର । ଯମରାଜାକୁ ପାଦତଳେ ଖଟାଇବୁ । ଯୁଗଯୁଗାନ୍ତରେ ପୁତାରେ ଏ ଦେହ ଧରିଥିବୁ । *

 

[* ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ-ସଂ: ଡଃ ଆର୍ତ୍ତବଲ୍ଲଭ ମହାନ୍ତି

ପୃ ୪୭-୪୮

ତୁଳାଭିଣା (ଓଡ଼ିଆ ଜଗନ୍ନାଥ କମ୍ପାନୀ, ବାଲୁବଜାର, ପୋ:ଅ-ଚାନ୍ଦନୀଚୌକ) ପୁସ୍ତକ ପାଠସହ ତୁଳନା କରନ୍ତେ ସାମାନ୍ୟ ପ୍ରଭେଦ ପରିଲକ୍ଷିତ ହେଲା –

 

ପୁସ୍ତକ ପାଠ- ଅଜାମ୍ବର ସ୍ଥାନରେ ଅଜ୍ରାମର (* ଅଜରାମର)ଉଜାଣି କରିବୁ ସ୍ଥାନରେ ଊଣା କରିବୁ, (୩) ବ୍ୟାଧିଜାତ ହୁଅଇ ପରେ ଅଧିକ ପାଠ ‘ଅନ୍ନ ପଛଇ’ । ଇତ୍ୟାଦି]

 

ଚାରି ଖାନି

 

ଯହିଁ ରମିଲେ ନରୁତଇ ଆନ

ତାହାଶୁଣି ଜାଣି ଯେତେହିଁ ରତ

ଏହାର ତହିଁ ଜଗତ ପ୍ରକାଶ

କାହିଁ ଜାଣିମେ ସେ ନୁହଁଇ କିଛି

 

 

 

 

କେବଳ ତାହା ତହିଁ ଭାବଅଛି

ସେହି ନ ଜାଣିଲେ ତଥିତଦନ୍ତ

ତପବଳେ ଅବା ହୋଇଲେ ତେଡ଼େ

ସଂସାର ଅବାକଲା କରଚନା

 

 

 

 

ବେଦ ଭିତରେଣ ସୃଷ୍ଟି ପାତନା

ବିଦ୍ୟାହିଁ ଭିନେ ଜ୍ଞାନବୋଲି ଯେଟି

ସବୁନ୍ତି ସବୁକରି ଅଛିମନ

ଦିଶନ୍ତାକୁ ଚାହିଁ ଦେଖନ୍ତା ଅନ୍ଧ

 

 

 

 

ଅନ୍ୟ ଜନ୍ତୁମାନେ ଅଛନ୍ତି ଯେହୁ

କେତେକ ଗଢ଼ିଲେ ମାନବଦେହୀ

ଏତେ ମାନହେତୁ କାହିଁ ଜାଣନ୍ତି

ଯିସ ହୋଇଥିଲି ବାଳୁତ ଭାବେ

 

 

 

 

ମୋହ କଥାକୁ ମୁଁ ପର ମାଣିଲି

ଏହାର ନଥିଲେ ମୁଁ କାହିଁ ଲେଖା

ଜଣେ ହେଁ କେହି ବାହୁଡ଼ି ନଇଲେ

ଏଥିକୁ ସଖୀ ନ କରିବା କିକେ

 

 

 

 

ରାତ୍ର ଦିବସେ ଲୋଡ଼ୁଥାଇ ତାହି

ଅପାର କାରଣ କୋଇଲା କିନା

ଆହା ମନ ତୁ ଯେ କେର୍ନେନାଗର

କାହା ହୋଇନାହୁଁ ଦେହ ନିମନ୍ତେ

 

 

 

 

ଦେହ ନାଶକେ ତୁ ରହିବୁ ନାହିଁ

ହେନ ବିପରୀତ ପତିକି ତାହାର

ତେଡ଼େ ମନଦେହ ଛାଡ଼ଇ ଜୀବ

ଗଢ଼ିପାରିବେକି ଏଥୁଁ ଗୋଟିଏ

 

କେହୁଣି ମୋତେ ନୁହଇ ନିବୃତ୍ତି

ଶୁଣସି ହୋ ମନ ଏହୁ ସିଦ୍ଧାନ୍ତ

 

 

* ମୁଖବନ୍ଧ ପୃ ‘ଡ’-ପ୍ରାଚୀନ କାବ୍ୟଧାରା ସମ୍ପାଦନା ଡଃ କୃଷ୍ଣଚରଣ ସାହୁ ।, “ଅଚ୍ୟୁତା ନନ୍ଦ ଗୋସାଇଁକି ଚାରିଖାନି ଷୋଡ଼ଶ ଶତାବ୍ଦୀର ଏକ ବିଶିଷ୍ଟ ରଚନା । ଏହାର ରଚନାକାଳ ହେଉଛି ପ୍ରତାପରୁଦ୍ରଙ୍କ ୨୫ ଅଙ୍କ ବା ୧୫୧୬ ଖ୍ରୀଷ୍ଟାବ୍ଦ । କୌଣସି ଲିପିକାର ଏ ଗ୍ରନ୍ଥରେ ପ୍ରତାପରୁଦ୍ରଙ୍କ ସ୍ମୃତି ବା ବନ୍ଦନାଦ୍ୱାରା ପ୍ରଭାବିତହୋଇ ପ୍ରତାପରୁଦ୍ରଙ୍କୁ ଗ୍ରନ୍ଥର ରଚୟିତାରୂପେ ଉଲ୍ଲେଖ କରିଥିବା ଦେଖାଯାଏ । କିନ୍ତୁ ଚାରିଖାନିର ବହୁ ପ୍ରତିଲିପି ଦ୍ୱାରା ଏହା ପ୍ରମାଣିତ ହୁଏନାହିଁ ଏବଂ ଅଚ୍ୟୁତ ଗୋସାଇଁ ହିଁ ଏହାର ସ୍ୱନାମଧନ୍ୟକବି “ପୃ- ‘ଠ’ ମୁଖବନ୍ଧ,

 

କୁମାର ବୋଧ ଲେଖନ

ଶ୍ରୀ ଗଣେଶାୟ ନମଃ

କୁମାର ଉବାଚଃ ॥ ଶ୍ଳୋକଃ ॥

 

ୟେକ କୃକ୍ଷତ୍ରିୟ ଶାଖା ପତ୍ର ଚତ୍ୱାରି ମେବଚଃ

ବେନି ଫଳ ଛଡ଼ ସ୍ୱାଦତତ୍ତ୍ୱ ବୁଝ ହେ ପଣ୍ଡିତ ।

 

ଅର୍ଥ- ହେ ପୁତ୍ର ୟେକ ବୃକ୍ଷ ଯେ ନିରଞ୍ଜନଟି, ତ୍ରିଶାଖାଯେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଟିି, ପାତ୍ର ଚାରି ଯେ, ଋକ ଯଜୁ-ଅଥର୍ବ ଶାମ ଚାରିବେଦୟେଟି । ବେନି ଫଳ ଯେ ଚନ୍ଦ୍ର ସୂର୍ଯ୍ୟଟି । ଛଡ଼ ସ୍ୱାଦଯେ ଛଡ଼ଋତୁଟି, ଗ୍ରୀଷ୍ମ-ବର୍ଷା-ଶରତ-ହେମନ୍ତ ଶୀତ ବସନ୍ତ । ୟେକାବୃକ୍ଷ ଯେ ଶରୀର ନିମଞ୍ଜି ବୁଝ ।

 

କୁମାର ଉବାଚଃ । ଭୋଗୁରୁ ପ୍ରସନ ହୋଇବା । ପ୍ରସନ ହୋଇ ପ୍ରସାଦ କହିବା । ଭୋଗୁରୁ ଶ୍ୱରୀରେ ହାଥ ମାରି କହିବା । ସୋରପ ଦେଖାଇବା । ଅର୍ଦ୍ଧ ଉର୍ଦ୍ଧ କାହାକୁ ବୋଲି । ଉତ୍ପତ୍ତି ପ୍ରଳେ କାହାକୁ ବୋଲି, ଠୁଳ ଶୂନ୍ୟ କାହାକୁ ବୋଲି, ତ୍ରିୟ କମଳ କେ, ଅଷ୍ଟଫାଶି କେ, ସପ୍ତ ଧାତୁ କେ, ପଞ୍ଚସ ପ୍ରକୃତି କେ,ଅଣଚାସ ପବନ କେ,କଉଁ ପାଖୁଡ଼ାରେ କଉଁ ପବନ ବସଇ । ପଞ୍ଚ ଧାତୁ କେ, ଚୈତନ କେ, ନାଦବିନ୍ଦୁ କେ, ପବନ କଉଁଠାରୁ ସଞ୍ଚରୁ ଅଛି । କେବଣ ପାଖୁଡ଼ା କେବଣ ବର୍ଣ୍ଣ । ପବନ ନିଜ ଘର ସ୍ଥାନ କେ, କୁଣ୍ଡଳୀ ନାଡ଼ୀର ସ୍ଥାନ କେ, ଦେହରେ ସ୍ୱର୍ଗ ମଞ୍ଚ ପାତାଳ କେ, କେତେ ଚନ୍ଦ୍ର କେତେ ପାଖୁଡ଼ା । କେବଣ ପାଖୁଡ଼ା କେବଣ ବର୍ଣ୍ଣ । କେବଣ ପାଖୁଡ଼ାରେ କେବଣ ଦେବତା । କେବଣ ପାଖୁଡ଼ାରେ କେବଣ ଅକ୍ଷର । ଦେହରେ କେତେ ଡମ୍ବରୁ, କେତେ ଦୀପ । କେତେ ସମୟ ୟେ ଗ୍ରହ ।

 

ୟେ ବିଧି ଦେହଧରି ।

ଶୁଣ ପୁତ୍ରଧର ହେତୁ ବୁଜ

କୁମାର ଉବାଚଃ ।

ଭୋଦେବ ଉଂକାର ସ୍ଥାପି ପରମାର୍ଥ ଦେଖାଇବା ହେଉ ।

 

ଈଶ୍ୱର ଉବାଚଃ । ୟେ ସେ ପରମାର୍ଥଟି । ଆକାର ଉଂକାର ମକାର । ଆକାର ଉଂବ୍ରହ୍ମ । ଉଂକାରରୁ ବିଷ୍ଣୁ । ମକାରରୁ ମହେଶ୍ୱର । ସିଧିରସ୍ତୁ । ୟେ ଚାରିଅକ୍ଷର ନିମଞ୍ଜିବୁଝ । ଏଥି ଉଦେ ଅସ୍ତଟି । ଚିଆଚଇତନକୁ ବୋଲିଟି । କାଳ କଳିପନାକୁ ବୋଲିଟି । ଠୁଳ କାୟାକୁ ବୋଲିଟି । ହେ ପୁତ୍ର ପୃଥୀ । ୧ ॥ ଆପ ୨ ॥ ତେଜ ୩ ॥ ବାୟୁ ୪ ॥ ଆକାଶ ୫ ॥ ଅହଂକାର ୬ ॥ ବୁଧି ୭ ॥ ମନ ୮ ॥ ୟେହାକୁ ଅଷ୍ଟଫାଶି ବୋଲିଟି । ୟେ ଅଷ୍ଟଫାଶି ଫିଟିବାକୁ ଅଜପା ଗାୟତ୍ରୀ ୮ ଅକ୍ଷରଟି । ଓଁ ପର ରଜ ସସ ବଦ । ଗୋଡ଼ି ଦୁଇ ଆଙ୍ଗୁଳିରେ ଦେହଯାକ କାଂକୁରି ହୋଇବ । ମନର ଅଷ୍ଟବାର ସ୍ମରିବ । ପର ଧନ ପର ରମଣୀକି ଚିତନ ବଳାଇଦ । ଶୁଣ ପୁତ୍ରଧର ହେତୁ । ଲାଳ ୧ ॥ ରକ୍ତ ୨ ॥ ଆପ ୩ ॥ ତେଜ ୪ ॥ ହାଡ଼ ୫ ॥ ଚର୍ମ ୬ ॥ ବିନ୍ଦୁ ୭ ॥ ଶ୍ୱରୀରେ ସପ୍ତାଧାତୁ ୟେ ଶ୍ଳୋକଃ । ହୃଦେ ପ୍ରାଣ ଗୁହେ ଗ୍ୟାନ ସମାନ ନାଭିଦେଶଙ୍କ ଉଦାନ କଣ୍ଠ ଦେଶେଞ୍ଚ ସର୍ବଶ୍ୱରିରେ ଚିହ୍ନକଂ । ପ୍ରାଣ ୧ । ଆପାନ ୧ ॥ ସମାନ ୩ ॥ ଉଦାନ ୪ ॥ ବ୍ୟାନଃ ୫ ॥ ଆରମ୍ଭ ୬ ॥ ପଞ୍ଚିସ ପ୍ରକୃତି ୟେହାଙ୍କ ମୁଳେଟି । ପବନ ୟେକ । ୟେହାଙ୍କ ମୁଳେ ଅଣଚାସ ପବନଟି ୪୯ ॥ ମୁଳ କମଳ ଚାରି ପାଖୁଡ଼ାରେ ଚାରି ପବନଟି । ଦୁଇ ପାଖୁଡ଼ାକୁ ଫେରଇ ଦୁଇ ପବନଟି । ଶକୁନି ନାଳକୁ ଫେରଇ ଦୁଇ ପବନଟି । ଶକୁନି ନାଳକୁ ଫେରଇ ମୋହଟି । ଅପବନ ଡାହାଣ ଗୋଡ଼କୁ ଫେରଇ । କୁଉଦ୍ୟାନକ ପବନ । ବାମ ଗୋଡ଼କୁ ଫେରଇ ସାଧନେକ ପବନ । ଏହା ମୂଳକୁ ସଞ୍ଚରଇ ସାଧିବୁନା ପବନ । ନେଉଟାଇ ଶଙ୍ଖୁନୀ ନାଳକୁ ସାଧନେକ ପବନ, ୟେ ଚାରିବିଧି ପବନ, ଗୋଡ଼ଦୁଇ ପଦ୍ମ ଆସନେ ବସିବ । ମୁଳ କମଳରୁ ପାଇବ । ୟେ ଚାରି ପବନ ୟେକ ହୋଇଲେ ନିଳାଙ୍ଗକୁ ଫେରଇ । ନିଳାଙ୍ଗ କମଳ ଛଡ଼ ପାଖୁଡ଼ାରେ ଛଡ଼ ପବନ ଦୁଇ ବୀଜକୁ ଫେରଇ । ଦୁଇ ପବନ ଇନ୍ଦ୍ରିକି ଫେରଇ । ଉର୍ଦ୍ଧମୁଖ ହୋଇ ଉପରକୁ ଫେରଇ ଦୁଇ ପବନ ମତପବନ, ସପ୍ତପବନ, ୟେ ଦୁଇ ପବନ ଇନ୍ଦ୍ରି ମୂଳେ । ରିଖ ପବନ, ଲଳିତ ପବନ, ଦୁଇ ୨ ॥ ଦଶପବନ ୧୦ ॥ ଉପରକୁ ଫେରଇ ସାତ ପବନ ୭ ॥ ତଳକୁ ଫେରଇ ପାଞ୍ଚ ୫ ପବନ, ଡଢ଼, ଶତଥ ୟେ ପାଞ୍ଚ ୫ ପବନ ॥ ଇତ୍ୟାଦି :-

[*- ରଚୟିତା-ଶିଶୁ ଅନନ୍ତ, ସଂପାଦନା ଡଃ ରତ୍ନାକର ସାହୁ ।

ଏଷଣା-୨ୟଭାଗ ୧୯୮୧-ସଂପାଦନା-ଡଃ କୃଷ୍ଣ ଚରଣ ବେହେରା ଏବଂ ଅନ୍ୟମାନେ, ପୃ-୮୬ ଦେଖ,]

 

ମାଦଳା ପାଞ୍ଜୀ

ଅନଙ୍ଗଭୀମ ଦେବଙ୍କ ପୁରୀ ମନ୍ଦିର ତୋଳା

 

୧ମ ପାଞ୍ଜୀମତେ:- ଏ ଉତ୍ତାରେ ଅନଙ୍ଗ ଭୀମଦେବଙ୍କ ସାନଭାଇ ଭୀମପରି ରାଏଙ୍କୁ ଭୀମନଗର ଦଣ୍ଡପାଟୁଂ ଆଣି ରାଜାକଲେ, ଏ ଦୂତୀଅନଙ୍ଗ ଭୀମଦେବ ହୋଇଲେ । ଏ ରାଜା ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି । ଏମନ୍ତରେ ଏକ ଦିନକରେ ରାଜାଏ ବିଜେକରି ଆସି ମହାନଦୀ ପାରହୋଇ ଏ ନଦୀରୁ ଦକ୍ଷିଣ ତୀରରେ ଦେଖିଲେ କୋଦଣ୍ଡା ଦଣ୍ଡପାଟର ବାରବାଟି ଗ୍ରାମରେ ବିଶ୍ୱେଶର ଦେବଙ୍କର ସନିଧେ ଶାମଳ ପକ୍ଷୀକି ବକ ମାଡ଼ି ବସିଛି । ଏହା ଦେଖି ରାଜାଏ ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭଯୋଗ ଦିନରେ ଏ ବାରବାଟି ଗ୍ରାମରେ ଶୁଭଦେଇ ନଅର ତୋଳାଇ କଟକ କରି ଏ କଟକ ନାମ ବାଜରାଶୀ କଟକ ବୋଲି ନାମଦେଇ ନଗର ଚଉଦ୍ୱାର କଟକ ଛାଡ଼ି ଆସି କଟକ କରି ରହିଲେ । ଥୋକାଏ ବରଷ ଗଲା ଉତ୍ତାରେ ଏକ ଦିନକର ରାତ୍ରରେ ରାଜା ପରମେଶ୍ୱରଙ୍କୁ ସପନରେ ଦେଖିଲାକୁ ପରମେଶ୍ୱରଙ୍କୁ ଦରଶନ କରିବାକୁ ପୁରୁଷୋତ୍ତମ କ୍ଷେତ୍ରକୁ ବିଜେକରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦରଶନ କରି ଛାମୁରେ ଶାଢ଼ି ପ୍ରସାଦ ଲାଗିହୋଇ ଶ୍ରୀ ନବରେ ବିଜେକରି ମୁଦଲ କରାଇଲେ । ଏ ମୁଦଲର ଭାଷା ଶ୍ରୀବୀର ଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟି କର୍ଣ୍ଣାଟ କଲବର୍ଗେଶ୍ୱର ଅଭିରାଏ ଭୂତଭୈରବ ଦୁଃଶାସନ ଅନୀକରଣେ ରାଉତରାଏ ଅତୁଳ ବଳପରାକ୍ରମ ସଂଗ୍ରାମ ସହସ୍ର ବାହୁ ଧୂମକେତୁ ଶ୍ରୀ ଅନଙ୍ଗଭୀମ ଦେବ ମହାରାଜାଙ୍କର ବିରଳ ଅ ୧୫ଙ୍କ ଶାହି ଫଗୁଣ ଶୁକ୍ଳ ୧୦ମୀ ତତ୍କାଳ ଏକାଦଶୀ ଗୁରୁବାରେ ଶ୍ରୀ ପୁରୁଷୋତ୍ତମ କଟକେ ଶ୍ରୀନବର ଦକ୍ଷିଣଘରେ ଦେବାର୍ଚ୍ଚନ ଅବକାଶେ ଅଭିନବ ଯଯାତିନଗର ବିଷ୍ଣୁ ଶ୍ରୀପାଦମୁଦଲେ ପୁରଚୌରୀ ନବରେ ବାଙ୍କିଆରେ ବିଜେ ସମୟେ ପାଶେ ପାତ୍ର ପରମହଂସ ବାଜପେଇ ଦାମୋଦର ପୁରୋହିତ, ମହାପାତ୍ର ନୀଳକଣ୍ଠ ରାୟଗୁରୁ, ମହାପାତ୍ର ବଳଭଦ୍ର ପ୍ରହରାଜ, ମହାପାତ୍ର ଚଇନି ପାଟଯୋଷି, ମହାପାତ୍ର ଦାମୋଦର ପଣ୍ଡା, ପାତ୍ର ଗଙ୍ଗାଧର ପଣ୍ଡା, ପାତ୍ର ଚକ୍ରଧର ପଣ୍ଡା, ପାତ୍ର ବିଧ୍ୟାଧର ପଣ୍ଡା, ପାତ୍ର ଜଗନ୍ନାଥ ପଣ୍ଡା, ପାତ୍ର ନୀଳକଣ୍ଠ ପଣ୍ଡା, ପାତ୍ର ଭୀମକର ପଣ୍ଡା, ପାତ୍ର ଗୋପୀନାଥ ପଣ୍ଡା, ପାତ୍ର ବଳଭଦ୍ର ପଣ୍ଡା, ପାତ୍ର ପୁରୀଦାସ ମିଶ୍ର, ଜେନା ବଡ଼ରାଏ, ନରସିଂହ ଦେଓ, ଅଜୟ ଦେଓ, ପରିରାୟ, ଅନନ୍ତ ଦେଓ, ପରିରାଏ ଈଶ୍ୱର ଦେଓ, ପରିରାଏ ଶତ୍ରୁ, ପରିରାଏ ହରିହର ଦେଓ, ପରିରାଏ ରାମଦେଓ, ପୋର ପାଞ୍ଜିଧର ପରୀକ୍ଷା ମିଥୁନ ପଣ୍ଡା, ପୋରଶ୍ରୀକରଣ ସୁରଯପୁର ନାୟକ, ମାରକଣ୍ଡ ମହା ସେନାପତି, ସମସ୍ତ ପାତ୍ର ଖଟନ୍ତି । ବୁଢ଼ାଲେଙ୍କା ଥାଇ ଠାକୁରେ ପୁରୁଣା ହୋଇ, ଏମନ୍ତ ବୋଲି ରିପ କରାଇଲେ, ଠାକୁରେ ଏମନ୍ତେ ବୋଲିଛନ୍ତି ଯେ, ଭୋ ଭବିଷ ମହାରାଜାମାନେ, ଦେବତା ବ୍ରାହ୍ମଣଙ୍କୁ, ବଳଭଣ୍ଡାରକୁ, ରାଜନୀତିଚଏକୁ ମଧ୍ୟ କରି ମୁଁ ଯେମନ୍ତ ପ୍ରକାରେ ଭିଆଣ କରିଦେଉଅଛି ଏଥିକି ତୁମ୍ଭେମାନେ ନପୁଣି ବୋଲି ସେ ଦେଇଗଲେ ଆମ୍ଭର କି ହୋଇଲା, ଆମ୍ଭେ କିମ୍ପା ଦବୁ ଏମନ୍ତ ନ ବୋଲିବି, ଏତ ଓଡ଼ିଶା ରାଇଜ ଯେ କେସରୀ ରାଜାମାନଙ୍କୁ ଆଦିକରି ଗଙ୍ଗବଂଶେ ଆମ୍ଭ ଛପାଟ ସରିକି ରାଜ୍ୟ ଆଏ ହେଉଥିଲା । ପୂର୍ବ ଦିଗେ ଅର୍କକ୍ଷେତ୍ର ସୋମୁଦ ତୀରଠାରୁ ପଶ୍ଚିଡେ ଭୀମନଗର ଦଣ୍ଡପାଟ ସରିକି ଦକ୍ଷିଣେ ଆଏ ହେଉଥିଲା, ଦକ୍ଷିଣେ ମହୋଦଧି ଉତ୍ତର ତୀରଠାରୁ କାଆଂସାଂ ସରିକି ଦକ୍ଷିଣେ ଆଏ ହେଉଥିଲା । ଉତ୍ତରରେ କାଆଂସ ବାଆଂସଠାରୁ ଦକ୍ଷିଣେ ଋଷିକୋଇଲା ନଦୀସରିକି । ଜିତସୁନା ପନ୍ଦର ଲକ୍ଷ ମାଢ଼େ ଏହି ଖଣ୍ଡମଣ୍ଡଳ ହୋଇଆଏ ହେଉଥିଲା ।

 

ରାଜ ମହେନ୍ଦ୍ର ଦଣ୍ଡପାଟ ସରିକି । ପଶ୍ଚିମେ ଆୟକଲୁ ଭୀମନଗର ଦଣ୍ଡପାଟଠାରୁ ବଉଦସୀମା ସୁନୁପୁର ସରିକି । ଏ ତିନିଦିଗକୁ ରାଇଜ ଆଏ କଲିଜିତ ସୁନା ୨୦ଲକ୍ଷ ମାଢ଼ । ଗାଏ ଦୁଇପଦକୁ ଜିତସୁନା ୩୫ଲକ୍ଷ ମାଢ଼ ଆଏ ହୋଇଲାକୁ ଦେବତାବ୍ରାହ୍ମଣକୁ ନାନା ନିଯୋଗକୁ ବଳ ପୋଷିବାକୁ ରାଜନୀତି ଭଣ୍ଡାର ସରିବାକୁ ନାନା ବଏକୁ ମଧ୍ୟକରି ଭିଆଣ କରିଦେଲୁ । ଭୋ ମହାରାଜାମାନେ ତୁମ୍ଭେମାନେ ଏହା ଅନ୍ୟଥା ନ କରିବ । ହରିଲାର ତ ପାପ ଶ୍ରୁତି ସ୍ମୃତି ବଚନମାନରେ ଶୁଣୁଥିବ । ଏଥକୁ ତୁମ୍ଭେମାନେ ଯେବେ ବଳୀ ଆର ପଣକରି ଲୋଭବଶରେ ହରିବ ତେବେ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣକୁ ଦ୍ରୋହ କଲାରୁ ଯେ ପାପ ତାହା ପାଇବ । ମୁଁ ଯାହା ଯଉଁ ପ୍ରକାରେ ଭିଆଣ କରିଦେଉଛି ଦେବତା ବ୍ରାହ୍ମଣଙ୍କୁ ଭୋଗକରାଇ ସେ ପ୍ରକାରେ ପରିପାଳନ କରୁଥିବ । ସାଆନ୍ତମାନଙ୍କୁ କଉଡ଼ି ଭାଗ ବରତନ ମାହୁନ୍ତମାନଙ୍କୁ ଦଶମାସି ଟଙ୍କା ବରତନ, ବାଣୁଆ ପାଇକମାନଙ୍କୁ ଦଶମାସି ଭୂମିଭାଗେ ଓହୋରି ବରତନ ନିଯୋଗ ସେବକମାନଙ୍କୁ ଆଉ ସମସ୍ତ ସେବକମାନଙ୍କୁ ମଧ୍ୟ କରି ଭୂମିରେ ଜିତସୁନା ବର୍ତ୍ତନ ଦେଇ ପରିବାର ପୋଷୁଥିବ । ଭଣ୍ଡାର ସରିବାକୁ ଯେଉଁ ପ୍ରକାରେ ରାଜ୍ୟରୁ ଘେନିବାକୁ ଭିଆଇଲା ଅଛି ସେ ପ୍ରକାରେ ଭଣ୍ଡାର ସରୁଥିବା ରାଜ୍ୟ ଯଉଁ ପ୍ରକାର ଭୂଇଁ ଭଳିରେ ମାଢ଼ ମୂଳକରି ସୁନା ଭିଆଇଲା ଅଛି ସେହି ପ୍ରକାରେ ପୁଷ୍ଟି ନଷ୍ଟି ଦେଖି କରଘେନି ପରଜାମାନଙ୍କୁ ପରିପାଳନ କରି ପୃଥିବୀ ଭୋଗକରି ସୁଖେ ସ୍ୱର୍ଗକୁ ଯିବ । ଭୋ ରାଜାମାନେ ସବୁଠାକୁ ଧର୍ମହିଁ ସେ କାରଣ, ରାଜ୍ୟରୁ ଏମନ୍ତ ମୁଦଲ କରାଇ ପାତ୍ରମାନଙ୍କୁ ଏମନ୍ତ ଆଜ୍ଞା ଦେଲେ । ରୁୟାଂ ପୁରାଣମାନଙ୍କୁ ଭୁଜରେ ଜୟକରି ରାଜ୍ୟ ଜିଣିଆଣିଲା ବାହାରେ ଯେ ଭଣ୍ଡାର ଧନମାନ ଅଣାହୋଇଲା ସୁନା ୪ ଲକ୍ଷ ମାଢ଼ ରତନମାନ ଆଣି ହୋଇଲା, ମୂଳ ପ୍ରମାଣେ ମାଢ଼ ୭ଲକ୍ଷ ୮୮ହଜାର । ଗାଏ ଦୁଇପଦକୁ ମାଢ଼ ଲ ୪୭୮୮୦୦୦କ୍ଷ ଆଣି ହୋଇଲା । ଏ ଆମ୍ଭର ଅରଜିତ ପଦାର୍ଥ, ଏଥୁଁ ଆମ୍ଭେ ଥୋକାଏ ପ୍ରମେଶ୍ୱରଙ୍କ ଆଡ଼ତିରେ ଲଗାଇବାକୁ ଏଥକୁ ଆମ୍ଭେମାନେ ଏମନ୍ତ କଳ୍ପନା କରୁଅଛୁଁ, ଯଯାତି ରାଜା ଯେଉଁ ପଟଳ ତୋଳାଇ ପ୍ରମେଶ୍ୱରଙ୍କୁ ବିଜେ କରାଇ ଅଛନ୍ତି । ସେ ପଟଳ ଗୋଟି ଅତିବଇତମ ହୋଇଲା, ଏହାଭାଙ୍ଗି ଶଏହାତ ଉଚ୍ଚେ ପ୍ରାସାଦ ଗୋଟିଏ ତୋଳାଇବା ପରମେଶ୍ୱରଙ୍କୁ, ଆୟତନ ଭିତର ଦେବତାମାନଙ୍କର ଦେଉଳ ଗୋଟାମାନ ଆନକରି ତେଳାଇବା, ଏଥକୁ ଥୋକାଏ ସୁନାଦବା । ପ୍ରମେଶ୍ୱରଙ୍କ ତଡ଼ାଉମାନ ଖଟଣି ଯୋଗାଡ଼ମାନଙ୍କୁ ମଧ୍ୟକରି ଥୋକାଏ ସୁନା ଥୋକାଏ ଦେବା ଏମନ୍ତ ଆମ୍ଭେ ବିଚାରି ଅଛୁ । ଏଥକୁ ପାତ୍ରମାନେ ଜଣାଇଲେ ଦେଓ ଏମନ୍ତ ଯେବେ ବିଚାରିବା ହୋଇଅଛ ଏଡ଼େ ହୋଇତ କଥାନାହିଁ । ଏ କଥାକୁ ବଡ଼ ଅବଧାନ ହୋଉ, ଧର୍ମସ୍ୟ ତ୍ୱରିତା ଗତି, ଧର୍ମ ବିଚାରିଲେ ବଡ଼ ବେଷକରି ଏତେ କେବଳ ଜଣାଉଅଛଁ ପ୍ରାସାଦ ଯେ ଶଏହାତ ଉଚ୍ଚ କରିବ ବିଚାରିବା ହୋଇଅଛ । ଶରୀର ନିତ୍ୟ ନୋହଇ ଏ ଅନିତି ଦେହ ଏ ବହୁତ କାଳଲାଗିବ, ଏଥୁଁ ଦଶହାତ ତୁଟି ନଉହାତ ହୋଇ ପ୍ରାସାଦ ହୋଇଲେ ବଡ଼ ବେଗହୋଇବ । ଏଥକୁ ରାଜାଏ ଆଗ୍ୟାଂଦେଲେ, ବିଚାରିବାରୁ ତୁଟିଲେ ଦୋଷ ହୋଇବ ପରା । ଏଥକୁ ପାତ୍ରମାନେ ଜଣାଇଲେ ଦେଓ ବିଘ୍ନହୋଇ ରହିଲେ ସେ ସବୁହିଁ ଅସାର ହୋଇବ । ଏଥକୁ ଠାକୁରେ ଅଗ୍ୟାଂଦେଲେ ହୋଉ, ନଉହାଥ ଉଚ୍ଚେ ପ୍ରାସାଦ ହେଉ ।

 

ଏମନ୍ତକୁ ଶିଳ୍ପୀ ଶାସ୍ତ୍ରମାନ ଦେଖ, କେଉଁ ପ୍ରାସାଦ ହେଲେ ବିଷ୍ଣୁଯୋଗ୍ୟ, ଏଥକୁ ଭଟ୍ଟମିଶ୍ରମାନେ କହିଲେ ପ୍ରାସାଦ ଯେ ଛତିଶ ପ୍ରକାରେ । ଏଥକୁ କୋଡ଼ିଏ ପ୍ରକାରେ ପ୍ରାସାଦ ଶ୍ରେଷ୍ଠ । ଏଥିଭିତରୁ ଶ୍ରୀବତ୍ସ ଖଣ୍ଡଶାଳ ହୋଇ ଯୋଉଁ ପ୍ରାସାଦ ସେ ପ୍ରାସାଦ ହରିର ବଡ଼ପ୍ରିୟ । ଏହାଶୁଣି ରାଜାଏ ଆଜ୍ଞାଦେଲେ ଏହି ପ୍ରାସାଦ ରୁଜୁ କରାଇବା, ଏଥକୁ ଦେଉଳ ତୋଳାକୁ ଦେଲେ ପରମହଂସ ବାଜପେଇ ମୂଳେ ସୁନା ୧୦ଲକ୍ଷ ମାଢ଼, ପ୍ରମେଶ୍ୱରଙ୍କର ଅଳଂକାରକୁ ସୁନା ସୁନା ୨ ଲକ୍ଷ ୫୦ ହଜାର ମାଢ଼ । ଗାଏ ଦୁଇପଦକୁ ସୁନାମାଢ଼ ୧୨ଲକ୍ଷ ୫୦ ହଜାର ଏ ଦେଉଳ ତୋଳାକୁ ଶୁଭଦେଲେ । ୧୫ ଅଙ୍କ ଫଗୁଣ ଶୁକ୍ଳ ଦଶମୀ ତତ୍‌କାଳ ଏକାଦଶୀ ବେଳ ୧୪ ଦଣ୍ଡକରି ପ୍ରମେଶ୍ୱରଙ୍କୁ ସମ୍ପୂର୍ଣ୍ଣେ ବୃଷଲଗ୍ନେ ଅଭିଜିତ ମୁହୂର୍ତ୍ତେ ତୋଳାଇ ଦେଉଳ ପ୍ରତିଷ୍ଠା ବିଜେକରାଇ ଭୋଗ ମଡ଼ଫୁଲ ଭିଆଲେ ।

 

କପିଳେଶ୍ୱର ଦେବ

 

ଆଦିପାଟ ସୂର୍ଯ୍ୟବଂଶରେ ଶ୍ରୀ ଜଗନ୍ନାଥ ଦେବ ଅବତାର ବୈବସ୍ୱତ ମନୁକୂଳେ ଗଙ୍ଗବଂଶ ମତ୍ତଭାଣୁଦେବ ଉଚ୍ଛାଦି ସୂର୍ଯ୍ୟବଂଶକୁ ଆଦିପାଟ ବୈବସ୍ୱତ ମନୁକୂଳେ ବୀରାଧିବୀର କପିଳେଶ୍ୱର ଦେବ ମହାରାଜାଙ୍କର ପାଟ କକଡ଼ା ଦି ୨ ନ ଶୁକଳ ଚଉଠୀ ବୁଧବାର କୃତ୍ତିବାସ କଟକେ ଏ କ୍ଷେତ୍ରେ ଅଭିଷେକ ହୋଇ ରାଜା ହୋଇଲେ ତହୁଂହିମ ସେତୁବନ୍ଧ ଯାଏ ଚମକ ପଡ଼ଇ । ସେ ରାଜାଙ୍କ ଅ ୨ ଙ୍କେ ସିଂହରେ ବୃହସ୍ପତ୍ତି । ଅ ୩ ଙ୍କେ ରାଜାଗଙ୍ଗା ସ୍ନାନକୁ ଗଲେ । ତୁଳସାପୁର ଶାସନ ସେଠାରେ ଦାନ ଦେଲେ । ଜଳେଶ୍ୱର ନରୀନ୍ଦ୍ର ମହାପାତ୍ର ତାହାଙ୍କର ପାତ୍ର ସର୍ବଦା କଟକାଇ ସେ ରାଜା କରନ୍ତି । ଅ ୮ ଙ୍କେ ଛତ୍ରଗଡ଼ କଟକାଇ କଲେ । ଅ ୯ ଙ୍କେ ପଶ୍ଚିମ କଟକାଇ କଲେ ଅ ୧୦ ଙ୍କେ ରାଜାଖିମୁଡ଼ି ମାଇଲେ । ଅ ୧୧ ଙ୍କେ ରାଇଜେ ମହରଗ କରି ଧାନ ଭରଣ କା ୧୦୫ ହାଣ ହୋଇଲା । ସେ ମହରଗରେ ବହୁତ ଲୋକ ମଲେ । ଅ ୧୪ ଙ୍କେ ରାଜା ମହୀନ୍ଦ୍ର କଟକାଇ କଲେ । ଅ ୧୫ ଙ୍କେ ରାଜାଙ୍କୁ ସିଂହ ବୃହସ୍ପତି ହୋଇଲା । ଏ ଅଙ୍କେ ଶ୍ରୀ ପୁରୁଷୋତ୍ତମ ବଡ଼ ଦେଉଳ ବେଢ଼ା ବନ୍ଧାଇଲେ । ଅ ୧୮ ଙ୍କେ ରାଜା ବାହୁଡ଼ି ଗଙ୍ଗାଗଲେ ସେଦିନ କପିଳେଶ୍ୱର ପୁର ଶାସନ ବସାଇଲେ । ଅ ୧୯ଙ୍କେ କୁଣ୍ଡମେରୁ ଗଲେ । ଅ ୨୧ ଙ୍କେ ମଲକାକୁ ମାଇଲେ । ଅ ୨୩ ଙ୍କେ ଉଦେଗିରି ଚନ୍ଦ୍ରେଗିରି ମାରି ବିରୁପାକ୍ଷ ରାଜାଙ୍କୁ ବନ୍ଦୀକରି ଧଇଲେ । ଅ ୨୪ ଙ୍କେ ରାଜା ବିଦ୍ୟାନଗର ଗଲେ । ଗୋପୀ ମଙ୍ଗରାଜାଙ୍କୁ ବନ୍ଦୀ ତହିଁ କଲେ । ଅ ୨୭ ଙ୍କେ ରାଇଜେ ଅପାଳକ କଲା । ଧାନଭରଣ କା ୧୦୦ ହାଣ ହୋଇଲେ । ଅ ୨୯ ଙ୍କେ ବିଦ୍ୟାନଗର ପୁଣଗଲେ । ଦାମୋଦରପୁର ଶାସନ ବସାଇଲେ । ଅ ୩୨ଙ୍କେ ରାଇଜେ ଗଲାଧୋଇ । ଅ ୩୩ ଙ୍କେ ଯେ ବତାସି ପୁଣକଲା ଅନେକ ଲୋକ ସେ ମହରଗରେ ମଲେ । ସେହି ଲାଗେ ରାଜା କୁଣ୍ଡମେରୁ ମାଇଲେ । ଚନ୍ଦ୍ରାବତୀ ଦେଇକି ବନ୍ଦୀକରି ଆଣିଲେ । ନରସିଂହ ରାଏକୁ ରାଜା ଆଣିକଲେ । ଅ ୩୫ ଙ୍କ ସରିକିହିମ ସେତୁବନ୍ଧ ଯାଏ କପିଳେନ୍ଦ୍ର ଦେବ ମହାରାଜାଙ୍କ ଆଗ୍ୟାଂରେ ଆତଯାତ ହୁଏ । ଅ ୩୭ ଙ୍କ ପୁଷମାସ କୃଷ୍ଣତୃତୀୟା ମଙ୍ଗଳବାର ଦିବସେ କୃଷ୍ଣାବେଣୀ ନଦୀକୂଳେ ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ ୩୨ର୍ଷ ।

 

[*- ପୃ-୨୭ ମାଦଳା ପାଞ୍ଜୀ : (ରାଜଭୋଗ ଇତିହାସ)ସଂପାଦନା-ଅଧ୍ୟାପକ ରାୟସାହେବ-ଶ୍ରୀ ଆର୍ତ୍ତବଲ୍ଳଭ ମହାନ୍ତି । ପ୍ରଥମ ସଂସ୍କରଣ ୧୯୪୦-କଟକ,

 

ଦକ୍ଷିଣେ ମହୋଦଧି ଉତ୍ତର ତୀରଠାରୁ କାଆଂସ ସରିକି ଦକ୍ଷିଣେ ଆଏ ହୋଉଥିଲା, ଉତ୍ତରରେ କାଆଂସାଂ ବାଆଂସଠାରୁ ଦକ୍ଷିଣେ ଋଷିକୋଇଲା ନଦୀ ସରିକି । ଜିତସୁନା ପନ୍ଦର ଲକ୍ଷ ମାଢ଼େ ଏହି ଖଣ୍ଡ ମଣ୍ଡଳ ହୋଇଆଏ ହେଉଥିଲା । ଏମନ୍ତ ରାଜ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ପଦାରବିନ୍ଦ ପ୍ରସାଦେ ବ୍ରାହ୍ମଣମାନଙ୍କର କଲ୍ୟାଣେ ଖଣ୍ଡାରେ ଯଶକରି ଭୂଇଆଂ ପୁରାଣମାନଙ୍କୁ ଜୟକରି ଆଏକଲୁ । ଉତ୍ତର ଦିଗେ କାଆଂସାଠାରୁ ଦନାଇବୁଡ଼ି ନଈ ସରିକି ଦକ୍ଷିଣେ ଆଏକଲୁ ଋଷିକୋଇଲା ନଦୀଠାରୁ–

 

ପୃ-୩୧

ପୃ-୪୩-୪୪]

 

ଚାଚେରୀ ଲୀଳା

–ଶରଣ ଦାସ କୃତ *

 

ନଳକୁବେର କହିଲା ଭୋ ସୁନ୍ଦରୀ ମକର ଯାତ୍ରା ଅନ୍ତେ ବସନ୍ତ ଋତୁ ପ୍ରବେଶ ହୋଇଲା । ଶିଶିର ସରିଲା, ତରୁ ପଲ୍ଳବିଲା, କୁମୁଦ ମଉଳିଲା, ସୁଶୀତଳ ବହିଲା, କୋଇଲି ଭାଷିଲା, ବନଶୋଭା ଦିଶିଲା, କୁମୁଦ ବିକାଶିଲା । ମାନନୀ ନିଜ ଭ୍ରାତାରେ ରସିଲା, ବନକର୍ପୂର ମିଶାଇ ହସିଲା, ସୁବାସିତ ପବନ ବାସିଲା । ଯୋଗୀ ଧଉର୍ଯ୍ୟ ଧ୍ୱଂସିଲା, ବିବେକୀ ଲସିଲା । କାମ ଅହିଶର ପେଷିଲା, ନାଏକା କୋଳେ ନାୟକ ବସିଲା । ସ୍ତନଶମ୍ଭୁ ଆଶ୍ରେକରି ଅଧର ଅମୀଏ ଜୀବନ ତୋଷିଲା, କୁତ କୁଙ୍କୁମେ ମିଶିଲା, ନୀଳଶିଳେ କି ସୁନା କଷିଲା, କାମଅନଳେ ଝାସିଲା, କାମ କାମିନୀ ଦୂତ ପେଷିଲା, ପ୍ରବାସ ତେଜି କାନ୍ତ ଆସିଲା ଫୁଲଶରେ ତ୍ରାସିଲା, ରତି ସାହାସ୍ର ଘୋଷିଲା ପ୍ରେମଜଳେ ଭାସିଲା ତ । କୁସୁମକୁଳ ମକରନ୍ଦ ବାଞ୍ଚିଲା ମଧୁପାନେ ମଧୁପ ବଦନ ଲୁଚିଲା, କାମ କୁସୁମ କାମକୋଦଣ୍ଡ ଆମଞ୍ଚିଲା ବିଷମଶର ବାଛିଲା ପ୍ରାଣୀମରମେ ଯୋଚିଲା, ପଥିକ କାମେନୀ କଷ୍ଟେ ବଞ୍ଚିଲା, ବିରହୀମରଣ ପାଞ୍ଚିଲା; କେ କାନ୍ତ ବାରତା ପୁଛିଲା, କମଳ ଶେଯ୍ୟା ରଞ୍ଚିଲା କାନ୍ତରସ ଅମୀୟ ସିଞ୍ଚିଲା, କମଳ ଦଳେ ବଞ୍ଚିଲା, ଅଙ୍ଗେ ସୁଗନ୍ଧ ଲଗାଇ ପୋଛିଲା, ରସବତୀ ରସକଳା ସଞ୍ଚିଲା, କୁଳବଧୂ ଲାଜ ମୁଞ୍ଚିଲା, ସୁରତ ଇଚ୍ଛିଲା, ଉପବନ କେଳି ନାଗର ନାଗରୀ ବାଞ୍ଛିଲା, ନବବାଳା କୁଚ ନାୟକ ଆଞ୍ଚିଲା, ତିତିଡ଼ୀ ପାଚିଲା, ମୟୂର ନାଚିଲା ଅଙ୍ଗେ ସୁଗନ୍ଧ ଲଗାଇ ପୋଛିଲା, ରସକଳା ସଞ୍ଚିଲା, ଶୀତ ଘୁଞ୍ଚିଲା, ଗିରିକନ୍ଦରେ ଲୁଚିଲାତ ସୁଗନ୍ଧ ଆମୋଦିଲା, ଭୃଙ୍ଗ ହୁଂକାର ଧ୍ୱନିରେ ଜଗତ ବନ୍ଦିଲା, ମଦନ ବାଧିଲା, ବ୍ରତଚାରୀ ତପୀକି ବିଶେଷେ ସାଧିଲା, କୁସୁମଶର ସନ୍ଧିଲା, ବିରହୀ ବଧିଲା, ସର୍ବଅଙ୍ଗେ ଭେଦିଲା, ମାନସ ସୂତ୍ରେ ସନ୍ଧିଲା, ବିରହୀ ବଧିଲା, ଏତେ ଏତେ ପ୍ରକାରେ ବସନ୍ତ ଋତୁ । ବିଯୋଗୀମାନଙ୍କର ମରଣ ହେତୁ । ଏ ସମସ୍ତ ନିଅମ ବ୍ରତ ଛାଡ଼ଇ, ମଦନ ବିକାର ଛାଡ଼ଇ ବିଶେଷେ ପୀଡ଼ଇ, ଅବୋଧ ଯୁବତୀ ହେଲେ ପୁରୁଷ ଫାନ୍ଦେ ପଡ଼ଇ, ଏମନ୍ତ କାଳରେ ଶ୍ରୀ ପୁରୁଷୋତ୍ତମ ଅବନୀ ବୈକୁଣ୍ଠରେ ଦେବାଧିଦେବଙ୍କୁ ଦୋଳ-ଯାତ୍ରା ଉଦଯୋଗ ହୋଇଲା, ପରିକ୍ଷ କରଣ ବେହେରକୁ ତତପର ପଡ଼ିଲା । ଶ୍ୱାସ ସେବକରେ ଉଚ୍ଛାହା ବଢ଼ିଲା, ନାନା ଚିତ୍ରକମ ପ୍ରତିମା ଗଢ଼ିଲା,ବୃନ୍ଦାବନ ଚରିତ ନିବିଡ଼ିଲା ।

 

ତ, ଏମନ୍ତେ ଫାଲଗୁନ୍ୟ ମାସେ ଶୁକଳ ଏକାଦଶୀ ନିଶିରେ ଭିତରେ ଫଗୁ ଅନ୍ତରେ ପ୍ରଭୁ ଚାଚେରୀ ଭ୍ରମଣକୁ ଅନକୂଳ କଲେ । ବିମାନ ମଣ୍ଡିଲେ, ଶ୍ରୀ ମଦନ ଗୋପାଳଙ୍କ ଶୋଭା କି କହିବା, ସମ କାହିଁ ପାଇବା ଅଭିନବ କାମଦେବର ଶୋଭା ତ୍ରିଭଙ୍ଗୀ ଛନ୍ଦେଉଭା,ମକର ଅକୃତି ପ୍ରଭା ଶ୍ରୀ ଦେବାଧି ଦେବେରାଜ ମୋହନ ମୂରତି ସାଜ,* ଶ୍ରୀ ଚରଣ ସରୋଜେ ମଞ୍ଜରୀ ମଞ୍ଜୁଳ ଯୁଗଳ ପ୍ରଳମ୍ବ, ଭୁଜଦ୍ୱୟ ନବରତ୍ନ ବଳୟ ମୁଦ୍ରିକାୟେ, କଟୀତଟ ଘଣ୍ଟିତ ତପନ କରି ନିନ୍ଦିତ ପୀତପଟ ନବରତ୍ନ କାଞ୍ଚନ କାଞ୍ଚିଦାମରଞ୍ଚିତ ଅନୁପମ ବକ୍ଷସ୍ଥଳ ଶ୍ରୀବଚ୍ଛଲାଞ୍ଛନ । କର୍ପୂର ଚୂଆ ଚନ୍ଦନ ଅମ୍ଳାନ । କଉସ୍ତୁଭ ହାରଉଦାର ବର୍ତ୍ତୁଳ ମୁକୁତା ମାଳ-ହୃଦୟ ମୂରଲୀ ମନୋହର ବିମ୍ବାଧର, ନାସେ ମୋତିବର, ମକର ଚେଷ୍ଟିତ ମଧୁମୃତି ରୁଚି ରୁଚିର ସର୍ବାଙ୍ଗେ କର୍ପୂର ଅବିର ମନ୍ଦମନ୍ଦ ହାସ ନୟନ ଅଳପ ଅପାଙ୍ଗ ବକ୍ର । ତ୍ରିଭଙ୍ଗ ଅଙ୍ଗ ଅଙ୍ଗନ ଅବଲୋକନେ ଅଙ୍ଗଭଙ୍ଗ । ନୀଳନଗ୍ର କ୍ଷତ୍ରବର ଅବଲୋକନେ ଶିରେ କର ଅଞ୍ଜଳି । ଜୟ ଜୟ ଶବଦ ଶୁଭୟେ ଚଉଦନଗ୍ରକୁ ସାବଧାନ, ଦାମ ସୁଦାମ ସଖା ସନିଧ୍ୟାନ, ଚନ୍ଦ୍ରକାନ୍ତି ବିମାନ, ବିଜୟେ ମଦନମୋହନ,ଜଗତକୁ ଅବଲୋକନ, ଭ୍ରମଣକୁ ଆଗମନ, ଧୀରେ ଧୀରେ ବିମାନ, ମନୁଷ୍ୟ କନ୍ଧେ ଗମନ । ଚନ୍ଦ୍ର କିରଣ ଅବନୀ ଶୋଭାବନ ବିଚିତ୍ର ଅମ୍ବର, କୁସୁମ ମୁକୁତା ମାଳ ଚାନ୍ଦଦର୍ପଣ ନକ୍ଷତ୍ରଗଣ ଝଲ ଝଲ ସୁବର୍ଣ୍ଣ ସ୍ତମ୍ଭ, ଅତି ଆରମ୍ଭ ଦମ୍ଭ, ଅଷ୍ଟରତ୍ନ ପୁଞ୍ଜି ପୁଞ୍ଜି ମଣ୍ଡିତ, ବିଭୂଷିତ ସୁବାସିତ କୁସୁମ ସ୍ତବକ ଥୋପାଲମ୍ବିତ ଝିଲିମିଲି ଝକମକ ଝଲକ ଝଲି ଝଟଝଟ, ଝୋଲାଝୁମ୍ପା ଚହଟ, ନୀଳଦୁକୂଳେ ନିର୍ମିତ, ନାନାରତ୍ନେ ଜଡ଼ିତ, ଚିତ୍ର ବିଚିତ୍ର ରୁଚି ରୁଚିର ବିଚିତ୍ର ପତ୍ର ନେତ୍ର କମଳକୁ ମିତ୍ର ଶୁଦ୍ଧସୁବର୍ଣ୍ଣ କଳସ, ଚିତ୍ର ଚିରାଳ, ନାନା ମଣ୍ଡିମାଳ, ତଥିଉପରେ ଚନ୍ଦ୍ରତପ ଟାଣି, ନାନାରତ୍ନ ମଣି ମଣ୍ଡଣି, ମଧ୍ୟେ ପଦ୍ମାପୁଷ୍ପାସନ, ମକରାନନ ପ୍ରଭା ଶୋଭାବନ, ତଥିମଧ୍ୟେ ଶ୍ରୀ ମଦନ ମୋହନ ରତ୍ନ ଜ୍ୟୋତିମୟ କିରଣ ବିରାଜିତ ସୁରନର କିର୍ନର ମନରଞ୍ଜିତ ଚଉଦି ଜୋତିମୟ ରାଜିତ, କିନ୍ତୁ ରବିରାଜିତ ଶଶୀ ଦିନମଣି ଅନଳଜିତ, ଦୀପ ଦୀହୁତି ହୁଳା ଚନ୍ଦ୍ରହୁଳା ଚନ୍ଦ୍ରଉଦିଆ, ତରୁଦୀପ, ରଥ ଆକାର ଦୀପ, ନିଶୁଣୀ ଦୀପ ସାତପୁରୀ ନାନାରୂପେ ଦୀପ ହୁଳା କରିତ, ଜାଇ ଚମ୍ପାମଲ୍ଲୀ ଜୁଇ କେତକୀ କୁନ୍ତ ହାବୋଳି, ତାରାବଳୀ, ଖଣ୍ଡଚନ୍ଦ୍ର ଠଳି ଏ ରୂପେ ନାନାବାଣ ହୁଳାମାଳାରୁ କରି ଦିବସ ପ୍ରାୟେ ନିଶି ଦିଶଇ, ସ୍ୱର୍ଗ ସମ୍ପଦକି ମଞ୍ଚକୁ ଖସଇ ସର୍ବ ଦେବାତା ଘେନିବ୍ରହ୍ମା ପଟୋଆରକୁ ଆସଇ । ଗୋପାଳଦେବଙ୍କ ଦ୍ରଶନ କିରଣେ ହେଳେ ପଶଇତ ଚତୃଦଶ ଲୋକ ଅତି ଉଚ୍ଛକ, ହରି ହରି ଡାକ, ଘନଘନ ଅଧିକ, ବଡ଼ଦାଣ୍ଡଯାକ ଘଣ୍ଟା ମର୍ଦ୍ଦଳ, ତାଳ କଂସାଳ, କାମକାହାଳ, ବୀଣା ବଇଂଶୀ, ଶଙ୍ଖମହୁରୀ ଭେରୀ ନାନାବାଦ୍ୟ ଶବଦ ଘୋରଘନ ଜନରବଦ, ଦୋଳ ଉଚ୍ଛୁଳ, ଚହଳ ଚହଳ ଗୋପାଳ, ଅବନୀ ମଣ୍ଡଳ ଟଳମଳ, ଦଲଦଲ ଦୁମୁଦୁମୁ । ଗଣିକା କୁଳ ହୁଳହୁଳି, ଚହଳ ବେଳୁବେଳ ହରିବୋଲ ଧର ଧର ତୋଳି ନିକର ବହୁତ ଗୋଳ । ଧୀର ଧୀର ଚଳତ, ବଡ଼ଦାଣ୍ଡେ ଶ୍ରୀ ମଦନ ଗୋପାଳ ବର, ଛତ୍ର ମେଘାଡ଼ମ୍ବର ଉଲାଗ ବିମଳ ଚିରାଳ ମାଳ, ଆଲଟ ଖଦି ଚାମର ବିଞ୍ଚଣ ପଡ଼େ ନିରଂତର, ଆବର ଧୂଳି ଧୂସର କଳେବର ସୁରନର କିନ୍ନର ଦକ୍ଷବିଦ୍ୟାଧର, ଶିରପରେ କରଯୁଗଳ, ଜୟ ଜୟ ଶବଦ ବଖ୍ୟାଣ କର ଜଗତଜନ ନୟନ ସୁଫଳ ଜୟ ମଙ୍ଗଳ ମହୁରୀ ତହିଁର । କୁସୁମ କର୍ପୂର ରତ୍ନବୃଷ୍ଟିକର, ପଟୋଆର ଭିତର ଅପଛାରୀଙ୍କର ନୃତ୍ୟ ତତପର, ନାନାବାଣ ନରମଣ୍ଡଳ ବିଚିତ୍ରତର । ୟେ ତେତେ ଚାଚେରୀ ବିଜେ, ଢୋଲ ଦମାଲୁ ମେଘାବାଜେ, ଶ୍ରୀ ମଦନ ଗୋପାଳ ଶୋଭା ଅଖିଳ ସାଜେତ । ଚନ୍ଦ୍ରକିରଣେ ଚନ୍ଦ୍ରହୁଳା ଦୀପରେ ଅବନୀ କ୍ଷୀର ସମୁଦ୍ର ପରାୟେ ଦିଶୁଅଛି । ସୁର ଅସୁର ମିଶୁଛି । କେ ହରି ଭାଷୁଛି, କେ ଅବିର ଧୂଳି ଶିରେକେ ସିଞ୍ଚୁଛି, କେ ଆନନ୍ଦେ ନାଚୁଛି, ସାହାସୀ ହୋଇ କେ କାଶୁଛି । ବିମାନ ଶିରେକେ ଛୁଉଁଛି । କେ ରହୁଛି, କାହାକୁ କେ ରାଉଛି, କେ ଧାଉଁଛି, କେ ବୀଣା ବାଉଛି । କେ ଶ୍ରୀମୁଖ ଶୋଭାକୁ ଚାହୁଁଛି, କେ ଅହ୍ମଣିଆ ନେଉଛି, ପଣ୍ଡାକରେ କେ ଦେଉଛି । କେ ଜଣାଉଛି, କେ ପହଣ୍ଡି ମଣଉଛି...କଥା ଶୁଣାଉଛି । କେ ତାଳିଗୀତ ଗୁଣା ଗାଉଛି, ଚଣାଖଜା କେ ଖାଉଛି । ବସି କେ ବାଉଛି, କେ ଧଣ୍ଡାମାଳ ଆଣୁଛି, କେ ହଜୁଛି କେ ଖୋଜୁଛି, କେ ରୂପ ଚାହିଁ ଭଜୁଛି, କେ ତହିଁ ବୋଲୁଛି, ସଖୀ ମଦନ ରୂପକୁ ଗଞ୍ଜୁଛି । କେ ହସୁଛି । କେ ସମାସି ମାଳ ଖଞ୍ଜୁଛି । ନାନାବାଦ୍ୟ ବାଜୁଛି ଅବନୀ ମଣ୍ଡଳ ସାଜୁଛି ।

 

ତ, ଏମନ୍ତେ ଚାଚେରୀ ଭ୍ରମଣି କେତେଦୂର ଗଲେ, ଦକ୍ଷିଣା ଅଭିମୁଖ୍ୟେ ହେଲେ ବାହୁଡ଼ା ବିଜେହେଲେ, ପଟୋଆରି ରହିଲେ, ନାନା ବାଜଣା ମାଇଲେ । ଅପକ୍ଷରୀ ମାନେ ନୃତ୍ୟ ଆରମ୍ଭିଲେ । ମାଦଳ ତାଳେ ଘଣ୍ଟା ବାଜଇ ନାନା ନାଟେ କେ ନାଟକ ସାଜଇ ତ୍ରିପୁର ଲୋକ ପଟୁଆର ଅଛଇ । ଛାମୁରେ ପାଳିମାହାରୀ ନାଚଇ । ତ, ପୁଣ ପଟୋଆର ଭାଜି ଗ୍ରହଣ ଚଳଇ; (୧) ବାସିକିସୀରେ ଅବନୀ ଟଳଇ । ଖଣ୍ଡେଦୂର ଆସି ପଟୁଆର ଦେଇ ରହଇ । ବିମାନ ବଡ଼ୁମାନେ ବିମାନ ବହନ୍ତି, ଛାମୁରେ ବ୍ରହ୍ମା କରଯୋଡ଼ି ଜଗତ୍ର ଚିନ୍ତା କହଂନ୍ତି । ଇନ୍ଦ୍ର ବୋଲଇ ଭୋଦେବ ଶୁଣିମା, ଚନ୍ଦ୍ର ବୋଲଇ ଭୋଦେବୀ ଗୁହାରୀ ମଣିମା ଏମନ୍ତେ ଚାଚେରୀସାରି ବଡ଼ ଦେଉଳେ ପ୍ରବେଶ ହୋଇଲେ ବନ୍ଦାପନା ହୋଇ ସିଂହାସନେ ବିଜେକଲେ । ଶୀତଳ ମଣୋହି ସାରି ପ୍ରଭୁ ଡଉରିଆ ଲାଗି ହୋଇବେ । ଅବକାଶ ହୋଇଲେ । ଦେବତାମାନଙ୍କୁ ପୁଷ୍ପଆଞ୍ଜୋଳି ମେଲାଣି ଦେଲେ । ମେଘା ବାଜିଲା ଦେଉଳ ଶୋଧା ହୋଇଲା । ପଡ଼ିହାରୀୟେ ବିଜୟେଦ୍ୱାରେ ଉଜାଗର ହୋଇ ରହିଲେ ପରୀକ୍ଷା ମୁଦଦେଇ କବାଟ ପାଡ଼ିଲେ । ଦେବେ ବାହୁଡ଼ିଲେ ପ୍ରଭୁ ରତ୍ନମୟ ପଲଙ୍କେ ପହୁଡ଼ିଲେ ।

 

[* ସଂପାଦନା ଅଧ୍ୟାପକ ଆଶୁତୋଷ ପଟ୍ଟନାୟକ (ବାଣୀବିହାର) ପ୍ରଥମ ସଂସ୍କରଣ ୧୪।୧୧।୧୯୭୫ ମସିହା (ମୂଲ୍ୟ ଚାରିଟଙ୍କା) । ଗ୍ରନ୍ଥଟି ମୁଖ୍ୟତଃ ଶ୍ରୀ ମନ୍ଦିରର ଦୋଳୋତ୍ସବ କଥାକୁ କେନ୍ଦ୍ରକରି ଲେଖାଯାଇଛି । ଏହି ଗ୍ରନ୍ଥର ରଚନାକାଳ ୧୭ଶ ଶତାବ୍ଦୀରୂପେ ଗ୍ରହଣ କରିବା ଅସମୀଚୀନ ହେବନାହିଁ ବୋଲି ସମ୍ପାଦକ ଲେଖିଛନ୍ତି । ଏହି କାବ୍ୟରେ ରାଧା, ଚନ୍ଦ୍ରଶେଣା ଓ କୃଷ୍ଣ କଥା ନୂତନ ଭାବରେ ଉପସ୍ଥାପିତ ହେବାର ଦେଖାଯାଏ । ରାଧା ଓ ଚନ୍ଦ୍ରଶେଣାଙ୍କର ଜନ୍ମ ଓ ବିବାହ ବୃତ୍ତାନ୍ତ ଓ ରାଧା କୃଷ୍ଣପ୍ରସଙ୍ଗ ଓଡିଆ ସାହିତ୍ୟରେ ଅପୂର୍ବ ।

 

* ପୁମ୍ପେକ ବିମାନ ଅବତରି ଆସୁଛି । ସକଳ ପାପକୁ ନାସୁଛି,

 

୧- ବାସିକି = ବାସୁକି]

 

 

ପ୍ରସ୍ତାବ ଚିନ୍ତାମଣି

(ନୀଳାମ୍ବର ବିଦ୍ୟାଧର କୃତ)*

 

ଏମନ୍ତ ପ୍ରକାର ଯେ ରାଜା, ଏମନ୍ତ ଲୋକମାନଙ୍କୁ ଘେନି ଭାବନଗ୍ର ରାଜ୍ୟରେ ଚାରୁମଣ୍ଡ ନାମକ କଟକରେ ବିଜେକରି ଅଛନ୍ତି । ସେ କଟିକ କଥା କି ବର୍ଣ୍ଣିବା ।

 

X X X

 

ଏଥି ଉତ୍ତାରୁ ଗଡ଼ ଭିତରେ ଥିବା ଲୋକଙ୍କ କଥା ଶୁଣ । ପ୍ରଥମରୁ ସର୍ବସୁଲଭ ନାମ ପାଟଣା ଅଛି । ଏଥିରେ କୁମୂଟି, ବଣିଆ, ବ୍ରାହ୍ମଣ ଇତ୍ୟାଦିମାନେ କନ୍ଦି ବିକନ୍ଦିରେ ସାହି ସାହି ହୋଇଅଛନ୍ତି । ଏଥିରେ ଆମ୍ବ, ପଣସ, ନଡ଼ିଆ, ଗୁଆ, କଦଳୀ ଏ ରୂପେ ତୋଟାଅଛି, ଏଥି ନିକଟେ ପଦ୍ମ ପୋଖରୀ ଅଛି, + + + । ଏମନ୍ତ ଯେଉଁ ସର୍ବସୁଲଭ ପାଟଣା ଏ ନିଜଗଡ଼କୁ ପାଏବାଟ ଅନ୍ତର ଏଥିରେ ନିତ୍ୟ ବଜାର ବସଇ, କିକିଦ୍ରବ୍ୟ ବିକାକିଣା ହୁଅଇ ଶୁଣ : + + +

 

+ + +

 

ଏହିଥିରେ ସୋମବାର ଦିନ ହାଟ ବସଇ ଏ ହାଟକୁ ଦେଶବିଦେଶ ନାନା ପ୍ରକାର ସ୍ଥାନମାନଙ୍କରୁ ସ୍ତ୍ରୀ ପୁରୁଷ, ବୃଦ୍ଧ, ବାଳକ ବହୁତ ଲୋକ ଆସନ୍ତି । ଏ ହାଟରେ ବାବୁ ମା’ ଛାଡ଼ି ସବୁ ମିଳଇ ଏପାଟଣା ଦକ୍ଷିଣ ପାଖ ଆମ୍ବ ତୋଟାରେ ହାଟରେ ବସଇ ତାପାଖରେ ପଦ୍ମ ପୋଖରୀ ଅଛି । ନିତ୍ୟବଜାରରେ ଯେତେ ଦ୍ରବ୍ୟମାନଙ୍କ ନାମ କହି ଆସିଥାଇ ତାହାଠାରୁ ସହସ୍ରେ ଗୁଣେ ଏଥିରେ ସାମଗ୍ରୀ ବସିଛି, ସେଠା ଲୋକେ କି ରୂପେ ବିକାକିଣା କରୁଛନ୍ତି ଶୁଣ, ପ୍ରଥମୁ ଡେରା ଖଡ଼ୁରାଙ୍କ ବିକାକିଣାରେ କଥାବାର୍ତ୍ତା, କହୁଥାଇ, ଖଡ଼ୁରା ପସରାରେ ଖଡ଼ୁ, ମୁଦି, ତାଡ଼ ସୂତା, ବିନ୍ଦ, ଚକି, ବାକ (ବାଂକ) ମୁଦି ଇତ୍ୟାଦି ମାନ ହେଉଛି । ସେଠାରେ ଜାଣିବା ଲୋକମାନଙ୍କୁ ଲୋକେ ଡାକି ଅଛନ୍ତି । “ଭାଇ ! ଏଠାକୁ ଥରେ ଆସତି ଏ ଖଡ଼ୁ ଦରଦାମ୍ ବୁଝି କିଣାଇ ଦିଅ ।” (୩୬)

 

ସେ ଆସି ବସି ପଚାରିଲା- “ ଆପଣ ଏଥୁ କି କିଣମ ?” ସେ କହିଲା- “ଅଠର ଟଙ୍କାର ଖଡ଼ୁ ମୁଁ କିଣିମି, ଭାରିଜା, ଝିଅ, ଅପା, ଭାଣିଜୀ, ନାତୁଣୀ, ଏତେ ଲୋକଙ୍କୁ ଏକାବେଳେକେ ହାତରେ ଥିଲାବେଳେ ଖଡ଼ୁପିନ୍ଧାଇ ଦେଇଥିବ ।” ଏହାଶୁଣି ମଧ୍ୟସ୍ଥ ଖଡ଼ୁରା ପାଖେ ବସି ଖଡ଼ୁ ମୂଲାଉଛି- “ମହାଛନ ଭାଇ ଖଡ଼ୁପିତ୍ତଳ ବିସା କେତେ ଲେଖାଁଏ ବିକୁଛ ?” ସେ କହିଲା “ଦାଣ୍ଡଦର ପଚାରି ବୁଝ ବଡ଼ମାନ ଟଙ୍କାକୁ ଦୁଇବିସା ଦରେ ବିକୁଛି ।” ସେ କହିଲା ଯଥାର୍ଥ କହ ସେ ବୋଇଲା “ପଳ ସାତପଣ ଦଶଗଣ୍ଡାକୁ କି ପଡ଼ିଲା ତାହାଲେଖି ଧର୍ମସକ୍ଷ୍ମ ପ୍ରମାଣେ ମୋର ଯେହେଲା ତାହା ବୁଝିଦିଅ” ତହିଁକି ମଧ୍ୟସ୍ଥ କହୁଛି “ଭାଇ ଆମ୍ଭଠାରେ ଜଟାଜଟି କଲେ ଯିବକି ?” ଆମ୍ଭେ ତ ଏ କାରବାର କରି କରି ବୁଢ଼ା ହୋଇ ଗଲୁନି । ଯଥାର୍ଥ ପଳ ଛପଣ ଲେଖାରେ ବୁଝିନିଅ । ଏଉତ୍ତାରୁ ତାହାଙ୍କ ମନ ତୁମ୍ଭମନ । ଆଉ ଏଥି ଉପରେ କହିବାକୁ ନାହିଁ । ଏ ରୂପେ ସେ ବୋଲନ୍ତେ ଖରୁଡ଼ା ବୋଲୁଅଛି ଆପଣ ଭଲ ଲୋକଜଣେ ଏ ରୂପେ କଲନି ଆଉ ଦସଣ୍ଡା ଦିଅ । ଆମ୍ଭ କହିବାର ଖଳପ କଥାସିନା ।’ ହେଉ ବୋଲି ମଧ୍ୟସ୍ଥ ଗରାଖକୁ ପଚାରିଲା, “ଆହେ ଏ ରୂପେ ମୂଲ ଛିଡ଼ିଲା । ଆଗପଛେ ଆଉ ଗୋଟାଏ କଥାଏ କହିବାକୁ ନ ଥାଇ ମନକୁ ପାଇଲେ କିଣ” । ସେ ବୋଇଲା କି କଥାଏ, ତୁମ୍ଭେ ବେବସାୟ କଲାଠାରେ ଆଉ ପୁଣି କଥା ଥାଏ କି ?” ଏମନ୍ତ ବୋଲନ୍ତେ ମଧ୍ୟସ୍ଥ ନାରିଜି ଧରି ଖଡ଼ୁବାହିମାନ ତୁଳି ଗରାଖ ଗୋଚରେ ବୁଝାଇ ଦେଲା, ଖଡ଼ୁଭାଇ ଅଠର ଟଙ୍କା ସେଠାରେ ଥିବା ମହାଜନଠାରେ ବୁଝାଇ ଦେଲା, ଖଡ଼ୁଭାଇ ଅଠର ଟଙ୍କା ସେଠାରେ ଥିବା ମହାଜନଠାରେ ବୁଝାଇ ଖଢ଼ୁରାକୁ ଦେଲା । ବୋଇଲା “ଭାଇ-ହାଟଗହଳ ଏ ଭଲ କରି ବଟାବଟି ବୁଝି ରଖିଥାଅ, କାଲି ଫେରାଇ ଦେଲେ ଆମ୍ଭେ ଟଙ୍କାନେବୁ ନାହିଁ ଟି ।” ଏ ରୂପେ କହିଦେଲା ଏ ଉତ୍ତାରୁ ଡେରାଙ୍କ ଲୁଗାପଟା କିଣାବିକା ଶୁଣ । ଫେଟାପିନ୍ଦା ଗାମୁଛା, ପାଛୁଡ଼ା, ଶାଢ଼ି, ପୁଅଖଦି ଏ ରୂପେ ନାନାଜାତି ଲୁଗାମାନ ବୁଜୁଳା ବୁଜୁଳା କରି ଧରି ବସିଅଛନ୍ତି । କି କି ଜାଣ ? ଚନ୍ଦ୍ରବାଣ, ନକ୍ଷତ୍ର ଭୂଷଣ, ଗୁନ୍ଥା ମନାଙ୍ଗ ପଡ଼ି, କଳା ବାନ୍ଧି, ବେଲୁବାନ୍ଧ, ନାଗବନ୍ଧ, ହର ଗଉରୀ ଗଙ୍ଗାଯମୁନା, ରାଜିନ୍ଦ୍ରପଡ଼ି, ବଳରାମପଡ଼ି, ପୁରିଷୋତ୍ତମପଡ଼ି, ନଖି, ତିନିଗାରି, ଦୋତାରି, ଚନ୍ଦନ ପାଟିଆ, ଶ୍ରୀରାମଖାନି, ପାଟଚୂଡ଼ିଆ, ସାନ୍ତରା ପଡ଼ି, ପିଲ ପଡ଼ି, କୁମ୍ଭକର୍ଣ୍ଣ ପଡ଼ି, ବଉଳ ବାନ୍ଧି, ଜରିଧଡ଼ିଆ, ସରୁ ମୋଟା ଖାପ, ଭଲମନ୍ଦ ଜାସାର, ନାନା ପ୍ରକାର ମାଇପି ଲୁଗା, ମିଣିପ ଲୁଗା, ସ’ ସ’ ପସରା ବସିଛି । ଏ ନିପଟେ ତନ୍ତୀ, ଲୁଗା ଗାମୁଛା ଧରି ବସିଅଛନ୍ତି । ଫୁଲ ପଡ଼ା, କଳା କାଉମୁହିଁ, ମନ୍ଦାର ଧୋତି, ରଙ୍ଗ ଖଦୀ, କାଣ୍ଡ ନାହାଳ ତରିଆ ବାନ୍ଧି, ପଟା ତଉଂରି, ତଉରି, ଶଂଖା ମୁଠିଆ, ଆଖୁ ପତିରିଆ ମରିଚ ପଡ଼ିବନା ଇତ୍ୟାଦି ଖଦିଲୁଗା ଶାଢ଼ି ଲୁଗା ମଧ୍ୟ ବହୁତ ଘେନି ବସିଛନ୍ତି । ନୀରସ ତନ୍ତୀ ଏ ଖଦୀ ଛହାତୀ, ପାଞ୍ଚହାତୀ, ଅଠରପାଆ ଘେନି, ଧାଡ଼ି ଧାଡ଼ି ହୋଇ ବସି ଅଛନ୍ତି । ଏ ପସରାମାନଙ୍କରେ ମୁଲାଇ ଦେଇ ଲାଭ ଖାଇବାକୁ ମଧ୍ୟସ୍ଥମାନେ ଧାଡ଼ି ଧାଡ଼ି ହୋଇ ବୁଲୁ ଅଛନ୍ତି । ଏଥକୁ ଗ୍ରାହକମାନେ ଯାଇ ଲୁଗାପଟା କିଣାବିକା କରିବାକୁ କଥାବାର୍ତ୍ତା କରନ୍ତେ ମଧ୍ୟସ୍ଥମାନଙ୍କୁ ଡାକି ମୁଲାଉ ଅଛନ୍ତି । ଏ ସମୟରେ ପୁଅ କାହାର ବାପକୁ ବୋଲୁଛି, “ବାପା ହେ ମତେ ଏପିନ୍ଧା ପାଛୋଡ଼ି ଯୋଡ଼ିକ କିଣିଦିଅ” ବାବୁ ବୋଲୁଛି ମାଙ୍କ ଡରୁ କି ପୋ କହୁଛି- “କାହିଁକି” ? ଏହିକ୍ଷଣି କାହିଁ କିଣି ମା’କୁ ଆଉ ଦୁଇ ମାସ ମାସେ ଯାଉ, ତୋର ବୋଉର ଲୁଗାନାହିଁ । ଏହାଶୁଣି ପୁଅ ଗୋଳ କରି ବୋଲୁଛି, “ମତେ କିଣି ଦେଲେ ପ୍ରମାଣ ?” ସେ କହୁଛି “ଆଣ୍ଠକୁଡ଼ି ପୋକୁ ଯେତେ କହିଲେ ନ ଘେନିଲା, ମୁଁ କାହୁଁ ଆଣିମି ?” ଏମନ୍ତ ବୋଲି ତାକୁ ମାରି ଗୋଡ଼ାଇଲା ସେ ଭୟରେ ପଳାଇଗଲା । କାହା ଝିଅ ମାଆକୁ ବୋଲୁଛି । “ମାଲୋ ଆମ୍ଭର ଏ ଶାଢ଼ି କିଣି ମା’ ମା’ ବୋଲୁଅଛି “ମାଲୋ ଆଉ ପନ୍ଦର ଦିନ ତୁନି ପଡ଼ିଥା ଆର ହାଟରେ କିଣି ଦିଅଇ ସିନା” ସେ କହିଲା “ଆର ହାଟକୁ ଏମନ୍ତ ଲୁଗା ମିଳିଲେ ସିନା କିଣିବୁ । “ସେ ବୋଇଲା “ତେବେ ତୋ ଭାଇକି ଡାକି ଆଣଇଂ ଲାଇ ଦେବ । ପାଖ ଗାଁ ତନ୍ତୀସିନା ଆର ପାଳିକି କଉଡ଼ି ଦେଇସିନା ।” କାହା ପୁତୁରା ଦାଦିକି ବୋଲୁଛି “ଦାଦିହେ ଆମ୍ଭ ମାମୁଁଙ୍କ ଘର ନିମିତ୍ତକୁ ନିମନ୍ତ୍ରଣ ଦେଇଅଛନ୍ତି ଅବଂଶ ଯିବାକୁ ପଡ଼ିବ ପିନ୍ଧା ଯୋଡ଼ାଏ, ବେଢ଼ଣା ଯୋଡ଼ାଏ, ମାଇଁଙ୍କ ପାଇଁ ଶାଢ଼ିଖଣ୍ଡିକ ଏତକ କିଣି ଆଣିମାକୁ ବାପା କହିଛନ୍ତି । ମୁଲାଇବା ଆସ” ଏମନ୍ତ ବୋଲି ଡେରା ପସରାକୁ ଗଲେ, ଡେରା ପଚାରୁଛି “ଲୁଗାପଟା କିଛି କିଣିମାର ପଡ଼ିବକି” ? ସେ କହିଲେ “କି ଅଛି ଦେଖାଅ । ସେ ବୋଇଲା ଅବଦାନ ଲୁଗା କି ଦେକିବ ?” ଦୁଇଶ ଟଙ୍କାର ଲୁଗା ମୋ ବୁଜୁଳାରେ ଅଛି । ଯେଉଁ ଲୁଗା ଇଚା ହେଉଛି ଦେକି ଗେନ । ଏମନ୍ତ ବୋଲି ବୁଜୁଳା ଫିଟାଇ ଦେଖାଇଲା ତହିଁରୁ ବାଛି ପିନ୍ଧା ଯୋଡ଼ିଏ ପ୍ରଥମୁ ମୁଲାଇବାକୁ ଫିଟାଇଲେ । ଦୁହେଁ ଟାଣି ଫିଟାଇ ମାପନ୍ତେ ସେ ଡୋରା ବୋଲୁଛି, “ଅବଦାନେ, ଯେବେ କିଣିବ ତେବେ ଫିଟାଅ, ନୋହିଲେ ସୂଚାଇ ବାଙ୍ଗ ଫିଟାଇ ମାଲ ଖରାପ ନକର” । ଏମନ୍ତ ବୋଲି ସେ ବୋଲନ୍ତେ ଗରାଖ ବୋଲୁଛି, “ନ କିଣିମୁ ଯେବେ ତୋଠାକୁ ଆସିଲୁ କାହିଁକି ?” ଏମନ୍ତ ବୋଲି ମଠା ପଚାରିଲେ, ସେ କହିଲା ମାପକାର ଅଟ ହାତିଏ ମାପିଦେଖ”ଚଉକ ଧରି ମାପିଲେ ଡେରା ବୋଲୁଛି ଏରୂପେ କଉଟାଇ ହରିକା, ମାପି ତଲକି, ଅଟର ହାତ ଲୁଗାକୁ ଷୋଳହାତ କରି ପକାଉଛ? ସେ କହିଲେ ମଧ୍ୟସ୍ଥ ଯାହା ମାପି ମୁଲେଇବେ, ସେ ଆମର ସମ୍ମତ । ଏମନ୍ତ ବୋଲି ଏକ ଦାନୂଆ ବ୍ରାହ୍ମଣ ଜଣକୁ ଡାକିଲେ । “ଗୋସାଇଁ ଏ ଲୁଗାଥରେ ଦେଖିବା ହେବଟି” । ସେ ବ୍ରାହ୍ମଣ ପଚାରିଲେ “ଏ କେତେ ହାଥି” ? ୟେ କହିଲା “ଅଠର ହାତକୁ କିଛି କାଟ ଅଛି ।” ଏହାଶୁଣି ବ୍ରାହ୍ମଣ କହିଲେ ଡେରାକୁ “ପାତ୍ରେ ତୋ ନା କି” ? ସେ ବୋଇଲା ଗୋସାଇଁ ମୋନା ଅଙ୍ଗାୟା ପାତ୍ର” ତହିଁ କି ବ୍ରାହ୍ମଣ ବୋଇଲେ- “ଏ ଲୁଗା ମୁଲ କହ” ? ତୋ ପଦାର୍ଥ ତୁ ପ୍ରଥମୁ କହିଲା ଉତ୍ତାରୁଂ ସିନା ଆମ୍ଭେ ଯଥାର୍ଥ ଯାଣି କହି ନିର୍ଣ୍ଣୟ କରିଂ ଦେବା । ସେ ଡେରା ବୋଲୁଛି- “ମତେ ଯେବେ ମୁଲ ପଚାରୁଛ ଏ ପିନ୍ଦାଖେଳ ସାରି ଟଙ୍କାରୁ କଡ଼ା ଗୋଟାଏ ଉଣାନାହିଁ । ବ୍ରାହ୍ମଣ ବୋଇଲେ “ଆରେ ନିର୍ବଂଶିଆ ପ୍ରଥମ ଏ ରୂପେ କହୁଛି ତୋଠାରେ କିଲୁଗା କାରବାର କରିବା ଯେଉଁ ରୂପେ ତୁ ବିକବୁ ଏ କିଣିବେ ତା’ କହ ।” ୟେହା ଶୁଣି ଡେରା ବୋଲୁଛି- “ଗୋସାଇଁଙ୍କ ମନକୁ କି ପାଉଛି ତରେ ମତେ ଅବଦାନ କର ।” ବ୍ରାହ୍ମଣ କହୁଛନ୍ତି ପାତ୍ର ଆମ୍ଭଙ୍କୁ ଯେବେ ପଚାରୁ, ଏ ଲୁଗା ଯୋଡ଼ିକ ତିନିଟଙ୍କାରୁ ଅଧିକ ହେବା ପରି ମନକୁ ନ ପାଏ । ଏଥ ଅଧିକ ଆଉ ଆନଠାରେ ବିକିବୁ ନାହିଁ । ଏ ଭଲ ଲୋକ ଜଣେ କଉଡ଼ିରେ କାଳିବାସି ନାହିଁ, ଏହାକୁ ଦେ ।” ଡେରା କହୁଛି “ଗୋସାଇଁ ବଲା ମୂଲ କଲ ? ରତାଉ ବିକା ନଗଲେ ମୋପିଲାଏ ପରେ ଏହା ପିନ୍ଧିବେ ନିକର ଚଉଦ ସିଉକାକୁ ନେବା ହେଲେ ନିଅ ନୋହିଲେ ଆକାର ନାହିଁ ।” ଏହା ଶୁଣି ବ୍ରାହ୍ମଣ କହୁଛନ୍ତି ଗରାଖକୁ ଶୁଣିମା ହେଲାକି ? ଏହି ପୋଡ଼ ଏ ରୂପେ ବୋଲୁଛି ତେର ସିଉକା ଦୁଇ ଅଣାକୁ ନେବା ହୋଉ ।” ବ୍ରାହ୍ମଣ ଏହା ବୋଲନ୍ତେ ଏହି ରୂପେ ହେଉବୋଲି ସେ ବୋଇଲା ମୂଲ ଏହି ରୂପେ ଛିଡ଼ିଲା ତାକୁ ଟଙ୍କା ଦେଲେ, ବାକି କଉଡ଼ି ଟଙ୍କା ଭଙ୍ଗାଇ ଦେଲେ । ଏ ରୂପେ ଖଡ଼ୁ ମୂଦି ଲୁଗାପଟା କାରବାର ହେଉଛି । ଏଥି ଉତ୍ତାରୁ କେଉଁ ଝିଅ ମାକୁ ବୋଲୁଛଇ “ମାଲୋ ମୁଁ ଶଙ୍ଖା ପିନ୍ଧିବି” । ସେ ଭଲରୂପେ ବାଛି ଝିଅକୁ ପିନ୍ଧାଇ କଉଡ଼ି ଗଣି ଦେଉଛି । ଏହି ରୂପେ କୁଲା, ଟୋକେଇ, ଛପା ଚାଉଳ ଧୁଆ, ହାଣ୍ଡି, ମାଠିଆ, ସରା, ବଶ, ପଲମ, ତେଲାଉଣୀ, ଠେକି, କୁଞ୍ଚା, ଘଡ଼ି, ଝୋବା, କଳସୀ, ପତୁଲି, କୁମ୍ପି ଦୀପାଳୀ, ମାଟିରୁଖା ଏମାନଙ୍କ ପଣେ ଦସଣ୍ଡା ଦେଢ଼ ବୋଡ଼ି ଯାହାର ଯା’ ଲୋଡ଼ା କୁମ୍ଭାରଠାରୁ ଲୋକେ କିଣି ନେଉଅଛନ୍ତି । ଆନ ଯେ ଅଧିକା ସୀମିଶ୍ରଣ ଶୁଣ, କପାତୁଳା, ପିଞ୍ଜୁଅରଟ ସୁତା, ହାତ ତାକୁଡ଼ି, ସୁତା, ଏହା ବିକା ହେତଛି । ଡୋରା, ତନ୍ତୀ ପଳଦର ମୂଳାଇ କିଣି ନେଉଅଛନ୍ତି । ଢଂଅର, ସୁରୁବେଲି, ନେଳି ସୁତା, ଏ ମଧ୍ୟ ମୁଣ୍ଡା ମୁଣ୍ଡା ହୋଇ ଲୋଟିମାନଙ୍କରେ ବିକା ହୋଉଛି । ଏ ଉତ୍ତାରୁ ଅରଟ, କପାଖାଇ, ଲଟି ଲଙ୍ଗଳମୁଣ୍ଡା, ଜୁଅଳି, ଇସ, କଣ୍ଟା, କାଠରୁଖା, ଲୁହାକଣ୍ଟା ପନିଖିପଟ, କାଠଚଟ୍‌, ସଢ଼ଇ ଢଙ୍କା, ଏମାନ ମଧ୍ୟ ବଢ଼େଇ ଏ ବିକୁ ଅଛନ୍ତି । ଚଟୁ ପନିକି, ପିଠାପାତିଆ, କୋରଣା, ତାହି,ବେଲା, ଚଡ଼ୁକାଠ, ଦୁଧକୋରା, ହାଣ୍ଡୀକୋରା, ଜାଲିଚଟୁ, ଖଣତି, ଶାବଳ, କଟୁରି, କୁରାଢ଼ୀ, କା-ଂକ, କୋଦାଳ, ଲଙ୍ଗଳ ଲୁହା, ଦାଆ, ବାରିସି, ନିହାଣ, ପୁଆରି, ତାଜ, ହାତବାରିସି, ପେଲା, ଫେଡ଼ଣୀ,ଭଂଅର, ତାକୁଡ଼ି, ଏମାନ ଲୋହରା କମାରେ ବହୁତ ବିକୁଅଛନ୍ତି । ମା’ବୋଲୁଅଛି ଝିଅକୁ “ମାଲୋ ଆମ୍ଭେ ଜାଲି ଚଟୁଟିଏ ନେବା ସେ ବୋଲୁଅଛି “ସତ କହିଲୁ, ଆମ୍ଭ ଘରେନାହିଁ ।” ଏମନ୍ତ ବୋଲି କିଣିଲେ । ଶାଶୁକୁ ବହୁ କହୁଅଛି ‘ମା କି ଆମ୍ଭର ହାଣ୍ଡୀ କୋରଣାଟିଏ କିଣ, ହାଣ୍ଡୀ ଧୋଇବାରେ ମୋ ନଖଯାକ ସରିଗଲାନି, ଏ ରୂପେକେ’ କିଣୁଛି । କାଚମାନ କେ କିଣି ପିନ୍ଧୁଛି, ନୀଳା ପଡ଼ି, ଏକପଟି, ତିନି ସୋରିଆ, ଫୁଲ ନେତି ବସନ୍ତ ଏ ରୂପେ ଯୋଡ଼ି ମୂଳକରି ପିନ୍ଧି କଉଡ଼ିମାନ ଗଣି ଦେଉଛନ୍ତି । ଏଥି ଉତ୍ତାରୁ କୋଉ ଖାତକ ସାହୁକୁ ଦେଖି ଲୁଚି ପଳାଉଛି । କୋଉ ଖାତକ ସାହୁ ହାବୁଡ଼େ ପଡ଼ିଗଲା ଭୟରେ ବିକଳ ହୋଇ ବୋଲୁଛି “ଅବଧାନେ ତୁମ୍ଭଙ୍କୁ ମୁଁ ଖୋଜୁଥିଲି ହାଟକୁ ଆସିଥିବେ ପରା, ଗୋଜା ଆଣିଛି । ମୂଳକଳନ୍ତର ଭାଙ୍ଗ ଯେ’ ହେଲା ହିସାବ କଲେ ଅଧେ ଦେବି, ଅଧିକୋଉ ପର ବସ (ବର୍ଷ)କୁ ଦେବି ବୋଲି ଲେଖିଦେଇଯିବି । ଶୁଣି ସାହୁ ବୋଲୁଛି- ‘ହଇ ବୁଝୁ ପଛିବା’ କୋଉମିତ ଦୁହେଁ ଦେଖାଦେଖି ହେଲେ । ଦୁରୁ ଦେଖିବା କ୍ଷଣି ଦୁହେଁ ଦୁହିଁଙ୍କି ଚାହିଁହସିଲେ, ସମ୍ଭାବନାରେ ଦୁହେଁ ଧରାଧରି ହେଲେ । ଏକ ମିତ ବୋଲୁଛି ‘ଓହୋ, ଆଜି କି ଭାଗ୍ୟ ! କେତେଦିନରେ ଆପଣଙ୍କୁ ଦେଖିବାର ପଡ଼ିଲା । କହିବା ହେଉ ଆଗ ଆପଣଙ୍କର ସମସ୍ତ କୁଶଳଟି କି ? ଦେହ ସୁଖ ଥିଲା ଯେ ପିଲାଙ୍କର ସବୁରି ଭଲଟିକି ? ସେ ମିତ ବୋଲୁଛି’ ମିତ ତୁମ୍ଭ ଧର୍ମରେ ସବୁଭଲ’ କେବଳ ଝିଅଟିଏ ଜନ୍ମହୋଇ ଚାରିଦିନର ହୋଇ ମରିଗଲା ।” ଶୁଣି ସେ ବୋଇଲା ‘ରାମ ରାମ’ କେଡ଼େ କୃତ୍ୟ ହେଲା । ତିନିପୋରେ ଝିଅ ହୋଇଥିଲା, ଗଲା ତୁମ୍ଭେ ଥିଲେ କାଲି ହେବ । ତହିଁକି ଚିନ୍ତା ?’ ସେ ମିତ ବୋଲୁଛି ‘ଆପଣଙ୍କର ସମସ୍ତ ଶୁଭଟି କି ?” ସେ କହୁଛି ମହାପ୍ରଭୁ ଦୟାରୁ ସବୁଭଲ, କେବଳ ଧାନ ଖଳାରୁ ଥୋଡ଼ାଏ ପୋଡ଼ିଗଲା, ଧାନ ଭରଣ ପାଞ୍ଚ ଯାଏ । ବାଧ ହେଲା ବଡ଼ କଷ୍ଟରେ ନିଭାଇଲୁ” ଏମନ୍ତ ବୋଲି ଫୁଲେ ହାତ ଧରାଧରି ସେ ହାଟ ଯାକ ବୁଲି କଉତୁକ ଦେଖୁଅଛନ୍ତି, ଏ ଉତ୍ତାରୁ କେଉଁ ଶିଷ୍ୟଗୁରୁଙ୍କୁ ଦେଖିଲା ନିକଟକୁଯାଇ ନମସ୍କାର କଲା । ସେ ସନ୍ତୋଷ ହେଇ କଲ୍ୟାଣ କରୁଛନ୍ତି, “ବାବୁ ତୋର ମଙ୍ଗଳ ହୋଉ, ମନୋରଥ ସିଦ୍ଧିହେଉ ସମସ୍ତ କୁଶଳ ଟିକି ? ସେ କହୁଛି’ ମହାପ୍ରଭୁ ତୁମ୍ଭ ଚରଣ ଧୂଳି ପ୍ରାସାଦରେ ସମସ୍ତ ଶୁଭ, କେବଳ ବାପଙ୍କୁ ଛ’ମାସ ହେଲା ଗ୍ରହଣୀ ବେଦନା କରିଛି । ଏ ଘେନି ଗୋସାଇଁଙ୍କ ଯାଇପାରୁନାହିଁ । ମୋର ଏ ରୂପେ ଅଭାଗ୍ୟ ହୋଇଛି ।” ସେ କହିଲେ ବୈଦ୍ୟ ଦେଖା ଗୋବିନ୍ଦ ଆରୋଗ୍ୟ କରନ୍ତୁ । ଏ ସମୟରେ ଏ ଦଣ୍ଡ ନୋହୁ । ଏମନ୍ତ କହିଲେ ଶିଷ୍ୟ ପାଚିଲା କଦଳୀ, ନବତଖଇ, ଏଣୁ କିଛି ଶୁଦ୍ଧକରି କିଣି ଗୁରୁଙ୍କୁ କିଣି ଦଣ୍ଡବତ କରି ଘରକୁ ଗଲା, କାରବାରୀ ତଳଦିନ କାରବାର କରି କଉଡ଼ି ମାଡ଼ି ବସିଥିବା ଲୋକକୁ ଦେଖିଲା, ଦୁରୁ ଦେଖି ଧାଇଁ ଯାଇ ବୋଲୁଛି’ କିହୋ ବହୁତ ଦିନେ ଦେଖିଲାଇ, ଏବେ ଆମ୍ଭ ବାକି କଉଡ଼ି କେତେକ ଏହିଠାରେ ଦେଇ କରି ଯା । ଜାଣିଲାଇ ତୋର ଭଲ ଲୋକପଣ । ଏହି ରୂପେ ସିନା ଭଲ ଲୋକ ସଙ୍ଗରେ କାରବାର କରି ।” ସେ କହୁଛି କି ହେଲା, ତହିଁକି କାରବାରଠାରେ ଏ ରୂପେ ଆଗପଛ ହେଉଥାଏ” ସେ କହିଲା ସବୁଜଣା ଗଲାନି ଯା ମୁହଁକୁ ଲାଜ ନାହିଁ ସେ ରୂପେ କହଇ ଏତେ ଭଲଲୋକ ପଣରେ ମହତ୍ୱ ଥାଉ, ଥାଉ ଦେଇଯା । ସେ ବୋଲୁଛି ଏତେଦିନତ ସହିଲ ଆଉ ଆଠଦିନ ମାସେ ସହ । ତହିଁ ନା ସେ ବୋଲୁଛି” ତୋର କଥାକୁ ମୋର କି ବିଶ୍ୱାସ ହାରାମ ଯାଦାକୁ । କାହାକୁ ଲଗାକରିଦେ । ସେ ବୋଇଲା କଉଡ଼ି ୨ କାହାଣକୁ ଲଗାଦେବି ଏ ଉତ୍ତରିଆଟାର ରଖ । ମୁଁ ଚାରିଦିନକୁ କଉଡ଼ିଦେଇ ବନ୍ଧା ମୁକୁଳାଇ ନିଏ ସିନା । ଏମନ୍ତ ବୋଲି କାଢ଼ିଦେଲା, ସେ ବୋଇଲା” ଏ ପିତଳ ପରାଏ ଦିଶୁଛି କେତେ ହେବ କେ ଜାଣିଛି । ଏହା ମୁଁ ନେଇ କି କରିବି ? ଆଉଁ ଥିଲେ ଦେ? ଏହି ସମୟରେ ତା’ ମା ଅଇଲା ବୋଇଲା” ବାବୁ ହାଟ ବାଟ ବେଳେ କାହିଁକି ଜଞ୍ଜାଳ କରୁଛୁ ? ତହିଁକି ସେ ବୋଲୁଛି” ଡାହାଣୀ, ରାଣ୍ଡୀ ପୁଅ କଊଡ଼ ଖାଇ ଚାରିମାସ ହେଲା ମାଡ଼ିବସିଛି । ଏ ଧାଇଁ ଆସିଛି, କଉଁଡ଼ି ଦେଇଯା, ନ ଦେଲେ ବୀର ବିକ୍ରମ କେଶରୀ ରାଜା ରାଜ୍ୟରେ ବୁଝାବଣା ନାହିଁକି? ପାତ୍ରର ପାଣ୍ଢୋଇ ରାଣଟି, ଆଜହିଁ ଦେଇଯିବୁ । ଏମନ୍ତୁ ବୋଲି ଦୁହିଁଙ୍କର କଳିଗୋଳ ହେଲେ, କଳି କରୁ କରୁ ମାଡ଼ ମରାମରି ହେଲେ, ବିଧା, ଚାପୁଡ଼ା କାନମୋଡ଼ା, କହୁଣୀ ଖୁନ୍ଦା, ମୁଖି, ଗୋଇଠା ଧକା, ତଣ୍ଟିଆ, ଲାତ, ଆଣ୍ଠୁଆ,ମୁଣ୍ଡିଆ ବାଳ ଝିଙ୍କଣା, ତଣ୍ଟିଚିପା, ଏମନ୍ତରେ ଆଠମାଡ଼ ଷୋଳକହୁଣୀ ମରାମରିହୋଇ, ବେକ ଧରାଧରି ହୋଇ ଭୂଇଁରେ ପଡ଼ିଲେ, କାମ୍ବୁଡ଼ା କାମ୍ବୁଡ଼ି, ଛିଣ୍ଡାଛିଣ୍ଡି, ରାମ୍ପୁଡ଼ା ରାମ୍ପୁଡ଼ି, ଗଡ଼ାଗଡ଼ି ହେଲେ, ଏକ ସର୍ବ ସୁଲଭ ପାଟଣାର ପ୍ରଧାନ ହାଟ, ଶଏ କୋଶରୁ ଲୋକେ ରୁଣ୍ଡହୋଇ ଅଛନ୍ତି, ଏହା ଦେଖିବାକୁ ମାଇପ ଙ୍ଘ ଙ୍ଘ ପରା । ଏପୁର ହୋଇ ଆସିବେ ତିଲୋକେ ବୋଲୁଛି “ଭାଇ ଛଡ଼ାଛଡ଼ି କରିଦିଅ ମଲେ ମଲେ ।” କେ ବୋଲୁଛି ଏଯୋଡ଼ାକୁ କିଏରେ ? କେ ବୋଲୁଛି ଆମ୍ଭ ଗଡ଼ ଅନନ୍ତ ସାହୁ, ଗୁଡ଼ିଆ ସାନପୁଅ, ଗୋଟାଏ ଆରଟା କିଏ ?” ତହିଁକି ପାଖ ଲୋକ କହୁଛି ଏ ବିକ୍ରମପୁର ପାଟଣା ଗଣାଇତ ଫକିର ଚାନ୍ଦ ସଳାପରାଇ ଦିଶୁଛି । ଡାକିଲେ ଶୁଣୁନାହାଁନ୍ତି ଘଇତା କରାଇ ଘଇତାଏ ମରିଯିବେ ଯେ- ଏମନ୍ତ ବୋଲି ଭଲଲୋକେ ମଝିରେ ପଶି ଭଙ୍ଗାଇ ଛଡ଼ାଛଡ଼ି କରିଦେଲେ ଫକୀର ଚାନ୍ଦ ଶଳା କ୍ରୋଧରେ ବୋଲୁଛି “ଆଏ ଭଲଲୋକେ ଶୁଣ ଅଇଁଠା ଖାଇ ପୋ ମୋ ଠାରୁ କଉଡ଼ି ନେଇ ମତେମାରି ପକାଇଲା ।” ସେ ବୋଲୁଛି ଆରେ ହାଡ଼ି ? ଚୁଲିକି ଯା ମୁଁ ଦେବି ବୋଲୁ ବୋଲୁ କାହିଁକି ମତେ ମାଇଲୁ ? ଚାଲ ପାତ୍ରଠାକୁ ଗୁହାରୀ କରିଯିବା ।” ଏମନ୍ତ ବୋଲି ପାଉଁଶ ବୋଳି ଲୁଗାଚିରି କଉପୁନି ମାରିଲା ହଟାହେଲେ “ହେ ମତେ ବିଅର୍ଥ ମାରିପକାଇଲା ଏ ରାଜ୍ୟରେ ନ୍ୟାୟ ନାହିଁହୋ” ଏମନ୍ତ ବୋଲି ବାଟଯାକ ରଡ଼ି ପାଡ଼ି ପାଡ଼ି ଧାଉଁଛି ବାଟେ ଦେଖିବା ଲୋକେ ଭଙ୍ଗାଇ ରଖି ଦୁହିଁଙ୍କି ସମାଧାନ କରିଦେଲେ, କଉଡ଼ି କି ମହାଜନ ଜାଣେ, ମୁଦାଇ ହେଲା, ଦୁହେଁଗଲେ, ଏହିରୂପେ ତେଲ ହଳଦୀ ନାନାପ୍ରକାର ଜିନିଷମାନ କିଣାବିକା ହେଲା, ବେଳ ପ୍ରହରକ ଉତ୍ତାରୁ ଏ ହାଟ ବସିଲା, ବେଳ ଦୁଇଘଡ଼ି ଥିଲା ଭାଙ୍ଗିଲା, ନିକଟ ଲୋକେ ଘରକୁ ଗଲେ, ଦୂର ଗାଁ ଲୋକେ ସେଠାରେ ରହି ଆରଦିନ ଯେ ଯାହା ଘରମାନଙ୍କେ ପହଞ୍ଚିଲେ । କା’କା’ ମା ଯାଇଥିଲେ ଝିଅ ବାଟକୁ ଆସିଛି “ମୋ ପାଇଁ କି ଆଣିଛୁ ଦେ’ ଦେ’ ବୋଲି ସାଙ୍ଗେ ଗୋଡ଼ାଉଛି । କାବହୁ ଯାଇଥିଲା ଶାସୁ ଶୁଣି ଧାଇଁଲା । କାବହୁ ଆସିବା ଦେଖି ପୁଣି ଧାଇଁଲା । ଏରୂପେ ଯେ’ ଯାହା ପଦାର୍ଥମାନ ଘେନି ଘରେ ଘରେ ଯାଇ ପ୍ରବେଶ ହେଲେ । ଏମନ୍ତ ପ୍ରକାରେ ସେ ଭାବନଗ୍ର ରାଜ୍ୟ ଗଡ଼ପାଟଣାହାଟ ସୋମବାରକୁ ସୋମବାର ବସଇ ।

 

[* ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରକାଶିତ]

 

ଚତୁର ବିନୋଦ

 

ନୀତି ବିନୋଦ

 

ପୁଣି ମୋହନାଙ୍ଗକୁ ଚଞ୍ଚଳାକ୍ଷୀ କହିଲା ହେ ବନ୍ଧୁ, ନୀତିବିନୋଦ ବୋଲି ଯେଉଁ କଥା ତାହା ଶୁଣିବାକୁ ବଡ଼ ଶରଧା ବଳୁଛି । ସେ କଥା କହି ମୋ ମନ ସନ୍ତୋଷ କରିବା ହୋଉ । କୁମାର କହିଲା ଆରେ ମଣି, ତେବେ ନୀତିବିନୋଦ କଥା କହିବା ଶୁଣୁ ।

 

(ସଂସ୍କୃତ ଶ୍ଳୋକ)

 

କଥା :-

 

ସେ ପୂର୍ବ ଦିଗରେ କୀର୍ତ୍ତିମଣ୍ଡଳ ନାମେ ଏକ ରାଜ୍ୟଅଛି । ସେ ରାଜ୍ୟ ରାଜାନାମ ଚନ୍ଦ୍ରାଲୋକ । ସେ ରାଜାଙ୍କ ଧର୍ମ କର୍ମ ନୀତିବିଚାର ବୀରେଶ୍ୱର ପଣ କୁଳଶୀଳତା ଇତ୍ୟାଦି ଗୁଣମାନଙ୍କରେ ଅଦ୍ୱିତୀୟ ଅଟନ୍ତି । ତାହାଙ୍କ ଗୁଣ କୀର୍ତ୍ତିମାନ ଦିଗମାନଙ୍କରେ ପ୍ରକଟ ହୋଇ ଶୋଭା ପାଉଛି । ପ୍ରଜାମାନଙ୍କୁ ପୁତ୍ରପରା କରି ପାଳନ୍ତି । ସେହି ରାଜ୍ୟରେ କୁଶଳାକର୍ମାନାମେ ଏକ ବ୍ରାହ୍ମଣ ଥିଲା । ତାହାର ଏକ ଭାର୍ଯ୍ୟା ଏକ ପୁତ୍ର, ଏକ ଦୁହିତା, ଏ ରୂପେ ଚାରିପ୍ରାଣୀ, ସେ ବ୍ରାହ୍ମଣ ବେଦବିଦ୍ୟାରେ ନିପୁଣ ବୋଲି ବିଚିତ୍ର ତୁଙ୍ଗ ଦେଶରାଜା ଅମର ତିଳକ ନୃପତି ସେ ବ୍ରାହ୍ମଣକୁ ବେଦ ପାରାୟଣ କରିବା ନିମିତ୍ତେ ବରଣ କରିନେଲେ । ସାମବେଦ ପରାୟଣରେ ସେ ବ୍ରାହ୍ମଣ ରାଜାଙ୍କ ଛାମୁରେ ବହୁତ କାଳ ରହିଲା । ଏଣେ ଏକ ଦିନକରେ କୁନ୍ଦରେଖା ନାମେ ସେ ବ୍ରାହ୍ମଣ ଝିଅ ସଂଧ୍ୟା ସମୟରେ ନଗ୍ରଉପାନ୍ତ କୂପକୁ ଜଳ ଆଣିବାକୁ କୁମ୍ଭ ଘେନିଗଲା । କୁମ୍ଭ କଣ୍ଠରେ ରଞ୍ଜୁ ବନ୍ଧନକରି କୂପରୁ ଜଳଘଟେ ପୂରାଇ ଓଟାରି ଆଣନ୍ତେ ପାଦଖସି ଯିବାରୁ କୂପରେ ପଡ଼ିଗଲା ପୁଣ୍ଡରୀକ ପଣ୍ଡାନାମେ ଏକ ବ୍ରାହ୍ମଣ ପୁତ୍ର ସେ କୂପନିକଟେ ବସି ସଂଧ୍ୟା କରୁଥିଲା । କୁନ୍ଦରେଖା କୂପରେ ପଡ଼ିଯିବାର ଚାହିଁ ସଂଧ୍ୟାଛାଡ଼ି ସତ୍ୱରେ ଆସି କୂପକୁ ଚାହାଁନ୍ତେ ଦେଖିଲା କୁମାରୀ ଉଭାଇ ଟୁଭାଇ ହୋଉଛି ।

 

ଏହାଦେଖି ସେ ବ୍ରାହ୍ମଣ କୂପକୁ ଡେଇଁପଡ଼ି କୁମାରୀକି ସମ୍ଭାଳି ଧଇଲା । ଅନେକ ଶ୍ରମରେ ତାକୁ ଉପରକୁ ଆଣିଲା, ସେ କୁନ୍ଦରେଖା ଦେହ ସମ୍ଭାଳି ତଦନ୍ତେ ବ୍ରାହ୍ମଣ ପାଦଧରି କହିଲା ତୁମ୍ଭେ ମୋର ପ୍ରାଣଦାନ କଲ, ମୁଁ କି ରୂପେ ଏହାର ଉପକାର ଶୁଝିବି ? ଆଜି ମୁଁ ତୁମ୍ଭଙ୍କୁ ସ୍ୱାମୀ କରି ବରଣ କଲି । ତୁମ୍ଭର ପତ୍ନୀହୋଇ ସେବାକରି ଏ ଉପକାର ଶୁଝିବି । ଏକଥା ମୋହର ସତ୍ୟ, ତୁମ୍ଭବିନା ଆନ ପୁରୁଷ ନ ଛୁଇଁବି । ଯେବେ ହୋ କରିବି ତେବେ ହୃଦୟ ଫାଟିଯିବ । ଏହାଶୁଣି ବ୍ରାହ୍ମଣ କହିଲା ଆରେ କୁମାରୀ, ଏରୂପେ କିଆଁ ସତ୍ୟକଲୁ । ତୋ ଉପରେ ତ ପିତାମାତା ଅଧିକାରୀ, ସେ ଯାହାକୁ ଦେବେ ସେ ସିନା ବିଭାହେବ ।

 

ଶ୍ଳୋକ

X X X

 

କଥା :-

 

ଏ ଶ୍ଳୋକ ଶୁଣି କୁନ୍ଦରେଖା କହିଲା ତୁମ୍ଭବିନା ଆନକୁ ଦେବେ ପ୍ରାଣ ହାରିବି, ଏ ମୋହର ପ୍ରମାଣ । ବ୍ରାହ୍ମଣ ବୋଇଲା ଏଥକୁ ସାକ୍ଷକେ ? କୁମାରୀ କହିଲା ‘ଏଥକୁ ସାକ୍ଷ ଅଷ୍ଟଦିଗପାଳ, ଚନ୍ଦ୍ରସୂର୍ଯ୍ୟ । ଏହି ସମୟରେ ଶୁକ ଶାରିକା ଦୁଇଗୋଟି ପକ୍ଷୀ ସେ କୂପ ସମୀପ ବଟବୃକ୍ଷରେ ଥାଇଁ ଏ ଚରିତ ଶୁଣୁଥିଲେ । ମଧୁର ବାଣୀ ପଠନ କରନ୍ତେ କୁନ୍ଦରେଖା କହିଲା ଭୋ ଶୁକ ଶାରିକେ, ଏ ବ୍ରାହ୍ମଣକୁ ମୁଁ ସ୍ୱାମୀକରି ବରଣ କଲି, ଏ ବିନା ଆନ ପତି ନ କରିବି, ତୁମ୍ଭେ ସାକ୍ଷୀ ହୁଅ ।ଏମନ୍ତ କହି ପୁଣ୍ଡରୀକ ପଣ୍ଡା କୁନ୍ଦରେଖା ଦୁହେଁ ଯେ ଯାହା ପୁରକୁ ଗଲେ ।

 

ତେଣେ ବିଚିତ୍ର ତୁଙ୍ଗ ଦେଶରେ ସେ ବ୍ରାହ୍ମଣ କୁଶଳ କର୍ମୀକୁ ଦେହ ବ୍ୟାଧିପୀଡ଼ିତ ହେଲା । କଫଜ୍ୱରରେ ଅବଶ ହେବାରୁ ଚଳିନପାରଇ । ସେହି ନଗ୍ରସ୍ଥିତ ଗୋପକଦମ୍ବ ନାମେ ଏକ ବ୍ରାହ୍ମଣ ସେ କୁଶଳ କର୍ମାକୁ ପୁରକୁ ନେଇ ବହୁତ ଯତ୍ନକଲା, ତିନିମାସ ପର୍ଯ୍ୟନ୍ତ ଅନେକ ସେବା କରିବାରୁ ସେ ବ୍ରାହ୍ମଣକୁ କୁନ୍ଦରେଖା ଦୁହିତାକୁ ପ୍ରଦାନ କରିବ ବୋଲି କୁଶଳକର୍ମା ସତ୍ୟକଲା । ଏମନ୍ତୁ ସତ୍ୟ କରନ୍ତେ ସେ ଗୋପକଦମ୍ବ ବ୍ରାହ୍ମଣ କୁଶଳ କର୍ମାଠାରେ ଇଷ୍ଟଦେବତା ପରିଭାବନା ରଖି ବିବାହ କର୍ମରେ ନିଶ୍ଚିତ ହେଲା ।

 

ଏଥି ମଧ୍ୟରେ କୁଶଳକର୍ମା ଆସିବା ବିଳମ୍ବ ହୁଅନ୍ତେ ତାହା ପତ୍ନୀ ସତ୍ୟକାମା ବ୍ରାହ୍ମଣୀ ପୁତ୍ର ଦୁହିତା ଘେନି ଅନ୍ନବସ୍ତ୍ରରେ ବଡ଼ କଷ୍ଟପାଇଲା । କାହାରି ମୁଖରୁ ପତି-ବାର୍ତ୍ତାହିଁ ନ ମିଳଇ ପଥତ ଅନେକ ଦୂର । କାହାକୁ ଅବା ସେ ଦେଶକୁ ପଠି ଆଇବ,ଏମନ୍ତେ ଅତିକ୍ଳେଶ ପାଇବାରୁ ସେହି ନଗ୍ରର ଚକ୍ରରାଶି ନାମେ ଏକ ବ୍ରାହ୍ମଣ ଜଣେ ତାକୁ କୁନ୍ଦରେଖାକୁ ବିଭା କରିବ ବୋଲି ସତ୍ୟକରି ମହାଜନଙ୍କୁ ସାକ୍ଷୀ ବସାଇ କିଛି ଟଙ୍କାଆଣି ଆପଣା ଚରିତାର୍ଥ ଚାଲିଲା । ଚକ୍ରରାଶି କୁନ୍ଦରେଖାକୁ ବିଭାହେବ ଏହା ମୂଳକରି ବିଭା ସାମଗ୍ରୀ ତିଆରି କରୁଥାଇ ।

 

ସେହି ସମ୍ବତ୍ସରେ ଆଗକୁ ସିଂହ ବୃହସ୍ପତି ଯୋଗ ଅଶୁଦ୍ଧ କାଳରୁ ବିବାହ ହେବନାହିଁ ବୋଲି କୁଶଳକର୍ମା ଗୋପ କଦମ୍ବକୁ ସଂଗେ ଘେନି ଦୁହିତା ପ୍ରଦାନ କରିବ ବୋଲି ପୁରକୁ ଅଇଲା, ଏହିକାଳ ଅଶୁଦ୍ଧ ଜାଣି ଚକ୍ରରାଶି ବ୍ରାହ୍ମଣ ସମ୍ଭାର ତିଆରି କରି ବିଭାଲଗ୍ନ ପ୍ରମାଣ କରିଅଛି । କୁମାରୀ ସତ୍ୟବଚନ ମନେଘେନି ପୁଣ୍ଡରୀକ ପଣ୍ଡା ବିଭାହେବା ନିମନ୍ତେ ଭୂଷଣମାନ ନିର୍ମାଣ କରଇ, ଏମନ୍ତେ କୁଶଳକର୍ମା ଗୋପକଦମ୍ବକୁ ଘେନି ମନ୍ଦିରେ ମିଳି ବିବାହ ଉଦ୍ୟମ କରନ୍ତେ ଚକ୍ରରାଶି ବ୍ରାହ୍ମଣ ମହାଜନ ସାକ୍ଷୀବସାଇ ଗୋପକଦମ୍ବକୁ ଦୁହିତା ପ୍ରଦାନ ନ କରବୋଲି କୁଶଳକର୍ମାଙ୍କୁ ରାଜାଙ୍କ ରାଣଦେଲା, ଏହିରୂପେ ପରସ୍ପରେ ସେ ବେନିବ୍ରାହ୍ମଣ ଦ୍ୱନ୍ଦ ହୁଅନ୍ତେ ସେ ଦୁଇ ବରଯାକ ଚନ୍ଦ୍ରାଲୋକ ରାଜାଙ୍କ ଛାମୁକୁ ଗୁହାରି କରିବାକୁ ଗଲେ । ସେ ରାଜାଙ୍କ ରାଣଦେଲା, ଏହି ରୂପେ ପରସ୍ପରେ ସେ ବେନିବ୍ରାହ୍ମଣ ଦ୍ୱନ୍ଦ୍ୱ ହୁଅନ୍ତେ ସେ ଦୁଇ ବରଯାକ ଚନ୍ଦ୍ରାଲୋକ ରାଜାଙ୍କ ଛାମୁକୁ ଗୁହାରି କରିବାକୁ ଗଲେ । ସେ ରାଜାଏ ଦୁହିଁଙ୍କ କଥାଶୁଣି ବିଚାରିଲେ, ଦୁହେଁତ ଗରହିତ ନ୍ୟାୟ କାହାକୁ କନ୍ୟାଦେବା, ଏହି ଧର୍ମ ବିଚାରଣା କରି ନ୍ୟାୟ ଛିଣ୍ଡାଇ ନ ପାରିଲେ,ସମସ୍ତ ବ୍ରାହ୍ମଣଙ୍କୁ ଡକାଇ ଆଜ୍ଞାଦେଲେ ଆହେ ବ୍ରାହ୍ମଣ ଗୋସାଇଁମାନେ, ଅଶୁଦ୍ଧଦ୍ରବ୍ୟ ପଡ଼ି ଯେଉଁସ୍ଥାନ ଅସଂସ୍କାର ହୋଇଥାଇ ସେ ସ୍ଥାନରେ ପବିତ୍ର ଜଳ ପଡ଼ିଲେ ସିନା ଶୁଦ୍ଧ ହୁଅଇ, ଏଘେନି ବ୍ରାହ୍ମଣଙ୍କ ନ୍ୟାୟ ବ୍ରାହ୍ମଣ କରିବ, ଯାହାର କନ୍ୟା ପ୍ରବର୍ତ୍ତିତ ତାହା ଆମ୍ଭ ଛାମୁରେ କହିଲେ ତାକୁ କନ୍ୟାବିଭା କରିବା । ଏମନ୍ତ ଆଜ୍ଞାପାଇ ସକଳ ବ୍ରାହ୍ମଣମାନେ, ନନ୍ଦ, ମିଶ୍ର, ମହାପାତ୍ର, କର, ରଥ, ଆଚାର୍ଯ୍ୟ, ଭଟ୍ଟ, ଦୁବେଇ, ତିହାଡ଼ୀ, ପାଣି, ଶତପଥୀ, ପତି ଚକ୍ରବର୍ତ୍ତୀ, ଦାସ, ଦୀକ୍ଷିତ, ମୁନୀ, ଦେବତା, ବ୍ୟାସ, ଚଇନି ପଣ୍ଡା ପତ୍ରୀ-ଏମାନେ ସମସ୍ତେ ଆସିଲେ ରାଜାଙ୍କ ଛାମୁରେ ଥିବା ସକଳ ସାମନ୍ତ ବ୍ରାହ୍ମଣମାନଙ୍କୁ ଆଗ୍ୟାଂକଲେ ତୁମ୍ଭେମାନେ ମଧ୍ୟ ଯାଅ, ରାଜାଗୁରୁ, ରାୟଗୁରୁ, ବ୍ରହ୍ମା, ପାଟଯୋଷୀ, ପହରାଜ, ପରମଗୁରୁ, ପୁରୋହିତ, ବଡ଼ପଣ୍ଡା,ସଦିସ, ଖାଡ଼ଙ୍ଗା, ଭଟ୍ଟମିଶ୍ର, ବାଜପୋଇ, ଅଗ୍ନିହୋତ୍ରୀ, ସାମନ୍ତରା; ବାହିନୀ ପତି, ଏମନ୍ତେ ବ୍ରାହ୍ମଣ ଗୋସାଇଁମାନେ ସମସ୍ତେ କୁଶଳକର୍ମା ଗ୍ରାମରେ ପ୍ରବେଶ ହେଲେ । କୁନ୍ଦରେଖା କୁମାରୀ ପତନ କୂପସମୀପ ବଟବୃକ୍ଷମୂଳେ ପ୍ରସାର ପାଷାଣ ବେଦୀଉପରେ ସେ ବ୍ରାହ୍ମଣମାନଙ୍କୁ ଗୁହାରିଆ ବ୍ରାହ୍ମଣ ଯଥାନୁରୂପେ ବସାଇଲା । ସେ ଦୁଇ ବର ବ୍ରାହ୍ମଣଙ୍କୁ ଡକା ସମସ୍ତ ବ୍ରାହ୍ମଣ ଗୋସାଇଁମାନେ ବିବାହ ବିଷୟ ପୁଚ୍ଛନ୍ତେ ଏହି ସମୟରେ ପୁଣ୍ଡରୀକ ପଣ୍ଡା ଆଗରେ ଉଭାହୋଇ କହିଲା ଆହେ ଗୋସାଇଁମାନେ ଆପଣ ଯେ ଏ ନ୍ୟାୟ କରୁଛ, ମାତ୍ର ଏ କନ୍ୟାକୁ ମୁଁ ବିଭାହେବି, ଧର୍ମରେ ମୋର ପ୍ରାପତଟି । ଏହା ବିଚାରି ନ୍ୟାୟ କରିବା ହୋଉ । ଏହାଶୁଣି ସମସ୍ତେ ଚକିତ ହେଲେ,ବୋଇଲେ ଏପୁଣି କି କଥା ! ତାକୁ କହିଲେ ଏକନ୍ୟା ତୋର କିରୂପେ ତାହା ଦେଖିକହ ଶୁଣିବା, ସେ କହିଲା ମୁଁ କି କହିବି । ମୋହୋର ଅଷ୍ଟଦିଗପାଳ ଚନ୍ଦ୍ର ସୂର୍ଯ୍ୟ ସାକ୍ଷୀ ଅଛନ୍ତି, ସେ କହନ୍ତେ ସିନା । ଏହି ସମୟରେ ସେ ବୃକ୍ଷ ଉପରେ ବସି ଶୁକ ଶାରିକା ଦୁହେଁ କୋଳାହଳରେ ମଧୂରବାଣୀ ପଠନ କରି ସତରେ ହସିଉଠନ୍ତେ ବ୍ରାହ୍ମଣମାନେ କହିଲେ ହେ ଶୁକଶାରିକେ, ତୁମ୍ଭେ କି ନିମନ୍ତେ ହସିଲ ତାହାକହ, ତହିଁକି ଶୁକଶାରିକା କହୁଅଛନ୍ତି,ଆହେ ଗୋସାଇଁ ମାନେ: -

 

ଶ୍ଳୋକ

 

X X X

 

ଏଥକୁ ଯେ ଯାହାର କନ୍ୟା ସେ ତ ଅବଶ୍ୟ ତାକୁ ପ୍ରାପତ ହେବ, ଆଗେ ଆମ୍ଭେ କଥାଟିଏ କହିବୁ ତାହାଶୁଣ ।

X X X

 

ଶୁଣି ବ୍ରାହ୍ମଣମାନେ ପୁଣ୍ଡରୀକ ପଣ୍ଡାକୁ ପଚାରିଲେ ଏ କନ୍ୟାଠାରେ ତୋହର କି ନିମିତ୍ତ ଅଛି ତାହା କହ । ସେ କହିଲା କନ୍ୟାଠାରେ ଯେଉଁ ନଟ ଅଛି, ତାହା ଏ ଶୁକ ଶାରିକା, ଶୁଣି ଦେଖିଛନ୍ତି । ସେ କହନ୍ତି, ତାଙ୍କଠାରେ ଶୁଣ । ବ୍ରାହ୍ମଣ କହିଲେ, ହେ ଶୁକଶାରିକେ, ତୁମ୍ଭେ ଏ ପ୍ରସଙ୍ଗ କି ଜାଣିଛ ତାହା କହ । ଶୁକଶାରୀକା ଏହାଶୁଣି କୁନ୍ଦରେଖା କୂପରେ ପଡ଼ିବାଠାରୁ ପୁଣ୍ଡରୀକ ପଣ୍ଡାକୁ ବରଣ କରିବା ଚରିତ ସରିକି ସମସ୍ତ କହିଲେ । ଶୁଣି ବ୍ରାହ୍ମଣମାନେ କହିଲେ, ଏତ ବିମ୍ବାନ୍ୟାୟ ପରି ହେଲା, ପୁଣ୍ଡରୀକ ପଣ୍ଡା କୁନ୍ଦରେଖାକୁ ଜୀବନ ଦାନ ଦେଇଛି । କୁନ୍ଦରେଖା ଧର୍ମ ସାକ୍ଷ୍ୟରେ ତାକୁ ବରଣ କରିଛି । ପୁଣି ଆନପୁରୁଷ ଛୁଇଁଲେ ହୃଦୟ ଫାଟିଯିବ ଏ ରୂପେ ସତ୍ୟ କରିଛି । ସ୍ୱୟ-ବରଣ ତ ସବୁକାଳେ ପ୍ରଧାନ । ଏତ ଦଇବ ଆୟତ୍ତରୁ ସ୍ୱୟଂବରଣ ହେଲା, ଏ ସକାଶୁଁ (୧) ପୁଣ୍ଡରୀକ ପଣ୍ଡାକୁ କୁନ୍ଦରେଖା ପ୍ରାପତ ହେଲା ।

 

ଏ ରୂପେ ନ୍ୟାୟ ଛିଡ଼ିବାରୁ ସମସ୍ତେ ଶାନ୍ତ ହେଲେ, ନୀତିବିନୋଦ କଥା ସଇଲା ।

 

ଏ ରୂପେ ମୋହନାଙ୍ଗଠାରୁ ଶୁଣି ଚଞ୍ଚଳାକ୍ଷୀ ଅତ୍ୟନ୍ତ ଆନନ୍ଦ ହେଲା ।

 

[କବିବର ବ୍ରଜନାଥ ବଡ଼ଜେନା କୃତ । ସଂପାଦନା ସୁଧାକର ପଟ୍ଟନାୟକ ପ୍ରାଚୀସମିତି ପକ୍ଷରୁ ଷ୍ଟୁଡ଼େଣ୍ଟ ଷ୍ଟୋର ଦ୍ୱାରା ପ୍ରକାଶିତ, ୧୯୪୬ ।

(୧) ସୂକାଶୁଁ - ପାଠାନ୍ତର,]

 

ପୁରୁଷୋତ୍ତମ କ୍ଷେତ୍ରର ଅମୃତ ମଣୋହି ଚୋପ *

 

ସମୟ- ଖ୍ରୀଷ୍ଟାବ୍ଦ ୧୭୪୫ (= ସ୍ନ ୧୧୫୨ ସାଲ)

ଫାର୍ଶୀ-ଓଡ଼ିଆ ଦ୍ୱୈଭାଷିକ ଲେଖାର ଓଡ଼ିଆ ଅଂଶ ଲିପି-କରଣୀ ଓଡ଼ିଆ ।

 

ସମସ୍ତ ୧୫ ଅଙ୍କ ସ୍ନ ୧୧୫୨ ସାଲ ମିଥୁନ ଦି ୨୫ ନେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ଦକ୍ଷିଣ ପାରୁଶେ ମହନ୍ତ ହରେକୃଷ୍ଣ ଦାସ ଗୋସାଇଙ୍କ ଗୋଚରେ ଓଳଧାର ବିଶେ.ଗ୍ରାମରେ ରହଣି କାନଗୋଈ ବାଲୁକି ସୁବୁଧି ମହାପାତର ଦେଲା ଅମୃତ ମଣୋହି ଚୋପ (-) ଏ ନିମନ୍ତେ ଚୋପ ଲେଖିଦେଲୁ ଆମ୍ଭ ତାଲୁକ ହୁରୁଷିପାଡ଼ା ରକବାରୁ ଆଜ ବିଂଜର ଜମା ଖାରିଜ ଜମି ମା ୧୭ ଣ ଆପଣଙ୍କ ମଠ ତଳେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଣୋହି ତଳେ ଦେଲୁ (-) ଆଜଦିନ ଆଦତରୁ ତରୁଦଦ ଆବାଜ କରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗତଳେ ଯାବତ୍‌ଚନ୍ଦ୍ରାକେ ଅମଳ କରିବ (-) ଏ ଚୋପ ବାଲୁକି ସୁବୁଦ୍ଧି ମହାପାତରର ସମ୍ମତ ।

 

[* ଅମୃତ ମଣୋହି ଚୋପର ଆରମ୍ଭରେ ସାତଧାଡ଼ି ଫାର୍ଶୀ ଲିପି ଓ ଭାଷାର ଲେଖା ଅଛି । ଫାର୍ଶୀ ଲେଖାତଳେ ୧୩ଧାଡ଼ୀ କରଣୀ ଓଡ଼ିଆ ଲିପିରେ ଲିଖିତ ।

 

ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୬୫ ଖ୍ରୀ.ଅ.ରେ ଅନୁମୋଦିତ ଡ.ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଡି.ଲିଟ୍ ଥିସିସ୍ ‘ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶଧାରାରୁ ଗୃହୀତ ।]

 

Unknown

ଶାରଳା ଦାସଙ୍କ ନିତ୍ୟାନି ଗୁରୁବାର *

ଶ୍ରୀ ନିତ୍ୟାନି ମହାଲକ୍ଷ୍ମୀ ନମୋ ନମଃ–

 

ଆରମ୍ଭ-ସାସୁନା ଶ୍ରୀୟା, ବହୁନା ପ୍ରିୟା, ସାହୁନା ଶ୍ରୀଧର, ପୁଅ ନାଶ୍ରୀକର । ଚାରି ଶ୍ରୀବନ୍ତ ୟେକାନାରେ ଥାନ୍ତି । ଗୁରୁବାରେ ଦିନ ବୋହୁ ବୋଇଲା ସାସୁୟେ ମୁଁ ପଦ୍ମତୋଳିଜିବି । ସାସୁ ବୋଇଲା କିଲୋ ମା’ ୟେତେଦିନ ଥାଇ ଥାଇ ୟେହାକଲୁ । ଆଦ୍ୟ ଗୁରୁବାର ଆଜି, ‘ମୋ ଲକ୍ଷ୍ମୀସାଙ୍ଗେ ଅଷ୍ଟବେତାଳେ ଅଷ୍ଟ ଅପସରି ଥାନ୍ତି । ସସୁରଙ୍କ ତୁଲେ ଅଷ୍ଟମହାଜନ ଭୁଞ୍ଜନ୍ତି । ମୁଁ ଜାଇନାପାରିବି, ଯଦି ଯିବୁ ଖରେଜିବୁ । ଖରେ ଆସିବୁ, ବଡ଼ଲୋକ ଦେଖିଲେ ମାନ୍ୟଧର୍ମ କରିବୁ । ସରିଲୋକ ଦେଖି କୋଳେ ସମ୍ଭାଷଣ କରିବୁ । ବାଳକ ଦେଖି ମୁଖେ ଚୁମ୍ବନ ଦେବୁ । ଅତୁଠେ ପଶି ତୁଠେ ବାହରିବୁ । ଏକା ଦାନ୍ତକାଠୀ ଖାଇବୁ । ଗନ୍ଧ ଚନ୍ଦନ ଲେପି ସ୍ନାନ କରିବୁ । ଆଜ୍ଞା ପ୍ରମାଣେ ବହୁ ଗଲା, ପାଟେପିନ୍ଧ ପାଟେଉପୁରାଣ ଦେଲା ।

 

୧-* ଅୟେଳା ଘେନି ସ୍ନାନକଲା, ସାସୁ ଯେତେକ କହିଥିଲା ସେହିରୂପେ କଲା ସ୍ନାନସାରି ଖରେ ଆସୁଛି, ଆସୁ ଦେଖିଲା, ସ୍ୱର୍ଗର ଅଷ୍ଟକନ୍ୟା ମଞ୍ଚର ଅଷ୍ଟକନ୍ୟା ଝୀଙ୍କର ବାଛିବୁ XXXXXX ।

 

ସେ ବୋଇଲେ ଆଲୋ ସାଧବ ଘର ବୋଉ କେଣିକି ଜାଉଛୁ ଏକଥା ଶୁଣିବୁ ଆ । ବହୁ ବୋଇଲା କି କଥା । କନ୍ୟାୟେ ବୋଇଲେ ନିତ୍ୟାନି ମହାଲକ୍ଷ୍ମୀ କଥା । ବହୁ ବୋଇଲା ମୋ ସାସୁ ୨-ନିୟେ କୁହନ୍ତି । ମୁଁ ନିତ୍ୟେ ସୁଣଇ । କନ୍ୟାୟେ ବୋଇଲେ ଆଲୋ ଦେବକଥା ମନୁଷ୍ୟ କଥା ଦୁହିଁଙ୍କି ସରିକଲୁ । ତୁ ଯେବେ ଶୁଣନ୍ତୁ ଗୃହସ୍ଥ ରାଜା ହୁଅନ୍ତା ତୁ ପାଟରାଣୀ ହୋଅନ୍ତୁ । ତୁ ଯେଉଁ କାର୍ଯ୍ୟକୁ ଯାଉଛୁ ସେ କାର୍ଯ୍ୟତୋର ସୁଫଳ ନୋହୁ-

 

ଏ ଶାପ ପାଇ ଖରତର ହୋଇ ସେଠାରେ ଅଇଲା । ଗୀରିଡ଼ାକୁ ଲୁଗା ଖଣ୍ଡ ପକାଇଦେଲା,ଆଉପାଟେ ପିନ୍ଧି ଆଚମନ କଲା । ଗୋଡ଼ଧୋଇ ଘରେ ପସିଲା ଆଦ୍ୟ ଲୁଣ ଘେନିଲା ଦହିଭାତ କଂସୟେ ଘେନିଲା, ଖାଇ ବସିଲା, ଗୁଣ୍ଡାକେ ବାଳ ଗୁଣ୍ଡାକେ ଧାନ ପାଇଲା, ଅସୁକାଇ ହୋଇ ତାହା କଦଳୀ ଗଛମୂଳେ ପକାଇ ଦେଲା, ଆଚମନ କରି ଖନ୍ଦାଘରେ ପସିଲା । ଚନ୍ଦନ କାଠଗରେ ଆଣି ହାଣ୍ଡି ବସାଇଲା, ଜିରା ପକାଇ ଦେଲା ହାଣ୍ଡି ଉପରେ ଜାଳ ଜାଉଛି ଜିରା ଫୁଟୁନାହିଁ, ହାଣ୍ଡି ତାତୁନାହିଁ । ସାସୁ ଅଇଲା ବୋଇଲା କିଲୋ ମା ଏତେବେଳେ ଜାଏ କି କରିଛୁ । ଚୁଲି ଜଳି- (୨)ହାଣ୍ଡି ଉପରେ ଜାଳ ଯାଉଛି ‌ଜିରାଫୁଟୁ (୨) ନାହିଁ । ବୋଲଣା କଲୁକି । ମୁଁ ଯେମନ୍ତ କରି କହିଥିଲି ସେ ରୂପେ ନ କଲୁକି । ବହୁ ବୋଇଲା ଯେତେ କହିଥିଲ ସବୁକଲି । ୟେକା ଗୋଟୀୟେ ନକଲି, ସ୍ୱର୍ଗର ଅଷ୍ଟକନ୍ୟା ମଞ୍ଚର ଅଷ୍ଟକନ୍ୟା ଓଷା ପୁଜୁଥିଲେ । ମୋତେ ବୋଇଲେ ଆ ସାଧବ ଘର ବୋହୁକଥା ଶୁଣିମୁ, ଆସ ମୁଁ ବୋଇଲି କି କଥା । ସେ ବୋଇଲେ ନିତ୍ୟାନି ମହାଲକ୍ଷ୍ମୀ କଥା । ମୁଁ ବୋଇଲି ମୋ ସାସୁ ନିତ୍ୟେ କହନ୍ତି । ମୁଁ ନିତ୍ୟେ କହଇଁ ତାହା ଶୁଣି ସେ ବୋଇଲେ ଆଲୋ ଦେବକଥା ମନୁଷ୍ୟ କଥା ଏକାକଲୁ । ତୁ ଯେଉଁ କାର୍ଯ୍ୟକୁ ଜାଉଛୁ ସେ କାର୍ଯ୍ୟ ବିଫଳ ହେଉ । ଏହା ବୋଲି ସାପ ଦେଲେ, ସାସୁ ବୋଇଲା ମାଲୋ ୟେଡ଼େ କର୍ମକଲୁ, ୟେତେବୋଲି ସାସୁ ବହୁକୁ ପେଲିଦେଲା, ଆପେ ରାନ୍ଧିବସିଲା, ଛଡ଼ରସ ଅମୃତ ପାଗ ମୋଣହି କଲା । ଘର ବଖରାୟେ ଲିପିପୋଛି ଆଣିଲା । ଇନ୍ଦ୍ର ଗୋବିନ୍ଦଚାନ୍ଦୁଆ ଟାଣିଲା । ମାଣିକର ଦିପାବଳି ଜାଳିଲା, ଚନ୍ଦନର ଛଡ଼ା ଗନ୍ଧର ପିଚିକା ପକାଇଲା, ଆଖୁଗୋଛା ଗହନେ ଥୋଇଲା, ପଈଡ଼ ଖାନି ଗହନେ ଥୋଇଲା, ଗୁଆ ପେଣ୍ଡା ଗହନେ ଥୋଇଲା, ସାକର ପଟ ଗହନେ ଥୋଇଲା, ଗଙ୍ଗାବାଣ ପଇଡ଼ ଅଙ୍ଗବାସ ଆଣି ସାଚିଚିଣି ଦୋପାଗ ନିବାତ ସବୁ ଅମୃତ ପାନି କଦଳୀ ଡାଳିମ୍ବ ଚମ୍ପାଦୁଧ ଏମନ୍ତ କରି ଶୋଳ ପ୍ରକାରେ ରଖିଲା, ସୋଡ଼ ପାଖୁଡ଼ା ପଦ୍ମ ଲେଖିଲା, ତହିଁ ଅଖଣ୍ଡିତ ତଣ୍ଡୁଳକୁ ଖୋଇଲା ମଧ୍ୟରେ ପୂର୍ଣ୍ଣକୁମ୍ଭ ବସାଇଲା । ଚୁତଡ଼ାଳ ନେଇ ନଟୀକାଳି ଦେଲା । ସୁବର୍ଣ୍ଣର କୁଣ୍ଡ ଝରିଦେଲା । ପାଟର ପାହାଡ଼ ପାରିଲା, ନେତର ବଳିତା ଦେଇ ଗୁଆଘିଅରେ, ଜାଗର ଜାଳିଲା । ୟେ ଋପେ ଶୋଳ ଉପଚାରରେ ବହୁତ ପୂଜାକଲା ଠାକୁରାଣୀ କେବେ ହେଁ ବିଜେ ନକଲେ, ବହୁତ କାର୍ପୁନ୍ୟ ହେଲା, ଠାକୁରାଣୀ ଆଗ୍ୟାଦେଲେ,ମୋହରେ କାର୍ଯ୍ୟକିତୋ ବହୁରେ କାର୍ଯ୍ୟ ସାଶୁ ବୋଇଲା ଗୋସାଇଁ ବହୁଛାର ମୋତେ କି କରିବ, ଗୋସାଇଁଙ୍କର କାର୍ଯ୍ୟ ଠାକୁରାଣୀ ବୋଇଲେ ଯେବେ ତୋ ବହୁକୁ ଗାଲକେ କଳାଦେଇ କଳାକନା ପିନ୍ଧାଇ ବାହାର କରିଦେବୁ ତେବେ ତୋ ଘରକୁ ଯିବି । ଆଗ୍ୟାଂ ପ୍ରମାଣେ କଳା ଗନ୍ଧୟେ ପିନ୍ଧାଇଲା ଗାଲକେ ଖନ୍ଦ ଟୋପାୟେ ଦେଲା । ଗାଲକେ ଚନ୍ଦନ ଟୋପାଏ ଦେଲା । ଦାଣ୍ଡ ଦ୍ୱାରବାଟେ ଦେଖାଇ ବାରିଦ୍ୱାର ବାଟେ ବାହାର କରିଦେଲା, ବଡ଼ଘର ବହୁ କେଣେଜିବ । ଜାଇଆସି ତ ନ ଜାଣଇଁ, ଧାନ ମରାଇ ତଳେ ଧନୁଟିମାନ ଚାଉଳଟୀମାନ ଭିନେ ଭିନେ କରି ଥୋଇଛି । ସାସୁ ମହାଲକ୍ଷ୍ମୀକି ବହୁତ ସେବାକଲା । ଠାକୁରାଣୀ ବୋଇଲେ ଆଲୋ ସାଧବାଣୀ ୟେ ଆଳି ମୁ ତୋଘରେ ମଣୋହି କରିବି ।

 

ସାସୁ ବୋଇଲା ଗୋସାଇଁ ମୁଁ ୟେକାସିନା । କେ ଆଣିବ, ଠାକୁରାଣୀ ଆଗ୍ୟାଦେଲେ ଅଷ୍ଟବେତାଳେ ମଣୋହି ଆଣୀମେ, ଠାକୁରାଣୀ ଅଷ୍ଟବେତାଳକୁ ଆଗ୍ୟାଦେଲେ ଅମୃତ ମଣୋହି ବେଗକରି ଘେନିଆସ । ଆଗ୍ୟା ପ୍ରମାଣେ ଅଷ୍ଟ ବେତାଳେ ମଣୋହି ସାମଗ୍ରୀ ଆଣିଲେ, ସାଧବାଣୀ ସୁନା ଯୋଗାଡ଼ି ଦେଲା । ତହିଁ ଅମୃତ ମଣୋହି ପରସୁ ଅଛି, ଘୃତ ଲବଣୀସର ଗୋଟୀକା ପରସିଲା, ସେଳିସେଇ ଘୃତ ବୋଇଲେ ସରଦେଉଛି, ଶର ବୋଇଲେ ଆଖୁ ଦେଉଛି । କଦଳୀ ବୋଇଲେ ମଣ୍ଡାଦେଲା, ପଇଡ଼ ବୋଲି ପଣାଦେଉଛି, ପିଠାବୋଲି ଖଜା ଦେଉଛି, ଏଋପେ ଭୋଳାହୋଇ ତୁଚ୍ଛା ହାତ ନେଇ ଶ୍ରୀମୁଖ ଦେଲା । ଠାକୁରାଣୀ ବିଚାରିଲେ ମୋଠାରେ ମନଦେଇ ସାଧବାଣୀ ଭୋଳହେଲା, ଠାକୁରାଣୀ ଆଗ୍ୟାଦେଲେ, ଆଲୋ ସାଧବାଣୀ ବରମାଗ, ସାଧବାଣୀ ବୋଇଲା ଗୋସାଇ, କି ବର ମାଗିବି କିଛି ବର ନ ଜାଣଇ ଠାକୁରାଣୀ ବୋଇଲେ କିଛି ବରମାଗ । ଠାକୁରାଣୀ ଆଚୋମନ କଲେ, ମୁଖବାସ କର୍ପୂର କଡ଼ୀଆ ପାନ ଜୋଗଗକଲେ, ସାଧବାଣୀ ବୋଇଲା ଗୋସାଇ,ମୁ ଚତୁର୍ଭୁଜ ହେବି ହାଥକେ ପଖା ପକାଇବି । ହାଥକେ ଚାମର ଢ଼ାଳିବି । ହାଥକେ ବିଡ଼ିଆ ଭୁଞ୍ଜାଇବି, ହାଥକେ ପାଦମଞ୍ଚାଳିବି ଠାକୁରାଣୀ ବୋଇଲେ ପଲଙ୍କ ପାର । ମୁଁ ତୋ ଘରେ ପହୁଜିବି, ଆଗ୍ୟା ପ୍ରମାଣେ ରତ୍ନପଲଙ୍କ ପାଡ଼ିଲା କର୍ପୂର ଧୂଳି ସେବତି ପାଖୁଡ଼ା ସିଞ୍ଚିଲା ନାଗେଶ୍ୱର X X ତରସେଜ ପଡ଼ାହେଲା ତହିଁ ଠାକୁରାଣୀ ପହୁଡ଼ିଲେ । ସାଧବାଣୀ ତ ଆଲଟ ଧରି ଠିଆହୋଇଛି । ଠାକୁରାଣୀ ବୋଇଲେ କିଲୋ ସାଧବାଣୀ କାହିଁକି ଠିଆ ହୋଇଛୁ, ସାଧବାଣୀ ବୋଇଲା ମହାପ୍ରଭୁ, ଚର୍ତୁଭୁଜ ହୋଇବି, ଉତମ ହୁଅ ବୋଇଲେ, ଆଗ୍ୟାଂ ପ୍ରମାଣେ ଚତୁର୍ଭୁଜ ହେଲା ହାଥକେ ଚାମର ଚାଲିଲା । ହାଥକେ ପଖାପକାଇଲା ହାଥକେ ପାଦ ମଚାଳିଲା, ହାଥକେ ଫୁଟୀକି ମାଇଲା ଏ ରୂପେ ସେବାକଲା, ଠାକୁରାଣୀ ନିଦ୍ରାଗଲେ । ହରି ବଳରାମ ବଡ଼ ଦେଉଳେ ବିଜେ କରିଛନ୍ତି । ଦେଖିଲା ରୋସଘରେ କେହି ନାହିଁ । ଠାକୁରାଣୀଙ୍କର ମଣୋହି ସାମଗ୍ରୀ ହୋଇନାହିଁ । ଠାକୁର ବୋଇଲେ ଆଦର ଲକ୍ଷ୍ମୀ ଆଦର ଯହିଁପାନ୍ତି ତହିଁ ରହନ୍ତି । ଆମ୍ଭଠାଇଁ ଆଉ ଆଦର ନଥାଇ । ସଙ୍ଖୁଆକୁ ବୋଇଲେ ଜୟେ ଶଙ୍ଖଦେବୁ, ତୋ କାନ ମୋ କାନ ଲକ୍ଷ୍ମୀ କାନ ହେବ,ଆଗ୍ୟାଂ ପ୍ରମାଣେ ଜୟ ଶଙ୍ଖ ଦେଲା,ମହାଲକ୍ଷ୍ମୀ କର୍ଣ୍ଣେ ସମ୍ଭାଇଲା ଠାକୁରାଣୀଙ୍କ ନିଦ୍ରାଭାଙ୍ଗି ଉଠି ବସିଲେ, ବୋଇଲେ କି ୟେ ସାଧବାଣୀ ମୋ ନିଦ୍ରା ନ ଭଙ୍ଗାଇଲୁ, ଠାକୁରଙ୍କର ମୋତେ ବୋଲଣା ହେବ । ୟେତେ ବୋଲି ଠାକୁରାଣୀ ବିଜେକରି ଯାଉଅଛନ୍ତି, ଗଭା ଫିଟିଯାଉଛି ନେତର ପଣତ ଲୋଟୀଯାଉଛି । ସାଧବାଣୀ ପଛେ ପଛେ ଗୋଡ଼ାଇଛି, ଠାକୁରାଣୀ ପଛକୁ ଅନାଇ ଦେଲେ ବୋଇଲେ କିଲେ ସାଧବାଣୀ କାହିଁକି ଗୋଡ଼ାଉଛୁ । ସାଧବାଣୀ ବୋଇଲା ଗୋସାଇ ମୋତେ ବର ଆଜ୍ଞାହେଉ, ଠାକୁରାଣୀ ବୋଇଲେ କି ବର ମାଗିବୁ ମାଗ, ସାଧବାଣୀ ବୋଇଲା ଗୋସାଇଁ ବହୁଙ୍କର ବଳା ପାହୁଡ଼ରେ ସବଦରେ ନାତିନାତୁଣୀଙ୍କର ଘଣ୍ଟା ଜାଣୁଣ (=ବାଜୁଣ ?) ସବଦରେ ରାଜା ଯାଉଥିବେ ଦାଣ୍ଡେ ତାହା ନ ଶୁଣିବି କାନେ, କର୍ଣ୍ଣର ଗଣ୍ଠିଆ କାନ୍ଧରେ ଲୋଟୁ, ହସ୍ତର କଙ୍କଣ ଜନ୍ମେ ନ ତୁଟୁ କୋଳକୁ ମିଳୁ ମୋ ନନ୍ଦନ ବାଳା । ଶ୍ୱାମି ହୋଇଥିବେ ଗୁଆ ? ବୋଇଲା ।

 

ଆଗେ ଧାନଘର ପଛେ X X ଘର

ପର ଆଶ୍ରେକରି ମୋହରି ଘର

ପରକୁଦେବି ପରକୁ ନ ମାଗିବି ।

ବାର ଗଣ୍ଡାଥିବ ନାତିନାତୁଣୀ ।

ତେରଗଣ୍ଡା ଥିବେ କୁମାର ମଣି ।

ପରମ ଲକ୍ଷ୍ମୀ ମୋ ପୁରରେ ଥିବେ,

ସଷ୍ଟିଦେଉଂଛାଇ ପ୍ରତୀ ପାଳିବେ ।

 

ଢେଙ୍କିସାଳର ଖୁଦକୁଣ୍ଡା ପୋଡ଼ୀପିଠା ଖଣ୍ଡିଏ ଘେନିଥିବେ । ଖଣ୍ଡିଏ ଖଣ୍ଡିଏ ଖାଉଥିବେ । ମରାଇ ଚାରିପାଖ ବୁଲୁଥିବେ । ଠାକୁରାଣୀ ବୋଇଲେ କିଲୋ ମା’ ଢୀଙ୍କିସାଳର ଖୁଦକୁଣ୍ଡା ପକାଇ ନ ଦେବୁ । ତୋତେ ସବୁ କରମୁ ଦେଲି, ଠାକୁରାଣି, ବୋଇଲେ ଆଲୋ ତୋର ବହୁ ମୋ କାର୍ଯ୍ୟରେ ଅଛି । ତାକୁ ଘରକୁ ଘେନିଆସ । ଆଜ୍ଞା ପ୍ରମାଣେ ସାସୁଗଲା, ବଡ଼ଘର ବହୁ ତ କେଣିକି ଯିବ, ମରେଇ ତଳରେ ବସିଅଛି । ଧାନୁଟିମାନ ଧାନ ମରେଇରେ ପକାଉଛି ବିରିଟିମାନ ବିରି ମରେଇରେ ପକାଉଛି । ମୁଗଟିମାନ ମୁଗ ମରଇରେ ପକାଉଛି । ସାସୁ ଯାଇ ବହୁକୁ ଘେନି ଆସିଲା । କନକ ଶ୍ରାନ୍ନ କରାଇଲା, ପାଟେ ପିନ୍ଧାଇ ପାଟେ ଉତୁରାଣ ଦେଲା । ଗନ୍ତା ଘରେ ପଶି ସିନ୍ଦୂର ପରୁଆ କଜଳପାତି ହୀରାମାଣିକି ନାକଚଣାଆୟ ଅଳଂକାର ଆଣିଲା । ଅକଳଙ୍କ କଂସାଟାକେ ବଗଡ଼ାଭାତ ବାଢ଼େ ବିରି ପଇତି ସାଇ କାଞ୍ଜୀ ବାଡ଼େକଲା । ଆରିସା ପିଠା ସାତ ସୁଆଳି ବାଡ଼େକ ଥୋଇଲା । ସିନ୍ଦୁର ଫରୁଆ କଜଳପାତୀ ହିରାମାଣିକୀ ନାକ ସିକଳା ୟେତେକେ ବହୁକୁ ଘେନିଠାକୁ ରାଣିଙ୍କି ଭେଟିଲା । ଦେଖିକରି ଠାକୁରାଣୀ ହସିଲେ । ବୋଇଲେ ଆଲୋ ସାସୁ ଉଦାରି ବହୁ ଉଦାରୀ, କିଛି ବରମାଗି ନଜାଣଇ ତ । ସିନ୍ଦୁର ଫରୁଆ ଅଛି ପାକଲା ବାଳେ ସିନ୍ଦୂର ଘେନିବ । କଜଳପାତି ଆଣିଛି । ଅହିଓ ସୁଲକ୍ଷଣି ହେବ, ହିରାମାଣିକ ନାକଚଣା ଆଣିଛି ହିରାମାଣିକରେ ମଣ୍ଡି ହୋଇଥିବ । ବଗଡ଼ାଭାତ ଆଣିଛି ବଗଡ଼ା ମହାଲକ୍ଷ୍ମୀ ନ ଛାଡ଼ିବ, ବିରୀପଇତି ଆଣିଛି ବିହି ମହାଲକ୍ଷ୍ମୀ ଅନୁଗ୍ରହ କରିଥିବେ । ଅକଳଙ୍କ କଂସା ଆଣିଛି, ଆକଳଙ୍କ ବସେ ହୋଇଥିବେ,ସାଇ ଶାଗ ଆଣିଛି ସାଇ ସୁଆଣୀ ହୋଇଥିବ,ସାଇକାଞ୍ଜି ଆଣିଛି ସଠୀଦି ଉଛାଇ ପ୍ରତିପାଳିଥିବେ । ଆରିସା ପିଠା ଆଣିଛି ସୁପରି ସାଇବ, ସୁଆଳି ଆଣିଛି ସାଠି ସୁଆଳି ହେବ । ନଳଆଣି ନନ୍ଧିବନ୍ଧି ହେବ । ନଜାଣି ସବୁ ୟେତେ ୟେତେ ବରମାଗିଲ ଜାଣିଲେ ମୋ ଦ୍ୱାରକାପୁର ମାଗନ୍ତ ପରା । ୟେତେବୋଲି ଠାକୁରାଣୀ ବଡ଼ଦେଉଳକୁ ବିଜେ କଲେ । ଅଷ୍ଟବେତାଳକୁ ଆଜ୍ଞାଦେଲେ ଅମୃତ ମଣୋହିଠାକୁ ଘେନିଆଣ, ଆଗ୍ୟାପାଇ ଆଣିଲେ । ଲକ୍ଷ୍ମୀନାରାୟଣେଙ୍କ ଭେଟ ହେଲା, ଠାକୁର ଆଜ୍ଞାଦେଲେ ଆଦର ଲକ୍ଷ୍ମୀ ଯହିଁ ଆଦର ପାଅ ତହିଁରହ ଆମ୍ଭକଥା ମନେ ନଥାଇ, ଲକ୍ଷ୍ମୀ ବୋଇଲେ ତୁମ୍ଭେ ଜଗତ ଠାକୁର । ତୁମ୍ଭ ଆଜ୍ଞାରୁ ମୁଁ ଜଗତ ଠାକୁରାଣୀ । ଯାହାକୁ ପଡ଼ି ନଦେବି ସେ ନପାଇ । ୟେତେ ବୋଲି ଅମୃତମଣୋହି ଯୋଗାଡ଼ ସଜାଡ଼ିଲେ ।

 

ହରିବଳରାମ ମଣୋହିହିରେ ବସିଲେ । ଆଚମନ ସାରି କର୍ପୂର ବିଡ଼ିଆ ଲାଗିହେଲେ, ଧୂପ ବଡ଼ ସିଂଘାର ବଢ଼ିଲା, ନିଦ୍ରାରେ ଆଖି ଘୃମିତ ହେଲା । ମଣିମା ମୋତେ ବିଜେ ହେଉ ବୋଲି ଡାକ ପଡ଼ିଲା ଲକ୍ଷ୍ମୀନାରାୟଣେ ୟେକାନ୍ତ ହେଲେ, ଠାକୁର ବିଚାରିଲେ ଲକ୍ଷ୍ମୀଙ୍କ ପଡ଼ି ଦେବାର ଆଜ ବିଡ଼ିବା ୟେତେବୋଲି ଭ୍ରମର ଗୋଟୀ ପିନ୍ଧାକାନିରେ ବାନ୍ଧି ପହୁଡ଼ିଲେ । ସକାଳୁ ନିଦ୍ରା ଭାଙ୍ଗିଲା । ଠାକୁରାଣୀକି ବୋଇଲେ ଆମ୍ଭ ପିନ୍ଧାକାନିରେ କି ଅଛି ଗଣ୍ଠି ଫିଟାଅ ଲକ୍ଷ୍ମୀଫେଇ ଦେଖିଲାବେଳକୁ ଭ୍ରମରିଟାଏ ଅଛି ତା’ ତୁଣ୍ଡରେ ନିର୍ମାଲ୍ୟଟାଏ ଅଛି । ଠାକୁରେ ହସ ହସ ହୋଇ ଲକ୍ଷ୍ମୀଙ୍କ କୋଳାଗ୍ରତ କଲେ । ବୋଇଲେ ପ୍ରମାଣ ଆମ୍ଭେ ଜଗତ ଠାକୁର ତୁମ୍ଭେ ବ୍ରହ୍ମାଣ୍ଡ ଠାକୁରାଣୀ ୟେମନ୍ତ କହି ବଡ଼ ସନ୍ତୋଷ ହୋଇଲେ । ସାଧବାଣୀ ବରପାଇ ଘରେ ପ୍ରବେସ ହେଲା । ଦିନେ ଏକାଦସି କରିଛି । ଦ୍ୱାଦସି ପାଇ ପୋଇଲି ହାଥେ କଉଡ଼ କାହାଣେ ଦେଲା, ବୋଇଲା ଆଲୋ ବହୁ, ପୋ ୟେ ପାରଣା କରିବେ ବେଗେ ହାଟବାଟ କରି ଆଣ, ଦେଖିଲାବେଳକୁ ରାଜା ଥାଟ ଜାଉଛନ୍ତି । ରାଜାଥାଟ ନ ଛିଡ଼ଇ, ପୋଇଲି ବାଟ ନ ଛିଡ଼ଇ । ରାଜାଥାଟ ଛିଡ଼ିଲା । ପୋଇଲି ଦୁଇପହରକୁ ହାଟଘେନି ଅଇଲା ସାଧବାଣୀ ବୋଇଲା କିଲୋ ଏତେବେଳକେ କିପା ନଇଲୁ, ପୋୟେ ପାରଣା କେତେବେଳେ କରିବେ । ପୋଇଲି ବୋଇଲା ରଜାବାଟେ ଯାଉଥିଲେ । ରାଜାଥାଟ ନ ଛିଡ଼ଇ, ମୋ ବାଟ ନ ଛିଡ଼ଇ, ୟେତେବେଳେ ଅଇଲି, ସାଧବାଣୀ ବୋଇଲା ମୋହରି ଦ୍ୱାରେ ରାଜାଗଲେ ବାଦ୍ୟ ବଡ଼କାଠ ମୋତେ ନ ଶୁଭିଲା, ମନେ ବିଚାରିଲା ମହାଲକ୍ଷ୍ମୀଙ୍କ ବର ମୋତେ ଏଡ଼େ ସିଦ୍ଧହେଲା, ରାଜା ଯାଉଛନ୍ତି ଦାଣ୍ଡେ ତାହା ନ ଶୁଣିଲି କାନେ, ୟେତେବୋଲି ଲକ୍ଷ୍ମୀଙ୍କି ବହୁ ତୁସ୍ତି କଲା, ଗତୁସତେ ଗୁଣେ ହରିସେବା କରି ରହିଲା ।

 

* ଶ୍ରୀ ନିତ୍ୟାନି ମହାଲକ୍ଷ୍ମୀ କଥା ସମ୍ପୂର୍ଣ୍ଣ*

 

[* ନିତ୍ୟାନି ଗୁରୁବାର କଥା - ଲେ-ଶାରଳା ଦାସ,

 

Published in the Descriptive catalogue of Oriya mss Vol VI- Published by Orissa State museum Bhubaneswar–Published–1970–

 

...* ୧ - ଅଏଁଳା...୨-ନିତ୍ୟେ,...]

 

ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶରେ ପ୍ରଦତ୍ତ

 

ସୋମନାଥ ବ୍ରତ କଥା

 

ପରମେଶ୍ୱର କହନ୍ତି, ଦେବୀ ଶୁଣନ୍ତି । ଶୁଣ ଦେବୀ ପାର୍ବତୀ । ମାଳବ ବୋଲି ଦେଶ, ତହିଁ ପାଟଳ ବୋଲି ନଗ୍ର, ତହିଁ ବୀର ବିକ୍ରମ ବୋଲି ରାଜା, ସେ ରାଜା ମହାପ୍ରତାପୀ, ସେ କଟକର ଅନେକ ମହିମା । ଘରେ ଘରେ ସୁବର୍ଣ୍ଣ କଳସ ବସାନ୍ତି । ଧବଳ ମୟେପୁର, ଅତିସୁନ୍ଦର । ସୁବର୍ଣ୍ଣ କଳସ ଉପରେ ନେତ ପତାକା ଉଡ଼ାନ୍ତି । ଚଉରାଶି ହାଟ ବସାନ୍ତି । ମେଢ଼, ମଣ୍ଡପ, ଅଟ୍ଟାଳି, ଦେଉଳ, ଜଗତୀ, କୂପ, ପୁଷ୍କରିଣୀ,ଅଭିକଳପ ଲୋକେ ବସାନ୍ତି । ହସ୍ତୀଙ୍କର ଘଣ୍ଟାରବ, ଘୋଡ଼ାଙ୍କର ଖିରିଖିରା ରାବ, ପଦାତିଙ୍କର ମୁଖରାବ, ଚତୁରଙ୍ଗ ବଳ । ନବକୋଟି ଭଣ୍ଡାର । ଅନେକ ରାଜାମାନେ ସେ ରାଜାଙ୍କୁ ଖଟନ୍ତି, ଏମନ୍ତ ସମୟ ପ୍ରବେଶ, କାପୁଡ଼ିମାନେ ସୋମନାଥ ଦେବଙ୍କୁ ଦେଖି ଅଇଲେ । ସେଦିନ ସୋମନାଥ ଦେବଙ୍କର ବ୍ରତ । ସେ କାପୁଡ଼ିମାନେ ସୋମନାଥ ଦେବଙ୍କୁ ଦେଖି ବାହୁଡ଼ି ଅଇଲେ । ତାଙ୍କ ପାଟଳିନଗ୍ରେ ପ୍ରବେଶ ହେଲେ । ବୀର ବିକ୍ରମାଦିତ ରାଜା ସିଂହଦ୍ୱାରେ ପ୍ରବେଶ ହେଲେ । ଦ୍ୱାରପାଳଙ୍କୁ ବୋଇଲେ ତୁମ୍ଭେଯାଇ ରାଜାଙ୍କୁ ଜଣାଅ, ବୋଲ ସୋମନାଥ ଦେବଙ୍କର ଷାଠିଏ କାପୁଡ଼ି ଆସି ରହିଅଛନ୍ତି । ଦ୍ୱାରପାଳ ଯାଇଁ ଜଣାଇଲା ରାଜାଙ୍କୁ । ଭୋଦେବ! ଶିବବ୍ରତୀ ଷାଠିଏ କାପୁଡ଼ି ସିଂହଦ୍ୱାରେ ରହିଅଛନ୍ତି । ରାଜାଶୁଣି ବୋଇଲେ ଭିତରକୁ ଆସନ୍ତୁ । ଦ୍ୱାରପାଳ ଯାଇଁ କହିଲା ଆହେ କାପୁଡ଼ିମାନେ ରାଜାଙ୍କର ଆଜ୍ଞାହେଲା ତୁମ୍ଭେ ଭିତରକୁ ଯିବ । ଷାଠିଏ କାପୁଡ଼ି ଭିତରେ ପ୍ରବେଶ ହେଲେ । ରାଜା କାପୁଡ଼ିଙ୍କି ଦେଖି ବଡ଼ ସନ୍ତୋଷ ହେଲେ, ସମସ୍ତ କାପୁଡ଼ିଙ୍କି ଆସନ ଦେଲେ, କାପୁଡ଼ିମାନେ ବୋଇଲେ ଆମ୍ଭେ ଭୋକା ହୋଇଅଛୁଁ, ଆମ୍ଭଙ୍କୁ ଭିକ୍ଷାଦେବ । ରାଜା ବୋଇଲେ କ୍ଷଣେ ବିଶ୍ରାମ କର, ମହାସୁଆରକୁ ରାଇ ଆଗ୍ୟାଂଦେଲେ ।

 

ବେଗେ ପାକସିଦ୍ଧକର, ମହାସୁଆର ପାକକଲେ, କାପୁଡ଼ିମାନେ ସ୍ନାହାନ କରିଗଲେ । ବେଗେ ଯୋଗାଡ଼ି ଦେଲେ, କାପୁଡ଼ିମାନେ ଭୁଞ୍ଜି ବସିଲେ । ସମସ୍ତେ ମିଷ୍ଟାନ୍ନ ଭୋଜନ କଲେକ । କାପୁଡ଼ିମାନେ ଭୋଜନ ସାରି ଆଚମନ କଲେ,କାପୁଡ଼ିମାନଙ୍କୁ ତ୍ରମୁକ ତାମ୍ବୁଳ ଦେଲେ । କାପୁଡ଼ିମାନେ ବୋଇଲେ ଆମ୍ଭେ ତାମ୍ବୁଳ ନ ଭଞ୍ଜୁ କଷାଫଳ ଖାଇବୁଂ । ତାହାଶୁଣି ରାଜା ବଡ଼ ସନ୍ତୋଷ ହେଲେ । କାପୁଡ଼ିମାନେ ବିଚାରି ବୋଇଲେ ଭୋ ରାଜନ ବହୁତ ଗଉରବ କଲ, ଆମ୍ଭେ ତୁମ୍ଭଙ୍କୁ ବତେକ ଦେବୁଂ । ଏଠାରୁ ତୁମ୍ଭଙ୍କୁ ଆୟୂଷ ଯଶଶ୍ରୀ ହୋଇବ । ରାଜା ବୋଇଲେ ସୋମନାଥ ବ୍ରତ କେମନ୍ତେ କରିବା । କାପୁଡ଼ିମାନେ ସୋମନାଥ ବ୍ରତ କହିବାକୁ, ଶୁଣହେ ନୃପତି । ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀଦିନରେ ବ୍ରତ ଘେନିମାକ, ଘରଚିତ୍ର ବିଚିତ୍ର କରିବାକୁ । ପୀଢ଼ା ଉପରେ ପାଛୋଡ଼ି ଗୋଟିଏ ରଖିବାକୁ । ତହିଁ ଉପରେ ସୃଷ୍ଟିକର ଲିଙ୍ଗ ଗୋଟିଏ ସ୍ଥାପିବାକ । ଲିଙ୍ଗରେ ଅକ୍ଷତଦେବ, ସୂତାରେ କୁଷ୍ମାଣ୍ଡ ଫୁଲ, ଚାକୁଣ୍ଡା ଫୁଲ ଦେଇ ପୂଜା କରିବ, ଦଶଗୋଟି ତଣ୍ଡୂଳ, ଦଶନାଡ଼ ଦୂବଦେଇ ପୂଜା କରିବ । ଦଶଖିଅ ଦଶଗୋଟି ଗଣ୍ଠି ପାଡ଼ିବାକ,କଥାଶୁଣି ସେମାନଥାଙ୍କୁ ନୈବିଦ୍ୟ ଦେବ । ପ୍ରସାଦ ଘେନିମ, ବ୍ରତହସ୍ତେ ବାନ୍ଧିବ । ପୁଣି ଆଶ୍ୱିନ ମାସ ଅପରାଜିତା ଦଶମୀ ଦିନରେ ଅରୁଆ ଚାଉଳ ମାଣେ ଘେନିମାକ, ନଡ଼ିଆ, ମରିଚ ଖଣ୍ଡ ମହୁ ପୂରେଇବାକ, ପିଠା ଦଶଗୋଟି କରିବାକ, ପୀଢ଼ାରେ ଶୁକ୍ଳବସ୍ତ୍ର ପାଡ଼ିବାକ, ସଷ୍ଟିକ ଲିଙ୍ଗ ସ୍ଥାପିବାକ ଅଭାବେ, ବାଲ୍‌କାଲିଙ୍ଗ ସ୍ଥାପିବାକ, ପିଠା ଗୋଟିଏ ସୋମନାଥ ଦେବଙ୍କୁ ଦେବାକ । ବ୍ରତ ପରମେଶ୍ୱରଙ୍କୁ ସମର୍ପିବାକୁ, ପିଠାପାରଣା କରିବାକ, ସେ ମନୋବାଞ୍ଛା ସେ’ ସିଦ୍ଧହୋଇ । ରାଜାଶୁଣି ବୋଇଲେ ଆହେ କାପୁଡ଼ିମାନେ ଏ ବ୍ରତକଲେ ଆମ୍ଭଙ୍କୁ ଲାଳ ଆସଇନିକି । ସଂସାରେ ବୋଲିବେ ବୀରବିକ୍ରମାଦିତ ରାଜା ଚାଉଳ ମାଣକେ ଓଷା କରଇ, ଏତେବୋଲି ବ୍ରତ ନିନ୍ଦାକଲେ, ନାସ୍ତିକଲେ, କହନ୍ତି ପଶୁପତି ଦେବୀ ପାର୍ବତୀ- ଏତେ ବଚନ ଶୁଣି କାପୁଡ଼ିମାନେ ମୁଖ ମଳିନ କରି ଉଠିଗଲେ । ରାଜା ନିନ୍ଦାକରନ୍ତେଣ ତହୁଁ ପରମେଶ୍ୱରଙ୍କ ଆସନ ଟଳିଲା । ପରମେଶ୍ୱର ଧ୍ୟାନରେ ଜାଣିଲେକ ବୀର ବିକ୍ରମାଜିତ ରାଜା ନିନ୍ଦାକଲାକ । ରାଜା ବ୍ରତ ନିନ୍ଦାକରନ୍ତେ କୁଷ୍ଠବ୍ୟାଧି ହୋଇଲାକ । ରାଜାଙ୍କୁ ବଡ଼ ପ୍ରାସ ଲାଗିଲାକ । ରାଜା ବିସ୍ମୟ ହୋଇ ବୋଇଲେକ ମୁଁ ଦେଶାନ୍ତର ଯିବଇଁ । ମୋ ଦେହରେ କୁଷ୍ଠବ୍ୟାଧି ହୋଇଲାକ, ଆବର ରାଜ୍ୟରେ ମୋର କାର୍ଯ୍ୟ, ପାତ୍ର ବୋଇଲା ରାଜ୍ୟ କାହାକୁ ଦେଇଯିବ । ରାଜା ବୋଇଲେ ତୁ ରାଜ୍ୟ କରୁଥିବୁ । ମୋ ରାଣୀମାନଙ୍କୁ ସୁରକ୍ଷା କରୁଥିବୁ । ମୋହୋ ଶରୀର ଯେବେ କ୍ଷମା ହୋଇବ ତେବେ ମୁଁ ରାଜ୍ୟ କରିବି । ଭଲ ନୋହୁଛି ଯେବେ ମରିବି । ତେବେ ରାଜ୍ୟରେ କି କାର୍ଯ୍ୟ । ତୁ ମୋ ରାଣୀମାନଙ୍କୁ ସୁରକ୍ଷା କରୁଥିବୁ । ଯେମନ୍ତ ଦୁଃଖ ନପାନ୍ତି । ଏତେ ବୋଲି ରାଜା ବେଟାକୁ ସଙ୍ଗତେ କରି ଅନେକ ଦ୍ରବ୍ୟ ଘେନି ବିସ୍ମୟେ ହୋଇ ଦେଶାନ୍ତର ଗଲାକ ଇତ୍ୟାଦି...ଇତ୍ୟାଦି ।

 

ସୁଦଶାବ୍ରତ ବିଧି

 

ସମସ୍ତ ଋଷିମାନେ କୁହାକୁହି ହେଉଅଛନ୍ତି । ଇନ୍ଦ୍ର ଯେ ସେ ଅତ୍ୟନ୍ତ ଶୁଦ୍ଧହୋଇ ତଦ୍‌ଗତମନା ହୋଇ ସମସ୍ତ ଅର୍ଥ ବେଦମାନଙ୍କ ଅର୍ଥ ଜାଣନ୍ତି ଯେ ବ୍ରହ୍ମାଙ୍କର ପୁଅ, ଋଷିମାନଙ୍କର ପ୍ରଭୁ ଅଟନ୍ତି ଯେ ନାରଦ, ତୁମ୍ଭେ ଯୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସମସ୍ତ ଶାସ୍ତ୍ରମାନଙ୍କୁ ଜାଣ । ଏହି ନ୍ୟାୟରୁ ମହାଲକ୍ଷ୍ମୀଙ୍କ ବ୍ରତ ଗୋଟିଏ ମତେ କହ ।

 

ନାରଦ ଉବାଚ

 

ନାରଦ କହିଲେ, ହେ ଇନ୍ଦ୍ର, ଅତ୍ୟନ୍ତ ବିସ୍ତାରକରି ବ୍ରତ ଗୋଟିଏ ତୁମ୍ଭଙ୍କୁ କହିବା । ମାର୍ଗଶିର ମାସ ଅବା ମାଘମାସ, ବୈଶାଖ ମାସ ଅବା ଶୁକ୍ଳପକ୍ଷର ଗୁରୁବାର ଦିନ ଯେବେ ଦଶମୀ ପଡ଼ିବ ସେ ତିଥି ସମ୍ପୂର୍ଣ୍ଣ ହୋଇଥାଉ, ନୋହିଲେ ଏକାଦଶୀ ମିଶିଥାଉ, ସେ ଦିନ ସୁଦଶାବ୍ରତ ପଡ଼ଇ । ହେ ଇନ୍ଦ୍ର ସେ କଥା କହିବା । ଏ ବ୍ରତ ଯେଉଁମାନେ କରିବେ ସେମାନେ ସମସ୍ତ ଫଳମାନ ପାଇବେ ।

 

ଇନ୍ଦ୍ର ପଚାରିଲେ, ଆହେ ଋଷି, ସୁଦଶାବ୍ରତ ପୂର୍ବରେ କେ କରିଥିଲା । ଏହାର କି ବିଧି । ଯେବେ ମୋଠାରେ ତୁମ୍ଭର ଅନୁଗ୍ରହ ଅଛି, ତେବେ ସବୁ କହ ।

 

ନାରଦ କହିଲେ, ହେ ଇନ୍ଦ୍ର, କଳିଙ୍ଗ ଦେଶରେ ହେମାଙ୍ଗଦ ହୋଇ ନାମ ଏମନ୍ତ ରାଜା ଥିଲା । ତାହାର ପାଟମହାଦେଈ ଚନ୍ଦ୍ରମୁଖୀ ହୋଇ ନାମ । ସେ ରାଜାର ଭାର୍ଯ୍ୟା ସୁଦଶାବ୍ରତ କରଇ । ମନ୍ତ୍ରୀର ଭାର୍ଯ୍ୟା ମଧ୍ୟ କରଇ । ସୁଦଶାବ୍ରତ ଦିନ ପ୍ରାତଃକାଳରେ, ସ୍ନାନକରି ଗୃହକୃତ୍ୟରି ସଂକଳ୍ପ କରିବ । ବରୁଣ ପୂଜା କରିବ । ଦେବତା ଘରେ ଉତ୍ତମ କରି ପଞ୍ଚବର୍ଣ୍ଣ ମୁରୁଜ ଯେ ତହିଁରେ ପଦ୍ମମଣ୍ଡଳ ଲେଖିବ । ସେ ପଦ୍ମରେ ସୁନାପୀଢ଼ା ଗୋଟିଏ ରଖିବ ତହିଁରେ ଶୁକ୍ଳଲୁଗା ଗୋଟିଏ ପକାଇବ । ତହିଁ ଉପରେ ମହାଲକ୍ଷ୍ମୀକି ବସାଇ ପୂଜା କରିବ । ସୂତା ଦଶଖି (ଅ)ରେ ବ୍ରତ ଗୋଟିଏ କରିବ । ତହିଁରେ ଦଶଗଣ୍ଠି ପକାଇବ । ସେ ବ୍ରତକୁ ପୂଜାକରିବ । ପ୍ରତି ଗଣ୍ଠିମାନଙ୍କରେ ଶ୍ରୀବୀଜରେ ମନ୍ତ୍ରିବ । ଏହି ମନ୍ତ୍ରପଢ଼ି ଦକ୍ଷିଣ ହସ୍ତରେ ବାନ୍ଧିବ । ହେ ଦେବୀ, ସମସ୍ତ ଭକ୍ତି ମୁକ୍ତି ତୁମ୍ଭେଦିଅ । ତୁମ୍ଭଙ୍କୁ ନମସ୍କାର । ଏ ଲୋକରେ ତୁମ୍ଭଠାରେ ନିଶ୍ଚଳ ଭକ୍ତିକି ଦିଅ । ପରଲୋକରେ ମୁକ୍ତିକି ଦିଅ । ଏହି ମନ୍ତ୍ରପଢ଼ି ବ୍ରତ ବାନ୍ଧିବ । ଦଶନାଡ଼ ଦୂବ । ଦଶଗୋଟି ଉଆଚାଉଳ । ଦଶଗୋଟି ଫୁଲ । ଏହା କରିବ ଦଶଗୋଟି ମଣ୍ଡା କରିବ । ନାନା ପ୍ରକାରରେ ନୈବିଦ୍ୟ କରିବ । ଏହି ବିଧିରେ ମନ୍ତ୍ରୀ ଭାର୍ଯ୍ୟା ଯେ ଶାନ୍ତ୍ୱନା ସେ ବ୍ରତକୁ କଲା ।

 

ବ୍ରତ ବାନ୍ଧିବାର ପାଶୋରିଲା ମହାଲକ୍ଷ୍ମୀକି କ୍ଷମା କରାଇଲା । ସେ କେତେବେଳେ ଉତ୍ତାରୁ ହାଥରେ ବ୍ରତ ନ ଦେଖିଲା । ସେ ମନ୍ତ୍ରୀ ଭାର୍ଯ୍ୟା ବ୍ରତଭଙ୍ଗ ହେଲାବୋଲି ଆଠଦିନ ପର୍ଯ୍ୟନ୍ତେ ଉପବାସରେ ରହିଲା । ତହିଁ ଉତ୍ତାରୁ ମନ୍ତ୍ରୀ ଜାଣିଲା-ଭାର୍ଯ୍ୟାର ବ୍ରତ ଭଙ୍ଗହେଲା । ଏଥିଘେନି ଦୁଃଖିତ ହୋଇ ଉପବାସେ ରହିଲା । ଆପଣ ମନ୍ତ୍ରୀ ବହୁତ ଦୁଃଖକରି ରଜାର ଛାମୁକୁ ନଗଲା । ସେ ଯେଉଁ ହେମାଙ୍କଦ ରାଜା ମନ୍ତ୍ରୀ ନ ଅଇଲା, ଏମନ୍ତୁ ଜାଣି ଲୋକ ପଠିଆଇଲା । ତହିଁ ଉତ୍ତାରୁ ରାଜା ଆଗ୍ୟାଂ ଦେଲେ । ମନ୍ତ୍ରୀ ନ ଅଇଲା, ତାହାଶୁଣି ରାଜା ରତ୍ନକଠାଉ ମାଡ଼ି ମନ୍ତ୍ରୀ ଘରକୁ ଗଲା । ତହିଁ ଉତ୍ତାରୁ ମନ୍ତ୍ରୀ ପାଛୋଟି ଯାଇ ବହୁତ ଉପହାର ରାଜାଙ୍କୁ ଦେଲା । ରାଜାଙ୍କୁ ଦଣ୍ଡପ୍ରଣାମ କରି ଏମନ୍ତ ବଚନ ବୋଇଲା । ତହିଁ ଉତ୍ତାରୁ ମନ୍ତ୍ରୀକି ରାଜା ବୋଇଲା, ତୁ କାହିଁପାଇଁ ମୋ ଘରକୁ ନ ଅଇଲୁ । ମନ୍ତ୍ରୀ କହିଲା, ହେ ରାଜନ୍ ମୋ ଭାର୍ଯ୍ୟା ସୁଦଶାବ୍ରତ କରିଥିଲା । ସେ ବ୍ରତ ହଜାଇ ଅଛି । ଦୁଃଖିତ ହୋଇ ଉପବାସ କରିଅଛି । ମନ୍ତ୍ରୀ କହିଲେ ରାଜାଙ୍କୁ । ମୋ ଭାର୍ଯ୍ୟା ବୋଇଲା, ଲକ୍ଷ୍ମୀଙ୍କୁ ଆରାଧନା କରିବାକୁ । ଯଉଁ ସୁଦଶାବ୍ରତ ମୁଁ ହଜାଇଲି । ମୁଁ ନିଶ୍ଚେ ଅନ୍ନଜଳ ନ ଖାଇବି । ଏମନ୍ତ ବୋଲି ଦୁର୍ବଳ ହୋଇ ମରଣ ଇଚ୍ଛା କରିଅଛି । ରାଜା ବୋଇଲା, ହେ ମନ୍ତ୍ରୀ, ଏ ବ୍ରତ କଉଁଠାରୁ ପାଇବା, ତାହା କହ !

 

ମନ୍ତ୍ରୀ କହିଲା, ତୁମ୍ଭ ପାଟମହାଦେଈଙ୍କ ହାଥେ ବ୍ରତଅଛି । ତାହା ଦିଅ ! ଏମନ୍ତ ମନ୍ତ୍ରୀ ବୋଲନ୍ତେ ରାଜା ଆପଣା ଅନ୍ତଃପୁରକୁ ଯାଇ ରାଣୀକି ବ୍ରତ ମାଗିଲା । ରାଣୀ ବୋଇଲା, ଏ ଲକ୍ଷ୍ମୀବ୍ରତ, ମୁଁ ଏହା ଦେବାର ଉଚିତ ନୁହଇ । ରାଜା ପୁଣି ବଳିଆଇ ମାଗିଲା । ପାଟମହାଦେଇ କୋପହୋଇ ବ୍ରତ ଛିଣ୍ଡାଇ ରାଜାକରେ ଦେଲା । ରାଜା ସେ ବ୍ରତଘେନି ମନ୍ତ୍ରୀକରେ ଦେଲା । ମନ୍ତ୍ରୀ ବ୍ରତନେଇ ଭାର୍ଯ୍ୟା ହାଥେ ଦେଲା । ସେ ବ୍ରତକୁ ଦୁଧରେ ଧୋଇ ପଞ୍ଚାମୃତରେ ସ୍ନାନ କରାଇ କର୍ପୂର କୁଙ୍କୁମ ଲିପି ସେ ବ୍ରତକୁ ପୂଜାକରି ଲକ୍ଷ୍ମୀକି ପଞ୍ଚୋପଚାରରେ ପୂଜା କଲେ । ବ୍ରତକୁ ହାଥରେ ବାନ୍ଧିଲା ॥ ସେହିକ୍ଷଣି ଲକ୍ଷ୍ମୀ ଅନୁଗ୍ରହ କଲେ । ତହିଁ ଉତ୍ତାରୁ ରାଜା ହତଶ୍ରୀ ହେଲା । ଲକ୍ଷ୍ମୀ ମନ୍ତ୍ରୀ ଘରକୁ ଗଲେ । ତହିଁ ଉତ୍ତାରୁ ରାଜା କର୍ମହୀନ ହୋଇ ରାଣୀକି ସଙ୍ଗେ ଘେନି ବନକୁ ଗଲା । ବନରେ ବହୁତ ଦୂରଯାଇ ଉପବାସରେ ପୀଡ଼ାପାଇ ଅସ୍ଥିଚର୍ମାବଶେଷ ହୋଇ ଗଛ ଗୋଟିକ ମୂଳରେ ବସିଲା । ରାଜା ବନରେ ଲକ୍ଷ୍ମୀନାରାୟଣଙ୍କୁ ଚିନ୍ତା କରିବା କାଳରେ ଭାର୍ଯ୍ୟା ଯେ ସେ ବୋଇଲା, ଅର୍ଜିଲା କର୍ମ ଭୁଞ୍ଜ । ଏମନ୍ତ ବୋଲି ରହିଲେ । ତହିଁ ଉତ୍ତାରୁ ଭାଗ୍ୟରୁ କରି ରାଜା କୌଣସି ସାଧୁତ ପାଖକୁ ଗଲେ । ସେ ସାଧୁତର ନାମ ଧନପାଳ । ଧର୍ମାତ୍ମା ସେ, ବଡ଼ ଦୟାଳୁ ଚତୁର ସେ, ସେ ମନରେ ବିଚାରିଲା । ଏ ମାଗି ନ ପାରି କ୍ଷୁଧାରେ କୃଶ ହୋଇଅଛି । କଣ୍ଠତାଳୁ ଶୁଖିଅଛି । ପୁଣି ଜାଣିଲା ଏ ବଡ଼ଲୋକ । ଏମନ୍ତ ଜାଣି ଆପଣା ଘରପାଖେ ପତ୍ରକୁଡ଼ିଆ ଗୋଟିଏ କରି ରାଜାଙ୍କୁ ରଖିଲା । ରଖି ତାଙ୍କୁ ଖାଇବା ନିମିତ୍ତ୍ୟେ ଚାଉଳ ଅଢ଼ାଏ ଲେଖାଏଁ ଦେଲା । ତହିଁ ଉତ୍ତାରୁ ସେ ରାଜା ତ ଭାଗ୍ୟକ୍ରମେ ସାଧୁତା ଘରେ ରହିଲା । ସେ ସାଧୁତ ରଜାକୁ ଉତ୍ତମ କରି ସେବା କଲା । ସାଧୁତର ଭାର୍ଯ୍ୟା ରାଣୀକି ସେବା କଲା । ସେ ସାଧୁତର ଭାର୍ଯ୍ୟା ନାମ ସୁଧର୍ମା । ସେ ଦେବତା ବ୍ରାହ୍ମଣଙ୍କୁ ପୂଜା କରଇ । ଅତିଥି ପୂଜା କରଇ । ଗୃହସ୍ଥ ସେବା କରଇ । ସେ ସାଧୁତାକୁ । ବର୍ଷ ବୁଢ଼ାକରି ରଜା ଦେଖିଲା । ତାହାର ଗୋଟାକୁ ହିଁ ଦୈନ୍ୟ ନାହିଁ । ରାଜସେବାରେ ତତ୍ପର, ସବୁକାଳରେ ଦେବାରେ ତତ୍ପର ସେ ସାଧୁତର ସଭାମଣ୍ଡପରେ ଶୋଭା ପାଉଅଛି ନାନା ରତ୍ନପୀଢ଼ାମାନେ ଅଛନ୍ତି । ଏମନ୍ତ ପରେ ବହୁତ ପଣ୍ଡିତମାନେ ଅଛନ୍ତି ସେ ସମସ୍ତ ବେଦଶାସ୍ତ୍ରରେ ନିପୁଣ । ସେ ଯେଉଁ ସାଧୁତ ସେ ଗୁରୁବାର ଦିନ ଦଶମୀ ପଡ଼ିଲା । ପୁଣି ଶୁକ୍ଳପକ୍ଷ ପୂର୍ଣ୍ଣାତିଥି ହେବାରୁ ସୁଦଶାବ୍ରତ ପଡ଼ିବ ଏହା ଜାଣିଲା । ସେ ଯେଉଁ ସାଧୁ ପ୍ରାତଃ ସ୍ନାନସାରି ଦଚ୍ଛୁମାନଙ୍କୁ ଦେବତାମାନଙ୍କୁ ପୂଜା ବୈଶ୍ୱଦେବକରି ଦେବତା ଘରେ ବସି ସଂକଳ୍ପ କଲା । ସଂକଳ୍ପ କରିସାରି ଲକ୍ଷ୍ମୀଙ୍କ ଘର ମଣ୍ଡିଲା । ଉପରେ ଚାନ୍ଦୁଆ ବାନ୍ଧିଲା । ଖମ୍ବମାନଙ୍କେ ଖଦୀ ଚାମର ମାଗିଲା ପତାକା ତୋରଣା ମାଳା ଏମାନ ବାନ୍ଧିଲା । ଚାରିପାଖେ କଦଳୀ ଗଛମାନ ପୋତିଲା । ଚନ୍ଦନରେ କରି ସେ ସ୍ନାନସଂସ୍କାର କଲା । ରତ୍ନମଣ୍ଡପ ମଧ୍ୟରେ ସେ ପଦମଣ୍ଡଳରେ ଲେଖିଲା । ପୀଢ଼ାରେ ସୁବର୍ଣ୍ଣ ସମ୍ବନ୍ଧୀ ମହାଲକ୍ଷ୍ମୀ ବସାଇଲା । ଉତ୍ତମ ପଦ୍ମଫୁଲରେ ଲକ୍ଷ୍ମୀଙ୍କି ପୂଜାକଲା, ଆନନ୍ଦ ଚିତ୍ତ ହୋଇ କ୍ରୋଧାଦି ବର୍ଜିତ କରି ପୂଜାକଲା । ଏମନ୍ତ ଧ୍ୟାନକଲା ବୋଇଲା:- ପଦ୍ମଟି ଆସନ ଯାହାର ପୃଥୁଳ କଟି ଯାହାର ପଦ୍ମପତ୍ର ପ୍ରାଏ ଚକ୍ଷୁ ଯାହାର, ଗମ୍ଭୀର ଆବର୍ତ୍ତଯୁକ୍ତ ନାଭି ଯାହାର ସ୍ତନଭାଗ ଦୁଇକରେ ନମ୍ର ଅଟନ୍ତି, ଶୁକ୍ଳବସ୍ତ୍ର ପିନ୍ଧାନ୍ତା ଅଟନ୍ତି । ମଣିଗଣମାନଙ୍କରେ ଶୋଭିତା ଅଟନ୍ତି, ଐରାବତାଦି ଯଉଁ ହାତୀମାନେ ସେମାନେ ସୁବର୍ଣ୍ଣ କୁମ୍ଭରେ ସୁବାସିତ ପାଣିଘେନି ସ୍ନାନ କରନ୍ତା ଅଟନ୍ତି, ଆପଣ ଏବଂ ଭୂତ ଅଟନ୍ତି । ଏବଂ ଭୂତ ଯେ ତୁମ୍ଭେ ସୁମଙ୍ଗଳମାନଙ୍କୁ ଘେନି ରହିବା ହେଉ ଘେନି ରଖିବା ହେଉ, ଏରୂପେ ଧ୍ୟାନ କରିବା ।

 

ହେ ଲକ୍ଷ୍ମୀ ପଦ୍ମରେ ନିର୍ମିତ ହୋଇଅଛି । ଏମନ୍ତ ଯେଉଁ ପଦ୍ମାସନ ଏଥିରେ ତୁମ୍ଭେ ବସ । ଏମନ୍ତ ବୋଲି ଆସନ ଦେବ । ମୋତେ ଦୟାକର ବୋଲି ଆବାହନ କରିବ ।

 

ହେ ଲକ୍ଷ୍ମୀ ସମ୍ପାତ୍ତିମୁକ୍ତି ତୁମ୍ଭେ ଦିଅ, ଅଷ୍ଟରତ୍ନଯୁକ୍ତ ଆସନ, ଏ ସୁବର୍ଣ୍ଣ ପୀଠ, ଏଥିରେ ବସ । ନାନା ତୀର୍ଥଜଳରେ ଯୁକ୍ତ ଦୂବ ଚାଉଳ ଚନ୍ଦନ ସହିତ ଏମନ୍ତ ଯେ ଅର୍ଘ୍ୟ ଘେନି ମୋହର ବ୍ରତ ସଫଳ କର । ଏହା ବୋଲି ଅର୍ଘ୍ୟ ଦେବ ।

 

ପାଟସୂତାରେ ଯୁକ୍ତ ହୋଇଅଛି । ବୁଣିମା ଲୋକର କୌଶଳରେ କଳ୍ପିତ ହୋଇଅଛି । ତୁମ୍ଭ ସମସ୍ତ ଅଙ୍ଗ ଆଭରଣ ହେଉ । ଏ ବସ୍ତ୍ରପିନ୍ଧ ଏହା ବୋଲି ବସ୍ତ୍ର ଦେବ । ଚନ୍ଦନ ଅଗୁରୁ ଦୁଇରେ ଯୁକ୍ତ କର୍ପୂରରେ ସୁବାସିତ, ଚତୁଃସମସମାନ ଯେ ଗନ୍ଧ ଏହା ମୁଁ ଦେବୀଙ୍କି ଦେଉଅଛି । ଏହା ବୋଲି ଗନ୍ଧ ଦେବ, ମାଳତୀ ମଲ୍ଲି, ଅଶୋକ କନିଅର, ଚମ୍ପକ, ଜାଇ ପଦ୍ମ ଓ କୁଳ ଏତେ ଫୁଲ ଲକ୍ଷ୍ମୀଙ୍କି ଦେବ । ନାନା ରତ୍ନରେ ଜଡ଼ିତ, ସୁବର୍ଣ୍ଣରେ ଘଟିତ, ଏମନ୍ତ ଆଭରଣ ଘେନି ପ୍ରସନ୍ନ ମତେ ହୁଅ । ଏହା ବୋଲି ଆଭରଣ ଦେବ । ଗୁଗ୍‌ଗୁଳ ପଡ଼ି ସୁବାସିତ, କର୍ପୂରରେ ସୁବାସିତ ହୋଇଅଛି । ଏମନ୍ତ ଧୂପ ହୋଇଅଛି ତୁମ୍ଭଙ୍କୁ, ତୁମ୍ଭେ ଏହା ଘେନ, ଏହା ବୋଲି ଧୂପ ଦେବ, ସୁବାସ କର୍ପୂରରେ ବଳିତା ନିର୍ମିତ ଯେ ଦୀପ, ତୁମ୍ଭଙ୍କୁ ଦେଉଅଛି, ମୋହର ବ୍ରତ ସୁଫଳ କର । ଏହା ବୋଲି ଦୀପ ଦେବ ।

 

ଶୁକ୍ଳତଣ୍ଡୁଳ ଚୂର୍ଣ୍ଣେନ ମଣ୍ଡକାଃ ପୂରସଂଯୁତାଃ

ଦଶ ଦତ୍ତା ମୟାଦେବି ନୈବିଦ୍ୟ ଫଳମସ୍ତୁ “ମେ”

ଏହାବୋଲି ନୈବିଦ୍ୟ ଦେବ ।

 

ଗଙ୍ଗୋଦକ ସମାଯୁକ୍ତଂ ପଦ୍ମପୁଷ୍ପୈଃ ସୁବାସିତମ୍‌

ଆଚମନଂ ମୟାବତ୍ତଂ ଗୃହାଣ ତ୍ୱଂ ସୁରେଶ୍ୱରି

ଏହା ବୋଲି ଆଚମନ ଦେବ ।

 

ଗୁବାକ ଖଦିରୈ ମଶ୍ରଂ ଜାତିଫଳ ସମନ୍ୱିତମ୍‌

ସୁବର୍ଣ୍ଣ ବର୍ଣ୍ଣମିଦଂ ଶୁଦ୍ଧ ତାମ୍ବୁଳଂ ଦେବି ଗୃହ୍ୟତାମ୍ ।

ଏହା ବୋଲି ତାମ୍ବୁଳ ଦେବ ।

 

ଅଖଣ୍ଡ ତଣ୍ଡୁଳୋପେତ ଦୂର୍ବାଶ୍ର ଅଙ୍କୁରୈସହ

ମଙ୍ଗଳେ ମଙ୍ଗଳା ବାପ୍ତ୍ୟୈ ଦୁର୍ବାକ୍ଷତ ଦଦାମ୍ୟହମ୍‌

ଏହା ବୋଲି ଦୂର୍ବାକ୍ଷତ ଦେବ ।

 

ନାନା ପୁଷ୍ପ ସମାଯୁକ୍ତଂ ଦଶପୁଷ୍ପ ସମନ୍ୱିତମ୍‌

ଲକ୍ଷ୍ମୀଦେବି ମାୟାଦତ୍ତଂ ଗୃହର ପରମେଶ୍ୱରି

ଏହା ବୋଲି ଫଳପୁଷ୍ପ ଦେବ ।

 

ସେ ବ୍ରତକୁ ଦଶଗଣ୍ଠି ପକାଇ ଲକ୍ଷ୍ମୀବୀଜରେ ମନ୍ତ୍ରୀ ହଳଦୀ ଲଗାଇବ ଦକ୍ଷିଣ ବାହୁରେ ବାନ୍ଧିବ । ଏହା ବୋଲି ବ୍ରତ ବାନ୍ଧିବ । ପୁରୁଣା ଯଉଁ ବ୍ରତ ଥିବ ତାହା ସମର୍ପଣ କରିବ ।

 

ସୁଦଶାବ୍ରତ (ପୂର୍ବାନୁବୃତ୍ତ)

 

ଲକ୍ଷ୍ମୀଙ୍କି ଯଉଁ ଦଶଗୋଟି ମଣ୍ଡା ପୂଜା କରିଥିବ, ତାହାକୁ ମୌନହୋଇ ଭୁଞ୍ଜିବ, ବ୍ରାହ୍ମଣକୁ ଦଶମାଢ଼ ସୁନା ଦକ୍ଷିଣା ଦେବ ।

 

ହେ ବ୍ରହ୍ମନ୍‌, ଉତ୍ତମ ଯଉଁ ଲକ୍ଷ୍ମୀଙ୍କ ବ୍ରତ କହିବା ହେଲା, ଏହା କରିବା ବୋଲି ଇନ୍ଦ୍ରଶଚୀଙ୍କି କହିଲେ,

 

ସେ ସାଧୂତ ତା’ର ଭାର୍ଯ୍ୟା ଏ ଦୁହିଁଙ୍କର ଭକ୍ତିରେ ଲକ୍ଷ୍ମୀ ପ୍ରସନ୍ନ ହେଲେ । କାମନା ଫଳ ଦେବାକୁ ମୁଁ ପ୍ରସନ୍ନ ହେଲି ବୋଲି ଏମନ୍ତ ରାଜାକୁ କହିଲେ । ରାଜାବୋଲି ଅଛନ୍ତି-

 

ବିଶ୍ୱେଶ୍ୱରୀଂ ଜଗଦ୍ଧାତ୍ରୀଂ ଜଗଦମ୍ବା ମହେଶ୍ୱରୀମ୍‌

ବେଦଶାସ୍ତ୍ର ସ୍ୱରୂପପାଚନମାମଃ ସର୍ବରୂପିଣୀମ୍‌

ଏକାକ୍ଷର ପରାଧାରେ ଦାରିଦ୍ର‌୍ୟ ଭୟନାଶିନି ।

ଦାରିଦ୍ର‌୍ୟ ଧୂଂସନେ ଦେବି ସର୍ବସିଦ୍ଧିଃ କଥଂଭବେତ୍‌

ନିତ୍ୟ ପ୍ରବେଶିକା ଦେବୀ ସ୍ୱୟଂ ପ୍ରକାଶ ରୂପିଣୀ,

ସିଦ୍ଧଲକ୍ଷ୍ମୀଃ ରାଜଲକ୍ଷ୍ମୀଃ ଜୟଲକ୍ଷ୍ମୀଃ ନମୋଽସ୍ତୁତେ ।

ଜୟାଃ ବିଜୟାଦେବୀ ଜୟନ୍ତୀ ଋଷରାଜିତା

ଶ୍ରଦ୍ଧାମେଧା ଧୃତିଃ ପ୍ରୋକ୍ତାକଳ୍ପକାଳ ମନୋଭାବ,

ଶୀତଜା ସର୍ବସମ୍ପନ୍ନା ସର୍ବପାପ ପ୍ରଭଞ୍ଜନା

ବ୍ରହ୍ମାଣ୍ଡ ଗର୍ତ୍ତଗାଦେବୀ ମହାଦାରିଦ୍ର‌୍ୟ ଭଞ୍ଜନା ।

ରାଜା ଏରୂପେ ସ୍ତୁତି କରନ୍ତେ ଲକ୍ଷ୍ମୀ କହୁଅଛନ୍ତି ?

 

ହେ ରାଜନ୍ ମୁଁ ତୋତେ ସନ୍ତୋଷ ରହିଲି ତୋହର ଏହି ସ୍ତୋତ୍ରରେ ଏବେ ତୁ ବର ମାଗ ଯଉଁ ବର ମନରେ ଅଛି । ରାଜା କହିଲେ ଯେତେକାଳ ଚନ୍ଦ୍ର ସୂର୍ଯ୍ୟଥିବେ, ତେତେକାଳ ପର୍ଯ୍ୟନ୍ତେ ମୋହ ରାଜକୁ ମୁଁ ପାଇବି । ଏହି ବର ଦିଅ ।

 

ଲକ୍ଷ୍ମୀ କହିଲେ; ହେ ରାଜନ, ଯେମନ୍ତ ତୁ କାଞ୍ଛାକଲୁ ସେ ରୂପରେ ହେବ । ତୁ ଏ ଲୋକରେ ବହୁତ ଭୋଗ କଲା ଉତ୍ତାରୁ ମୋ ପୁରକୁ ଯିବୁ ।

 

ଲକ୍ଷ୍ମୀ ଏମନ୍ତ ବୋଲନ୍ତେ ରାଜା କହିଲେ ହେ ଲକ୍ଷ୍ମୀ, ମୁଁ ଧନ୍ୟ ମୋ କୁଳ ଧନ୍ୟ । ମୋ ବାବୁ, ମା, ଧନ୍ୟ ତୁମ୍ଭର ପାଦପଦ୍ମ ତଳରେ ମୋର ଶିର ଭ୍ରମର ପରି ଆଚରଣ କରିଅଛି । ଲକ୍ଷ୍ମୀକହିଲେ ଏ ବ୍ରତ ଯେତେଲୋକ କରିବେ ସେମାନେ ଏହି ବରକୁ ପାଇବେ ଏମନ୍ତ ବର ଦେଇ ଲକ୍ଷ୍ମୀ ଅନ୍ତର୍ଦ୍ଧାନ ହୋଇଗଲେ ।

 

ଏହି ସମୟରେ ରାଜା ନିମିତ୍ତରେ ସମସ୍ତ ମନ୍ତ୍ରୀମାନେ ବିଚାରକଲେ । ରାଜା ତ ମରିନାହାଁନ୍ତି । ଅଭାଗ୍ୟ ବଶରେ ପଳାଇ ଅଛନ୍ତି । ରାଜ୍ୟଭାର କହିବାକୁ ଏମନ୍ତ କ୍ଷମ ରାଜାକୁ ଆଣିବାକୁ ବାଦ୍ୟ ବଜାଇ ଗଲେ । ମନ୍ତ୍ରୀପାଟ ହାଥୀକି ମଣ୍ଡି; ତାହା ହାଥେ ପାଟଲୁଗା ଭିଡ଼ାଇ ସୁବର୍ଣ୍ଣ କଲଣ ଦେଇ ଆଣିଲେ । ସେ ପାଟହାଥୀ ସାଧୁ ଘରରେ ଥିଲା ଯଉଁ ରାଜା ତାହାକୁ ସୁବର୍ଣ୍ଣ କୁମ୍ଭରେ କରି ଅଭିଷେକ କଲା । ଅଭିଷେକ କରି ପୁଣି ହାଥରେ ନେଇ ରାଜାକୁ ପିଠିରେ ବସାଇଲା । ଏଥି ଉତ୍ତାରୁ ରାଜା ସାଧୁତକୁ କହିଲା । ହେ ସାଧୋ ତୁମ୍ଭେ ଆମ୍ଭର ଧର୍ମରୁ କରି ବାପ ହେଲ ।

 

ତହିଁ ଉତ୍ତାରୁ ରାଜା ଆପରା ପୁରକୁ ଯାନ୍ତେ, ସମସ୍ତ ମନ୍ତ୍ରୀମାନେ ପୁରବାସୀ ଲୋକମାନେ ରାଜାଙ୍କ ଦ୍ୱାର ମାର୍ଗମାନଙ୍କରେ ପୂର୍ଣ୍ଣକୁମ୍ଭ କଦଳୀ ଗଛ ପତାକା ତୋରଣ ଏମାନ ସଜାଇଲେ । ପୁରରେ ରାଜା ପ୍ରବେଶ କଲା ଉତ୍ତାରୁ ପୁଣି ଆପଣାର ପାଟମହାଦେଈଙ୍କି ଲକ୍ଷ୍ମୀବ୍ରତ କରାଇଲେ ।

 

ଏ ଯେଉଁ ବ୍ରତ ଶ୍ରେଷ୍ଠ, ସୁଦଶା ଏହାର ନାମ ନାରଦ କହି ଅଛନ୍ତି । ଯଉଁ ବ୍ରତକୁ ରାଜା ଯେ ସେ, ବନସ୍ତ ଭିତରେ ସାଧୁଘରଠାରେ ବ୍ରତକଲା ମାତ୍ରକେ ଶତ୍ରୁକୁ ଜିଣିଲେ, ସାର୍ବଭୌମ ରାଜା ହେଲେ । ଏ ଲକ୍ଷ୍ମୀଙ୍କର ବ୍ରତ ଯେ ସୁଦଶା ଏହାକୁ ଯଉଁ ଲୋକ ଆଶ୍ରୟ କରଇ, ତାହାର ସମସ୍ତ ପାପନାଶଯାଇ ତାଘରେ ଲକ୍ଷ୍ମୀ ରହନ୍ତି ।

 

ଇତିଶ୍ରୀ ପଦ୍ମ ପୁରାଣେ ନାରଦ ଇନ୍ଦ୍ର ସଂବ

ସୁଦଶାବ୍ରତ କଥା

ସମାପ୍ତ ।

 

କୁକ୍‌କଟୀ ବ୍ରତ କଥା

 

। ଯୁଧିଷ୍ଠିର ଉବାଚ ।

 

ଯୁଧିଷ୍ଠିର ଯେ ସେ, ଶ୍ରୀକୃଷ୍ଣ ଯେ ତାହାଙ୍କୁ ପଚାରୁ ଅଛନ୍ତି । ହେ ମାଧବ; ସ୍ତ୍ରୀ କଉଁ ବ୍ରତକଲେ ଶୋକସନ୍ତାପରୁ ମୁକ୍ତ ହୁଅନ୍ତି । ତାହା କହିବା ହୋଉ, ଶ୍ରୀକୃଷ୍ଣ ଉବାଚ । ଏମନ୍ତେ ଯୁଧିଷ୍ଠିର ପଚାରନ୍ତେ ଶ୍ରୀକୃଷ୍ଣ କହୁଅଛନ୍ତି-

 

ହେ ଯୁଧିଷ୍ଠିର, ପୂର୍ବକାଳରେ ଲୋମଶ ହୋଇ ନାମ ମହର୍ଷି ଯେ ସେ, ମଥୁରାକୁ ଯାନ୍ତେ ଦେବକୀ, ବସୁଦେବ, ଏ ଦୁହେଁ ତାହାଙ୍କୁ ପୂଜାକଲେ, ଦେବକୀ ବସୁଦେବ । ଏ ଦୁହେଁ, ସେ ଯଉଁ ଋଷି ତାହାକୁ ବସାଇଲେ । ବସାଇକରି ମନୋରମା ଅଟଇ, ଏବଂଭୂତ ଯଉଁ ପୂର୍ଣ୍ଣକଥା, ତାକୁ ପଚାରିବାକୁ ଆରମ୍ଭ କଲେ ଲୋମଶ ଉବାଚ । ଦେବକୀ ବସୁଦେବ ଦୁହେଁ ଲୋମଶଙ୍କୁ କହୁଅଛନ୍ତି-

 

କଂସରେ କରି ପୁତ୍ରମାନେ ନିହତ ହେଲେ ପୁନଃ ପୁନଃ ହୋଇ ଜାତହେଲେ, ଦେବକୀ ଯେ ମୃତବତ୍ସା ହୋଇ ହେଲେ । ଅତ୍ୟନ୍ତ ଦୁଃଖରେ ଦୁଃଖିତ ହୋଇହେଲେ ଯେମନ୍ତ ପ୍ରକାରରେ ନହୁଷ ରାଜାଙ୍କର ଭାର୍ଯ୍ୟା ଅଟନ୍ତ ଯେ ଚନ୍ଦ୍ରମୁଖୀ ସେଦିନ ହୋଇଥିଲେ ସେ କଉଁ ବ୍ରତକୁ କରି ସେ ଅକ୍ଷୟ ବନ୍ତ ହୋଇ ହେଲେ, ସେ ରୂପେ ତୁମ୍ଭର କରି ଦେବକୀ ଅକ୍ଷୟ ବନ୍ତ ହୋଇ ହେଲେ, ସେ ରୂପ ତୁମ୍ଭର କରି ଦେବକୀ ଅକ୍ଷୟ ବନ୍ତ ହେବେ । ଏଥିରେ ସଂଶୟ ନାହିଁ । ଦେବୀ ଯେ ସେ କହୁ ଅଛନ୍ତି- ନହୁଷ ରାଜାଙ୍କର ଭାର୍ଯ୍ୟା ଚନ୍ଦ୍ରମୁଖୀ, ସେ କଉଁ ସକାଶରୁ ଦୀନ ହୋଇଥିଲେ, ପୁଣି କଉଁ ସକାଶରୁ ସନ୍ତତିକାର ହେଲେ ସପତ୍ନୀମାନଙ୍କର ଦର୍ପ ଦଳନ ହେଲା । ସୌଭାଗ୍ୟ ଭୋଗ୍ୟ ବୁଦ୍ଧି ହେଲା, ତାହା କହିବା ହୋଉ ।

 

ଦେବକୀ ପଚାରନ୍ତେ ଲୋମଶ ଯେ ସେ କହୁଅଛନ୍ତି- ପୂର୍ବକାଳରେ ଅଯୋଧ୍ୟା ନାମ ଯଉଁ ନଗର, ତହିଁରେ ନହୁଷ ହୋଇ ନାମରାଜା ଯେ ତାହାଙ୍କର ଭାର୍ଯ୍ୟା ଯେ ସେ ଚନ୍ଦ୍ରମୁଖୀ ହୋଇ ତାହାଙ୍କ ନାମ । ତାଙ୍କ ପୁରୋହିତଙ୍କ ଭାର୍ଯ୍ୟା ମେନାହୋଇ ନାମ, ଏଦୁହିଁଙ୍କର ଅତ୍ୟନ୍ତରେ ପରସ୍ପରରେ ପ୍ରୀତି ଯେ ସେ ହେଲା । ଏଥି ଉତ୍ତାରୁ ମିତ୍ରଣୀ ଅଟନ୍ତି । ଯଉଁ ଚନ୍ଦ୍ରମୁଖୀ ମେନା, ଏ ଦୁହେଁ ସ୍ନାନ ନିମିତ୍ତ୍ୟେ ସରକ୍ଷୁ ଯେ ତହିଁକି ଯାନ୍ତେ ସେଠାରେ ନାଗରର ସମନ୍ଧୀ ଯଉଁ ସ୍ତ୍ରୀମାନେ ତାଙ୍କୁ ଦେଖିଲେ ।

 

ସେ ଯୋଉଁ ସ୍ତ୍ରୀମାନେ ସେଠାରେ ସ୍ନାନକରି ମଣ୍ଡଳକରି ତାହା ମଧ୍ୟରେ ଅବ୍ୟକ୍ତ ରୂପୀ ଯେ ଉମାମହେଶ୍ୱର ତାହାଙ୍କୁ ସ୍ଥାପନ କରି ଗନ୍ଧପୁଷ୍ପାଦି ଯଉଁ ପୂଜାବିଧି ତାକୁ ସର୍ଜିବାକୁ ଇଚ୍ଛା କରିଥିଲେ । ତାହାଙ୍କୁ ନମସ୍କାର କଲେ । କରି ପଚାରିଲେ ସେ ଯଉଁ ସଖୀଦୁହେ ପଚାରୁ ଅଛନ୍ତି ।

 

ଆର୍ଯ୍ୟା ବୋଇଲେ ପୂଜ୍ୟ ଅଟ, ଆଗୋ ସ୍ତ୍ରୀମାନେ ଏ ଯଉଁ ବ୍ରତ କରୁଥିଲ ଏହାର ନାମ କି, ଏହାର ବିଧାନ କି, ଏହା ସମସ୍ତ ଆମ୍ଭଙ୍କୁ କହ ।

 

ସେମାନେ କହୁ ଅଛନ୍ତି ଆମ୍ଭେମାନେ ପାର୍ବତୀଙ୍କ ତୁଲରେ ସହିତ ଶଙ୍କର ଯେ ମହାଦେବ । ତାହାଙ୍କୁ ପୂଜାକରି ରକ୍ତ ସୂତ୍ରକୁ କରରେ ବାନ୍ଧିବୁ । ଶିବଙ୍କଠାରେ ଆତ୍ମାକୁ ନିବେଦିତ କରିବୁ ସେ ଯୋଉ ଡୋର ତାକୁ ଯେତେକାଳ ପର୍ଯ୍ୟନ୍ତ ପ୍ରାଣ ଥିବ, ତେତେକାଳ ପର୍ଯ୍ୟନ୍ତ କରିବୁ । ତାଙ୍କର ବଚନ ଶୁଣି ସେ ଯୋଉ ମିତ୍ରଣୀ ଦୁହେଁ ସେ ବ୍ରତକୁ କଲେ ଡୋରକୁ ବାନ୍ଧିଲେ, ତହିଁ ଉତ୍ତାରୁ ସେ ଯଉଁ ସ୍ତ୍ରୀମାନେ ସଖୀମାନଙ୍କ ତୁଲେ ସହିତ ହୋଇଗଲେ । ଏ ଯଉଁ ସଖୀଦୁହେଁ ଆପଣାର ଯଉଁ ଗୃହ ତହିଁଙ୍କି ଆସନ୍ତ ହେଲେ, କଉଁଣସି କାଳରେ ହେ ନୃପରାଜ୍ଞ । ଯେ ବ୍ରତକୁ ସ୍ମରଣା ନକଲା, ସେ ଯଉଁ ଚନ୍ଦ୍ରମୁଖୀ ସେ ମତ୍ତରେ ସେ ଡୋରକୁ ବିସ୍ମିତ କଲା କଉଣସି କାଳରେ ମୃତ ହେଲା । ପ୍ଳବଙ୍ଗମୀ (ଗ୍ଲବଙ୍ଗମୀ) ହୋଇ ଜାତ ହେଲା, ମେନା ଯେ ସେ ଅସମ୍ୟକ୍ ବ୍ରତ ଧାରଣ କରି କୁକକଟୀ ହୋଇ ଜାତ ହେଲା । ତହିଁ ଉତ୍ତାରୁ ସେ ଯଉଁ ମିତ୍ରଣୀ ଦୁହେଁ ଜାତି ସ୍ମରତ୍ୱରୁ କରି ସେ ରୂପେ ସଖୀତ୍ୱ କଲେ । ପୁଣି ସେ ବ୍ରତକୁ କଲେ, ପୁଣି କୌଣସି କାଳରେ ସେ ଦୁହେଁ ମୃତ ହେଲେ, ପୁଣି କେତେ କାଳରେ ଚନ୍ଦ୍ରମୁଖୀ ଯେ ସେ, ଅଦେବ ମାତୃକ, ଗୋକୁଳ ସଂକୁଳ, ଯଉଁ ଦେଶ ତହିଁରେ ଜାତ ହେଲା । ସେ ଯଉଁ ରାଜା ତାହାର ଭାର୍ଯ୍ୟାହୋଇ ହେଲା, ଈଶ୍ୱରୀ ହୋଇ ନାମଖ୍ୟାତ ହେଲା, କୁକ୍‌କୁଟୀ ଯେ,ଅଗ୍ନିମିତ ଯଉଁ ଦ୍ୱିଜ ପୁରୋହିତ ଅଟନ୍ତି ତାହାର ଭୂଷଣା ନାମ ଭାର୍ଯ୍ୟା ହେଲା । ବହୁ ପୂତ୍ରବନ୍ତ ହୋଇ ହେଲା, ଜାତିସ୍ମର ହୋଇ ହେଲା, ପଦ୍ମହସ୍ତ ହେଲା । ଆଠଗୋଟି, ପୂତ୍ର ହେଲା, ଏବଂ ଅମୃତ ପ୍ରଜା ହୋଇ ହେଲା, ପୁଣି ଅତ୍ୟନ୍ତରେ ସେ ଦୁହିଁଙ୍କର ପ୍ରୀତି ଯେ ସେ ହେଲା ।

 

ହେ ଯୁଧିଷ୍ଠିର, ଈଶ୍ୱରୀ ନାମ ବଡ଼ ଗଣିତା ତାହାର ଏକପୁତ୍ର ହୋଇ ହେଲା, ରୋଗୀ ହେଲା, ନବବର୍ଷ ପ୍ରବେଶରେ ପଞ୍ଚତ୍ୱ ଯେ ମୃତ୍ୟୁ ତାହାକୁ ପାଇଲା । ତହିଁ ଉତ୍ତାରୁ ଭୂଷଣ ଯେ ତାକୁ ପୁତ୍ର ଦୁଃଖରେ ଦୁଃଖିତ ହୋଇ ଯଉଁ ସଖୀ ଦେଖିବାକୁ ଗଲା । ସଖୀ ଭାବରୁ କରି ଅତ୍ୟନ୍ତ ସ୍ନେହରେ ଅଷ୍ଟପୁତ୍ର ସମେତ ହୋଇ ପ୍ରତ୍ୟେକ୍ଷରେ ଆଭରଣମାନଙ୍କୁ ଧରନ୍ତା ହୋଇ ଭୁଷା ଯେ ସେ ଆସନ୍ତା ହେଲା । ପୁତ୍ରମାନଙ୍କ ତୁଲରେ ସହିତ ହୋଇ ଆସିଥିଲା ସେ ସଖୀ ତାକୁ ଦେଖିକରି ଈଶ୍ୱରୀ ଯେ ସେ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ହୋଇ ତାକୁ ଗୃହକୁ ଈଶ୍ୱରୀ ଈର୍ଷ୍ୟାରେ ପଠିଆଇ ଦେଲା । ତହିଁ ଉତ୍ତାରୁ ରାଜ୍ଞୀ ଯେ ସେ ଯଉଁ ପୁତ୍ରମାନଙ୍କୁ ମାରିବାକୁ ଇଚ୍ଛାକଲା ସମସ୍ତ ପୁତ୍ରଙ୍କୁ ଶୈଳ ଯେ ତହିଁରେ ମାରନ୍ତା ହେଲା ।

 

ହତ ହୋଇଥିଲେ ସେ ଯଉଁ ପୁତ୍ରମାନେ ଜୀଅନ୍ତା ହେଲେ । କଉଣସି କାଳରେ ସେ ଯଉଁ ସଖୀ ତାକୁ ଡାକନ୍ତେ ଭୂଷଣାଙ୍କର ଅଗ୍ରତରେ ସ୍ଥିତ ହେଲେ ଈଶ୍ୱରୀ ଯେ ସେ ସେ ଯଉଁ ସଖୀ ତାକୁ ଏମନ୍ତ ପଚାରିଲେ, ଆଗୋ ସଖି କଉଁ ପୁଣ୍ୟକୁ କରିଅଛୁ । ମୋରେ କରି ହତ ହୋଇଥିଲେ ଏ ଯଉଁ ପୁତ୍ର କେମନ୍ତ ପ୍ରକାରେ ଜୀଇଲେ । ତୁ ପୁଣି କେମନ୍ତ ପ୍ରକାରେ ବହୁ ପୁତ୍ରବନ୍ତ ହୋଇ ହେଲୁ । ଜୀବନବତ୍ସା ହେଲୁ । ଆଭରଣମାନଙ୍କରେ ଯୁକ୍ତ ହେଲୁ । ଅତ୍ୟନ୍ତ ଶୋଭାକୁ ପାଇଲୁ । ଏହା ମତେ ସମସ୍ତେ କହ ।

 

ଭୂଷାଣା ଯେ ସେ କହୁଅଛନ୍ତି-

 

ଆଗୋ ସଖୀ । ଭାଦ୍ରମାସ ଶୁକ୍ଳପକ୍ଷରେ ଲଳିତା ହୋଇ ଯଉଁ ସପ୍ତମୀ, ସେ ଦିନ ସ୍ନାନ କରିବ, ଶିବ ମଣ୍ଡଳକୁ କରିବ, ଅମ୍ବିକାଙ୍କ ତୁଲରେ ସହିତ କରି ମହାଦେବଙ୍କୁ ପୂଜା କରିବ । ବିଧିବନ୍ତ କରି କରରେ ଡୋର ଯେ ତାହାକୁ ବାନ୍ଧନ୍ତା ହେବ । ଯେତିକି ଦିନ ପ୍ରାଣ ଥିବ ତେତେଦିନ ପର୍ଯ୍ୟନ୍ତେ ଶିବଙ୍କଠାରେ ଆତ୍ମାକୁ ନିବେଦନ କରିବ । ଆଗୋ ସଖି, ଫଳପୁଷ୍ପ ଆଠୋଟି ଲେଖାରେ ଷୋଳଟି ଦୁର୍ବାକ୍ଷତ ମିଶାଇ ଷୋଳଥର ପ୍ରତିମାକୁ ନିବେଦନ କରିବ । ଏମନ୍ତ ପ୍ରକାରରେ ସୂତା ଆଂଖି କରିବ । ଆଂଖିକରି ହାତ ମାପି ବ୍ରତ କରିବ । ସୁନା ହେଉ ରୁପା ହେଉ ଯେଉଁ ପ୍ରତିମା ତାହାକୁ ସମର୍ପଣ କରି କର ଶାଖାରେ ବ୍ରତ ବାନ୍ଧିବ ।

 

ଆଗୋ ସଖି ମଣ୍ଡଳ ଯେ ତହିଁରେ କୂପକୁ ସମର୍ପଣ କରିବ । ଆପଣାର ଗୁରୁଙ୍କୁ ନୋହିଲେ ବ୍ରାହ୍ମଣଙ୍କୁ ତହିଁରୁ ଅଧେ ଦେବ । ବ୍ରତଭଙ୍ଗ ଭୟରୁ କରି ଆପଣ ଅଧେ ଖାଇବ । ପ୍ରତିମା ଯେ ଏହାକୁ ରୁପା ହେଉ ସୁନା ହେଉ ତାହାକୁ ତାମ୍ର ପାତ୍ରରେ ରଖିକରି ବ୍ରାହ୍ମଣଙ୍କୁ ନିବେଦନ କରିବ । ଥାଳୀ ତୁଲରେ ସହିତ ହୋଇଥିବ ଏବଂ ଭୂତ ଯେଉଁ ମହାଦେବ, ତାହାଙ୍କୁ ବ୍ରାହ୍ମଣଙ୍କୁ ଦେବ । ଆପଣ ପାରଣା କରିବ । ମଣ୍ଡଳରେ ସୂର୍ଯ୍ୟଦେବଙ୍କୁ ଶିବଶକ୍ତି ସମନ୍ୱିତ କରିବ । ପ୍ରାର୍ଥନା କରିବ, ତାହା ପୂର୍ବକାଳରେ ତୋରେ ସମେତ ହୋଇ ମୁଁ କରିଥିଲି । ଆଗୋ ସଖି ସେ ଯଉଁ ବ୍ରତ ତାହାକୁ ଉତ୍ତମ ଭକ୍ତିରେ କରି ପାଳନା କରନ୍ତେ ସୁଖିତ ହୋଇ ତୁ ପୁଣି ସମୟରେ ଗର୍ବରେ ତାହା ନ କଲୁ ନ କରନ୍ତେ ତେଣୁକରି ତୋହର ସନ୍ତତିମାନେ ନାଶଗଲେ ଆଗୋ ସଖି ଦୁଃଖ ପାଇଲୁ ଏ ଯେଉଁ ବ୍ରତ ଏହାର ପ୍ରଭାବ ମୁଁ ତୋତେ କହିଲି । ଆଗୋ ସଖି ତତେ ଅଧେ ଦେବି । ଏ ଯେଉଁ ବ୍ରତର ଧର୍ମ, ସଖୀଭାବରୁ କରି ତୁମ୍ଭେ ଏ ଯଉଁ ବ୍ରତ ଏହାକୁ ଘେନ । ଏଥିରେ ଆନ ନ ବିଚାର ।

 

ଏମନ୍ତ କହିଲା । କହିକରି ବ୍ରତରୁ ଅଧେ ଯଉଁ ଫଳ ଏହାକୁ ସେ ଯଉଁ ସଖୀ ତାକୁ ଦିଅନ୍ତେ ସେ ଯଉଁ ଈଶ୍ୱରୀ ଯେ ସେ, ଏ ବ୍ରତ ଘେନିମା ମାତ୍ରକେ ସାଧ୍ୱୀ ହୋଇହେଲା ।

 

ଲୋମଶ ଉବାଚ । ଲୋମଶ ଯେ ସେ କହୁଅଛନ୍ତି ।

 

ଆଗୋ ଦେବକୀ ଏ ଯେଉଁ ବ୍ରତ, ଏହାର ପ୍ରସାଦରୁ କରି ତୁ ପୁତ୍ରବନ୍ତ ହେବୁ । ତିନିଲୋକରେ ଈଶ୍ୱର ଅଟନ୍ତି ଏବଂଭୂତ ଯଉଁ ପୁତ୍ର ତାହାକୁ ଜାତ କରିବୁ । ମୁନିମାନଙ୍କରେ ଶ୍ରେଷ୍ଠ ଅଟନ୍ତି ଯେ ଲୋମଶ ଯେ ସେ ଏମନ୍ତ କହିଲେ, କହିକରି ବଡ଼ ବେଗରେ ଯାନ୍ତା ହେଲେ । ହେ ଯୁଧିଷ୍ଠିର ତୁମ୍ଭଙ୍କୁ କହିଲି ଏବେ ବଡ଼ ମନୁଷ୍ୟମାନେ ଏ ଯେଉଁ ବ୍ରତ ଏହାକୁ କରନ୍ତି, ମର୍ତ୍ତ୍ୟଲୋକରେ ଅତ୍ୟନ୍ତ ସୁଖରେ ସ୍ଥିତ ହୋଇଥାନ୍ତି । ଅନ୍ତକାଳରେ ଶିବଙ୍କର ଯଉଁ ସନ୍ନିଧି ତହିଁକି ଯାନ୍ତି । ଶୁଭ ଅଟନ୍ତି, ଦେବକୀଙ୍କର ଚରିତ କକ୍ଳୁଟୀହୋଇ ନାମ ଏ ଯଉଁ ବ୍ରତ ଯେ ଏହାକୁ ଯଉଁମାନେ ଶୁଣନ୍ତି, ତାହାଙ୍କର ସନ୍ତତି ବିଚ୍ଛେଦ କଉଣସି କାଳରେ ନୁହଇ ।

 

ଶୁଭପ୍ରଦ ଏ ବ୍ରତ ଯଉଁ ସ୍ତ୍ରୀମାନେ କରନ୍ତି ସେ ମର୍ତ୍ତ୍ୟଲୋକରେ ସୁଖ ପାନ୍ତି । ପ୍ରାନ୍ତକାଳରେ ଶିବଲୋକକୁ ଯାନ୍ତି ।

 

ସଚରାଚର ଗୁରୁ ଅଟନ୍ତି ଯେ ମହାଦେବ ତାହାଙ୍କୁ ହୃଦୟରେ ଧ୍ୟାନ କରିବ । ପ୍ଲବଗୀ ସମେତ ଅଟନ୍ତି ଯଉଁ କକ୍ଳୁଟୀ ବ୍ରତ, ଏହା ଯଉଁ ସ୍ତ୍ରୀମାନେ ଭକ୍ତିକରି କରନ୍ତି, ତାହାଙ୍କର କଳୁଷମାନେ ନାଶଯାନ୍ତି, ଶ୍ରୀ ସମ୍ପତ୍ତି ଯେ ତହିଁରେ ଯୁକ୍ତ ହୁଅନ୍ତି । ଜୀବବତ୍ସା ହୋଇ ହୁଅନ୍ତି ସେ ।

 

ଇତି ଭବିଷ୍ୟ ପୁରାଣେ ବ୍ରହ୍ମ ସଂହିତାୟାଂ

ଶ୍ରୀକୃଷ୍ଣ ଯୁଧିଷ୍ଠିର ସମ୍ବାଦେ କୁକ୍ଳୁଟୀ ବ୍ରତକଥା

ସମାପ୍ତ ।

 

ସାବିତ୍ରୀ ବ୍ରତ କଥା

ଶ୍ରୀ ଦେବୌ ନମଃ ।

 

ଆଦ୍ୟରୁ ବଟଗଛ ଗୋଟିଏ ଲେଖିବ । ନୋହିଲେ ସ୍ଥାପିବ, ଗ୍ରାମଘର, ଯେ ବ୍ରତକର୍ତ୍ତା ତା’ ଘରରେ କରିବ ଏ ବ୍ରତକୁ । ସେ ଘର ବଟମୂଳ ଲିପିବ, ଗୋବରରେ ପରିଷ୍କୃତ କରିବ । ସେ ଥାନ ନାନାବସ୍ତ୍ର ପାଟବାସ ଚିତ୍ର କୁଞ୍ଚ, ରଙ୍ଗ ଶୁକ୍ଳ ଫଳ ପୁଷ୍ପ ଚିତା ଚିତ୍ର ଲେଖନ,ନାଟବାଦ୍ୟ ଗୀତ,ଶଙ୍ଖ ଶବ୍ଦ, ଧୂପଦୀପ, ଚାନ୍ଦୁଆ ଏମାନଙ୍କରେ ଭୂଷଣ କରିବ । କୁଙ୍କୁମରେ ବଟକୁ ସ୍ନାନ କରାଇବ । ବଟଗଛ ପିନ୍ଧିବା ନିମନ୍ତେ ପାଟ ଦିଗୋଟି କରିବ । ପାଟଡୋର ଗୋଟିଏ କରିବ । ପାଟଡୋର ବଟକୁ ବେଢ଼ାଇବ । ପାଟ ଗୋଟିଏ ପିନ୍ଧାଇବ । ଗୋଟିଏ ଉପରାଣ କରାଇବ, ସିନ୍ଦୂର କଜ୍ଜ୍ୱଳ ଚନ୍ଦନ ଫୁଲ ଏମାନଙ୍କରେ ମଣ୍ଡିତ କରିବ । ନୈବିଦ୍ୟ କରିବ, ଧ୍ୱପଦୀପ ଦେବ, ବଟବିଧି ସାରିବ । ଏ ସିଦ୍ଧିର ବଟଗଛମୂଳେ ଅଷ୍ଟଦଳ ପଦ୍ମ ମଣ୍ଡଳ କରିବ । ସେ ମଣ୍ଡଳ ମଧ୍ୟରେ ସୁନା ଚାଙ୍ଗୁଡ଼ି ଗୋଟିଏ ରଖିବ । ସୁନା ଚାଙ୍ଗୁଡ଼ି ମଧ୍ୟରେ ରୁପା ପୀଢ଼ା ଗୋଟିଏ ପକାଇବ । ତାହା ଉପରେ ଶୁକ୍ଳଲୁଗା ଯୋଡ଼ି ପକାଇବ । ଶୁକ୍ଳ ଲୁଗା ଉପରେ ରଙ୍ଗ ଲୁଗା ଦିଅଟି ପକାଇବ । ସୁନାରେ ଅବା ରୁପାରେ ଅବା ମୃର୍ତ୍ତିକାରେ ଅବା ବ୍ରହ୍ମା ସାବିତ୍ରୀ ଏଦୁହିଁଙ୍କ ସାଦୃଶ୍ୟରେ ପ୍ରତିମା କରିବ । ପଦ୍ମଆସନରେ ନିଯୁକ୍ତ ହୋଇଥିବ । ଏପରି ପ୍ରତିମା କରିବ । ବ୍ରହ୍ମାଙ୍କ ପାଖରେ ପୋଥିଶ୍ରୁବ ସୁବର୍ଣ୍ଣ ଅକ୍ଷତମାଳା ତମ୍ବା କମଣ୍ଡଳୁ, କୁଶ ସୁବର୍ଣ୍ଣମହୀ ପୂର୍ଣ୍ଣକୁମ୍ଭ, ଜାଳିଲା ଦୀପ ଗୁଆଘିଅରେ, ଏମାନ ଆଗେ ହାଥେ ସମୀପେ ଥିବ । ବ୍ରହ୍ମାଙ୍କୁ ସ୍ଥାପନ କରିବ । ଏମନ୍ତ କରି, ତାଙ୍କ କୋଳରେ ସାବିତ୍ରୀଙ୍କି ସ୍ଥାପନା କରିବ । ରଂଗଲୁଗା ଦିଓଟି ସାବିତ୍ରୀଙ୍କି ପିନ୍ଧାଇବ । ଶୁକ୍ଳଲୁଗା ଦିଗୋଟି ବ୍ରହ୍ମାଙ୍କୁ ପିନ୍ଧାଇବ, ତହିଁ ଉତ୍ତାରୁ ପ୍ରାଣ ପ୍ରତିଷ୍ଠା ଭୂତଶୁଦ୍ଧ ପ୍ରଣବ, ମାତୃକା, ଅର୍ଘ୍ୟ ସଂସ୍କାର କରିବ । ପଞ୍ଚାମୃତରେ ସ୍ନାନ କରାଇବ । ଯଜ୍ଞେ ପବୀତ ବ୍ରହ୍ମାଙ୍କୁ ଦେବ । ଅର୍ଘ୍ୟ ଗନ୍ଧ ପୁଷ୍ପ ଧୂପ ଦୀପ ନୈବିଦ୍ୟ ଏମାନ ପଞ୍ଚ ଉପଚାରରେ ପୂଜା କରିବ । ଏମାନ ମଧ୍ୟ ସମର୍ପଣ କରିବ । ଦଶଗୋଟି ଉଆ ଚାଉଳ ଦେବ । ଦଶଗୋଟି ଦୂବ ଏମନ୍ତ ସମର୍ପଣ କରିବ । ଏ ବ୍ରତ ଭାବେ ଯେଉଁ ରୁପାସୁନା ମୃର୍ତ୍ତିକା କହିଲଇଁ ସେ ମିଳିଲେ ଆଛା ହେଲା । ନୋହିଲେ ହଳଦୀରେ ଦୁଇଗୋଟି ପିତୁଳା ଅଁଳାରେ ଦୁଇଗୋଟି ପିତୁଳା । ଶିଳୁପୁଆ ଦିଗୋଟି ସମୀପେ ବସାଇ ପଦ୍ମମଣ୍ଡଳ ମଧ୍ୟରେ ଥୋଇବ । ଏସବୁ ବିଧି ଚାଲିବ । ତହିଁଉତ୍ତାରୁ ସାବିତ୍ରୀଙ୍କି ପ୍ରାର୍ଥନା କରିବ । ନମସ୍କାର କରିବ । ବୋଲିବ ଆଗୋମା, ତୁମ୍ଭଙ୍କୁ ନମସ୍କାର ମୁଁ କେବେ ବିଧବା ନୋହିବି । ଏହି ବର ଦିଅ । ଯଶ ସୌଭାଗ୍ୟକୁ ଦିଅ । ଯେମନ୍ତ ସାବିତ୍ରୀଙ୍କି ପ୍ରସନ୍ନ ହେଲ, ତେମନ୍ତ ହୋଇ ମତେ ପ୍ରସନ୍ନ ହୁଅ । ଏମନ୍ତ ବ୍ରହ୍ମା ସାବିତ୍ରୀଙ୍କି ବ୍ରତକର୍ତ୍ତା ସ୍ତୁତିସାରି ଦେବତାମାନଙ୍କୁ ପ୍ରତିଦେବତାଙ୍କୁ ସ୍ତୁତି କରିବ । ତହିଁ ଉତ୍ତାରୁ ଗୌରୀଶଙ୍କର, ଲକ୍ଷ୍ମୀନାରାୟଣ, ସାବିତ୍ରୀ ସତ୍ୟବାନ ବଟ, ନାରଦ, ଅଶ୍ୱସେନ, ବିଶ୍ୱସେନ, ହିରଣ୍ୟ ପତ୍ନୀ, ଇନ୍ଦ୍ର ପତ୍ନୀ, ଗଣେଶ, ଏମନ୍ତ ବୋଲି ନମସ୍କାର କରିବ । କଥା ଶୁଣିମ, ଆଚାର୍ଯ୍ୟଙ୍କୁ ଦକ୍ଷିଣା ଦେବ । ଧନରତ୍ନ ସୁବର୍ଣ୍ଣ ଗାଈ ଭୂମି ଏମାନ ଦକ୍ଷିଣା ଦେବ । ଏ ବ୍ରତକର୍ତ୍ତା ପ୍ରାତଃସ୍ନାନ କରି ଶୁଚିବନ୍ତ ହୋଇ କୁଙ୍କୁମ ଲଗାଇ ଅଁଳା ଲଗାଇ ସ୍ନାନ କରିବ । ନାନାବସ୍ତ୍ର ଅଳଙ୍କାରମାନଙ୍କରେ କସ୍ତୁରୀ ସିନ୍ଦୂର କଜ୍ଜ୍ୱଳ ଚନ୍ଦନବାସ ପୁଷ୍ପ ଏମାନଙ୍କରେ ଭୂଷିିତ ହବ । ବ୍ରତକୁ ଆରମ୍ଭ କରିବ ।

 

ରବିନାରାୟଣ ବ୍ରତ କଥା ବିଧି

 

ସେ ଯେଉଁ ନୈମାଷାଣ୍ୟ, ତହିଁରେ ସୁତ ପୌରାଣିକ ଯେ ସେ ଶୌନକାଦି ମୁନିମାନଙ୍କୁ କହିଲେ ଆହେ ଋଷିମାନେ ଶୁଣିମା ହୁଅନ୍ତୁ । ରବିନାରାୟଣ ଯେଉଁ ବ୍ରତ, ତାହାକୁ କରିବା ମାତ୍ରକରେ ସମସ୍ତ କାମନା ମାନେ ସିଦ୍ଧ ହୁଅନ୍ତି । ରବିନାରାୟଣାତ୍ମକ ହୋଇ ପ୍ରସିଦ୍ଧ ଅଟଇ । ରବିବାର ଦିନ ଏକାଦଶୀ ଯେବେ ପଡ଼ିବ । ତେବେ ଏ ବ୍ରତକୁ କରିବ । ଏ ଯଉଁ ବ୍ରତକୁ କଲେ ଲୋମ ଭୁକ୍ତି ମୁକ୍ତିକି ପାଇବ । ବରୁଣ ପୂଜା,ସ୍ୱସ୍ତି ବାଚନ, ସଂକଳ୍ପ କରିବ । ତହିଁ ଉତ୍ତାରୁ ଆଚାର୍ଯ୍ୟ ବରଣ କରିବା ଅଷ୍ଟଦଳ ପଦ୍ମ ଲେଖିବ । ସେ ଅଷ୍ଟଦଳ ପଦ୍ମ ମଧ୍ୟରେ ସୁବର୍ଣ୍ଣରେ ନିର୍ମିତ ଶଙ୍ଖଚକ୍ରକୁ ଧରିଥିବେ ଯେ ନାରାୟଣ ପ୍ରତିମା ତାହାଙ୍କୁ ବସାଇବ । ଏମନ୍ତ ପ୍ରକାରେ ନାରାୟଣଙ୍କୁ ଧ୍ୟାନ କରିବ । ସେ ଯଉଁ ନାରାୟଣ ସେ କେମନ୍ତ ପ୍ରକାର ଅଟନ୍ତି ପୋଡ଼ନ୍ତ ସୁବର୍ଣ୍ଣ ପରିରେ କାନ୍ତି ଯାହାଙ୍କର, ଏବଂ ଭୂତ ଅଟନ୍ତି, ବନମାଳାରେ ଭୂଷିତ ଅଟନ୍ତି, କିରୀଟ କୁଣ୍ଡଳକୁ ଧରନ୍ତା ଅଟନ୍ତି ଆନ ଯେ ଭୂଷଣମାନେ ସେମାନଙ୍କର ଭୂଷଣ ଅଟନ୍ତି । ଏମନ୍ତ ପ୍ରକାରେ ଧ୍ୟାନ କରିବ । ସେ ଯଉଁ ନାରାୟଣ ତାହାଙ୍କୁ ପଞ୍ଚ ଉପଚାରରେ ପୂଜା କରିବ । ବ୍ରତୀ ଯେ ସେ ଆଗ ଭକ୍ତିରେ କରି ପୁଷ୍ପାଞ୍ଜଳି ଦେବ । ଦଶଖି ସୂତାରେ ବ୍ରତକରି ଦଶଗଣ୍ଠି ପକାଇବ, ହାଥରେ ବାନ୍ଧିବ । ତହିଁ ଉତ୍ତାରୁ କଥା ଶୁଣିମ, ଦଶଗୋଟି ଦୂବ, ଦଶଗୋଟି ଚାଉଳ ସେହିପରିରେ ଫଳ, ଉତ୍ତମ ଯେଉଁ ଖାଇବା ଦ୍ରବ୍ୟ ସୁବାସିତ ହୋଇଥିବ ତାହା ଯଥାକ୍ରମେ ନୈବିଦ୍ୟ ଦେବ । ଶୁକ୍ଳପକ୍ଷର ପରି ଅଟଇ ଯେଉଁ ପଦ୍ମ ତହିଁରେ ଆସନ କରନ୍ତା ଅଟନ୍ତି । ପଦ୍ମ ପରି କାନ୍ତି ଧରନ୍ତା ଅଟନ୍ତି । ଦ୍ୱିବାହୁଯୁକ୍ତ ଅଟନ୍ତି । ଉତ୍ତମ ଫୁଲମାଳାମାନଙ୍କୁ ଧରନ୍ତା ଅଟନ୍ତି । ରତ୍ନ ଅଳଂକାରମାନଙ୍କରେ ଭୂଷିତ ଅଟନ୍ତି ଉତ୍ତମ ମଣିମାନଙ୍କୁ ଅଙ୍ଗରେ ଭୂଷଣ କରନ୍ତା ଅଟନ୍ତି । ସେ ମସ୍ତକରେ ରତ୍ନ ସମ୍ବନ୍ଧୀ ମୁକୁଟ ଧରନ୍ତା ଅଟନ୍ତି । ସକଳ ଲୋକଙ୍କର କର୍ତ୍ତା ଅଟନ୍ତି ଏବଂ ଭୂତ ଦ୍ୱାଦଶାଙ୍ଗ ସେ ସୂର୍ଯ୍ୟ ତାହାଙ୍କୁ ମୋହର ନମସ୍କାର ।

 

କଥା ଶୁଣିଲା ଉତ୍ତାରୁ ଆଚାର୍ଯ୍ୟ ଯେ ତାହାଙ୍କୁ ଦକ୍ଷିଣାଦେବ । ଅର୍ଘ୍ୟାଦିରେ କରି ପୂଜା କରିବ । ତହିଁ ଉତ୍ତାରୁ ପ୍ରତିମାକୁ ଗୁରୁ ଯେ ଆଚାର୍ଯ୍ୟ ତାହାଙ୍କୁ ସମର୍ପଣ କରିବ । ତହିଁ ଉତ୍ତାରୁ ବିଧିରେ ଫଳମୂଳ ଜଳ ଏମାନଙ୍କୁ ପାରଣା କରିବ ।

 

ଏମନ୍ତ ପ୍ରକାରରେ ରବିନାରାୟଣ ବ୍ରତ ଯଉଁ ଲୋକ କରଇ, ସେ ଲୋକ ସମସ୍ତପାତ କରୁ ମୁକ୍ତ ହୁଅଇ । ବିଷ୍ଣୁ ଲୋକକୁ ସେ ଯାଏ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ପୂରାଣେ ରବିନାରାୟଣ ବ୍ରତକଥା ।

ସମାପ୍ତ ।

 

ଶ୍ରୀ ଧାନମାଣିକିଆ ଓସା କଥା

 

କାର୍ତ୍ତିକ ଜାଇ ମାର୍ଗସିର ପଶିଲା । ବିହି ମହାଲକ୍ଷ୍ମୀ ଅଡ଼ା ଗଉଣି ଘେନି ଘରେ ଘରେ ପଶିଲା । ୟେମନ୍ତରେ ୟେକା ଦିନକରେ । ଲକ୍ଷଶିରି ସାଧବ ଦ୍ୱାରେ ମହାଲକ୍ଷ୍ମୀ ଜାଇ ପ୍ରବେଶ ହୋଇଲେ । ସାଧବାଣିକି ଦେଖି ତାକୁ ବୋଇଲେ ଆଗୋ ମା ଆଜି ଧାନମାଣିକିଆ ଓସା ୟେହା ତୁ କର । ସାଧବାଣି ବୋଇଲା ଧାନ ବୋଲି ମାଣିଙ୍କର ଓସା ତାହା ଛାର ମୁଁ କି କରିବି । ସାହି ଦେବି ପଡ଼ିଶା ଦେବି କରିମାଣ ଦେବି । ନାତି ଦେବି ନାତୁଣୀ ଦେବି । ୟେମନ୍ତ ବୋଲି ଠାକୁରାଣୀ ବୋଇଲେ ଆଲୋ ମା ସେ ଓସା ସିନା ଧାନମାଣିକିୟା । ଯେ ଯେତେ ପାରଇ ସେ ସେତେ ଲଗାଇ । ତୁ ୟେବେ ଯେତେ ଇଚ୍ଛା ତେତେ ଲଗାଇ ଓସା କର । ତହିଁକି ସାଧବାଣୀ ବୋଇଲା । ୟେ ବୁଢ଼ୀ ଖଣ୍ଡ କାହୁ ଅଇଲା । ମୋତେ ଯେ (?)ଧିଆ ହୋଇନାଗି ଅଛି ତାହି ତାହି କହୁଛି । ଧାନମାଣିକର ବୋଲି ଓସା । ମୋତେ ତାହା କର ବୋଲି ନାଗିଅଛି । ଜାଜା ରଙ୍କୁଣି ବୁଢ଼ି ଖଣ୍ଡେ ୟେଠାରେ ଜାଜା । ୟେମନ୍ତ ଶୁଣି ଠାକୁରାଣୀ ସେଠାରୁ ଋସିଗଲେ । ବାଟେ ଯାଉ ଯାଉ ତାହାର ଝିଅ ସାମାଦେଈକି ଦେଖିଲେ ସେ ସାମାଦେଈ ବୋଇଲା ଗୋସାଇ ମାୟେ କେଉଁଆଡ଼କୁ ଯାଇଥିଲି । ଠାକୁରାଣୀ ବୋଇଲେ ଆଲୋ ତୋ ମା’ଠାକୁ ଯାଇଥିଲି । ତୋ ମାଆକୁ କହିଲିଲୋ ମାଆ ଆଜ ଧାନମାଣିକିଆ ଓସା ୟେହା ତୁ କର । ତୋହର ସବୁ ଭଲ ହୋଇଥିବ । ତହିଁକି ତୋ ମାଆ ନାହି କଲା । ଅପାର କରି କହିଲା, ତୋ ମା’ ଗାଳିଦେଲା । ତହିଁକି ମୁଁ ଯାଉଛି । ୟେହା ଶୁଣି ସେ ସୀମାଦେଈ ବୋଇଲା । ଗୋସେଇ ମାୟେ ୟେ ଓସା ମୋତେ କୁହ କେମନ୍ତ ଓସା ସେ ତାହା ମୁଁ କରିବି । ଠାକୁରାଣୀ ଆଜ୍ଞାଦେଲେ ଆଲୋ ତୋ ମା’ ନାହିକଲା ତୁ ଖେଡ଼ାଉନ ଝିଅ ତୁ କେମନ୍ତେ କରିବୁ ସୀମାଦେଈ ବୋଇଲା ଗୋସାଇ ସେ ଓସାରେ କି କି ଖେଳାଉନ=ଖେଳୁଆଳୀ ଲାଗଇ ତାହା ମୋତେ କୁହ ମୁଁ ତାହା କରିବି । ଠାକୁରାଣୀ ବୋଇଲେ ଆଲୋ ସେ ଓସା ଯଦି ତୁ କରିବୁ, ତେବେ ରାତ୍ରରେ ଉଠୀ ସ୍ନାନକରି ଆଇବୁ । ପାଟେ ପିନ୍ଧି ପାଟେ ଉପୁରାଣ ଦେବୁ ଧ୍ୟାନ ମରାଇରେ ଉଠିବୁ । ଅର୍ଘ ବନ୍ଧାଇ ଧାନଗୁଡ଼ିୟେ ବାହାର କରିବୁ ମଣ୍ଡଳାଏ ଲିପି ବନ୍ଦନ ଛିଡ଼ାଦେଇ ସେ ଧାନ ସୁଖାଇବୁ ଉତ୍ତମ ସୁଦ୍ଧକରି ସେ ଧାନ କୁଟୀବୁ ସେ ଚାଉଳ ବିରି ପକାଇ ରେତା କରିବୁ । ଉତ୍ତମ ପବିତ୍ର ଘରେ

 

 

ଗୋମୟରେ ଲିପି ଚନ୍ଦନ ଛିଡ଼ାଦେବୁ ଅଷ୍ଟଗନ୍ଧ ପିଚିକା ମାରିବୁ । ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ଟାଣିବୁ ପାଟପତିନି କୁଞ୍ଚା ବାନ୍ଧିବୁ ଅଷ୍ଟରତ୍ନ ମଣ୍ଡଣି କରିବୁ । ମୁକୁତା କେରାକେରା କରି ଲମ୍ବାଇବୁ । ଅଷ୍ଟରତ୍ନ ଖଟୁଲିରେ ସୁକଳ ପାଟ ପାଡ଼ିବୁ । ହାନ୍ଦୋଳା କରିବୁ । ଧାନଘର ଚାଉଳଘର ବିରି ଘର ଏରୂପେ

 

 

ଚାରିପାଖେ ବାଡ଼ଦେଇ ଉତ୍ତମ ସୁଚିବନ୍ତ ହୋଇଥିବୁ । ଧାନ ଗଉଣି ପଞ୍ଚବର୍ଣ୍ଣେ ଚିତ୍ରି ଶୁକ୍ଳଧାନ ଗଉଣିୟେ ପୁରେଇ ରଖିବୁ ଆଖୁଗୋଛା ମତେ ରଖିବୁ, ପଇଡ଼ ପେଣ୍ଡା ମତେ ରଖିବୁ । କଦଳୀ ଗଛ ମତେ ଗୁଆ ପେଣ୍ଡା ମତେ, ମାଣଙ୍କ=ମାଣିକ୍ୟ ଦହିପାଟୁଆ ମତେ ଛୁରି ପୁରିଜ ଦେବୁ । ହିରାମାଣଙ୍କ ସଜ ହୋଇବୁ, ଧାନପେଣ୍ଡା ଥାପି ଓସା ପୁଜିବୁ । ପ୍ରଥମ ପାଳିରେ ତରଣ ଖାଇ ଶରଣ ପଶିବୁ । ଦୁତିଆ ପାଳିରେ ତରଣ = ଯାଉ (= ଜାଉ) (pudding) ଚିତୋଉ ଖାଇ ଚିତ୍ତ ଖଟାଇବୁ ତୃତୀଅ ପାଳି ଦହି କାଲୁଆ ଭାତ ଖାଇବୁ । ଚତୃଥ ପାଳି ସିଉ ଖାଇବୁ । ପଞ୍ଚମ ପାଳି ପଞ୍ଚବର୍ଣ୍ଣେ ପିଠାକରି ଓସା ପୁଜିବୁ ।

 

ଆଲୋ ୟେଇରୂପେ ଓସା ପୁଜିଲେ ପାଞ୍ଚପାଳି ଶରିକି ରାଜବର ପାଇବୁ । କୋଟୀଲକ୍ଷ୍ମୀ ପ୍ରାପତ ହୋଇବ । ୟେ ଓସାଟୀ ଆଜଠାରୁ କର । ୟେମନ୍ତ କହି ସେଠାରୁ ଠାକୁରାଣୀ ଅନ୍ତର୍ଦ୍ଧାନ ହୋଇଗଲେ । ସେଠାରୁ ସାମାଦେଇ ଘରକୁ ଗଲା ହଳଦି ଅଏଁଳା- ସାବେତ୍ରି=ସାବିତ୍ରୀ (ସୁବାସିତ ଫଳବିଶେଷ) ଅଷ୍ଟଗନ୍ଧ ଘେନି ସ୍ନାନ କରିଗଲା ସ୍ନାନସାରି ପାଟେପିନ୍ଧି ପାଟେଉପୁରାଣ ଦେଲା । ସେଠାରୁ ଆସି ମହାଲକ୍ଷ୍ମୀ ଯେଉରୂପେ ଆଜ୍ଞା ଦେଇଥିଲେ ସେହିରୂପେ ସାମାଦେଇ ଓସା କଲା । ଚାରିପାଳି କଲା । ପାଞ୍ଚପାଳି ସରିକୀ ରାଜବର ନାଗିଲା । ସେ ସାଧବକୁ । ସେ ସାଧବକୁ ରାଜା ହକାଇଲେ ଶୁଣି ସାଧବ ତରସ୍ତଇଲା । ଆଜ୍ଞା ସିର ଉପର କରି ବେକରେ ଡାଳ କୁରାଡ଼ି ବାନ୍ଧି ଜାଇ ପାୟେ ପଡ଼ି ସୋଇଲ । ରାଜା ଆଜ୍ଞାଦେଲେ ଆରେ ସାଧବ ତୁ କିଛି ଭୟ ନ କର । ତୋତେ କିଛି ଭୟ ନାହିଁ । ଆମ୍ଭ ପାଖକୁ ଆସ । ତହିଁ ସାଧବ ବୋଇଲା ମୋ ଛାର ଗୋସାଇଁଙ୍କ ପାଖକୁ କେମନ୍ତ ହୋଇ ଯାଇପାରିବି । ୟେହା ଶୁଣି ରାଜା ହାଥ ଧରିନେଇ ପାଖରେ ବସାଇଲେ ରାଜା ବୋଇଲେ ଆହେ ସାଧବ ତୋହ ତୁଲେ ଆମ୍ଭେ ବନ୍ଧୁପଣ କରିବୁ । ତୋ ଝିଅକୁ ଆମ୍ଭେ ବିଭା ହୋଇବୁ । ସାଧବ ବୋଇଲା ଗୋସାଇଁ ଏଥିଉତ୍ତାରେ ମୋର ଭାଗ୍ୟ କୀ, ରାଜା ପରା ଦୁଆଁଇଁ ପାଇବି ଚକ୍ରବତି ରାଜାର ଶଶୁର ହୋଇବି । ଏଥି ଉତ୍ତାରୁ ଅଧିକ ଜୁଆଇ ପାଇବି ? ଆଜ୍ଞାହେଉ ବିଭା ସାମଗ୍ରୀ ଭିଆଇବି । ଆଜ୍ଞା ପ୍ରମାଣେ ବିଭା ହୋଇବାକୁ ହୋଉ । ୟେତେ କହି ସାଧବ ଘରକୁ ଅଇଲା ସାଧବାଣୀ ଆଗରେ କହିଲା ସାଧବାଣୀ ଶୁଣି ଆନନ୍ଦିତ ହୋଇଲା । ଦୂର ଗାଆଁକୁ ଚିଟାଉ ଗଲା । ନିକଟ ଗାଁକୁ ଗୁଆ ଗଲା । ବାରବାଟୀ ଛାମୁଣ୍ଡିଆ ହେଲା । ତେରବାଟୀ ମଣ୍ଡଣି ହେଲା । ପଞ୍ଚ ଶବଦ ବାଦ୍ୟ ବାଜିଲା । ଶଙ୍ଖ ମହୁରି ଭେରି କାହାଳୀ ବାଜି ଚହ ଚହ ମହହୋଇ ବିଭା ହୋଇଲା । ଗାଈ, ମଇସି, ଛେଳି, ମେଣ୍ଢା, ଦାସି ପରିବାରି ସୁନାରୁପା ଯୋଗାଡ଼ମାନ ଜଉତୁକ ଦେଲା । କନ୍ୟାଘେନି ରାଜା ନବରକୁ ବିଜେକଲେ । ୟେଥିଉତାରେ ଝିଅ ଯିବାକାଳେ ସେ ସାଧବ ଘର ହତଲକ୍ଷ୍ମୀ ହୋଇଲା । ପୋତିଲା ଧାନ ବାସୁକି ହରିଲା । ଚରିଗଲା ଗୋରୁ ମଈଁସି, ଛେଳି, ମେଣ୍ଢା, ନେଇଲେ । ଲାଗିଖିଆତକ ଦେଖି ମାରି ଗୋଡ଼ାଇଲେ ନେଲନୋକ ଖାଈ ଗଙ୍ଗା ଯମୁନା ମରେଇ ବମା ଖାଇଲା । ବହୁ ବାପଘର ଯାଇ ନଇଲେ । ସାଶୁଘର ଯାଇ ଝିଅ ନଇଲେ, ଗୋତିକରି ସାତ ପରଘରେ ରହିଲେ । ହରିହରି ଗିରିଗିରି ହୋଇ ବଡ଼ ଦୁଃଖ ପାଇଲା । ମୁଠୀୟେ ମୁଠିଭିକ୍ଷା ମାଗିଲେ ଭିଖ ନମିଳିଲା । ତାକୁ ଦେଖି ଲୋକହାସ୍ୟ କରନ୍ତି । କେହି ଅବା ଲୋକ ଦେଖି ବିକ୍ଳପାଇ ବୋଲନ୍ତି, ଆହେ ତୋହ ଝିଅକୁ ଯେ ରାଜାକୁ ବିଭାକଲୁ ତାଙ୍କଠାକୁ କିମ୍ପା ଥରେ ନଯାଇ ୟେଡ଼େ ଦୁଃଖ କିମ୍ପା ୟେଠାରେ ଅଛି । ୟେବେ ଦେଖି ଥରେ ସେ ରାଜାଠାକୁ ଯାଉକିନା, ତହିଁକି ସେ ବୁଢ଼ାବୁଢ଼ି ବୋଇଲେ । ଗୋସାଇଁ ମୁ ମାଗି ଖାଉଅଛି । ସେ ତ ରାଜାଘରେ ରାଣୀ ହୋଇଅଛି । ସେକାଳ ଭେଖ ତ ମୋହର ନାହିଁ । ସେ ଆମ୍ଭଙ୍କୁ କେମନ୍ତେ ଚିହ୍ନିବେ । ତହିଁକି ଲୋକେ ବୋଇଲେ ଅବା ଚିହ୍ନଇଟୀ । ଥରେ ଯାଉକିନା । ୟେମନ୍ତ ଶୁଣି ସେ ବୁଢ଼ାବୁଢ଼ି ବୋଇଲେ ଥରେ ଦେଖିବା, ଯାଇକିନା, ୟେମନ୍ତ ଶୁଣି ସେ ବୁଢ଼ାବୁଢ଼ି ବୋଇଲେ ଥରେ ଦେଖିବା, ଯାଇକିନା, ୟେମନ୍ତ ବିଚାରି ସେ ରାଜା ରାଜ୍ୟକୁ ଗଲେ । ସେ ରାଜା ନବର ପାଖେ ପୁଷ୍କରଣୀୟେ ଅଛି । ସେ ପୁଷ୍କରଣୀ କୁଳେ ଯାଇଂ ବୃକ୍ଷ ଗୋଟିକ ତଳେ ବସିଅଛନ୍ତି । ସେ ରାଜା ୟେନିମାନେ ଯାଇଆସି ୟେହାକୁ ପଚାରନ୍ତି କିହୋ ତୁମ୍ଭେ ତ ଏଠାରେ ରହିଲ କିମ୍ପା ଭିତରକୁ ନଗଲ । ଏଠାରେ ତୁମ୍ଭଙ୍କୁ କେଏକି ଦେବ । ତହିଁକି ସେ କହିଲେ ବାବୁ ଏଠାରେ ଆମ୍ଭର କିଛି କାର୍ଯ୍ୟ ଅଛି । ସେ ନୋକେ ବୋଇଲେ ତୁମ୍ଭର କି କାର୍ଯ୍ୟ ତାହା ଆମ୍ଭଙ୍କୁ କୁହ ସାଧବ ବୋଇଲେ ଗୋସାଇଁ ତୁମ୍ଭ ରାଜା ଏବେ ନୂଆକରି ଯେଉଁ ରାଣୀକି ବିଭାହୋଇ ଆଣିଲେ, ତାଙ୍କ ଆଗେ ଆମ୍ଭ ବାରତା କରି ପାରିବକୀ । ଲୋକ ବୋଇଲେ ତୁମ୍ଭେ ତ ଭିଖାରି ଲୋକ । ସେ ତ ରାଜାର ପାଟ ମହାଦେଇ । ସେ ତୋତେ କେମନ୍ତ ଜାଣିବେ । ଥୋକେ ଲୋକ ବୋଇଲେ ଅବା ଜାଣଲୁଟୀ ତାଙ୍କ ନୋକ ଦେଖି କହିକିନା, ଏମନ୍ତ କହି ସେ ରାଣୀଙ୍କ ପାଣି ଗଉଡ଼ମାନେ ସେହି ପୋଖରୀ ପାଣି ନେଉଥିଲେ । ତାଙ୍କୁ ଆଣି ୟେହାଙ୍କୁ ଚିହ୍ନାଇ ଦେଲ । ତୁମ୍ଭ ରାଣୀଙ୍କ ଆଗେ ଏହାଙ୍କ ବାର୍ତ୍ତା କହିକିନା ବୋଇଲେ । ସେମାନେ ବୋଇଲେ ୟେ କାହୁ ଅଇଲେ କାହିଁକି ଯିବେ । ସେ ବୁଢ଼ାବୁଢ଼ୀ ବୋଇଲେ ବାବୁ ଯହୁ ଅଇଲୁ ଯହିକି ଗଲେ ଗଲୁ । ଆମ୍ଭ ବାରତା ତୁମ୍ଭେ ରାଣୀଙ୍କ ଆଗେ ଥରେ କହିକିନା ସେ ଗଉଡ଼ମାନେ ବୋଇଲେ ତୁମ୍ଭ ନାମ କି ବୋଲି କହିବୁ ବୁଢ଼ାବୁଢ଼ୀ ବୋଇଲେ ସେକଥା କହିଲେ ହାସ୍ୟ କରିବ ସିନା । ଲୋକେ ବୋଇଲେ କିମ୍ପା ହାସ୍ୟ କରିବୁ କହିକିନା ସେ ବୁଢ଼ାବୁଢ଼ୀ ବୋଇଲେ ବାହୁବୀର ବିକ୍ରମାଜିତ ରାଜା ରାଜ୍ୟର ଲକ୍ଷସିରି ସାଧବ ମୁଁ । ମୋ ଝିଅ ସାମାଦେଇ ଯେଉଁଦିନ ତୁମ୍ଭ ରାଜା ବିଭାହୋଇ ଆଣିଲେ ସେହି ଦିନର ଆମ୍ଭର ଏତେ ଦସା ହୋଇଲା । ତାହା ଶୁଣି ଲୋକେ ବହୁତ ହାସ୍ୟକଲେ । ଥୋକାୟେ ବୋଇଲେ ଅବା ହୁଅନ୍ତି ଟିକେ ଜାଣିଛିଟୀ ସବୁକାଳରେ ସବୁରି ସରିହୋଇ ଥାଇକୀ ଦେଖି କହକିନା । ୟେମନ୍ତ ବୋଲିଯାଇ ସାମାଦେଇଙ୍କ ବେହେରା ରାଣୀଙ୍କ ଆଗେ କରପତ୍ର ଯୋଡ଼ି ଜଣାଇଲେ । ଗୋସାଇ କହିବାକୁ ଭୟକଥା । ଆଜ୍ଞା ହୋଇଲେ କହିବୁ । ବେହେରାମାନେ ବୋଇଲେ । କିହେ କି କଥା କହିବ କହିକିନା ସେ ଗୌଡ଼ମାନେ ବୋଇଲେ ଗୋସାଇଁ ବୁଢ଼ାବୁଢ଼ୀ ଦୁଇଗୋଟି ପୋଖରୀକୁ.ଅଛନ୍ତି । ସେ ବୋଇଲେ ମହାଦେଇ ଆମ୍ଭର ଝିଅ । ଲକ୍ଷଶ୍ରୀ ସାଧବ ଆମ୍ଭେ । ଝିଅ ଆଣିଲା ଦିନୁ ଆମ୍ଭର ଏତେ ଦସା ହୋଇଲା । ଆମ୍ଭ ବାରତା ମହାରାଣୀଙ୍କ ଆଗେ ପାଟମହାଦେଇଙ୍କ ଆଗେ କହିକିନା । ଏଥକୁ ଗୋସାଇଙ୍କ ଛାମୁରେ ଜଣାଇଲୁ । ତହିଁକି ସାମାଦେଇ ବୋଇଲେ ଆଲୋ ମୋ ଆସିବା ଦିନୁ ସେ ଦୁଖ ପାଇଥିବେ ଏହା ମୁଁ ଜାଣଇଁ । ଦେଖି ତାଙ୍କୁ ଡାକିଆଣ କିନା । ଆଲୋ ତାଙ୍କୁ ବାଡ଼ିବାଟେ ଘେନି ଆସିବଟୀ । ୟେମନ୍ତ ଶୁଣି ପୋଇଲି ପରିବାରିମାନେ ଧାଇଯାଇ ତାଙ୍କୁ ଚିହ୍ନି ବାଡ଼ିବାଟେ ଘେନି ଅଇଲେ । ବୁଢ଼ାକୁ ବାହାରେ ରଖିଲେ ବୁଢ଼ୀକି ଭିତରକୁ ନେଲେ । ବାପକୁ ଲୁଗାପଟା ହଳଦୀ ମାଲପା ଚନ୍ଦନ କର୍ପୂର କିଛି ଅଳଙ୍କାର ଦେଇ ଲୋକବାକ ଖଞ୍ଜିକରି ଯୋଗ ସାମଗ୍ରୀ ଖଞ୍ଜୀ ବଡ଼ ସପ୍ତାକଲେ ମାକୁ ସେଇମତି ଲୁଗାପଟା ମାଲପା ହଳଦି ଫୁଲ ଚନ୍ଦନ କର୍ପୂର କସ୍ତୁରି ଥାଏ ଅଳଙ୍କାର ଦେଇ ବହୁତ ସସ୍ତାକରି ପାଖେ ରଖି ସାଧବାଣୀ ଆସିଅଛି ବୋଲି ସବୁରି ଆଗରେ କହିଲେ । ସେହିମତି ହୋଇ ବୁଢ଼ାବୁଢ଼ୀ ଥାନ୍ତି । ତହୁଁ କେତେଦିନ ଉତ୍ତାରେ କାର୍ତ୍ତିକ ମାସ ଯାଇ ମାର୍ଗଶିର ପଶିଲା । ସାମାଦେଇ ଧାନମାଣିକିଆ ଓସା କରିବେ ବୋଲି ଉଦଯୋଗ କଲା । ମାଆକୁ ବୋଇଲା ମାଗୋ ମାଆ ଠାକୁରାଣୀଙ୍କ ଅଣଅବଧାନର ତୋହର ୟେତେ ସରି ହୋଇଲା । ୟେବେ ଧାନମାଣିକିଆ ଓସା ତୁମ୍ଭେ କର । ତୁମ୍ଭର ଉତ୍ତମ ସବୁ ହୋଇବ । ଠାକୁରାଣୀଙ୍କ କୃପାରେ ତୁମ୍ଭେ ଭଲ ହୋଇବ ସାଧବାଣୀ ବୋଇଲା ଉତ୍ତମ କରିବି । ୟେମନ୍ତ ବୋଲି ମାୟେ ଝିୟେ ପୁଷ୍କରିଣୀରେ ସ୍ନାନସାରି ଅଇଲେ ଓସା ପୁଜିବାର ଯେତେ ବିଧାନ ସବୁ ତାତ୍ପର୍ଯ୍ୟ କରି ସାମାଦେଇ ଯାଇ ତା’ ମାଆକୁ ଡାକୁଲା ବେଳକୁ ଦେଖିଲା ନାତିନାତୁଣୀଙ୍କଠାରୁ ମାଆ ଅଇଣ୍ଠା ପିଠା ଖାଇ ବସିଛି । ତାହା ଦେଖି ସାମା ଦେଇ ମଥାରେ ହାତ ମାରି ଠାକୁରାଣୀଙ୍କୁ ସୁମରି ଯାଇ ବିଧିପୂର୍ବ କରି ଓସା ପୁଜି ବସିଲା । ୟେମନ୍ତ ତିନିପାଳି ଗଲା । ମାଆକୁ ପୋଇଲିଙ୍କି ଜଗାଇ ଆପଣା ମାଆକୁ ଘେନି ସ୍ନାନକରି ଗଲା । ସ୍ନାନସାରି ମାୟେ ଝୟେ ପାଟେ ପାଟେପିନ୍ଧ ପାଟେ ପାଟେ ଉପୁରାଣି କରି ବିଧିମତ କରି ଓସା ପୁଜି ବସିଲେ । ମାଆକୁ ଦେଖି ଠାକୁରାଣୀ ରତ୍ନ ହାନ୍ଦୋଳାରେ ବିଜେ କରନ୍ତି ସାମାଦେଇ ବହୁତ ବିନୟ ହୋଇ ଜଣାଇଲା ସେ ରାଣି କୁ ପୁର୍ନ୍ୟ ଦେଖି ଠାକୁରାଣୀ ଆଜ୍ଞାଦେଲେ ଆଲୋ ରାଣି ସେ ମୋଢ଼ୀ ଲକ୍ଷ୍ମୀ ଦୋହି । ତାହା ଛାରକୁ ତୋ ପାଖରେଖି ଅଛୁ ତୋହଠାକୁ ମୁଁ କେମନ୍ତେ ଯିବି । ତାହାକୁ ଚୁନ କଳାଦେଇ ସେ ରାଣି ତିରସ୍ତ ହୋଇ ଗାଲକେ ଚୁନ ଗାଲକେ କଳାଦଇ ବାହାର କରିଦେଲା । ସେ ସାଧବାଣୀ ଯାଇ ସେ ରାଜା ଧାନମରେଇ ତଲେ ବସିଲା । ଧାନ ଚାଉଳ ବିରି ମୁଗ ସବୁ ଗୋଟି କରି ବାଛି ଠାବ ଠାବ କରି ରଖୁଅଛି । ତାହାକୁ ଯାଇ ଘେନିଆସ ତାହ ଶୁଣି ସାମାଦେଇ ଲୋକେ ପଠିଆଇ ମାଆକୁ ଘେନି ଅଇଲେ । ମାଆଝିଅ ଓସା ପୁଜି ବସିଲେ । ଠାକୁରାଣୀ ବହୁତ ସନ୍ତୋଷ ହୋଇଲେ । ସାଧବାଣୀକି ଆଜ୍ଞାଦେଲେ ଆଲୋ ସାଧବାଣୀ ମୋଠାରେ ଯେ ଅନାଦର କଲୁ । ତହିଁ ସକାସରୁ ୟେତେ ଦୁଃଖ ପାଇଲୁ । ୟେବେ ଯେ ଆମ୍ଭଙ୍କୁ ସେବାକଲୁ ଆମ୍ଭେ ତୋତେ ପ୍ରସନ୍ନ ହୋଇଲୁ । ତୁ ବର ମାଗ । ତାହା ଶୁଣି ସାଧବାଣୀ ବହୁତ ବିନୟ ହୋଇ ବୋଇଲା ଗୋସାଇଁ, ତୁମ୍ଭଠାରେ ଅବମାନନା କଲାର ଯେ ଫଳ ତାହା ପାଇଲି । ୟେବେ ଗୋସାଇଁ ଯେବେ ପ୍ରସନ୍ନ ହୋଇଲ ମୋହର ପୂର୍ବରେ ଯେତେ ଧନମାନ, ଗାଈ, ମଇଂସି ସମ୍ପତ୍ତି ଥିଲା ସେହିରୂପେ ପ୍ରବେଶ ହୋଇବ । ତୋହ ରାଜ୍ୟକୁ ତୁ ଯା, ୟେମନ୍ତ ବୋଲି ଠାକୁରାଣୀ ଅଂତଧ୍ୟାନ ହୋଇଗଲେ । ତହିଁ ଉତାରେ ସାଧବାଣୀ ସାଧବ ଆଗେ ୟେ ପ୍ରସଙ୍ଗ କହି ବାଦ୍ୟବାଜଣା ବଜାଈ ମୁଖପାଲ ଗଢ଼ୀ ତାହା ରାଜ୍ୟକୁ ଗଲା । ରାଜ୍ୟରେ ପ୍ରବେଶ ମାତ୍ରକେ ଠାକୁରାଣୀଙ୍କ ଆଜ୍ଞାରେ ସେହି ଧନଧାନ୍ୟ, ଗାଈ, ମଇଂସି, ଧନଧାନ୍ୟ, ନାତିନାତୁଣୀ, ବହୁଝିଅମାନେ ପୁଅ ଗୋତିକରି ସାତାମାନେ ସମସ୍ତେ ଯାଚି ଆସି ଘର ଚର୍ଚ୍ଚାକରି ଅଛନ୍ତି । ଲାଗିଲା ଲୋକ ଜାଚିକରି ଧନଧାନ୍ୟ ଦେଲେ । ଗତୁ ସତେଗୁଣେ ସମ୍ପତ୍ତି ହୋଇଲା । ବରସକୁ ବରସ ଠାକୁରାଣୀ ନିଷ୍ଠାକରି ସେବା କଲା ନିଶ୍ଚିନ୍ତ ହୋଇ ଶ୍ରୀ ଠାକୁରାଣୀଙ୍କ ସେବାର ରହିଲା ।

 

* ଶ୍ରୀ ଧାନମାଣିକିଆ ଓସା ସମ୍ପୂର୍ଣ୍ଣ *

 

ପୋଲୁରି କଥା

 

ଏକେ ସାଦବାଣୀ ବୋଲଇ ଅମାସ୍ୟା କରଇ । ବଜ୍ରମହାକାଳ (ୀ) ଦେଇଙ୍କୀ ପୂଜା କରଇ । ସେ ଦିନ ଉଆଂସ ହୋଇଛି । ଚାଉଳ ଭରଣେ ଗୟେଂଠା ବତରାଇଲା । ୧ ବୁହୁକୁ ବୋଇଲା ମାଲୋ ଚାଉଳ ବତୁରିଲା କି ନାହିଂ । (୪) ଦେଖିଆସେ । ଚୂନା କୁଟାଇବା, ବହୁ କିକଲା । ଚାଉଳୁଟାୟେ ତୁଣ୍ଡରେ ପକାଇଲା । ସାସୁକୁ ବୋଇଲା ଚାଉଳ ବତୁରିଲା । ସାସୁ ଚୂନା କୁଟାଇଲା । ଆରଦା ଅଟକାଳି କଲେ । କ୍ଷିରିପିଠା କଲେ । ବଜ୍ରମହାଙ୍କାଳ ଦେଇ ବୋଇଲେ ମୋ ଭୋଗ ଅଇଂଠା କଲା ମୁଁ ଏହାର ଗଞ୍ଜୀବି । ୟେହି ରୂପେ କେତେଦିନ ଗଲା । ବହୂଟି ବଡ଼ ହେଲା, ଗର୍ଭବାସ ହେଲା (୨ ) ସେହି ପୋଲରି ଉଆଂସ ଦିନ ପୁଅ ଗୋଟାଏ ପାଇଲା । ଜନ୍ମହେବାରୁ ପିଲାଟି ମରିଗଲା ।

 

ଏହିମତି ବରଷକୁ ବରଷ କୁଆଂସ (୩) ପୁଅ ଗୋଟିଏ ପାୟେ ମରିଜାଇ । ଏହି ରୂପେ ଛଅ ଗର୍ଭ ଗଲା । ସେହି ଉଆଂସ ଦିନ ରାତିରେ ପୁଅ ଗୋଟିଏ ପାଇଲା । ସେଇକ୍ଷଣି ମରିଲା । ଶାଶୁ ବୋଇଲା । ଏଖାଇ X X X- ବରଷକୁ ବରଷ ପୁଅ ଗୋଟିଏ ପାଉଛି । କୋଡ଼ରେ ଧରିବାକୁ ନାହିଁ ୟେ ମୋ ଘରୁ ବାହାରି ଯାଉ । ଯେ (ଏ) ତେବେଳେ କାହାକୁ ଡାକିବି । ପାଣି ବରଷୁଛି । ଅନ୍ଧାର ରାତି ହୋଇଛି ପିଆ ସହି ଏକା ପୋଡ଼ୁ । ବାଡ଼ିବାଟେ X X X X ତଡ଼ିଦେଲା । ପିଲାକୁ କାନ୍ଧେ ପକାଇଛି କାନ୍ଦି କାନ୍ଦି ବନସ୍ତରେ ପଶିଲା । ତା’ର ଗୁରସ୍ତ ବୋଇଲା ମା’ କେଡ଼େ ରାଢ଼ୁଣୀ । ମାଇକିନାଟା ବନେ ପଶିଲା । ଅନ୍ଧାର ରାତି । ମୁହିଁ ଯିବି ବୋଲି ମାଇକିନା ପଛେ ଗଲା । ବନ ଭିତରେ ମାୟାରେ ଘର ଗୋଟିଏ ହୋଇଛି । ବଜ୍ରମହାଙ୍କାଳ ଦେଇ ପୋଲରି ଉଆଂସ ପୂଜୁଛନ୍ତି । ବାବୁ ପିଲାଟିକି ପୋତିଦେଲା । ତିନ୍ତିବୁଡ଼ି ଦୁଇପ୍ରାଣୀ ଯାଇ ସେ ଘର ଓଳିରେ ରହିଲେ । ବଜ୍ରମହାକାଳ ଦେଇ ବୋଇଲେ ଆଲୋ ସେଠାରେ କେ ଅଛି ଘରକୁ ଆସ । ସାଦବ ଘର ବହୁ ବାରବରଷର ହୋଇ ଘରେ ପସିଲା । ଓସାପୂଜା ଦେଖି ପାଏପଡ଼ି ଶୋଇଲା । ବୋଇଲା ମା’ ମୁଁ (କି) ଦୋଷ କରିଥିଲି । ଏ ଦୁଃଖ ମୋତେ ଦେଲୁ । ବଜ୍ରମହାଙ୍କାଳଦେଇ ବୋଇଲେ, ଆ ବୋଇଲି ସେ ବୋଇଲେ ଯେତେ ତୋର ଗର୍ଭ ହେବ ମୋତେ ଦେବୁ । ମୁଁ ହେଉ ବୋଲି ସତ୍ୟକଲି । ନଣନ୍ଦ ଜିଇଂ ଉଠିଲା ଘରକୁ ଅଇଲୁଂ । ସଠୀଦୂତ ଛାଇ ବୋଇଲେ ଆଲୋ ତୋର ସତ ବୁଝୀଥିଲେ ସେଠୀ X X ।

 

[ଓଷାବ୍ରତ କଥା ପୋଥି ନମ୍ବର - ୮୯୩ରୁ ଉଦ୍ଧୃତ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମ୍ୟୁଜିଅମ୍‌) । ୧- ବହୁକୁ, ୨-ପୋଥିପାଠ ଗିରିବାସ, ୩-ଉଆଁସ ।

 

୧-ବହୂକୁ, ୨- ପୋଥିପାଠ ଗରିବାସ, ୩-ଉଆଁସ ।]

 

ଗୀତ ଗୋବିନ୍ଦ

 

ମେଘୈ ର୍ମେଦୁରମମ୍ବରଂ...................................... କେଳୟଃ । ୧ ।

 

ଅର୍ଥ- ଏମନ୍ତ ପ୍ରକାରେ କରି ବାଟରେ ଲତା ଗୃହକୁ ଗଲେ ଯେ ରାଧାମାଧବ ଦୁହେଁ ତାହାଙ୍କର ଏକାନ୍ତ କ୍ରୀଡ଼ାମାନେ, ଯମୁନା କୁଳରେ ଜୟଯୁକ୍ତ ହେଉଅଛନ୍ତି ନନ୍ଦ କି ଆଗ୍ୟାଂ ଦେଲେ ତାହା କହୁଅଛି ।

 

ଆକାଶ ମେଘମାନଙ୍କରେ ବ୍ୟାପ୍ତ ହୋଇଅଛି । ବନଭୂମୀମାନେ ତମାଳ ବୃକ୍ଷମାନଙ୍କରେ କରି ଅନ୍ଧାର ହୋଇଅଛନ୍ତି । ଏ ଶ୍ରୀକୃଷ୍ଣ ରାତ୍ରରେ ବଡ଼ ଡରନ୍ତି । ଏମନ୍ତ ବୋଲି ନନ୍ଦ କହିଦେଲେ । ୧ ।

 

ଶ୍ଳୋକ-ବାକ୍‌ ଦେବତା ଚରିତ......................................ଜୟଦେବ କବିଃ ପ୍ରବନ୍ଧଃ-

 

ଅର୍ଥ- ଜୟଦେବ ନାମା କବି ଯେ ସେ ଏ ପ୍ରବନ୍ଧ କରୁଅଛନ୍ତି । ସେ କବି କେମନ୍ତ ଅଟନ୍ତି । ସରସ୍ୱତୀଙ୍କ ଚରିତମାନଙ୍କରେ କରି ଚିତ୍ରିତ ହୋଇଅଛି ଚିତ୍ତ ଜାହାଙ୍କର ଏମନ୍ତ ଅଟନ୍ତି । ପଦ୍ମାବତୀ ଯେ ଭାର୍ଯ୍ୟା ତାହାଙ୍କ ପାଦର ସେବକମାନେ ତହିଁରେ ଶ୍ରେଷ୍ଠ ଅଟନ୍ତି । ଶ୍ରୀବାସୁଦେବଙ୍କର ସୁରତି କ୍ରୀଡ଼ା କଥାରେ ଯୁକ୍ତ ଅଟନ୍ତି ।

 

ଶ୍ଳୋକ-ଯଦି ହରି ସ୍ମରଣେ......................................ଜୟଦେବ ସରସ୍ୱତୀଂ । ୩ ।

 

ହେ ମନ ତୋହର ଯେବେ ହରି ସ୍ମରଣରେ ଅନୁରାଗ ଅଛି ଯେବେ ବା ବିଳାସ କଳାମାନଙ୍କରେ କୌତୁକ ଅଛି । ତେବେ ସେ କାଳରେ ଜୟଦେବର କେ ବାଣୀ ତାହା ଶୁଣ । ମଧୁର ମନୋହର କୋମଳକାନ୍ତ କମନୀୟଟୀ ପଦମାନ ଯହିଁରେ ଏମନ୍ତ ଅଟନ୍ତି- । ୩ ।

 

ଶ୍ଳୋକ-ବାଚଃ ପଲ୍ଳବ......................................ଧୋମୟ କବି କ୍ଷ୍ମାପତିଃ । ୪ ।

 

ଅର୍ଥ- ଏବେ କବିମାନଙ୍କ ମହିମା କହୁଅଛନ୍ତି ବଚନମାନଙ୍କର ଯେ ସନ୍ଦର୍ଭ ଶୁଦ୍ଧ ତାହା ଜୟଦେବହିଁ ଜାଣନ୍ତି । ଉମାପତି ଧର ଯେ କବି ସେ ବଚନମାନଙ୍କୁ ପଲ୍ଲବାଈତ କରନ୍ତି । ଶରଣ ନାମା ଯେ କବି ସେ ଅତି ଗୂଢ଼ କଥାମାନଙ୍କରେ କବିତ୍ୱ ବୋଲି ପାରନ୍ତି । ଗୋବର୍ଦ୍ଧନ ନାମ ଯେ କବି ସେ ଶୃଙ୍ଗାର ରସରେ ପୂର୍ଣ୍ଣ ଯେ ପ୍ରବନ୍ଧମାନ ତାହା କରିବାରେ ଆଚାର୍ଯ୍ୟ ଅଟନ୍ତି । ଜୟଦେବ କବି ଜାଣନ୍ତି ।

 

ଗୀତ ପାୟୋଧି......................................ଜଗଦୀଶ ହରେ । ୧ ।

 

ଅର୍ଥ ଏବେ ଠାକୁରଙ୍କ ଦଶାବତାରମାନ ବର୍ଣ୍ଣୁଅଛନ୍ତି । ଧଇଲୁ ମତ୍ସାବତାରକୁ ଯେ ସେ ଏମନ୍ତ ଅଟ ଯେ ତୁମ୍ଭେ ଜୟଯୁକ୍ତ ହୁଅ । ପ୍ରଳୟ କାଳରେ ଯେ ସମୁଦ୍ର ଜଳ ତହିଁରେ ବେଦମାନଙ୍କୁ ଧରନ୍ତା ଅଟ । ସେ ବେଦମାନେ କେମନ୍ତ ଅଟନ୍ତି । ବିଧାନ କଲା ବୋହିତ ଚେଷ୍ଟାକୁ ଯେ ସେ ଏମନ୍ତ ଅଟନ୍ତି । ୧ ।

 

ଗୀତ କ୍ଷିତି ରତି......................................କଚ୍ଛପ ରୂପ । ୨ ।

 

ଅର୍ଥ- ଏବେ କୁର୍ମାବତାର କହୁଅଛନ୍ତି । ଧଇଲୁ କୁର୍ମାବତାରକୁ ଯେ ସେ ଏମନ୍ତ ଅଟ ଯେ ତୁମ୍ଭେ ଭୟଯୁକ୍ତ ହୁଏ । ଅତି ବିସ୍ତାର ଯେ ତୁମ୍ଭ ପିଠି ତହିଁରେ ପୃଥ୍ୱୀ ଅଛି । ନିରନ୍ତର ପୃଥ୍ୱୀକି ଧରିବାରେ ଫଳନ୍ତା ଯେ ଜିଣି ସମୂହ ତେଣେକରି ଅତି କଠିନ ଅଟନ୍ତି । ୨ ।

 

ଗୀତ-ବସତି ଦଶନ......................................ଶୂକର ରୂପୀ । ୩ ।

 

ଅର୍ଥ- ଏବେ ବରାହ ରୂପ କଥା କହୁଅଛନ୍ତି । ଧଇଲୁ କୁର୍ମାବତାରକୁ ଯେ ସେ ଏମନ୍ତ ଅଟ ଯେ ତୁମ୍ଭେ ଜୟଯୁକ୍ତ ହୁଅ । ତୁମ୍ଭ ଦନ୍ତ ଅଗ୍ରରେ ଯେ ପୃଥ୍ୱୀ ଲାଗିଅଛି ଚନ୍ଦ୍ରରେ ନିମଗ୍ନ ହୋଇ ଯେମନ୍ତ କଳଙ୍କ କଳା ଅଛି ସେହିପରି ପୃଥ୍ୱୀ ଅଛି ।

 

ଗୀତ-ତବକର କମଳ......................................ନରହରି ରୂପଂ । ୪ ।

 

ଏବେ ନୃସିଂହ ରୂପ କହୁଅଛନ୍ତି । ନରସିଂହ ରୂପକୁ ଯେ ସେ ଏମନ୍ତ ଅଟ ଯେ ତୁମ୍ଭେ ଜୟଯୁକ୍ତ ହୁଅ । ତୁମ୍ଭ କରପଦ୍ମରେ ନଖ ଯେ ସେ ଦଳିଲା ହିରଣ୍ୟ କଶିପୁ ଦେହକୁ ଯେ ସେ ଏମନ୍ତ ଅଟନ୍ତି ସେ ନଖମାନେ କେମନ୍ତ ଅଟନ୍ତି । ଆଶ୍ରର୍ଯ୍ୟଟୀ ନଖର ଅଗ୍ରମାନେ ଯହିଂରେ ଏମନ୍ତ ଅଟନ୍ତି । ୪ ।

 

ଗୀତ-ଛଳୟସି......................................ବାମନ ରୂପ । ୫ ।

 

ଅର୍ଥ- ଏବେ ବାମନ ରୂପ କହୁଅଛନ୍ତି । ଧଇଲ ଆଶ୍ଚର୍ଯ୍ୟ ବାମନ ରୂପକୁ ଯେ ତୁମ୍ଭେ ଜୟଯୁକ୍ତ ହୁଅ । ଆଶ୍ଚର୍ଯ୍ୟ ଯେ ବାମନ ସ୍ୱରୂପ ତହିଁର ସମ୍ବନ୍ଧ ଯଉଂ ପରାକ୍ରମ ତେଣୁକରି ବଳିକି ଭଣ୍ଡନ୍ତା ଅଟ । ସେ ବାମନ ସ୍ୱରୂପ ପୁଣି କେମନ୍ତ ଅଟଈ । ପାଦନଖ ଜଳରେ କରି ଲୋକପାବନ ଅଟଇ । ୫ ।

 

ଗୀତ-କ୍ଷତ୍ରିୟ ରୁଧିର......................................ଭୃଗୁପତି ରୂପଂ । ୬ ।

 

ଅର୍ଥ- ଏବେ ପରଶୁରାମାବତାର କହୁ ଅଛନ୍ତି । ଧଇଲ ପରଶୁରାମାବତାରକୁ ଯେ ସେ ଏବଂଭୂତ ଯେ ତୁମ୍ଭେ ଜୟଯୁକ୍ତ ହୁଅ । କ୍ଷତ୍ରିୟମାନଙ୍କର ରକ୍ତମୟ ଯେ ଜଳ ତହିଂରେ ସେ ଜଗତକୁ ସ୍ନାନ କରନ୍ତା ଅଟ । ସ୍ନା-ନରେ କରି ଶାନ୍ତି ହୋଈଲା ସଂସାର ତାପ ଯାହାର ଏମନ୍ତ ଅଟଇ । ୬ ।

 

ବତ୍ରିଂଶ ସିଂହାସନ କଥା

ଦ୍ୱିତୀୟ କଥା- ୧୮ଶ ଶତାବ୍ଦୀ

 

ଏମନ୍ତ ସମୟେ ରାତ୍ର ପାଇଲା ଉତ୍ତାରୁ ଭୋଜ ରାଜା ନିତ୍ୟକର୍ମ ସାରି ହସ୍ତରେ ଫୁଲମଣ୍ଡା ଗୋଟିଏ ଘେନି ସିଂହାସନକୁ ବିଜେ କରନ୍ତେ ପ୍ରଥମେ ପିତୁଳି ହସି ଉଠିଲା । ସେ ପିତୁଳି ହସିବା ଦେଖି ତାକୁ ରାଜା ପଚାରିଲେ ତା’କାହିଁପାଇଁ ହସିଲୁ କହ । ସେ ପିତୁଳି ବୋଇଲା, ଭୋ ରାଜନ ୟେ ସିଂହାସନେ ବିକ୍ରମ ରାଜା ସେ ଭାର୍ଜନ । ଏମନ୍ତ ଶୁଣି ରାଜା ବୋଇଲେ ତାହାଙ୍କର କି ଗୁଣ । ରାଜାର ଏମନ୍ତ ବଚନ ଶୁଣି ପିତୁଳୀ ବୋଇଲା ତାହାଙ୍କର ମୁନିଙ୍କି କହି ପାରଇ । ତାହାଙ୍କର କଥା ଦେବଙ୍କୁ ଦୁଲଭ । ମୁଁ ତାହାଙ୍କର କଥା କିସ କହିବି । ଧ୍ୟାନ ପରିଗୁଣେ ତୁମ୍ଭେ ଶୁଣ । ଏମନ୍ତ ଶୁଣି ଭୋଜ ରାଜା ବୋଇଲେ । ସେ ଆମ୍ଭଠାରୁ ବଡ଼ ଦାନୀ । ଆମ୍ଭେ ଯାହା ଦେବାର କରୁ ଲକ୍ଷେ ସୁନିଆ ଦାନ ଦେଇପାରୁଁ । ରାଜାର ଏ ବଚନ ଶୁଣି ସେ ପିତୁଳି ବୋଇଲା ଭୋ ରାଜନ ୟେତକେ ଜାଣିଲଇଂ ତୁମ୍ଭେ ବଡ଼ କୃପଣ । ଯେତେବେଳୁ ଆପଣା ଗୁଣ କହିଲ ତେତେବେଳୁ ଜାଣିଲୁନି । ପୂର୍ବେ ଶୁଣିଅଛୁ ଆପଣ ପୁରୁଷାର୍ଥ ଆପଣେ କହିଲେ ସେ ନଷ୍ଟ । ୟେମନ୍ତ ଋଷି ବାକ୍ୟମାନ ଅଛି । ଯେଡ଼େ ଗୁଣବନ୍ତ ହେଲେ ଆପଣା ପୁରୁଷାର୍ଥ ନ କହିବା ୟେରୂପେ ଶୁଣିଥାଇଂ । ଆପଣା ଗୁଣ ଯେବେ ପରକୁ କହଇ ତେବେ ସେ ବିକର୍ମ ଗୁଣରେ ଲେଖା । ତେଣୁକରି ଆପଣାର ଗୁଣ ପରକୁ ନ କହିବ । ୟେମାନ ଉତ୍ତମ ଜନମାନଙ୍କର । କହିଲେ ତେଡ଼େ ନିଚତାହିଁ । ୟେ ପିତୁଳୀ ଏମନ୍ତ ରାଜାଙ୍କୁ କହିଲେ ଯେ ପିତୁଳୀ ବଚନ ଶୁଣି ରାଜା ବୋଇଲେ ସେ ଆମ୍ଭଠାରୁ ବଡ଼ ଦାନୀ । ସେ ବିକ୍ରମାଜିତଙ୍କ କେମନ୍ତ ଗୁଣ ତାହା କହ ଶୁଣିମା । ରାଜାର ଏ ବଚନ ଶୁଣି ପିତୁଳୀ ବୋଇଲା ସେ ବିକ୍ରମ ରାଜାଙ୍କ ଛାମୁରେ ସାମନ୍ତପାତ୍ର ରାଉତ ନିଯୋଗୀ ଭେଟନ୍ତି ତାହାଙ୍କୁ ରାଜା ଅନାଇଲେ ସେ ରାଜା ଲୋକଙ୍କୁ ସହେସ୍ର ଦିଅନ୍ତି । ଯାହାକୁ ଚାହାଁନ୍ତି ତାକୁ ଖଣ୍ଡେ ବଚନ କହନ୍ତି । କୋଟିଏ ସୁବର୍ଣ୍ଣ ଦିଅନ୍ତି ସେ ଦେଲେ ଯେବେ ଖଣ୍ଟ କରନ୍ତି ତେବେ ରାଜା ବୋଲଣା କରନ୍ତି । ୟେଣୁକରି ଭଣ୍ଡାର ଅଧିକାରୀମାନେ ରାଜାଙ୍କୁ ଜଣାଇ ସୁବର୍ଣ୍ଣ ଧରି ବସିଥାନ୍ତି । ୟେରୂପେ ରାଜାଙ୍କୁ ପ୍ରଥମ ପିତୁଳୀ କହିଲା । ବୋଇଲା ଭୋ ରାଜ ୟେମନ୍ତ ମହାତ୍ମା ଗୁଣ ଯେବେ ତୁମ୍ଭଠାରେ ଅଛି ତେବେ ସିଂଘାସନେ ବସ ।

ଶ୍ରୀତି ଶ୍ରୀ ଶିବଦାସ ବିରଚିତ ଦ୍ୱିତୀୟ କଥା ସମ୍ପୂର୍ଣ୍ଣ ।

ଊଣା କରିବୁ- ପଠାନ୍ତର । (ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ-ସମ୍ପାଦନା । ଡଃ ଆର୍ତ୍ତବଲ୍ଲଭ ମହାନ୍ତି-ପୃ.-୪୮ ।)

 

ପାଠ ସମୁଦ୍ର

 

ଶବ୍ଦ-ସାଧକ ବିଦେଶୁ ପ୍ରବେଶ ହେଲା । ମୋତିଆଣି ଚାରି ପତ୍ନୀଙ୍କି ଦେଲା ତୁମ୍ଭେ ରାଣୀ ଅଧେ ଏକଇ ନେବ ॥ ମୋର କରେ ଏକ ମୋତି ରହିବ, ଲେଖା ଥାପନା ॥ ସାଧବ କେତେ ମୋତି ଆଣିଛି ତାହା ନ ଜାଣି ପ୍ରଥମ ଭାରିଯା ଅଧେ ନେବ ଏକ ଉଠାଈ ନେବ ॥ ଶେଷ ମୋତି ଦୁତୀୟ ଭାରିଯା ଅଧେ ନେବ । ଏକ ଉଠାଇନେବ । ଶେଷ ଯେ ରହିବ ତୃତୀୟ ଭାରିଯା ଅଧେ ନେବ ଏକ ଉଠାଇ ନେବ । ଶେଷ ଯେ ରହିବ ଚତୁର୍ଥ ଭାରିଯା ଅଧେ ନେବ ଏକ ଉଠାଇ ନେବ । ଶେଷ ଯେ ରହିବ ଚତୁର୍ଥ ଭାରିଯା ଅଧେ ନେବ ଏକ ଉଠାଈ ନେବ ବାକି ସାଧବ କରେ ଏକ ମୋତି ରହିବ- (ପୃ-୧୯)

 

X X X

 

ମୂଳ ଜମାରେ କଡ଼ାଏ ଗୁଣି ଠିକ୍ କଉଡ଼ୀ ରଖିବ । ଯେତେ କାହାଣ ପଣ ଗଣ୍ଡା କଡ଼ା ସେ ଜମାକଡ଼ା ବୋଲି ବୋଲିବ । ଏହି ଅଙ୍କଙ୍କୁ ବେଦରେ ଗୁଣିଲେ ସେ ଜମା ଗଣ୍ଡା ସେହୁ ଅଟଇ ଜମା ଗଣ୍ଡାକୁ ବିଂଶରେ ଗୁଣିଲେ ସେ ଜମା ଗଣ୍ଡା ପଡ଼ଈ । ପଞ୍ଚକ ଅଙ୍କକୁ ଅନୁରିବ କରି ଜମାପଣେ ପଶ ଶୁଣିବ । ପଞ୍ଚକଂ ଅଙ୍କ ଠିକ୍ ଯେବେ ନୋହିବ । ଜମା ଗଣ୍ଡାକୁ ମାଗିବ । ଜମା କଡ଼ାକୁ କଡ଼ା ଦେଈଂ ଗୁଣିବ ପଞ୍ଚକ ଅଙ୍କରେ ଭେଟିବ । ପଣତଳେ ପଣତଳେ ପଣ ଗଣ୍ଡାତଳେ ଗଣ୍ଡା କଡ଼ାତଳେ କଡ଼ା ଦେବ । ଏତେ ପଣ ଏତେ ଗଣ୍ଡା । ଏତେ କଡ଼ା କାହାଣକୁ ସେ ହୁଅଇ । ଏହୁ ଶୁକ୍ରରେ ଜେତେ ଇଚ୍ଛା ତେତେ ସେ ହେଜି ମାଗିଲେ ଆଶଇ ପଞ୍ଚକ ଅଙ୍କ ଏକ ରଣକୁ ହିତ ଓ ଝାଙ୍କର ଗଣ୍ଠିଧନ କହେ ଦେବଦାଶ ଶୁଣ ଖଡ଼ୀକାର ହେଜି ଧଈଲେ ସେ ପୁଣ ।

(ପୃ.-୨୩)

 

 

ଗୋଶାସ୍ତ୍ର ପୋଥି

ସହଦେବାୟ ନମଃ । ଓଁ

 

୧- ଯେବଣ ଦୀନେ ଶ୍ରୀହରି ସହଦେବ ଗୋପରେ ଇନ୍ଦ୍ର ସଙ୍ଗତେ ବିବାଦ କଲେ । ମନ୍ଦର ପର୍ବତ ବାମକରେ ଧରିଲେ । ସାତ ରାତ୍ର ସାତ ଦିବସ ଇନ୍ଦ୍ର ବରଷିଲା ଜଳ । ଭୋଖେ ଗୋମାତା ହୋଇଲେ ଆକୁଳ । ଗୋମାତା ଅର୍ଥେ ମନେ ବିଚାରିଲେ । ମୋଥେ ମାରି ତହିଁ ମୋଥା ଯାତ କଲେ । ଘାସକରି ତାହା ଖାଇଲେ ଗୋମାତା ୨- ଇନ୍ଦ୍ର ଆସିଣ ପଶିଲେ ଶରଣ । ତହୁଁ ଗୋବୃନ୍ଦ ହେଲେ ଉଧାରଣ । କ୍ଷୀର ସମୁଦ୍ର ବରଷିଲା ପାଣି । ବନସ୍ତେ ଘାସ ହେଲା ଆଣ୍ଠୁଆଣି । ଚରି ଖୋରବନେ ହୋଇଲେ ଗୋଷ୍ଟି । ଆକ୍ରୋସି ରୋଗ ଧଇଲେ ଦନ୍ତପାଟି । ଗୋ ଗୋଷ୍ଟେ ବିଜେକଲେ ଦେବାଧି ଦେବରାଯା । ଚଉଷଠି ଡମ୍ବରୁ ବଜାଇଲେ । ସହେ ଅଷ୍ଟ ଉତ୍ତର ଭୋଗ ଯା ଯା । ଯାଉ ବୋଲି କାହାର ଆଗ୍ୟାଂ । ଶ୍ରୀହରି ସହଦେବ ଅକୃରକଂର କୋଟି କୋଟି ଆଗ୍ୟାଂ (୧) ଗୋରୁମାନଙ୍କୁ ଇତ୍ୟାଦି ରୋଗ ହେଲେ ଗୁଆ ଚାଉଳ ନିମନ୍ତ୍ରଣ କରି । କୋମଳ ଦୁବ ଶାତକେରା ଆଣି ସେ ଦୁବଧରୀ । ତାଳୁଠାରୁ ଲାଞ୍ଜ ପରିଯନ୍ତେ ଝାଡ଼ିଦେବ । ଓଁ ତୁ ତୁଣ୍ଡଗୋଟୀ ପୃତି ପଢ଼ି ଏଥିର ଉତପପାଳେ । ଗୋରୁ ସହେ ଅଷ୍ଟ ଉତ୍ତର ବ୍ୟାଧି ହରଣ । ଥାଉ ଯାଇ ପାତାଳେ । କାହାର ଆଗ୍ୟାଂ । ଶ୍ରୀହରି ସହଦେବ ଠାକୁରଙ୍କର କୋଟିଏ ଆଗ୍ୟାଂ । ୨ ।

 

ଓଁ ନାସା ଦୁଇଗୋଟି ଧୃତପତି । ଏଥିରେ ଉତପତି ହୁଅନ୍ତି । ପବନ ଦେବତା ମହାଯତି । ବୋଲନ୍ତି ପବନ ଦେବତା ଶୁଣସି ବାଳଗୋପାଳେ । ଗୋରୁ ସହେ ଅଷ୍ଟ ଉତ୍ତର ବ୍ୟାଧି ହରଣ । ଥାଉ ଯାଇଁ ପାତାଳେ କାହାର ଆଗ୍ୟାଂ ଶ୍ରୀହରି ସହଦେବ ଠାକୁରଙ୍କର ଗୋଟିଏ ଆଗ୍ୟାଂ । ୩ ।

 

ଓଁ କଣ୍ଠଗୋଟି ଧୃତପତି । ଏଥିରୁ ଉତପତି ହୁଅନ୍ତି । ନିଳକଣ୍ଠ ମହଯତି ବୋଲନ୍ତି ନୀଳକଣ୍ଠ ଶୁଣିସି ବାଳଗୋପାଳ । ଗୋରୁ ସହେ ଅଷ୍ଟ ଉତ୍ତର ବ୍ୟାଧି ହରଣ । ଥାଉ ଯାଇ ପାତାଳେ କାହାର ଆଗ୍ୟାଂ ଶ୍ରୀହରି ସହଦେବ ଠାକୁରଙ୍କର କୋଟିଏ ଆଗ୍ୟାଂ ।

 

ଗୁଣି ଗାରେଡ଼ି

-ରଣକୁହୁକକୁ ଓଷଧ-

 

ରବିବାର ଦିନ ଏକବନି ଗାଈ ଗୋବର, ତଳେ ନ ପଡ଼ୁ ହାତେ ଧରିବ । ଘେନିମ ନୋହିଲେ ନୁଗାରେ ଧରିବ । ଲଣ୍ଡାବଗୁଲୀ ଗଛ କୃଷ୍ଣ ଅଙ୍କରାନ୍ତି ଗଛ ମୀସାଈ ଘସିପାରିବ ନିତି ମଞ୍ଜବଇଠା ଦେଉଥିବ । ଆର ରବିବାର ଦିନ ପୋଡ଼ୀ ବରକୋଳି କାଠରେ ପୋଡ଼ୀ ପୂଜାକରି ଥୋଇଥିବ । ୧୨ ।

 

ଓଁ ଧୂଳି ଯେ ଧୂଳି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଧୂଳି ଧୂଳି ପକାନ୍ତେ ସର୍ପମୁଖେ ପଡ଼ୁ । ଦନ୍ତରେ ଦନ୍ତ ଲାଗୁ । ମୁଖରେ ବସୁମଣ ଲାଗୁ । ଲାଞ୍ଜରେ ବସୁମଣ ଲାଗୁ । ଲାଗୁ ଲାଗୁ ବୋଲି କାହାର ଆଗ୍ୟାଂ ଈଶ୍ୱର ପାର୍ବତୀଙ୍କର କୋଟି କୋଟି ଆଗ୍ୟାଂ- । ୧୩ ।

 

ଏ ରଣ କୁହୁକକୁ ଓଷଧ

 

ରବିବାର ଦିନ ଏକବର୍ଣ୍ଣି ଗାଈ ଗୋବର ତଳେ ନପଡ଼ୁ ହାଥରେ ଧରି ଘେନିମ । ନୋହିଲେ ନୁଗାରେ ଧରିବ । ଲଣ୍ଡାବଗୁଲୀ ଗଛ । କୃଷ୍ଟଅଙ୍କ ରାନ୍ତୀଗଛ ।

-*-

 

-ବେଦନା ଫୁଲବାଣ-

 

ଅଷ୍ଟ ସ୍ୱର ବ୍ୟାଧି ମାଟି ଫୁଙ୍କିବାକୁ ମନ୍ତ୍ର ।

ଓଁ ପାଂଚଖଣ୍ଡ ଧୁଳୁ ହାଥ । ତାଲେକ ମାଥେ

ଲାଲୁ ବେଣ୍ଟିତେରେ ପାପ ମିଲେଗାଲ ରାଯା ଇନ୍ଦ୍ର ପାଲେ

ହଉ ଗୋରଗଣ୍ଡା । ଫିରିକୀ ବାଙ୍କିନି ନାବାଂ

 

ବାପିବନ୍ଧ ବରଗୋଟୀ କପର କନମୂଳ ଅଷ୍ଟସ୍ୱର ବ୍ୟାଧି । ମୋହର ଅଙ୍ଗେ ପଡ଼ୀ ଭସ୍ମପାତେ ଜାବାଂ ଗୁରୁ କେମ୍ୟୁକ୍ତି ମୋରେ କେଭକ୍ତି ଗୁଗୁ କେସକ୍ତି- ଈଶ୍ୱର ଉବାଚ । ଏଥିକି ବାଟ ମନ୍ତ୍ରବଳେ ବଢ଼ିବ । ଆଠବେଳେ ଫୁଙ୍କିବ । ଏରୂପେ ଆଠଥର ଝାଡ଼ୀ ଚଉଷଠି ଥର ଫୁଙ୍କିବ ଅଷ୍ଟସ୍ୱର ବ୍ୟାଧି ବାଣ ଆଦି ସମସ୍ତେ ଭଲ ହୁଅନ୍ତି ।

 

-*-

 

ଆୟୁର୍ବେଦ ଶାସ୍ତ୍ର

 

ହରିଣ ଶାହାଡ଼ା ଛେଲୀ ତ୍ରୀକୁଟ ଚୂର୍ଣ୍ଣ ହେବ । ତବତ ପାଣିରେ ପିଇଲେ ପେଟବ୍ୟଥା ଭଲ ହେବ । ଶ୍ୱେତ ଅପରାଜିତା ପତ୍ର ମରିଚ ଏହା ବାଟୀ ନାସଦେଲେ ମୁଣ୍ଡବ୍ୟଥା ଭଲ ହେବ । X X X –ଓଁ ରାମ ବୋଲନ୍ତି ଆହେ ଲକ୍ଷ୍ମଣ ଆମ୍ଭର ଆଜ୍ଞା ତୁମ୍ଭ ବନେ ପ୍ରମାଣ ଅମୁକା ଅମୁକାଇ ମୁଣ୍ଡବଥା ରହୁ । ତତକ୍ଷଣେ ନ ରହୁ ବୋଲି କାହାର ରାଣ ଶ୍ରୀରାମ ଲକ୍ଷ୍ମଣ ସୀତା ଠାକୁରାଣୀଙ୍କର କୋଟିଏ ରାଣ । ଏମନ୍ତ ପଢ଼ି ସାତଥର ମୁଣ୍ଡ ମୋଡ଼ିଦେବ । ଓଁ ଅପଦୃଷ୍ଟି ବାତାଦୃଷ୍ଟି ଗୋଦୃଷ୍ଟି ପୋଦୃଷ୍ଟି ପରଦୃଷ୍ଟି ଘରଦୃଷ୍ଟି । ଡାଏଣୀ ଶିଘାଂ ପକାକାଟୀ ନ ପକାଉ । ବୋଲି କାହାର ରାଣ । ଈଶ୍ୱର ପାର୍ବତୀଙ୍କର କୋଟିଏ ରାଣ । ଏ ପେଟ ବ୍ୟଥାକୁ ଲୁଣମନ୍ତ୍ର । ଓଁ ଖଣ୍ଡାଲ କାଳ କାଏ ରକତ ପଂକ ପଂଏ ରହୁ ରକତ ନା ପାଚୁ ଯା ଘା ନ ପାଚୁ ବୋଲି କାହାର ରାଣ ଶ୍ରୀରାମ ଲକ୍ଷ୍ମଣ ସୀତା ଠାକୁରାଣୀଙ୍କର କୋଟିଏ ରାଣ । ଏ ମନ୍ତ୍ର ପଢ଼ି ଘା ଫୁଙ୍କିବ । ଓଁ ଛିଟିକା ପୋଡ଼ାଦେବି କୋସଳା ଦେବି ଆଗ୍ୟାଂରେ ଘା’ ଶୀତଳ ହେଲା । ଛିଟିକାଗଲା ପୋଡ଼ାଗଲା । ନ ଯାଉ କାହାର ରାଣ । ଈଶ୍ୱର ପାର୍ବତୀଙ୍କର କୋଟିଏ ରାଣ । ଏ ମନ୍ତ୍ର ପଢ଼ି ଫୁଙ୍କିଲେ ଛିଟିକା ପୋଡ଼ା ଭଲ ହୁଅଇ ।

 

-୦-

 

 

ପ୍ରାଚୀନ ପ୍ରବଚନ

 

କଟକ ଚିନ୍ତା ବାଇମୁଣ୍ଡିକି ।

ବାରଶ ବଢ଼େଇରେ ଦାୟ କି ପୁଅରେ ଦାୟ ।

ଶିବେଇ ସାନ୍ତରା ଦେଉଳ ତୋଳିଲା ନ୍ୟାୟ ।

ଏକଇରବଳା ବିଶିକେସନ ।

ତିନି ମୁଣ୍ଡରେ ଛେଳି କୁକୁର ।

ଭୀମ ପହିଲି ବାଜି ହାରେ ।

ଯମକୁ ସାତ ପୁଅ ଦେବ, ପଡ଼ିଶାଘରକୁ ପୁତ ତ ଦେବ ନାହିଁ,

ହାତର ଶଂଖା ଦରପଣ ।

ଅଇଲା କଳାପାହାଡ଼

ଭାଙ୍ଗିଲା ଲୁହାର ବାଡ଼

ପିଇଲା ମହାନଦୀର ପାଣି

ସୁବର୍ଣ୍ଣଥାଳୀରେ ହୀରା ପରଶିଲେ

ମୁକୁନ୍ଦଦେବଙ୍କ ରାଣୀ ।

ପୂର୍ବେ ଇନ୍ଦ୍ରଧନୁ ପଶ୍ଚିମେ ରୋହି

ନାଥେ ବୋଇଲେ ପୁତା ନିଶ୍ଚେ ପଡ଼ଇ ଧୋଇ ।

ଦେଇଥିଲେ ପାଇ, ବୁଣିଥିଲେ ଜାଇ ।

ଯାହିଁ ବୁନ ତାହିଁ ବୁନ ଆଶୀନ ମାସେଁ ଠୁନ୍ ଠୁନ୍- (ସମ୍ବଲପୁରୀ) ।

 

-୦-

 

ସହାୟକ ଗ୍ରନ୍ଥ

 

୧-Evolution of Oriya Language & Script by-Dr.K.B.Tripathi-1962, Utkal University

୨-ଓଡ଼ିଆ ସାହିତ୍ୟର ଇତିହାସ (ତୃତୀୟ ଭାଗ)-ଡଃ ବଂଶୀଧର ମହାନ୍ତି

୩-ପ୍ରାଚୀନ କାବ୍ୟଧାରା- ଡଃ କୃଷ୍ଣଚରଣ ସାହୁ

୪-ସୋମନଥା ବ୍ରତ କଥା (ସଂ)- ଡଃ ଜାନକୀବଲ୍ଲଭ ମହାନ୍ତି

୫ -ପ୍ରସ୍ତାବ ଚିନ୍ତାମଣି- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ- ସଂ- ଡଃ ରାଜଗୁରୁ

୬ -ଓଡ଼ିଆ ସାହିତ୍ୟରେ ଜୟଦେବ- ଡଃ ଜାନକୀବଲ୍ଲଭ ମହାନ୍ତି

୭-ଚାଚେରୀ ଲୀଳା- ଡଃ ଆଶୁତୋଷ ପଟ୍ଟନାୟକ

୮-ଓଡ଼ିଆ ଉପନ୍ୟାସ- ଡଃ କୃଷ୍ଣଚରଣ ବେହେରା

୯- ଚତୁର ବିନୋଦ-ସଂ-ସୁଧାକର ପଟ୍‌ନାୟକ-୧୯୪୬,ପ୍ରାଚୀ ସମିତି ପକ୍ଷରୁ କଟକ ଷ୍ଟୁଡେଣ୍ଟ୍ ଷ୍ଟୋର ପ୍ରକାଶନ

୧୦ ।ରୁଦ୍ର ସୁଧାନିଧି-ସଂ-ଡଃ କରୁଣାକର କର

୧୧-ରୁଦ୍ର ସୁଧାନିଧି-ସଂ-ଡଃ କୃଷ୍ଣଚରଣ ସାହୁ

୧୨-ଧମ୍ମପଦଂ-ସଂ-ଡଃ କୁଂଜବିହାରୀ ତ୍ରିପାଠୀ

୧୩-ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ- ସଂ-ଡଃ ଆର୍ତ୍ତବଲ୍ଲଭ ମହାନ୍ତି

୧୪-ମାଦଳାପାଞ୍ଜୀ -ସଂ”

୧୫-Introduction to Prakrit-by Woolner

୧୬-କାବ୍ୟାଦର୍ଶ-ଦଣ୍ଡୀ

୧୭-ବିକ୍ରର୍ମୋବଂଶୀୟମ୍‌-କାଳିଦାସ

୧୮-ସ୍ୱପ୍ନବାସବ ଦତ୍ତମ୍‌-ଭାସ

୧୯-ଭାଷାର ଇତିବୃତ୍ତ-ଡଃ ସୁକୁମାର ସେନ୍ ଏବଂ ଅନ୍ୟାନ୍ୟ ଗ୍ରନ୍ଥ

 

ପରିଶିଷ୍ଟ (୧)

ନାଗୁଣୀ ଚଉଠୀ ବ୍ରତ

 

“ଶ୍ରୀ ଗଣେଶାୟ ନମଃ । ଶୁଣ ଗୋ ନରନାରୀମାନେ । ନାଗୁଣୀ ଚଉଠୀ ବ୍ରତକଥା । ସମସ୍ତେ ହୁଲହୁଲି ଦେଇ ଦୁବ ଉଆ ଚାଉଲ ବନ୍ଦାଇ ନମସ୍କାର କରି ବ୍ରତକଥା ଶୁଣ । ସାଧବଘର ସାତ ବହୂ । ସର୍ବାସାନ ବହୁଠାରେ ସାଧବାଣୀ ବହୁତ ସେନେହ ହୋଅଇ । ତାହାଠାରେ ଘର ସମର୍ପି ଥାଇ । ୟେମନ୍ତେ କେତେହେକ ଦିନ ଅନ୍ତରେ ବହୁ ନାଗନାଗୁଣୀଙ୍କଠାରେ ମିତ୍ର ହୋଇଥାଇ । ଯେମନ୍ତ ସମୟରେ ୟେକ ଦିନେ ନାଗନାଗୁଣୀ ସାତଗୋଟି ଡିମ୍ବପାରି ତା’ ପତ୍ର ଗୋଟିକରେ ପୋରେଇଲେ । ଅତି ବିଶ୍ୱାସ କରି ସାନବହୂଠାରେ ଦେଲା । ବୋଇଲା ଭୋ ମଇତ୍ର ୟେ ଡିମ୍ବକୁ ତୁମ୍ଭେ ରଖିଥାଅ । ୟେଥିରେ କଞ୍ଚା ଦୁଧ ଟିକାୟେ ଦେଉଥିବ । ଶେଷ ଦିନ ଅନ୍ତରେ ମୁଁ ଆସି ନେବି । ୟେହା ଶୁଣି ସାଧବାଣୀ ବହୂ କହିଲା । ଶେଷ ଦିନ ଅନ୍ତରେ ମୁଁ ଆସି ନେବି । ୟେହା ଶୁଣି ସାଧବାଣୀ ବହୂ କହିଲା । ମୁଁ ତ ଘର ଆଡ଼ିତିରେ ଲାଗିଥାଇ । ଜଞ୍ଜାଳରେ ଥିବି ମନେ ପଡ଼ିବ ନ ପଡ଼ିବ । ୟେଥିରେ ଦୁଧ ନ ଦେଲେ ମଇତ୍ର ଦ୍ରୋହୀ ହେବି । ବାଳକ ହତ୍ୟା ପାଇବି । ୟେହା ମତେ ନ ଦିଅ । ୟେହା ଶୁଣି ନାଗୁଣୀ କହିଲା, ଆଉ କାହାଠାରେ ଦେବି । ତୁମ୍ଭଠାରେ ଦେଇ ଯାଉଅଛି । ୟେ ଡିମ୍ବ ରକ୍ଷିଥାଅ । ଅତି କଟାଳ କରି କହନ୍ତେ ସାଧବ ବହୂ ପାତ୍ରରେ ଡିମ୍ବ ପୁରାଇ ରଖିଲା । ନିତିଦିନ ତିହିରେଂ କଞ୍ଚା ଦୁଧ ଟିକାଏ ଦେଉଥାଇ । ଏହି ରୂପେ କେତେ ଦିନ ଉତାରେ, ସାଧବାଣୀ ଜଂଜାଳରେ ମନେ ନକରି ପାରିଲା । ଦୁଧ ଆଉଟା ହୋଇଥିଲା । ସେ ଉଷୁମ ଦୁଧରୁ ଟିକାଏ ସେ ପାତ୍ରରେ ଦେଲା । ସେ ଡିମ୍ବରେ ଉଷୁମ ଦୁଧ ପଡ଼ିଲା । X X X X X । ଶୁଣ ଗୋ ନରନାରୀମାନେ ହୁଳହୁଳି ଦେଇ । ନାଗୁଣୀ କି ବନ୍ଦାଅ । ଦୁଧଘଟ ଦିଅ । ପାଣିଘଟ ଦିଅ । ପାଦୁକା ପ୍ରସାଦ ଶିରରେ ଘେନ । ୟେହୁ ବ୍ରତ ଯେହୁ କରଇ ଶୁଦ୍ଧମନେ ୟେକଚିତ ହୋଇ । ଅନ୍ଧକୁ ଚକ୍ଷୁଦାନ, ଦରିଦ୍ରକୁ ଅର୍ଣ୍ଣଦାନ । ରୋଗୀକି ଆରୋଗ୍ୟ । ଶ୍ରୀ ବାସୁକୀ ବର୍ଣ୍ଣନାଥେ ଦୟା କରନ୍ତି । ଅନୁଗୃହ କରନ୍ତି । ହୁଳହୁଳି ଦିଅ । ଶିଦ୍ଧପୁଟଳ ମାତାକୁ ନଇବିଦ୍ୟ ଦେଇ ନମସ୍କାର ହୁଅ । ଇତିଶ୍ରୀ ସ୍କନ୍ଧ ପୌରାଣେ ଶ୍ରୀ ନାଗୁଣୀ ଚଉଠୀ କଥା ସମ୍ପୂର୍ଣ୍ଣ । ।”

 

ପୁଅ ଜୀଉଁତିଆ ବ୍ରତ (ଜୀଉଁଛି ବ୍ରତ)

 

“ଏକଦିନେ ନାରଦ ମୋହଋଷି ଇନ୍ଦ୍ରଭୁବନକୁ ଗଲେ । ନାରଦଙ୍କୁ ଦେଖି ଇନ୍ଦ୍ର ଶଚି ଅର୍ଘ୍ୟ ପାଦ ପୂଜା କଲେ । ଦିବ୍ୟ ଆସନେ ବିଜେ କରାଇଲେ । ଇନ୍ଦ୍ର ଉବାଚ । ଇନ୍ଦ୍ର ବୋଇଲେ ନାରଦ କେବଣ ଦିଗେ ବିଜେ କରିଥିଲ । ଏବେ ଏଠାକୁ କି କାର୍ଯ୍ୟେ ଅଇଲ । ନାରଦ ଉବାଚ । ନାରଦ ବୋଇଲେ ଆମ୍ଭେ କୁଶବଟୁ X X X ନ ଥିଲୁଁ । ଏବେ ଆଣି ତୁମ୍ଭ ଭୁବନେ ମିଳିଲୁଁ । ଏଥୁ ଅନନ୍ତରେ ଇନ୍ଦ୍ରଶଚି ନାରଦଙ୍କୁ ବିନୋଇ ହୋଇଲେ । ଇନ୍ଦ୍ର ବୋଇଲେ ନାରଦ ଆପଣ ସର୍ବଗ୍ୟାଂନୀ ଅଟ । କେବଣ ବ୍ରତକଲେ କେବଣ ଫଳ ପାଇ । ୟେହା ଆମ୍ଭଙ୍କୁ ଆଜ୍ଞା ହୋଉ । ଶଚିଇନ୍ଦ୍ରଙ୍କ ଉସତ ଦେଖି ନାରଦ ସନ୍ତୋଷ ହୋଇଲେ । ନାରଦ ଉବାଚ । ନାରଦ ବୋଇଲେ ଭୋ ଇନ୍ଦ୍ର ସାବଧାନ ଶୁଣ । ଷଠି ଜୀଉଁଛି ବୋଲି ବ୍ରତ ଏକ ଅଛଇ । ୟେ ବ୍ରତ ଯଉଁ ସ୍ତିରୀ ୟେକ ମନୟେକ ଚିତରେ କରଇ । ଧନ ପୁତ୍ର ତା’ର ବହୁତ ହୋଅଇ । X X X X X । ବ୍ରହ୍ମ କ୍ଷେତ୍ରିୟ ବ୍ରତ କଲେ । ବଶ୍ୟ ଶୁଦ୍ର ବ୍ରତ କଲେ । ଯେ ଯାହା ବାଞ୍ଛିତ ସେ ଫଳ ପାଇଲେ । କୁଳେ ସୁପୁତ୍ର ଜାତକଲେ । ଏ ବ୍ରତ ଯେ ନିନ୍ଦାକରଇ ସେ ବହୁତ ଦୁଖ ପାଇ । ଦରିଦ୍ର ହୁଅଇ । କୁମ୍ଭିପାକ ନର୍କେ ପଡ଼ଇ । ଇତିଶ୍ରୀ ଜୀଉଁଛି ବ୍ରତ କଥା ସଦା ଜୟେ ସମ୍ପୂର୍ଣ୍ଣ ।”

 

ନିମାଇଁ ଚରଣ ପଣ୍ଡା

ଗବେଷଣା ସହାୟକ

ଉପାଧ୍ୟୁତ୍ତର ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

 

ପୋଥି ସଂଗ୍ରହ ସ୍ଥାନ- ‘ଝର’ (ଖଲାସା ଅଞ୍ଚଳ, ଥା : ସୋହେଲା, ସମ୍ବଲପୁର ଜିଲ୍ଲା) ତାଳପତ୍ର ପୋଥିରୁ ନକଲ ।

 

ପରିଶିଷ୍ଟ (୨)

ବେତାଳ ପଞ୍ଚିସା କଥା

ଶ୍ରୀ ଗଣେଶାୟ ନମଃ

 

ବେତାଳପଞ୍ଚିସା କଥା ଲିକ୍ଷ୍ୟତେ । ବିଘ୍ନରାଜଂଗଣାଧ୍ୟକ୍ଷଂ ମେକଦନ୍ତଂ ଗଜାନନଂ ଗଣେଶଂ ଚ ମହାକାୟଂ ନମାମି ପାର୍ବତୀସୁତଂ ॥ ୧ ॥ ବାଳାନାଂ ଶିଷ୍ୟବୋଧାୟ ଅଜ୍ଞାନାଂ ଚ ହିତାୟ ଚ ॥ ବେତାଳପଞ୍ଚସା ଗ୍ରନ୍ଥଂ ପ୍ରାକୃତେନ କରୋମ୍ୟହଂ ॥ ୨ ॥

 

କଥା ॥ ଦକ୍ଷିଣରେ ପ୍ରତିଷ୍ଠା ନାମ ପୁର ଅଛି । ସେ ପୁରେ ଗନ୍ଧର୍ବସେନ୍ ରାଜା । ଏକ ସମୟେ ସେ ରାଜା ମୃଗୟାର୍ଥେ ଗଲା ॥ ସେ ବନରେ ବଲ୍‌କଳାଶନ ମୁନିଙ୍କି ଦେଖି ବିଚାର କଲା । ମୁଁ ଜନ୍ମକାଳରୁ ବହୁତ ପାପ କରିଚି । ଏବେ ମୁନିଙ୍କ ଦର୍ଶନ ମାତ୍ରକେ ମୋର ସର୍ବପାପ ବିନାଶ ହେବ ॥ ସେ ମୁନି ନିମ୍ବବୃକ୍ଷ ମୂଳରେ ବ୍ରହ୍ମଲୋକ ପ୍ରାପ୍ତି ଅର୍ଥେ ତପସ୍ୟା କରୁଛନ୍ତି । ଦେହ ସୌଖ୍ୟ ନଜାଣନ୍ତି । ତପସ୍ୟାବଳରୁ ମଳମୂତ୍ର ନୋହଇ । ରାତ୍ର ଅର୍ଦ୍ଧରେ ନିମ୍ବବୃକ୍ଷ ବକଳ କବଳେ ଖାନ୍ତି ॥ ଏ ରୂପେ ସେ ମୁନିଙ୍କର ସହସ୍ରେ ବର୍ଷ ଗଲା । ରାଜା ଘୋଡ଼ାରୁ ଉତ୍ତୁରି ଆଶ୍ରମକୁ ଯାଇ ମୁନିଙ୍କି ଧ୍ୟାନୀ ଦେଖି ମୌନ ହୋଇ ନିକଟେ ରହିଲା ॥ ସୂର୍ଯ୍ୟ ଅସ୍ତ ଦେଖି ସମସ୍ୟା ନ ପାଇ ଗୃହକୁ ଗଲା । ଦୁତୀୟ ଦିନ ନିତ୍ୟକର୍ମ ସାରି ମୁନିଙ୍କ ଆଶ୍ରମକୁ ଗଲା । ତପକାରି ମୁନିଙ୍କି ଦେଖି ବିଚାରିଲା ॥ ମୋଠାରେ ଅଳଙ୍କାର କଲେ ॥ ଭଲା ଜାଣିମା । ଧ୍ୟାନଭଗ୍ନି କରିବ ବୋଲି ନଗ୍ରକୁ ଗଲା । ପାତ୍ରମନ୍ତ୍ରୀ ଅମନୀତ୍ୟାଦି କେ ହେଲେ ॥ ମୁନିଙ୍କ ତପସ୍ୟା ବିଘ୍ନକର ॥ ତାହାକୁ ମୁଁ ରାଜ୍ୟରୁ ଅଧେ ଦେବି ॥ ବୋଲନ୍ତେ ଏକ ବେଶ୍ୟା ଉତ୍ତର ଦେଲା ॥ ଭୋ ରାଜନ୍ ମୁହିଁ ମୁନିଙ୍କ ତପ ଭଗ୍ନ କରିବି ॥ ମୋହର ସୌନ୍ଦର୍ଯ୍ୟ ଲାବଣ୍ୟ ଚାତୁର୍ଯ୍ୟନୃତ୍ୟଗାୟନମାନଙ୍କରେ ମୋହିତ ହୋଈ (= ଇ)ବଶ୍ୟକର ହେବ । ଶ୍ଳୋକ ॥ ଘୃତକୁମ୍ଭସମାନାରି ତପ୍ତାଙ୍ଗାରସମଃ ପୁମାନ୍ । ତସ୍ମାଦ୍ ଘୃତଂ ଚ ବହ୍ନିଚ ନୈକତ୍ର ସ୍ଥାପୟେଦ୍‌ବୁଧଃ ॥ ୩ ॥ ଅର୍ଥଃ ଘୃତସଂଯୋଗ କଲେ ତରଳଇ ॥ ମୁଁ ତପ ଅବଶ୍ୟ ବିଘ୍ନ କରିବି । ରାଜା ଆଜ୍ଞାରେ ବେଶ୍ୟା ଗଲା ॥ ମୁନିଙ୍କ ନିକଟେ ରହିଲା ॥ ସୂର୍ଯ୍ୟେଦୟାସ୍ତ ପର୍ଯ୍ୟନ୍ତେ ମୁନି ତପ କରୁଛନ୍ତି କେମନ୍ତେ ବସ୍ୟ କରିବି ରାତ୍ରେ ସେ ମୁନି ନିମ୍ବବୃକ୍ଷରୁ ବକଳ କବଳେ ଖାଇଲେ । ବେଶ୍ୟା ଦେଖି ଗୃହକୁ ଜାଇ ନାନାପ୍ରକାର ମୋଦକ ଧାନ କରିଆଣି ॥ ସେ ବୃକ୍ଷ ମୂଳରେ ଏକ ମୋଦକ ରଖି ଅନ୍ତରେ ବସିଲା । ସେ ମୁନି ମୋଦକରୁ କବଳେ ଖାଇଲେ । ଜିହ୍ୱାକୁ ସ୍ୱାଦୁ ଲାଗିଲା । ପୁଣି ଏହି ରୂପେ ଦୁତୀୟ ତୃତୀୟ ଅନୁକ୍ରମେ ବିଂଶତି ପଞ୍ଚବିଂଶତି କବଳ ଭଖିତଂ । ଶରୀର ପୁଷ୍ଟଂଭବତି ॥ ଧ୍ୟାନଭଗ୍ନଂ । ଏମନ୍ତେ ମୁନି ବେଶ୍ୟାକୁ ଦେଖି କାମ ବାଧାରେ କହୁଚି ॥ ଶ୍ଳୋକଃ ॥ ସ୍ତ୍ରୀସଂଭୋଗାତ୍ ତ୍ରୟଂଲୋକେ ନ ସୌଖ୍ୟଂ ନ ରସାୟକଂ ନଂ ॥ କରିଣୀନାଂକୁ ଅର୍ଥାୟ ଯୂପପବ୍ଦେବ ଜାୟତେ ॥ ଅର୍ଥଃ ହେ ବେଶ୍ୟା ତ୍ରୈଲୋକ୍ୟରେ ସ୍ତ୍ରୀସଂଭୋଗକୁ ବଳିଆନେ ସୁଖ ନାହିଁ ॥ କରିଣିଠାରେ କରୀର ଯେଉଁ ସୁଖ ॥ ଏତେ ଦିନେ ମୋହୋର ବ୍ୟର୍ଥ ଗଲା ॥ ତୁହିକେ ॥ ମୁ ଈନ୍ଦ୍ରର ଉର୍ବହିଁ ॥ ତୋଠାରେ ମୋ ମନ ରହିଲା ମୋ ଭାର୍ଯ୍ୟା ହେବୁ ॥ ଏ ବନରେ ରହିବା ॥ ମୋ ଘର ସ୍ୱର୍ଗଲୋକେ ॥ ମୁଁ ଇନ୍ଦ୍ର ସମୀପେ ଥାଇ ॥ ମତେ ଏମନ୍ତ ନ ବୋଲ ॥ ହେ ଶୁଭ୍ରକେସି ଶୁଣ ॥ ମୋହର ଆଶ୍ରମେ କେତେଦିନ ରହ ॥ ସ୍ୱଇଚ୍ଛାରେ ମୁଁ ଏଠାରେ ଥିବି ॥ ମୁନି ଶୁଣି ଗୃହବିଧାନ କରି ବେଶ୍ୟା ସଙ୍ଗତେ କ୍ରୀଡ଼ା କଲା । ଏମନ୍ତେ ଗର୍ଭ ଦଶମାସ ସଂପୂର୍ଣ୍ଣେ ପୁତ୍ରଜାତ ହେଲା । ପୁତ୍ରକୁ କୋଡ଼ରେ ଧରି ଆନନ୍ଦ ହୋଇ ବର୍ଷପୂର୍ଣ୍ଣେ ବେଶ୍ୟା ବୋଇଲା । ଗୃହବାସୀ ବନରେ ଥିବାର ଭଲ ନୋହଇ ॥ ହେ ପ୍ରିୟା ତୋହର ମନ । ଭୋ ମୁନେ ମୁଁ ଏକ ନଗ୍ରେକ ଦେଖିବି ଯିବା ॥ ପୁତ୍ରକୁ ଧରି ବେଶ୍ୟା ପଛରେ ପ୍ରତିଷ୍ଠା ନଗ୍ରେ ରାଜସଭାରେ ପ୍ରବେଶ ହେଲା । ରାଜା ଦେଖି ଭୋ ମୁନେ ତପସ୍ୟା ପୂର୍ଣ୍ଣ ହେଲା । ମୁନି କହୁଚି । ଶ୍ଳୋକ । ଦ୍ୱିଜରାଜମୁଖୀ ମୃଗରାଜକଟୀ କରିରାଜବିରାଜିତ ମନ୍ଦଗତି ଯଦି ସାରମଣୀ ହୃଦୟଂ ରମତେ କ୍ୱ ତପଃ କ୍ୱ ତପଃ କ୍ୱ ଜପଃ କ୍ୱ ସମାଧିର୍ବିଧିନଃ ॥ ଅର୍ଥ ଚନ୍ଦ୍ରମୁଖୀ, ସିଂହକଟୀ ହସ୍ତିଗମନା ସା ନାୟିକାକୁ ରମଣ କଲେ କି ତପ, କି ଜପ, କି ଯୋଗ, କି ଧ୍ୟାନ, । ଶ୍ଳୋକ ।

 

ମୁନି ଶୁଣି କୋପେ ପୁତ୍ରର ଦୁଇପାଦ ଧରି ଭୂମିରେ ପିଟିଲେ ୩ଖଣ୍ଡ ହୋଇ ରାଜଦ୍ୱାରେ ଶିର ପଡ଼ିଲା । ମଧ୍ୟଭାଗ କୁମ୍ଭାର ଦ୍ୱାରେ ପଡ଼ିଲା । ପାଦଦ୍ୱୟ ତେଲିର ଦ୍ୱାରେ ପଡ଼ିଲା ॥ ମୁନି ବନକୁ ଗଲେ । ବେଶ୍ୟା ତା ଘରକୁ ଗଲା । ସେହିଦିନ ପାଟମହାଦେଈ କୁମ୍ଭାରୁଣୀ, ତେଲୁଣି ଗର୍ଭ ହେଲେ । ଦଶମାସେ ଏକଲଗ୍ନେ ତିନିଙ୍କର ତିନିପୁତ୍ର ଜନ୍ମ ହେଲେ ।

 

[* ଡକ୍ଟର ବୃନ୍ଦାବନ ଆଚାର୍ଯ୍ୟଙ୍କ ଦ୍ୱାରା ପାରଳାଖେମୁଣ୍ଡିରୁ ସଂଗୃହୀତ ତାଳପତ୍ର ପୋଥିରୁ ଉଦ୍ଧୃତ ।]